ARTICLE AD BOX
ରାଉରକେଲା (ଦେବବ୍ରତ ଗଡ଼ତିଆ):ବ୍ରାହ୍ମଣୀ ନଦୀର ଜଳସ୍ତରରେ ଏବେ ଦ୍ରୁତ ହ୍ରାସ ପରିଲକ୍ଷିତ ହୋଇଛି। ନଦୀର ଉପର ମୁଣ୍ଡ ଅଞ୍ଚଳରେ ଗତକାଲି ଅପେକ୍ଷା କମ୍ ବର୍ଷା ହେବାରୁ ହ୍ରାସ ଦେଖିବାକୁ ମିଳିଛି, ଯାହା ବନ୍ୟା ଆଶଙ୍କାକୁ ସାମାନ୍ୟ ଟାଳି ଦେଇଛି। ତେବେ ଶୁକ୍ରବାର ରାତିରେ ଅଧିକ ବର୍ଷା ହେଲେ, ଜଳସ୍ତର ପୁନର୍ବାର ବୃଦ୍ଧି ହେବାର ଆଶଙ୍କା ରହିଛି। ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ବ୍ରାହ୍ମଣୀ ନଦୀର ଜଳସ୍ତର ୧୭୫.୨୯ ମିଟର୍ ରହିଛି। ସେହିଭଳି ଏହି ସମୟରେ କୋଏଲ ନଦୀର ଜଳସ୍ତର ୧୯୦.୨୦ ମିଟର ଥିବାବେଳେ ଶଙ୍ଖ ନଦୀର ଜଳସ୍ତର ୩୭୫.୧୩୦ ମିଟର ରହିଛି।
ଗତକାଲି ନଦୀର ଜଳସ୍ତର ବିପଦ ସଙ୍କେତର ଅତି ନିକଟରେ ପ୍ରବାହିତ ହେଉଥିଲା। ଏହାକୁ ନେଇ ତଳିଆ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଉପର ମୁଣ୍ଡରେ ବର୍ଷା ପରିମାଣ କମିବା ପରେ ଜଳସ୍ତର ନିମ୍ନଗାମୀ ହେଉଥିବାରୁ ଜନସାଧାରଣ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି। ଉଲ୍ଲେଖଯୋଗ୍ୟ, ଠିକ୍ ୧୨ ଘଣ୍ଟା ପୂର୍ବେ, ଅର୍ଥାତ୍ ଆଜି ସକାଳ ୬ଟାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୧୭୫.୩୦ ମିଟର ରହିଥିଲା। ତେବେ ଚାରିଘଣ୍ଟା ଯାଏ, ଜଳସ୍ତର ଉପରମୁହାଁ ହେବାସହ ପୂର୍ବାହ୍ନ ୧୦ଟାରେ ୧୭୫.୪୪ ମିଟର ରହିଥିଲା। ଏହାପରେ ଜଳସ୍ତର କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ସେହିଭଳି କୋଏଲନଦୀର ଜଳସ୍ତର ମଧ୍ୟ ପୂର୍ବାହ୍ନ ୧୯୦ଟା ଯାଏ ବଢିବାରେ ଲାଗିଥିଲା।
Budhabalanga Floods: ବଢ଼ୁଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର: ବନ୍ୟା ମୁହଁରେ ବେତନଟୀର ୧୬ଗାଁ
ସେତେବେଳେ ଜଳସ୍ତର ୧୯୦.୯୦ ମିଟରରେ ପହଞ୍ଚିଥିଲା, ତେବେ ଏହାପରଠାରୁ ବହୁମାତ୍ରାରେ କମିବାରେ ଲାଗିଛି। ଅପରପକ୍ଷରେ ଶଙ୍ଖ ନଦୀର ଜଳସ୍ତର ପୂର୍ବାହ୍ନ ୧୧ଟାରେ ୩୭୫.୮୨୦ ମିଟରରେ ପହଞ୍ଚିଥିଲା। ଅବଶ୍ୟ, ଦିନ ୧୨ଟାରୁ କମିବାରେ ଲାଗିଛି, ଯାହାକି ଦୁଶ୍ଚିନ୍ତାକୁ କମାଇଛି। ବ୍ରାହ୍ମଣୀ ନଦୀର ଜଳସ୍ତର ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ମଧ୍ୟରେ ରହିଛି। ଗତକାଲିର ସଙ୍କଟଜନକ ପରିସ୍ଥିତି ଏବେ ଦୂର ହୋଇଥିଲେ ମଧ୍ୟ ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଉଲ୍ଲେଖଯୋଗ୍ୟ, ବ୍ରାହ୍ମଣୀ ନଦୀର ବିପଦ ସଙ୍କେତ ହେଉଛି ୧୭୮ ମିଟର। ଗତକାଲି ରାତିରେ ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ ନଦୀର ସର୍ବୋଚ୍ଚ ଜଳସ୍ତର ରେକର୍ଡ କରାଯାଇଥିଲା। ଗୁରୁବାର ରାତି ୯ଟାରେ ବ୍ରାହ୍ମଣୀ ନଦୀର ସର୍ବୋଚ୍ଚ ଜଳସ୍ତର ୧୭୫.୫୦୦ ମିଟର ଛୁଇଁଥିଲା। ସେହିଭଳି ରାତି ୧୨ଟାରେ କୋଏଲ୍ ନଦୀର ସର୍ବୋଚ୍ଚ ଜଳସ୍ତର ୧୮୮.୭୪୦ ମିଟର ରେକର୍ଡ କରାଯାଇଥିବା ବେଳେ ଶଙ୍ଖ ନଦୀର ଜଳସ୍ତର ୩୭୪.୬୩୦ ମିଟର ଛୁଇଁଥିଲା।

17 hours ago
3


