ARTICLE AD BOX
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ କ୍ୟାମ୍ପସରେ ବାଜିଲା ବିଗୁଲ୍। ଭୁବନେଶ୍ବର ସହରର ଦୁଇଟି ବିଶ୍ବବିଦ୍ୟାଳୟ ଓ ୯ଟି ମହାବିଦ୍ୟାଳୟରେ ନିର୍ବାଚନ କରିବାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି। ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୫ଟା ମଧ୍ୟରେ ବିଜ୍ଞପ୍ତି ଜାରି ହେବା କ୍ଷଣି କ୍ୟାମ୍ପସରେ ଲିଙ୍ଗଡୋ କମିସନଙ୍କ ନିୟମ ଲାଗୁ ହୋଇଛି। ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୯ ତାରିଖ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ସେହିଦିନ ଅପରାହ୍ଣ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ ହେବ ଏବଂ ଅପରାହ୍ଣ ୫ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ୧୦ ତାରିଖ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ଏବଂ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ଅକ୍ଟୋବର ୧୪ରେ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ଅନୁଷ୍ଠିତ ହେବ। ୧୫ ତାରିଖ ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ ଏବଂ ଅପରାହ୍ଣ ୨ଟାରୁ ଭୋଟ୍ଗଣତି ଆରମ୍ଭ ହୋଇ ଫଳ ପ୍ରକାଶ କରାଯିବ। ୧୬ ତାରିଖ ପୂର୍ବାହ୍ଣ ୧୧ଟାରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ସମସ୍ତ ଶିକ୍ଷାନୁଷ୍ଠାନ ନିଜ ନିଜର ବିଜ୍ଞପ୍ତିରେ ଜଣାଇଛନ୍ତି।
Protest: ସିଇସି ବିରୋଧରେ ଆନ୍ଦୋଳନ ଜାରି ରଖିବେ ଛାତ୍ର ସଂଗଠନ, ସିଜେପି
ନିର୍ବାଚନ ସୁପରିଚାଳନା ପାଇଁ ଜାରି ହୋଇଥିବା ନିର୍ଦ୍ଦେଶାବଳି ଅନୁଯାୟୀ ନିର୍ବାଚନରେ କୌଣସି ରାଜନୈତିକ ଦଳର ହସ୍ତକ୍ଷେପ ରହିବ ନାହିଁ। ନିର୍ବାଚନ ପ୍ରକ୍ରିୟାରେ ନିୟମିତ ଛାତ୍ରଛାତ୍ରୀ ହିଁ କେବଳ ଅଂଶଗ୍ରହଣ କରିପାରିବେ। ଯେଉଁମାନେ ପ୍ରାର୍ଥୀ ହେବେ ସେମାନେ ରେଗୁଲାର କିମ୍ବା ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ ସାମ୍ସ ମାଧ୍ୟମରେ ନାମ ଲେଖାଇଥିବା ଆବଶ୍ୟକ। ପିପିପି ମୋଡ୍ କିମ୍ବା ଡିଷ୍ଟାନ୍ସ ଏଜୁକେସନରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ ନାହିଁ। ପ୍ରାର୍ଥୀ ହେବା ପାଇଁ ସ୍ନାତକ (ୟୁଜି) ଛାତ୍ରଛାତ୍ରୀଙ୍କ ପାଇଁ ବୟସ ୧୭ରୁ ୨୨ ବର୍ଷ ଏବଂ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ସର୍ବାଧିକ ୨୫ ବର୍ଷ ବୟସ ହୋଇଥିବା ଆବଶ୍ୟକ। ନିର୍ବାଚନରେ ଅଂଶଗ୍ରହଣ କରିବାକୁ ପ୍ରାର୍ଥୀଙ୍କର ଶ୍ରେଣୀଗୃହରେ ଉପସ୍ଥାନ ୭୫% କିମ୍ବା ତା’ଠାରୁ ଅଧିକ ଥିବ। ଅପରାଧମୂଳକ ରେକର୍ଡ ନ ଥିବ କିମ୍ବା ବିଶ୍ବବିଦ୍ୟାଳୟ/କଲେଜ ପକ୍ଷରୁ ତାଙ୍କ ବିରୋଧରେ କୌଣସି ପ୍ରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବ।
ଅନ୍ୟପକ୍ଷରେ, ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, ରାଜଧାନୀ ମହାବିଦ୍ୟାଳୟ, ଦେବରାୟ କଲେଜ, ମହର୍ଷି କଲେଜ ଅଫ୍ ନାଚୁରାଲ ଲ’, କମଳା ନେହରୁ ମହିଳା ମହାବିଦ୍ୟାଳୟ, ଏକାମ୍ର ମହାବିଦ୍ୟାଳୟ, ରାଜା ମଧୁସୂଦନ ଦେବ ଡିଗ୍ରି ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଆଇନ ମହାବିଦ୍ୟାଳୟ ଓ ନହରକଣ୍ଟାସ୍ଥିତ ଜୟଦେବ କଲେଜରେ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। କ୍ୟାମ୍ପସରେ ନିର୍ବାଚନ ସୁପରିଚାଳନା ପାଇଁ ଅଭିଯୋଗ ଶୁଣାଣି ସେଲ୍ ଗଠନ ହୋଇଛି। ଶିକ୍ଷାନୁଷ୍ଠାନର ଛାତ୍ର ମଙ୍ଗଳ ଡିନ୍/ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଗଠିତ ସେଲ୍ରେ ଜଣେ ବରିଷ୍ଠ ଅଧ୍ୟାପକ, ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଦୁଇ ଜଣ (ଜଣେ ଲେଖାଏଁ ଛାତ୍ର ଓ ଛାତ୍ରୀ) ଶେଷ ବର୍ଷ ବିଦ୍ୟାର୍ଥୀ ରହିଛନ୍ତି। ଏହି ସେଲ୍ ନିର୍ବାଚନ ସମ୍ପର୍କିତ ସମସ୍ତ ଅଭିଯୋଗର ଶୁଣାଣି କରିବେ।
ରମାଦେବୀରେ ଆଦର୍ଶ ଆଚରଣ ବିଧି ଲାଗୁ
ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜ୍ୟୋତ୍ସ୍ନା କେ. ବି. ରାଉତଙ୍କ ପୌରୋହିତ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିର୍ବାଚନ ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହୋଇଛି। ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ, ସ୍ୱଚ୍ଛ ଓ ଶୃଙ୍ଖଳିତ ରୂପେ ସମ୍ପାଦନ କରିବାକୁ ବିଭିନ୍ନ କମିଟି ଗଠନ କରାଯାଇଛି। ଏହି କମିଟିଗୁଡ଼ିକ ନିର୍ବାଚନର ପରିଚାଳନା, ସୁରକ୍ଷା ଓ ଶାନ୍ତି ବଜାୟ ରଖିବା ଦାୟିତ୍ୱ ତୁଲାଇବେ। ସରକାରଙ୍କ ଦ୍ୱାରା ଜାରି ନିୟମାବଳି ଓ ଲିଙ୍ଗ୍ଡୋ କମିସନଙ୍କ ସୁପାରିଶ ଅନୁଯାୟୀ ଆଦର୍ଶ ଆଚରଣ ବିଧିକୁ ସଠିକ୍ ଭାବେ ଅନୁସରଣ କରି ନିର୍ବାଚନ ସମ୍ପାଦନ କରିବା ଉପରେ ବିଶେଷ ଦୃଢ଼ତା ପ୍ରକାଶ ପାଇଛି। ସରକାରୀ ବିଜ୍ଞପ୍ତି ଅନୁସାରେ ଆଜିଠାରୁ କ୍ୟାମ୍ପସରେ ଆଦର୍ଶ ଆଚରଣ ବିଧି ସମଗ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ଲାଗୁ ହୋଇଛି। ନିର୍ବାଚନ ସମୟରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଓ ହଷ୍ଟେଲ୍ଗୁଡ଼ିକରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ବିଶୃଙ୍ଖଳା ନ ଘଟେ, ସେଥିପ୍ରତି କଡ଼ା ଦୃଷ୍ଟି ରଖିବାକୁ କୁଳପତି ପ୍ରଫେସର ରାଉତ ଅଧ୍ୟାପକ, ହଷ୍ଟେଲ ୱାର୍ଡେନ ଓ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହିତ ଆଲୋଚନା କରିଛନ୍ତି। କ୍ୟାମ୍ପସ୍ରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଶାନ୍ତିପୂର୍ଣ୍ଣ ବାତାବରଣ ରକ୍ଷା କରିବାକୁ ଛାତ୍ରୀମାନଙ୍କୁ ସଚେତନ କରିବାକୁ ପ୍ରତ୍ୟେକ ବିଭାଗୀୟ ମୁଖ୍ୟମାନଙ୍କୁ ଦାୟିତ୍ୱ ଦିଆଯାଇଛି।
Judgement: ସିଇସି ନିଯୁକ୍ତି ଆଇନ ମାମଲା: ବିଭାଜିତ ରାୟ ପ୍ରତ୍ୟାହାର ପାଇଁ ଆବେଦନ
ଉତ୍କଳରେ ପୁଲିସ ପହରା
ନିର୍ବାଚନ ବିଜ୍ଞପ୍ତି ସହ ଉତ୍କଳ ବିଶ୍ବବିଦ୍ୟାଳୟରେ ପୁଲିସ ସୁରକ୍ଷା ବଢ଼ାଇ ଦିଆଯାଇଛି। ଶେଷ ଥର ପାଇଁ ଏଠାରେ ୨୦୧୬ରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ୨୦୧୭ରେ ଘନ ଘନ ବୋମା ମାଡ଼ ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ବାଚନକୁ ବାତିଲ୍ କରିଥିଲେ। ଅନୁରୂପ ଭାବେ ୨୦୧୮ରେ କ୍ୟାମ୍ପସ ଅଶାନ୍ତି ଓ ବାତ୍ୟା ପାଇଁ ଶେଷ ମୁହୂର୍ତ୍ତରେ ନିର୍ବାଚନ ବନ୍ଦ ହୋଇଥିଲା। ୯ ବର୍ଷ ପରେ ନିର୍ବାଚନ ହେଉଥିବାରୁ କର୍ତ୍ତୃପକ୍ଷ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। କୁଳପତି ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଆଜି ମଧ୍ୟ ଏକାଧିକ ବୈଠକ ସହ ନିର୍ବାଚନର ସୁପରିଚାଳନାକୁ ଗୁରୁତ୍ବ ଦିଆଯାଇଛି। ବିଭିନ୍ନ ହଷ୍ଟେଲ ପରିସର, କ୍ୟାଣ୍ଟିନ୍ ଓ ତାଳପଦେଶ୍ୱରୀ ମନ୍ଦିର ପରିସର, ପ୍ରବେଶ ଓ ପ୍ରସ୍ଥାନ ଫାଟକରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ବିଶ୍ବବିଦ୍ୟାଳୟ ପରିଚୟପତ୍ର ବାଧ୍ୟତାମୂଳକ ହେବା ପରେ ଛାତ୍ରଛାତ୍ରୀ ଆଜିଠାରୁ ତାହାକୁ ପାଳନ କରିଥିବା ଦେଖିବାକୁ ମିଳିଛି। ଅଣଛାତ୍ରଙ୍କ ପ୍ରବେଶ ଉପରେ କଡ଼ା ନଜର ରହିଛି। ପ୍ରଶାସନିକ ବିଲ୍ଡିଂ, କ୍ୟାଣ୍ଟିନ୍, ଛାତ୍ରାବାଦ ଓ ଛାତ୍ରୀନିବାସ ନିକଟରେ ପୁଲିସ ମୁତୟନ ହୋଇଛନ୍ତି। ପ୍ରଶାସନ ଓ ସୁରକ୍ଷା ଅଧିକାରୀଙ୍କ ମିଳିତ ତତ୍ତ୍ୱାବଧାନରେ ଶାନ୍ତିପୂର୍ଣ୍ଣ ନିର୍ବାଚନ କରାଯିବ ବୋଲି କୁଳପତି ପ୍ରଫେସର ନନ୍ଦ ସୂଚନା ଦେଇଛନ୍ତି। ଏବେ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ନାମାଙ୍କନ ଓ ନିର୍ବାଚିନ ଦିନ ଆଉ ଏକ ପ୍ଲାଟୁନ୍ ଅଧିକ ଫୋର୍ସ ମୁତୟନ କରିବାକୁ କମିସନରେଟ୍ ପୁଲିସକୁ ଅନୁରୋଧ କରାଯାଇଛି।
Judgement: ସିଇସି ନିଯୁକ୍ତି ଆଇନ ମାମଲା: ବିଭାଜିତ ରାୟ ପ୍ରତ୍ୟାହାର ପାଇଁ ଆବେଦନ
୪ ମହାବିଦ୍ୟାଳୟରେ ହେବନି ନିର୍ବାଚନ
ସହରର ୩ଟି ମହିଳା ମହାବିଦ୍ୟାଳୟ ସମେତ ମୋଟ ୪ଟି ଡିଗ୍ରି ମହାବିଦ୍ୟାଳୟରେ ନିର୍ବାଚନ ହେବ ନାହିଁ। ସେଗୁଡ଼ିକ ହେଲା ବିଜୁ ପଟ୍ଟନାୟକ କଲେଜ, ସିଟି ଓମେନ୍ସ କଲେଜ, ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟ ଓ ମହର୍ଷି ମହିଳା ମହାବିଦ୍ୟାଳୟ। କ୍ୟାମ୍ପସର ଶୈକ୍ଷିକ ବାତାବରଣ ବଜାୟ ରଖିବା ଏବଂ ଗୋଟିଏ କ୍ୟାମ୍ପସରେ ୩ଟି ଶିକ୍ଷାନୁଷ୍ଠାନ ଚାଲୁଥିବାରୁ ପାଠପଢ଼ା ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ କରି ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ବାଚନଠାରୁ ଦୂରେଇ ରହିଛନ୍ତି। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ମଧ୍ୟ ପତ୍ର ଲେଖି ଅବଗତ କରାଇଛନ୍ତି। ଅନ୍ୟ ୩ଟି ମହିଳା ମହାବିଦ୍ୟାଳୟରେ ନିର୍ବାଚନ ନ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।
ଓୟୁଏଟି ଅଧୀନ କଲେଜରେ ପରେ ହେବ ନିର୍ବାଚନ
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟଳୟ (ଓୟୁଏଟି) ଅଧୀନ ମହାବିଦ୍ୟାଳୟରେ ଏବେ ନିର୍ବାଚନ ହେବ ନାହିଁ। ଛାତ୍ରଛାତ୍ରୀଙ୍କ ସେମିଷ୍ଟାର ପରୀକ୍ଷା ପାଇଁ ପାଠପଢ଼ା ପ୍ରଭାବିତ ହେବାକୁ ଥିବାରୁ ଏନେଇ ଗତକାଲି ବସିଥିବା କାଉନସିଲ୍ ବୈଠକରେ ଏବେ ନିର୍ବାଚନ ନ କରିବାକୁ ନିଷ୍ପତ୍ତି ହୋଇଛି। ସ୍ଥିତି ଦେଖି ପରବର୍ତ୍ତୀ ସମୟରେ ନିର୍ବାଚନ ଦିଗରେ ପଦକ୍ଷେପ ନିଆଯିବ। ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ସମୟରେ ବେସିକ୍ ସାଇନ୍ସ କଲେଜରେ ନିର୍ବାଚନ ହେଉଥିବା ବେଳେ ଏଥର ତାହା ହେବ ନାହିଁ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଓୟୁଏଟିର କୌଣସି କଲେଜ ନ ଥିବାରୁ ନିର୍ବାଚନ କରାଯିବା ବାଧ୍ୟତାମୂଳକ ନୁହେଁ ବୋଲି ଜଣେ ଅଧିକାରୀ କହିଛନ୍ତି।
ରାଜା ମଧୁସୂଦନ ଦେବ ଡିଗ୍ରି ମହାବିଦ୍ୟାଳୟରେ ପରୋକ୍ଷ ନିର୍ବାଚନ
ଉଚ୍ଚଶିକ୍ଷା ବିଭାଗ ଗାଇଡ୍ଲାଇନ୍ ଓ ତାରିଖ ଅନୁଯାୟୀ ଏଠାରେ ନିର୍ବାଚନ ହେବ। ମାତ୍ର ନିର୍ବାଚନ ସିଧାସଳଖ ନ ହୋଇ ପରୋକ୍ଷ ଭାବେ କରାଯିବ। ୯ ତାରିଖରେ ବିଭାଗୀୟ ମୁଖ୍ୟ ଓ ଅଧ୍ୟାପକଙ୍କ ଦ୍ବାରା ଶ୍ରେଣୀ ପ୍ରତିନିଧି ମନୋନୟନ ହେବେ। ଯେଉଁମାନେ କି ୧୪ ତାରିଖରେ ବିଭିନ୍ନ ପଦବି ପାଇଁ ମନୋନୟନ ଦାଖଲ କରିବେ ଏବଂ ମଧ୍ୟାହ୍ନ ୧୨ଟାରେ ‘ମୁଁ କାହିଁକି ପ୍ରାର୍ଥୀ’ ହୋଇଛି ବୈଠକ ଅନୁଷ୍ଠିତ ହେବ। ଯଦି ଆବଶ୍ୟକ ପଡ଼େ ତେବେ ୧୫ ତାରିଖରେ ନିର୍ବାଚନ ହେବା ସହ ପୂର୍ବାହ୍ଣ ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ଭୋଟ୍ ଗଣତି ଶେଷ କରାଯାଇ ଫଳ ପ୍ରକାଶ ପାଇବ। ୧୬ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ନିର୍ବାଚନ ଶୁଣାଣି କମିଟି ଓ ପରିଚାଳନା କମିଟି ଗଠନ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ପ୍ରକ୍ରିୟା ହେଉଛି।
ଏଥର କ୍ୟାପିଟାଲ ଲ କଲେଜରେ ନିର୍ବାଚନକୁ ନା
ପ୍ରତିଥର ନିର୍ବାଚନ ସମୟରେ ସମ୍ବେଦନଶୀଳ କ୍ୟାମ୍ପସ ଭାବେ ପରିଚିତ କ୍ୟାପିଟାଲ ଲ କଲେଜରେ ଏଥର ନିର୍ବାଚନ ହେବ ନାହିଁ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କେବଳ ସରକାରୀ, ଅନୁଦାନପ୍ରାପ୍ତ ଓ ସ୍ବୟଂଶାସିତ ମହାବିଦ୍ୟାଳୟରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ଏହି ଶିକ୍ଷାନୁଷ୍ଠାନ ସେଥିରୁ ବାଦ୍ ପଡ଼ିଛି। ଘରୋଇ କଲେଜ ହୋଇଥିବାରୁ ନିର୍ବାଚନ ନ କରିବାକୁ କଲେଜ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ତେବେ ଛାତ୍ରଛାତ୍ରୀ ନିର୍ବାଚନ ସପକ୍ଷରେ ଦାବି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ।

52 minutes ago
1


