ARTICLE AD BOX
ଲଇକେରା(ଭରତ ପାତ୍ର):ଝାରସୁଗୁଡ଼ାଜିଲ୍ଲା କିର୍ମିରା ବ୍ଲକ ଜଙ୍ଗଲ ସୀମାବର୍ତ୍ତୀ ଗ୍ରାମରେ ଦନ୍ତା ହାତୀର ଭୟ। ଦିନ ଦ୍ୱିପ୍ରହରରେ ଖୁଲମଖୁଲା ବୁଲୁଛନ୍ତି ଦନ୍ତା ହାତୀ । ବନବିଭାଗ ନାକେଦମ ହେଲାଣି ଦନ୍ତାକୁ ଜଙ୍ଗଲ ଭିତରେ ସୀମିତ ରଖିବା ପାଇଁ। ସନ୍ଧ୍ୟା ହେଲେ ଗ୍ରାମର ତାଟି କବାଟ ପଡିଯାଉଛି ଦନ୍ତା ଭୟରେ। ଯେପରିକି ଅଘୋଷିତ କର୍ଫ୍ୟୁ ହୋଇଛି। ହାତୀ ଭୟରେ ରାତିରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଛି ଏହି ଅଞ୍ଚଳ ଗୁଡିକରେ। ବନ ବିଭାଗର ବାଗଡ଼ିହି ରେଞ୍ଜର ଫରେଷ୍ଟର ମୁରାରୀ ପ୍ରସାଦ ସାହୁ କହିଛନ୍ତି ହାତୀମାନେ ସମ୍ବଲପୁର ଡିଭିଜନ ରେଙ୍ଗାଲି ରେଞ୍ଜରୁ ଖାଦ୍ୟ ଅନ୍ୱେଷଣରେ ଚାଲି ଆସନ୍ତି ଏହି ଅଞ୍ଚଳକୁ । ପ୍ରାୟତଃ ଜୁନ ମାସରୁ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ପିତାମାଲ ଜଙ୍ଗଲରେ ରୁହନ୍ତି ହାତୀମାନେ।
Nandighosha: ବଳଗଣ୍ଡି ଛକରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ
ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ସାରସମାଲ, କାଦୋବାହାଲ, ପିତାମାଲ ଆଦି ଗ୍ରାମଗୁଡିକରେ ନିର୍ଭୟରେ ଯାତାୟତ କରି ଆମ୍ବ, ପଣଷ, ତାଳ ସହିତ ଦେଶୀ ମହୁଲି ବାସ୍ନାରେ ଗ୍ରାମ ଭିତରେ ପଶି ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ଗତକାଲି କାଦୋବାହାଲ ଗ୍ରାମର ବୁଦ୍ଧେଶ୍ୱର ନିଖଣ୍ଡିଆ, ତପସ୍ଵିନୀ କେଛୁ, ନକ୍ସା ପାଲି ଗ୍ରାମର କୁନ୍ଦା ମୁଣ୍ଡା, ସୁକାନ୍ତି ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଥିବା ବେଳେ ରେଙ୍ଗାଲିମାଲ୍ ଗ୍ରାମର କିଶୋର ସାହୁଙ୍କ ପାଚେରୀ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଫରେଷ୍ଟର ଶ୍ରୀ ସାହୁ କହିଛନ୍ତି ନିୟମ ଅନୁସାରେ ତଦନ୍ତ କରି ସରକାରୀ ସାହାଯ୍ୟ ମିଳିବ। ବର୍ତ୍ତମାନ୍ ଟ୍ରେନ ଲାଇନ କଡ଼ରେ ହାତୀମାନେ ଚଳ ପ୍ରଚଳ କରୁଥିବା ବେଳେ ୱାଚ ଟାୱାରରେ ୨୪ ଘଣ୍ଟିଆ ଡ୍ୟୁଟି କରିବା ସହିତ ଷ୍ଟେସନ୍ ମାଷ୍ଟରକୁ କସନ୍ ଲେଟର ଦିଆଯାଇଛି ମନ୍ଥର ଗତିରେ ଟ୍ରେନ୍ ଚଳାଚଳ କରିବା ପାଇଁ। ଦିନ ରାତି ଆମର ହାତୀ ଘଉଡ଼ାଇବା ସ୍କ୍ୱାଡ ହାତୀ ମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିଛନ୍ତି। ବର୍ତ୍ତମାନ ୪ଟି ଦନ୍ତା ହାତୀ ପିତାମାଲ ଜଙ୍ଗଲରେ ଅଛନ୍ତି।
ଜୀବନ ଜୀବିକା ସମସ୍ୟା ସୃଷ୍ଟି
ଜିଲ୍ଲାରେ ଦ୍ରୁତ ଶିଳ୍ପାୟନ ସହ ଜଙ୍ଗଲ ନଷ୍ଟ ଯୋଗୁଁ ହାତୀପଲ ବର୍ତ୍ତମାନ ଜନବସତି ମୁହାଁ ହେଉଥିବାର ଜଣା ପଡ଼ିଛି । ହାତୀମାନେ ନିୟମିତ ଗାଁ ମୁହାଁ ହେବାରୁ ହାତୀ - ମଣିଷ ଏହି ଲଢ଼େଇ ଦ୍ୱାରା ଲୋକଙ୍କ ଆଗରେ ଜୀବନ ଜୀବିକା ସମସ୍ୟା ସୃଷ୍ଟି ହୋଇଛି। ବାରମ୍ବାର ହାତୀଙ୍କ ଉପଦ୍ରବ ଓ ହିଂସାତ୍ମକ ଆଚରଣ ପାଇଁ ବେଘର ହେଉଛନ୍ତି ଏକାଧିକ ପରିବାର। ଅକାରଣରେ ଯାଉଛି ମଣିଷ ଜୀବନ। ସଞ୍ଜ ନଇଁଲେ ଗ୍ରାମାଞ୍ଚଳରେ ପଡିଯାଉଛି ତାଟି କବାଟ। ଭୟରେ ଲୋକମାନେ ଘରୁ ବାହାରୁ ନାହାନ୍ତି। ଜନଶୂନ୍ୟ ହେଇଯାଉଛି ଗାଁ ଦାଣ୍ଡ। ଏକ ପ୍ରକାର ଅଘୋଷିତ କର୍ଫୁ ଭଳି ଲାଗୁଚି ସାରା ଅଞ୍ଚଳ । ହାତୀ ଘଉଡାଇବା ଏବଂ ହାତୀପଲକୁ ନିୟନ୍ତ୍ରଣରେ ସୀମିତ ରଖିବା ପାଇଁ ବନ ବିଭାଗର ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଏଥିସହ ହାତୀର ଗତି ପଥ ଉପରେ ନଜର ରଖିବାକୁ ବିଭାଗ ପକ୍ଷରୁ ଏକ ସ୍ବତନ୍ତ ହାତୀ ଘଉଡାଇବା ସ୍କ୍ୱାର୍ଡ ମଧ୍ୟ କାର୍ଯ୍ୟରତ ଅଛନ୍ତି। ହାତୀ ଆସିଲେ ଡାକ ବାଜି ଯନ୍ତ୍ର, ବାଣ, ନିଆଁ ହୁଳା ଦ୍ୱାରା ହାତୀଙ୍କ ଘଉଡାଇବା ଦିଗରେ ଗାଁ ସୀମାବର୍ତ୍ତୀ ଜଙ୍ଗଲ ଚାରିପଟେ ଟ୍ରେଞ୍ଚ କାହିଁକି ଖୋଳା ଯାଉନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବନ ବିଭାଗ ବିଭିନ୍ନ ଆଳ ଦେଖାଇ ସମସ୍ୟାକୁ ଟାଳିଦେଉଥିବା ବେଳେ ଅଞ୍ଚଳବାସୀ ହାତୀ ଆକ୍ରମଣରୁ କିପରି ନିସ୍ତାର ପାଇବେ ତାହା ଏବେ ବଡ଼ ପ୍ରଶ୍ନ। ଜିଲ୍ଲାସ୍ତରରେ ସ୍ବତନ୍ତ ଯୋଜନା ପ୍ରସ୍ତୁତ କରି ସମସ୍ତ ହାତୀପଲଙ୍କୁ ଜଙ୍ଗଲ ମଧ୍ୟରେ ସୀମିତ ରଖିବା ପାଇଁ ଜନସାଧାରଣରେ ଦାବି ହେଉଛି। ବନ ବିଭାଗ କୌଣସି ଆଖିଦୃଶିଆ ଏବଂ ଫଳପ୍ରଦ ପଦକ୍ଷେପ ନେଉ ନ ଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି ।

1 hour ago
1


