ARTICLE AD BOX
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଦୁଃସାହସିକ ମହିଳା ଫାଇଟର ପାଇଲଟ ସ୍କ୍ବାଡ୍ରନ୍ ଲିଡର ଭାବନା କଣ୍ଠ ଇତିହାସରେ ପୁଣିଥରେ ନିଜ ନାମ ଲିପିବଦ୍ଧ କରିଛନ୍ତି। ଭାବନା ବାୟୁସେନାର ପ୍ରଥମ ମହିଳା ‘ଟପ୍ ଗନ୍’ ପାଇଲଟ ହେବାର ଗୌରବ ଅର୍ଜନ କରିଛନ୍ତି। ଭାବନା ପ୍ରତିଷ୍ଠିତ ‘ଫାଇଟର କମ୍ବାଟ ଲିଡର’ (ଏଫ୍ସିଏଲ୍) କୋର୍ସ ସଫଳତାପୂର୍ବକ ଶେଷ କରିବାରେ ଦେଶର ପ୍ରଥମ ମହିଳା ଫାଇଟର ପାଇଲଟ ହୋଇପାରିଛନ୍ତି।
ପ୍ରଥମ ମହିଳା ‘ଟପ୍ ଗନ୍’ କମ୍ବାଟ ଟାକ୍ଟିସିଆନ୍
ଏହି ଐତିହାସିକ ଉପଲବ୍ଧି ସହିତ ଭାବନା ଭାରତୀୟ ବାୟୁସେନାର ପ୍ରଥମ ମହିଳା ‘ଟପ୍ ଗନ୍’ କମ୍ବାଟ ଟାକ୍ଟିସିଆନ୍ ହୋଇପାରିଛନ୍ତି। ଗ୍ବାଲିୟର ସ୍ଥିତ ‘ଟାକ୍ଟିକ୍ସ ଆଣ୍ଡ ଏୟର କମ୍ବାଟ ଡେଭେଲପମେଣ୍ଟ ଏଷ୍ଟାବ୍ଲିସ୍ମେଣ୍ଟ’ (ଟିଏସିଡିଇ)ରେ ଆୟୋଜିତ ୨୦ ସପ୍ତାହ ଧରି ଚାଲିଥିବା କାର୍ଯ୍ୟକ୍ରମ ଭାରତୀୟ ବାୟୁସେନାର ଅତ୍ୟାଧୁନିକ କମ୍ବାଟ କୋର୍ସ ମଧ୍ୟରେ ପରିଗଣିତ। ଏଥିରେ କଡ଼ା ପ୍ରଶିକ୍ଷଣ ନେବାକୁ ପଡ଼ିଥାଏ। ଟିଏସିଡିଇ ଭାରତୀୟ ବାୟୁସେନାର ଟପ୍ ଗନ୍ ସ୍କୁଲ୍ ଭାବରେ ଜଣାଶୁଣା। ଏହାକୁ ଆମେରିକୀୟ ନୌସେନାର ‘ଟପ୍ ଗନ୍’ କାର୍ଯ୍ୟକ୍ରମ ସହିତ ତୁଳନା କରାଯାଇଛି ଓ ଏଥିରେ କେବଳ କେତେକ ବଛାବଛା ଫାଇଟର ପାଇଲଟଙ୍କୁ ଗ୍ରହଣ କରାଯାଏ।
ଏଫ୍ସିଏଲ୍ ପାଠ୍ୟକ୍ରମ ସମାପ୍ତ କରୁଥିବା ପାଇଲଟମାନେ ଆକାଶରେ ଜଟିଳ ମିଶନର ନେତୃତ୍ୱ ନେବାରେ ସକ୍ଷମ। ସ୍କ୍ୱାଡ୍ରନ୍ ଲିଡର କଣ୍ଠ ବିହାରର ଦରଭଙ୍ଗା ଜିଲ୍ଲାର ବାସିନ୍ଦା ଓ ଜଣେ ଇଞ୍ଜିନିୟରିଂ ସ୍ନାତକ। ଜୁନ୍ ୨୦୧୬ ରେ ସେ ଅବନୀ ଚତୁର୍ବେଦୀ ଓ ମୋହନା ସିଂହଙ୍କ ସହିତ ଦେଶର ପ୍ରଥମ ବ୍ୟାଚ୍ ମହିଳା ଫାଇଟର ପାଇଲଟ୍ ଭାବରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ। ସ୍କ୍ୱାଡ୍ରନ୍ ଲିଡର କଣ୍ଠ ପ୍ରଥମେ ମିଗ୍-ବାଇସନ୍ ପରେ ଏସ୍ୟୁ-୩୦ଏମ୍କେଆଇ ଉଡ଼ାଇ ଥିଲେ। ୨୦୨୧ ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଥମ ମହିଳା ଫାଇଟର ପାଇଲଟ ଭାବେ ଅଂଶଗ୍ରହଣ କରିଥିଲେ।

1 hour ago
1


