Flood: ଗର୍ଜିଲା ବୁଢ଼ାବଳଙ୍ଗ; ସେତୁ ଉପରେ ବନ୍ୟାଜଳ, ଆଶ୍ରୟସ୍ଥଳୀରେ ୫୦୦ ଲୋକ

1 hour ago 1
ARTICLE AD BOX

ବୈଶିଙ୍ଗା (ଦୀପକ କୁମାର ସିଂହ): ଆକାଶରୁ ଅବିରତ ବର୍ଷା, ତଳେ ଫୁଲୁଛି ବୁଢ଼ାବଳଙ୍ଗ। ଚାରିଆଡ଼େ ପାଣି, ଘରେ ପାଣି, ରାସ୍ତା ଉପରେ ପାଣି। ଲଘୁଚାପଜନିତ ଲଗାଣ ବର୍ଷା ବେତନଟୀ ଅଞ୍ଚଳର ଜନଜୀବନକୁ ଏକପ୍ରକାର ବନ୍ଦୀ କରିଦେଇଛି। ଗତ ୨୪ ଘଣ୍ଟାରେ ୧୭୦ ମିମି ବର୍ଷା ରେକର୍ଡ ହେବା ପରେ ତଳିଆ ଅଞ୍ଚଳରେ ବନ୍ୟାର ବିପଦ ଘନେଇଛି। ନଦୀର ଜଳସ୍ତର ବିପଦସଂକେତ ଉପରେ ରହିଥିବାବେଳେ ନାଖରା ସେତୁ ଉପରେ ବନ୍ୟାଜଳ ପ୍ରବାହିତ ହୋଇଛି।

ବୁଧବାରଠାରୁ ଲାଗି ରହିଥିବା ପ୍ରବଳ ବର୍ଷାରେ ଗଣ୍ଡବାଙ୍କ, ପ୍ରତିମାଦେଇପୁର, ପାଟଳିପୁରା, ଦାରିହା, କାଠପାଳ, ନାଖରା, ସିଙ୍ଗଲାମୁଣ୍ଡଳି, ଡେଁଫଉଦା ଆଦି ତଳିଆ ଅଞ୍ଚଳରେ ଘର ଭିତରକୁ ପାଣି ପଶିଛି। ଅନେକ ପରିବାର ଜଳବନ୍ଦୀ ହୋଇ ରହିଥିବାବେଳେ ରାତି ବଢ଼ିବା ସହ ଲୋକଙ୍କ ଆଶଙ୍କା ମଧ୍ୟ ବଢ଼ିଛି।

ପରିସ୍ଥିତି ଗମ୍ଭୀର ହେବା ପରେ ବିଧାୟକ ସନାତନ ବିଜୁଳିଙ୍କ ସହ ଜିଲ୍ଲାପାଳ ହେମକାନ୍ତ ସଏ, ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲି, ଦୁଇ ଏଡିଏମ୍‌, ବେତନଟୀ ବିଡିଓ ମୁନା ସେଠୀ, ତହସିଲଦାର ଚନ୍ଦ୍ରଜିତ ବେହେରା ଓ ପୁଲିସ ଅଧିକାରୀମାନେ ନାଖରା ସେତୁ ନିକଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଲୋକଙ୍କୁ ସୁରକ୍ଷିତ ରଖିବା ଓ ଆବଶ୍ୟକସ୍ଥଳେ ତୁରନ୍ତ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଇଛି।

୫୦୦ ଲୋକଙ୍କୁ ଆଶ୍ରୟସ୍ଥଳୀ, ରନ୍ଧା ଖାଦ୍ୟ ବ୍ୟବସ୍ଥା
ବେଲାଣପୁରା ବାତ୍ୟା ଆଶ୍ରୟସ୍ଥଳୀ ସହିତ ଅନ୍ୟାନ୍ୟ ବିଦ୍ୟାଳୟ ଗୃହକୁ ପ୍ରଭାବିତ ଅଞ୍ଚଳର ପ୍ରାୟ ୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆଶ୍ରୟସ୍ଥଳୀରେ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ଓ ଆବଶ୍ୟକ ସୁବିଧା ଯୋଗାଇବାର ବ୍ୟବସ୍ଥା ହୋଇଛି। ଯେକୌଣସି ଆପତ୍କାଳୀନ ସ୍ଥିତି ପାଇଁ ଓଡ୍ରାଫ୍‌ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମଧ୍ୟ ପ୍ରସ୍ତୁତ ରହିଛନ୍ତି।

WhatsApp Image 2026-08-13 at 21.42.20

ରାସ୍ତା ଉପରେ ବନ୍ୟା, ଧସିଲା ରାସ୍ତା
ବର୍ଷାର ପ୍ରଭାବରେ ବୈଶିଙ୍ଗା-ବଡ଼ସାହି ଓ ବୈଶିଙ୍ଗା-ରୁପ୍ସା ମୁଖ୍ୟ ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଛି। ବୈଶିଙ୍ଗା ବଜାର, ଭବାନୀ ପ୍ରିଣ୍ଟିଙ୍ଗ ପ୍ରେସ ଓ କ୍ଷୀରପଦା ନିକଟରେ ରାସ୍ତା ଉପରେ ପାଣି ଚାଲିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବୈଶିଙ୍ଗା-ରୁପ୍ସା ରାସ୍ତାର ବଙ୍ଗାଳିଡାହି ଓ ବ୍ରଜମୋହନ ଫିଲିଙ୍ଗ ଷ୍ଟେସନ ନିକଟରେ ପ୍ରାୟ ତିନି ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେବା ସହ ରାସ୍ତାର ଗୋଟିଏ ପାର୍ଶ୍ୱ ଧସିଯାଇଛି। ସୁରକ୍ଷା ଦୃଷ୍ଟିରୁ ପୁଲିସ ଭାରୀ ଯାନବାହନ ଚଳାଚଳକୁ ଅଟକାଇଛି।

କେନାଲକୁ ନେଇ ଉଠିଲା ପ୍ରଶ୍ନ
ଏଭଳି ଜଳବନ୍ଦୀ ପରିସ୍ଥିତି ପାଇଁ ସ୍ଥାନୀୟ ଲୋକେ ସୁବର୍ଣ୍ଣରେଖା ଜଳସେଚନ କେନାଲକୁ ଦାୟୀ କରିଛନ୍ତି। ଉପରମୁଣ୍ଡରୁ କେନାଲକୁ ଅଧିକ ପାଣି ଛଡ଼ାଯାଉଥିବାରୁ ତଳିଆ ଅଞ୍ଚଳରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗ ନେଇ ସମ୍ପୃକ୍ତ ବିଭାଗର ସ୍ପଷ୍ଟୀକରଣ ମିଳିନାହିଁ। ବୁଢ଼ାବଳଙ୍ଗର ବଢ଼ୁଥିବା ଜଳସ୍ତର, ଉପରମୁଣ୍ଡରୁ ଆସୁଥିବା ଜଳ ଓ ଲଘୁଚାପଜନିତ ବର୍ଷା—ଏ ତିନିଟି ବିପଦର ତ୍ରିକୋଣରେ ଏବେ ବେତନଟୀ। ଲୋକଙ୍କ ନଜର ନଦୀ ଉପରେ, ପ୍ରଶାସନର ନଜର ତଳିଆ ଗାଁ ଉପରେ। ରାତି ବଢ଼ୁଥିବା ସହ ବଢ଼ୁଛି ଆଶଙ୍କା—ବୁଢ଼ାବଳଙ୍ଗ ଆହୁରି ଫୁଲିଲେ ବେତନଟୀର ବନ୍ୟାଚିତ୍ର କେତେ ଭୟଙ୍କର ହେବ, ତାହା ଏବେ ସମୟ ହିଁ କହିବ।

WhatsApp Image 2026-08-13 at 21.42.21

ରାତି ୯ଟାରୁ ନାଖରା ପୋଲ ଉପରେ ବନ୍ୟାଜଳ 
ବେତନଟୀ ଅଞ୍ଚଳରେ ଲଗାଣ ବର୍ଷା ସାଙ୍ଗକୁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବଢ଼ିବା ପରେ ରାତି ୯ଟା ପରଠାରୁ ନାଖରା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବା ଆରମ୍ଭ କରିଛି। ଜଳସ୍ତର ବୃଦ୍ଧି ପାଉଥିବାରୁ ପୋଲର ସୁରକ୍ଷା ନେଇ ଆଶଙ୍କା ବଢ଼ିଛି। ବିପଦସଂକୁଳ ଅବସ୍ଥାରେ ଥିବା ନାଖରା ପୋଲ ଉପରେ ଯେପରି କୌଣସି ଭାରୀଯାନ ଚଳାଚଳ ନକରେ, ସେଥିପାଇଁ ବୈଶିଙ୍ଗା ପୁଲିସ ପକ୍ଷରୁ ପୋଲ ଉପରେ ପୁଲିସ ମୁତୟନ କରାଯାଇଛି। ଭାରୀଯାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ ଯାତାୟାତ ଉପରେ କଡ଼ା ନଜର ରଖାଯାଇଛି।

ଲଗାଣ ବର୍ଷା ଜାରି: ଫୁଲୁଛି ବୁଢ଼ାବଳଙ୍ଗ, କତରା ନଦୀ

ଅନ୍ୟପକ୍ଷରେ ବନ୍ୟାଜଳ ଦେଖିବା ପାଇଁ ପୋଲ ନିକଟରେ ଲୋକଙ୍କ ଭିଡ଼ ଜମୁଥିବାରୁ ପୁଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି। ବଢ଼ୁଥିବା ଜଳସ୍ତର ମଧ୍ୟରେ ଲୋକଙ୍କୁ ପୋଲ ନିକଟକୁ ନଯିବା ପାଇଁ ପୁଲିସ ସଚେତନ କରୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି—ପରିସ୍ଥିତିର ଗମ୍ଭୀରତାକୁ ନିଜ ଆଖିରେ ଦେଖିବା ପାଇଁ ଖୋଦ ବିଧାୟକ ସନାତନ ବିଜୁଳିଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ନାଖରା ପୋଲ ନିକଟରେ ଉପସ୍ଥିତ ରହିଛନ୍ତି। ରାତି ତମାମ ସ୍ଥିତି ଉପରେ ନଜର ରଖି ଜଳସ୍ତର ବୃଦ୍ଧି ଓ ତଳିଆ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରାଯାଉଛି।

ବୁଢ଼ାବଳଙ୍ଗର ଜଳସ୍ତର ଆହୁରି ବଢ଼ିଲେ ନାଖରା ପୋଲ ଓ ଏହାର ଆଖପାଖ ଅଞ୍ଚଳରେ ପରିସ୍ଥିତି ଅଧିକ ସଙ୍ଗିନ ହେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ପୁଲିସର ସୁରକ୍ଷା ବ୍ୟବସ୍ଥା ଓ ପ୍ରଶାସନର ରାତିତମାମ ତଦାରଖ ଲୋକଙ୍କ ମଧ୍ୟରେ ଆଶ୍ୱାସନ ସୃଷ୍ଟି କରିଛି। ନାଖରା ପୋଲ ଉପରେ ବନ୍ୟାଜଳର ଧାର, ତଳିଆ ଅଞ୍ଚଳରେ ବଢ଼ୁଥିବା ଆଶଙ୍କା—ସମସ୍ତଙ୍କ ନଜର ଏବେ ବୁଢ଼ାବଳଙ୍ଗର ଜଳସ୍ତର ଉପରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.