ARTICLE AD BOX
କଟକ: କୌଣସି ପୋଖତ ବା ପେଷାଦାର ଚୋରଙ୍କ କେବଳ ଚୋରିରେ ସଉକ ନଥାଏ, ଏହା ସହିତ ସେମାନଙ୍କ ଅନ୍ୟ କିଛି ବସ୍ତୁପ୍ରତି ବିଶେଷ ଆଗ୍ରହ ଥାଏ। ଅପରାଧିକ ମନୋବିଜ୍ଞାନ ଏହିପ୍ରକାର ସଉକକୁ ଡାର୍କ ଟ୍ରାଇଆଡ୍ କୁହାଯାଏ। କଟକ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ ଆଦି ଜିଲ୍ଲାରେ ବାଇକ୍ ଚୋରି କରି ପୁଲିସ ପାଇଁ ଖୋଲା ଚାଲେଞ୍ଜ୍ ଦେଇଥିବା ଏକ ଚୋରକୁ ଆଜି ପୁଲିସ ଧରିବାରେ ସକ୍ଷମ ହୋଇଛି। ଏହାପରେ ଚୋରର ’ପୋଷାକ ସଉକ’ ବା ଫେସନିଷ୍ଟାକ୍ ମନୋଭାବ ପଦାରେ ପଡ଼ିଛି। ଚୋରଜଣକ ଚୋରି ପାଇଁ ବାର ଅନୁସାରେ ପୋଷାକ ପିନ୍ଧୁଥିଲା।
/filters:format(webp)/sambad/media/media_files/2026/08/10/fashinista-bike-theft-2026-08-10-20-33-27.jpeg)
ଆଜି କଟକ-ଭୁବନେଶ୍ବର କମିସନରେଟ୍ ପୁଲିସ ମାନସ ରଞ୍ଜନ ପାଲ୍କୁ ଧରିଛି। ମାନସ କେବଳ କଟକ କିମ୍ବା ଭୁବନେଶ୍ବର ନୁହେଁ ୪-୫ ଜିଲ୍ଲାରେ ବାଇକ୍ ଚୋରିର ଏକ ବଡ଼ ନେଟ୍ୱାର୍କ ନିର୍ମାଣ କରିଥିଲା। ଗିରଫ ପରେ ପଚରାଉଚରାରେ ଚୋରିର ଅନେକ ଚମତ୍କାର କଥା ପଦାରେ ପଡ଼ିଛି। ଏହା ସହ ଗାଡ଼ିର ଅଂଶ କିଣୁଥିବା କବାଡ଼ିଆ ପୀତାମ୍ବର ବେହେରା ମଧ୍ୟ ଧରାପଡ଼ିଛି।
/filters:format(webp)/sambad/media/media_files/2026/08/10/fashinista-bike-theft2-2026-08-10-20-33-46.jpeg)
ମାନସର ଘର ଯାଜପୁର ଜିଲ୍ଲା। ସେ ଗାଡ଼ି ଚୋରାଇବାକୁ କଟକ ଆସୁଥିଲା। ତା’ର ଟାର୍ଗେଟ୍ରେ ଭିଡ଼ ଅଞ୍ଚଳ ରହୁଥିଲା। ପ୍ରମୁଖ ଭାବେ ସେ କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ହସ୍ପିଟାଲ୍ରେ ପହଞ୍ଚୁଥିଲା। ଏଥିପାଇଁ ସେ ମାଷ୍ଟର କି ବ୍ୟବହାର କରୁଥିଲା। ଗାଡ଼ି ଚୋରି କରିବା ପରେ ଉକ୍ତ ଗାଡ଼ିର ନମ୍ବର ପ୍ଲେଟ୍କୁ ବଦଳାଇ ନିଜ ନାମରେ ଥିବା ଗାଡ଼ିର ନମ୍ବର ପ୍ଲେଟ୍ ଲେଖୁଥିଲା। କେବଳ ଏହାନୁହେଁ, ବାଇକ୍ ଚୋରାଇବାକୁ ଯିବା ବେଳେ ବାର ଅନୁସାରେ ସେ ନିଜର ପୋଷାକ ବଦଳାଉଥିଲା। ଚୋରିଗାଡ଼ିକୁ କବାଡ଼ିଆକୁ ୬ରୁ ୧୦ ହଜାର ଟଙ୍କାରେ ବିକ୍ରି କରୁଥିଲା।
ମାନସ ନାମରେ ବିଭିନ୍ନ ଥାନାରେ ୧୫ରୁ ଅଧିକ ଅପରାଧିକ ମାମଲା ରହିଛି। ସେହିଭଳି ପୀତାମ୍ବର ନାମରେ ମଧ୍ୟ ଏକାଧିକ ମାମଲା ରହିଛି। କଟକ ଡିସିପି ଋଷିକେଶ ଖିଲାରି କହିଛନ୍ତି, ଚୋରି ହୋଇଥିବା ସ୍ଥାନଗୁଡ଼ିକର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ମାନସକୁ ଚିହ୍ନଟ କରାଯାଇଥିଲା। ଯୋଜନାବଦ୍ଧ ଭାବେ ଚଢ଼ାଉ କରାଯାଇ ମାନସ ଓ ପୀତାମ୍ବର ଠାରୁ ୭ଟି ଚୋରା ବାଇକ୍ ଓ କିଛି ବାଇକ୍ର ଅଂଶ ଜବତ କରାଯାଇଛି।

1 hour ago
2


