ARTICLE AD BOX
ବାରାଣସୀ: ଉତ୍ତରପ୍ରଦେଶର ବାରାଣସୀସ୍ଥିତ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍ୟୁ) ପରିସରରେ ବିନା ଅନୁମତିରେ ୩୩ଟି ଗଛ କଟାଯାଇଥିବା ଅଭିଯୋଗରେ ବିଶ୍ୱବିଦ୍ୟାଳୟକୁ ୨ କୋଟି ୬୫ ଲକ୍ଷ ଟଙ୍କାର ପରିବେଶ କ୍ଷତିପୂରଣ ଦେବାକୁ କୁହାଯାଇଛି। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍ଜିଟି)ଙ୍କ ନିର୍ଦ୍ଦେଶକ୍ରମେ ଉତ୍ତରପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ୟୁପିପିସିବି) ଏହି କ୍ଷତିପୂରଣ ଆକଳନ କରିଛି।
ଏହି ମାମଲା ଜଣେ ଆବେଦନକାରୀଙ୍କ ଅଭିଯୋଗ ଆଧାରରେ ଏନ୍ଜିଟିରେ ପହଞ୍ଚିଥିଲା। ଆବେଦନରେ କୁହାଯାଇଥିଲା ଯେ, ବିଶ୍ୱବିଦ୍ୟାଳୟ ପରିସରରେ ବିକାଶମୂଳକ କାମ ନାଁରେ ଦୀର୍ଘ ଦିନ ଧରି ଗଛ କଟାଯାଉଛି। ଏଥିରେ ଚନ୍ଦନ, ଶାଗୁଆନ, ଆମ୍ବ ସମେତ ବିଭିନ୍ନ ପ୍ରଜାତିର ମୂଲ୍ୟବାନ ଗଛ ରହିଥିବା ଅଭିଯୋଗ କରାଯାଇଥିଲା। ଅନୁମତି ବିନା ଗଛ କଟାଯିବା ସହ ନୂଆ ବୃକ୍ଷରୋପଣ ସମ୍ପର୍କିତ ଦାବିର ସତ୍ୟତା ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଥିଲା।
ଏନ୍ଜିଟିଙ୍କ ନିର୍ଦ୍ଦେଶ ପରେ ଗଠିତ ଯାଞ୍ଚ କମିଟି ବିଏଚ୍ୟୁ ପରିସରରେ ତଦନ୍ତ କରିଥିଲା। ତଦନ୍ତରେ ୩୩ଟି ଗଛ ଅନୁମତି ବିନା କଟାଯାଇଥିବା ଜଣାପଡ଼ିଥିଲା। ଏହାପରେ ୟୁପିପିସିବି ପ୍ରଚଳିତ ନିୟମ ଓ ପରିବେଶ କ୍ଷତି ଆକଳନ ପଦ୍ଧତି ଅନୁଯାୟୀ ୨.୬୫ କୋଟି ଟଙ୍କାର କ୍ଷତିପୂରଣ ଧାର୍ଯ୍ୟ କରିଛି। ଏହି ଆକଳନରେ ଗଛର ପରିବେଶଗତ ମୂଲ୍ୟ, କାର୍ବନ ଶୋଷଣ କ୍ଷମତା, ଜୈବବିବିଧତା ଉପରେ ପ୍ରଭାବ ଓ ଦୀର୍ଘମିଆଦୀ ପରିବେଶ କ୍ଷତିକୁ ବିଚାରକୁ ନିଆଯାଇଛି।
ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ବିବାଦ : ଧର୍ମଘଟ ସ୍ଥଗିତ ରଖିଲା ଛାତ୍ର ସଂଗଠନ
ଏନ୍ଜିଟି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ଅନୁମତି ବିନା ଗଛ କାଟିବା କେବଳ ଆଇନ ଉଲ୍ଲଂଘନ ନୁହେଁ, ବରଂ ପରିବେଶ ପାଇଁ ଗୁରୁତର କ୍ଷତିର କାରଣ। ସେଥିପାଇଁ ଦୋଷୀ ସଂସ୍ଥା ବିରୋଧରେ କ୍ଷତିପୂରଣ ସହ ଆବଶ୍ୟକ ସଂଶୋଧନମୂଳକ ପଦକ୍ଷେପ ମଧ୍ୟ ନେବାକୁ କୁହାଯାଇଛି। ଗଛ କଟାଯାଇଥିବା ସ୍ଥାନରେ ନୂଆ ବୃକ୍ଷରୋପଣ ଏବଂ ପରିବେଶର ପୁନରୁଦ୍ଧାର ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ କମିଟି ସୁପାରିସ କରିଛି। ଏହି ଘଟଣା ପରେ ବିକାଶ ପ୍ରକଳ୍ପ ନାଁରେ ଗଛ କଟାଯିବା ଏବଂ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷାକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି।

1 hour ago
1


