ARTICLE AD BOX
ଭୁବନେଶ୍ବର: ନିଜ ସ୍ବାର୍ଥ ପାଇଁ ଆମେ ଅଞ୍ଚଳକୁ କଂକ୍ରିଟ୍ ଜଙ୍ଗଲରେ ପରିଣତ କରିଦେଲେଣି। ଫଳରେ ଭୂତଳଜଳ ରିଚାର୍ଜ ଠିକ୍ ଭାବେ ହୋଇପାରୁନି। ଫଳରେ ରାଜଧାନୀର ଭୂତଳ ଜଳ ସ୍ତର ଉଦ୍ବେଗଜନକ ଭାବେ ହ୍ରାସ ପାଇଲାଣି। ତେଣୁ ଆମକୁ ସତର୍କ ଓ ସଚେତନ ହେବାକୁ ପଡ଼ିବ। ପ୍ରତ୍ୟେକ ବ୍ୟକ୍ତି ଘରେ ବର୍ଷାଜଳ ସଂରକ୍ଷଣ ସହ ଏହା କିଭଳି ମାଟି ତଳକୁ ଯିବ, ତାର ବ୍ୟବସ୍ଥା କରିବା ଉଚିତ। ବ୍ୟବହୃତ ପାଣିର ପୁନଃବ୍ୟବହାର ଓ ପଲିଥିନ୍ ବ୍ୟବହାରଠାରୁ ଦୂରେଇ ରୁହିବାକୁ ପଡ଼ିବ। ଏଭଳି ଛୋଟିଆ ପଦକ୍ଷେପ ପରିବେଶକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିପାରିବ। ନଚେତ୍ ଆଜି ପାଣି କିଣୁଛେ, ଭବିଷ୍ୟତରେ ଅକ୍ସିଜେନ୍ କିଣିବା। ଆଜି ମଧ୍ୟ ନିର୍ବାଚନମଣ୍ଡଳୀରେ ସମ୍ବାଦ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଧାୟକ ଅନନ୍ତ ନାରାୟଣ ଜେନା ଏହା କହିଛନ୍ତି।
ମହାନଗର ସଂସ୍କରଣ ମୁଖ୍ୟ ସରୋଜ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନା କହିଥିଲେ,ଗଛ ଲାଗୁଛି। କିନ୍ତୁ ଏହାର ଯତ୍ନ ନେବାକୁ କେହି ନାହାନ୍ତି। ନାଳ ଆଜି ପ୍ଲାଷ୍ଟିକ, କାଚର ଆବର୍ଜନାରେ ରୁନ୍ଧି ହୋଇଗଲାଣି। ଅଦିନରେ କାଳବୈଶାଖୀ ତାଣ୍ଡବ ରଚୁଛି। ପ୍ରଚଣ୍ଡ ବିଜୁଳି, ଘଡ଼ଘଡ଼ି ଛାତି ଥରାଇ ଦେଉଛି। ତାପମାତ୍ରା ଏତେ ବଢ଼ିଗଲାଣି ଯେ ଯେଉଁଠି ଏସି କେବେ ଲୋକେ ଦେଖିନଥିଲେ, ସେଠି ଏସି କିଣିବାକୁ ପ୍ରତିଯୋଗିତା ଚାଲିଛି। ହିମ ତରଳି ବନ୍ୟାର କରାଳ ରୂପ ଦେଖାଉଛି। ଯଦି ଏବେଠୁ ସଚେତନ ନହେବା, ଆଗକୁ ପରିବେଶଜନିତ ଯନ୍ତ୍ରଣାରେ ଛଟପଟ ହେବା। ଏଣୁ ଆଜିଠୁ ଶପଥ ନେଇ ନିଜ ପାଇଁ, ଉତ୍ତର ପିଢ଼ିଙ୍କ ସ୍ବାର୍ଥ ପାଇଁ ପରିବେଶ ଯୋଦ୍ଧା’ ହେବାକୁ ଶ୍ରୀ ଜେନା ଆହ୍ବାନ ଦେଇଛନ୍ତି।
Anganwadi worker: ଅଣ୍ଡା ପାଇଁ ଦମ୍ପତିଙ୍କ ୧୫୦ କିଲୋମିଟର କଷ୍ଟକର ଯାତ୍ରା
ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଇଂ. ଶିବପ୍ରସାଦ ପଟ୍ଟନାୟକ କହିଥିଲେ, ଭୁବନେଶ୍ୱରକୁ ରାଜଧାନୀ ଭାବେ ଚୟନ କରାଯିବାର ପ୍ରମୁଖ କାରଣ ଏଠାରେ ବନ୍ୟା ସମ୍ଭାବନା କମ୍ ଥିଲା। ରାଜଧାନୀର ପ୍ରାକୃତିକ ନାଳ ସବୁ ପୋତି ହୋଇଯିବା ଫଳରେ ୨୦୦୦ ପରଠାରୁ କ୍ରମାଗତ ଜଳବନ୍ଦି ସମସ୍ୟା ଦେଖୁଛେ। ତେଣୁ ଲୋକେ ସଚେତନ ହେବା ସମୟର ଆହ୍ବାନ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। କର୍ପୋରେଟର ଆସିଆ ବେଗମ୍ କହିଥିଲେ, ନିଜେ ବଞ୍ଚିବା ସହ ଅନ୍ୟକୁ ବଞ୍ଚିବାକୁ ସୁଯୋଗ ଦେବା ଆଜିର ଆହ୍ବାନ। ଆମ ଅଞ୍ଚଳରେ ଅଳିଆ ଅଧିକ ଓ ଏହାକୁ ସଫା କରିବା ଏକ ବଡ଼ ସମସ୍ୟା। ଏହାକୁ ଏଣେତେଣେ ନଫିଙ୍ଗି, ଅଳିଆ ଗାଡ଼ିରେ ଦେବା। ପୂର୍ବରୁ ୪୦ ନମ୍ବର ୱାର୍ଡରେ ଜଳବନ୍ଦି ଲୋକଙ୍କୁ ଯନ୍ତ୍ରଣା ଦେଉଥିଲା। ଏବେ ଏ ଯନ୍ତ୍ରଣା ଆଉ ନାହିଁ। କିନ୍ତୁ ଦୁଃଖର କଥା, ନାଳ ସଫା କଲେ ପ୍ଲାଷ୍ଟିକ ଟ୍ରେ, ଡବା, ଭଙ୍ଗା କାଚ ଆଦି ବାହାରୁଛି। ଏଥିପ୍ରତି ସଚେତନ ନ ହେଲେ, ପରିବେଶଗତ ନକାରାତ୍ମକ ପ୍ରଭାବର ସମ୍ମୁଖୀନ ହେବା। ପୁଣିଥରେ ଜଳବନ୍ଦି ସମସ୍ୟା ଭୋଗିବା ବୋଲି ସେ କହିଥିଲେ।
ପରିବେଶବିତ୍ ମମତା ବିଶ୍ବାଳ କହିଥିଲେ, ପରିବେଶର ସୁରକ୍ଷା କରିବାକୁ ହେଲେ, ଗଛକୁ ଭଲ ପାଇବାକୁ ହେବ। ଗଛ ସଂଖ୍ୟାରେ ଦ୍ରୁତ ହ୍ରାସ ଆଜି ପାଣିପାଗରେ ଅସ୍ବାଭାବିକ ପରିବର୍ତ୍ତନର ପ୍ରମୁଖ କାରଣ ପାଲଟିଛି। କର୍ପୋରେଟର୍ ରଂଜୁଲତା ରାୟ ସମସ୍ତେ ନିଜ ଘରେ ଗୋଟିଏ ଗଛ ଲଗେଇବାକୁ ଆହ୍ବାନ ଦେଇଥିଲେ। କର୍ପୋରେଟର ଅଲିଅଳି ମଲ୍ଲିକ ପରିବେଶ ସୁରକ୍ଷା ଦିଗରେ ନିଜେ ସଚେତନ ହେବା ସହ ଅନ୍ୟକୁ ସଚେତନ କରିବାକୁ ଆହ୍ବାନ ଦେଇଥିଲେ। ଲଗାଉଥିବା ଗଛ ଯେଭଳି ବଞ୍ଚିବ ଓ ବଢ଼ିବ, ତାର ଦାୟିତ୍ବ ନେବାକୁ କହିଥିଲେ। କର୍ପୋରେଟର ପଦ୍ମଜା ପ୍ରିୟଦର୍ଶିନୀ ଜେନା ଶୁଖିଲା, ଓଦା ଆଦି ବର୍ଜ୍ୟକୁ ଅଲଗା କରି ସପେଇ ଗାଡ଼ିରେ ଦେବାକୁ କହିଥିଲେ। କର୍ପୋରେଟର ଆଶିଷ କୁମାର ପଟ୍ଟନାୟକ କହିଥିଲେ, ଆଜି ବି ବିଏମ୍ସି ପରିମଳ ପରିଚାଳନାରେ ସଂପୂର୍ଣ୍ଣ ସଫଳ ହୋଇପାରିନି। ଏହାର ପ୍ରମୁଖ କାରଣ, ସଚେତନତା ଅଭାବ। ଯେବେ ଲୋକେ ପୂର୍ଣ୍ଣ ସଚେତନ ହେବେ ଓ ନିଜ ପରିବେଶକୁ ସଫାସୁତରା ରଖିବେ, ଏଥିରେ ସଫଳ ହେବା ସହ ନାନାଦି ରୋଗକୁ ରୋକିପାରିବା। ଏହି ଅବସରରେ ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ରାଜକିଶୋର ଦାସ ଓ ଅନ୍ୟ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ଥିଲେ।
Horoscope 2026 August 14: ଜାଣନ୍ତୁ ଆଜିର ରାଶିଫଳ...
‘ସମ୍ବାଦ’ ବ୍ୟୁରୋ ମୁଖ୍ୟ ଚୌଧୁରୀ ଅମିତାଭ ଦାସ ‘ପରିବେଶ ପଞ୍ଚାୟତ’ର ଆଭିମୁଖ୍ୟ ଉପରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ‘ସମ୍ବାଦ’ର ବରିଷ୍ଠ ସାମ୍ବାଦିକ ସୁମନ୍ତ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ବିଜେଡି ନେତା ଫିରୋଜ ଖାନ୍, ସାମ୍ବାଦିକା ପ୍ରିୟଙ୍କା ରାୟ, ଫଟୋ ସାମ୍ବାଦିକ ବିଭୂତି ସାହୁ, କନକ ନ୍ୟୁଜ୍ର ସୋମନାଥ ପରିଡ଼ା, କ୍ୟାମେରାମ୍ୟାନ୍ ଅଜୟ କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

1 day ago
4


