ARTICLE AD BOX
ଛତ୍ରପୁର (ବସନ୍ତ ମହାରଣା): ଗଂଜାମ ଜିଲ୍ଲା ଚମାଖଣ୍ଡିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ସମାରୋହ ‘ସ୍ପାର୍କ-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ପ୍ରତିଭା, ସୃଜନଶୀଳତା ଓ ଶିକ୍ଷାଗତ ସଫଳତାକୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।
ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭଆରମ୍ଭ କରିବା ସହିତ ଶିକ୍ଷା କେବଳ ପାଠପଢ଼ାରେ ସୀମିତ ନୁହେଁ। ଜଣେ ବିଦ୍ୟାର୍ଥୀଙ୍କୁ ଜଣେ ଭଲ ମଣିଷ ଭାବେ ଗଢ଼ି ତୋଳିବାର ମୁଖ୍ୟ ଲକ୍ଷ୍ୟ ରଖିବା ଦରକାର। ବିଦ୍ୟାର୍ଥୀମାନେ ଭଲ ପାଠ ପଢ଼ିବା ସହ ସମାଜକୁ ସକାରାତ୍ମକ ବାର୍ତ୍ତା ଦେବା ଦରକାର। ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଉତ୍ତମ ଶିକ୍ଷା ସହ ଶୃଙ୍ଖଳା ଓ ନିୟମିତତା ଆବଶ୍ୟକ ବୋଲି ସେ କହିଥିଲେ।
ପାଠପଢ଼ା ସହ ଖେଳକୁଦର ମଧ୍ୟ ଗୁରୁତ୍ୱ ରହିଛି ବୋଲି ବିଧାୟକ କହିବା ସହ ପୂର୍ବରୁ ଥିବା ଶିକ୍ଷକ ଅଭାବ ଦୂର କରିବା ପାଇଁ ନୂତନ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ପ୍ରକାଶ କରିଥିଲେ। ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ କହିଥିଲେ।
ସ୍ୱତନ୍ତ୍ର ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଫଳତା ର ଗୁରମନ୍ତ୍ର ଦେଇଥିଲେ l ନିଜ ପ୍ରତିଭା ବିକାଶ ପାଇଁ କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ସହ ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଥିଲେ। ଛାତ୍ରଛାତ୍ରୀମାନେ ଜୀବନରେ ଯେତେ ବଡ଼ ସଫଳତା ହାସଲ କଲେ ମଧ୍ୟ ନିଜ ଗାଁ, ମାଟି, ଜିଲ୍ଲା ଓ ନିଜ ପରିଚୟକୁ କେବେ ଭୁଲିବା ଉଚିତ ନୁହେଁ। ଏକଲବ୍ୟଙ୍କ ଉଦାହରଣ ଦେଇ ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଦ୍ୱାରା ସଫଳତା ହାସଲ ସମ୍ଭବ ବୋଲି ସେ କହିଥିଲେ। ନିଜ ଗାଁ, ଜିଲ୍ଲା ଓ ରାଜ୍ୟ ପାଇଁ ସୁନାମ ଆଣିବା ସହ ‘ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ’ ଗଠନରେ ପ୍ରମୁଖ ଭୂମିକା ରହିବା ଦରକାର ବୋଲି ଜିଲ୍ଲାପାଳ କହିଥିଲେ। ଏହା ସହିତ ନିଜର ଛାତ୍ର ଜୀବନ କଥା ବି ସେ କହିଥିଲେl
ସମ୍ମାନିତ ଅତିଥି ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଡ଼ଃ ପ୍ରଭାତୀ ମହାପାତ୍ର, ନୋଡାଲ ପ୍ରିନସିପାଲ ସିଏଚ ହେମନ୍ତ କୁମାର ଓ ଚମାଖଣ୍ଡି ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରିନସିପାଲ ପ୍ରମୋଦ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେl କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ମୋନାଲିସା ସୁନା ଓ ସୁମୀତା କୁମାରୀ ପାତ୍ର ସଂଯୋଜନା କରିଥିବା ବେଳେ ଶେଷରେ ପ୍ରିନସିପାଲ ବେହେରା ଧନ୍ୟବାଦ ଅର୍ପଣ କରିଥିଲେl କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ/ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେl ଏହି ଅବସର ରେ କୃତୀ ପ୍ରତିଯୋଗିକୁ ପୁରସ୍କାର ପ୍ରଦାନ କରାଯାଇଥିଲାl

1 day ago
2


