ARTICLE AD BOX
ଭଦ୍ରକ/ଧାମନଗର: ଗତ ୪ ଦିନର ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନ ବିଶେଷତଃ ଉପକୂଳ ଓ ଉତ୍ତର ଓଡ଼ିଶାରେ ଅନେକ ସମସ୍ୟା ସୃଷ୍ଟି ହୋଇଛି। ବର୍ଷାରେ ଉତ୍ତର ଓଡ଼ିଶାର ଭଦ୍ରକ ଜିଲ୍ଳାର ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଆଜି (ସୋମବାର) ଭଦ୍ରକ ଜିଲ୍ଲା ଧାମନଗର ଜଳସମ୍ପଦ ବିଭାଗ ଅଧୀନ ଦଳାଙ୍ଗ ପଞ୍ଚାୟତର ରାମେଶ୍ଵରପୁର ମଳିକସାହି ନିକଟ ଗେଙ୍ଗୁଟି ନଦୀର ଦକ୍ଷିଣ ପାର୍ଶ୍ଵ ବନ୍ଧ ଧସିଯାଇଛି।
ଗତ ଚାରି ଦିନର ଲଗାଣ ବର୍ଷା ପରେ ବନ୍ଧରେ ପ୍ରାୟ ୫୦ ଫୁଟ ଲମ୍ବର ଫାଟ ସୃଷ୍ଟି ହେବା ସହ କିଛି ଅଂଶ ନଦୀଗର୍ଭକୁ ଧସିଯାଇଛି। ଗତ ୧୦ ବର୍ଷ ମଧ୍ୟରେ ଏହି ସ୍ଥାନରେ ୧୫ରୁ ଅଧିକ ଥର ବନ୍ଧ ଧସିଥିବାରୁ ଲୋକଙ୍କ ଚିନ୍ତା ବଢ଼ିଛି। ବାରମ୍ବାର ବନ୍ଧ ଧସୁଥିବାରୁ ଜଳସମ୍ପଦ ବିଭାଗ ପକ୍ଷରୁ ଚଳିତ ବର୍ଷ ବନ୍ଧ ସୁରକ୍ଷା ପାଇଁ ନଦୀ ଭିତର ପାର୍ଶ୍ଵରେ କଂକ୍ରିଟ ୱାଲ ନିର୍ମାଣ ଓ ପଥର ପ୍ୟାକିଂ କାମ ଆରମ୍ଭ କରାଯାଇଥିଲା। ମାତ୍ର ପ୍ରାୟ ଦୁଇ ଫୁଟ ଉଚ୍ଚତାର କଂକ୍ରିଟ ୱାଲ ନିର୍ମାଣ ସହ ଅଳ୍ପ ପରିମାଣର ପଥର ବିଛାଯାଇଥିବାରୁ ବନ୍ଧର ଚାପ ସମ୍ଭାଳି ପାରୁନଥିବା ଅଭିଯୋଗ ହୋଇଛି।
ଭାସିଗଲା ତିଖିଲିଆ ଗେଙ୍ଗୁଟି ନଦୀ ପୋଲ
ବନ୍ଧର ଉଚ୍ଚତା ଅନୁଯାୟୀ ସୁଦୃଢ଼ କଂକ୍ରିଟ ଓ୍ୱାଲ ନିର୍ମାଣ ହୋଇଥିଲେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି କୁହାଯାଉଥିଲେ ମଧ୍ୟ ପୂର୍ବଥର ବନ୍ଧ ଧସିଥିବାରୁ ଏଠାରେ ବନ୍ଧ କମ ଉଚ୍ଚତା ରହିଛି । ଏଥିସହ କାର୍ଯ୍ୟର ମାନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ପଥର ପିଚିଂ ସ୍ଥାନରେ ମାଟି ଭର୍ତ୍ତି କରାଯାଇଥିବାରୁ ନିମ୍ନମାନର କାମ ହାଇଥିବା ଅଭିଯାଗ ହାଇଛି। ନିର୍ଦ୍ଧାରିତ ସମୟରେ କାମ ଶେଷ ନହେବାରୁ ବର୍ଷା ପୂର୍ବରୁ ପ୍ରକଳ୍ପ ଅଧାରେ ଅଟକି ରହିଥିଲା। ବର୍ତ୍ତମାନ ସେହି ସ୍ଥାନରେ ପୁଣି ବନ୍ଧରେ ଫାଟ ସୃଷ୍ଟି ହୋଇ କିଛି ଅଂଶ ନଦୀଗର୍ଭକୁ ଧସିଯାଇଛି।

1 hour ago
1


