ARTICLE AD BOX
ସାହିତ୍ୟିକ, ସାମ୍ବାଦିକ
ଦାଶ ବେନହୁର
ସନାତନର ସ୍ବଗତୋକ୍ତି
ଯେ ସାହିତ୍ୟ ରଚନା କରେ ସେ ସାହିତ୍ୟିକ। ଯେ ବିବରଣୀ ମାଧ୍ୟମରେ ଖବର ପରିବେଷଣ କରେ ସେ ସାମ୍ବାଦିକ। ଲେଖି ନ ଜାଣି ମୁହଁର କଥା ଆଧାରରେ କାହାର ଅଭିବ୍ୟକ୍ତି ପରେ ଲିଖିତ ହେେଲ ମଧ୍ୟ ଆମେ ତାଙ୍କୁ ସାହିତ୍ୟିକର ମର୍ଯ୍ୟାଦା ଦେଉ। କାରଣ ମୁହଁର ସ୍ବତଃସ୍ଫୂର୍ତ୍ତ ବିଷୟ ସମ୍ବଳିତ ରସାଳ ପରିପ୍ରକାଶ ସାହିତ୍ୟ ପଦବାଚ୍ୟ। ସେମିତି ଦେଖିଲେ ସାହିତ୍ୟର ଆରମ୍ଭ ମୁହଁରୁ। ହାତରୁ ନୁହେଁ। ଅଥଚ ଏବେ ସାହିତ୍ୟ କହିଲେ ଆମେ ଲେଖାକୁ ବୁଝିଥାଉ। ସାହିତ୍ୟର କେତେ ଜାତି-ବିଭାଗ। ଯେ କୌଣସି ବିଭାଗରେ ସାରସ୍ବତ ସମୂହ ହିତକାରୀ ରସମୋଦୀ ଉଚ୍ଚାରଣ ବା ଲିଖନ ସାହିତ୍ୟ ବୋଲାଇବାରେ ଅସୁବିଧା କିଛି ନାହିଁ।
ଅପର ପକ୍ଷରେ ସାମ୍ବାଦିକର ଧର୍ମ ହେଲା ଜନସାଧାରଣଙ୍କ ହିତାର୍ଥେ ଖବର ବା ସମ୍ବାଦ ପରିବେଷଣ କରିବା। ଏ ପରିବେଷଣ ମୌଖିକ ହୋଇପାରେ, ଲିଖିତ ବି ହୋଇପାରେ। ଅନେକ ସମୟରେ ଚିତ୍ରଟିଏ ମଧ୍ୟ ଖବରର ଭୂମିକା ଗ୍ରହଣ କରେ। ସାହିତ୍ୟ ଇଲାକାରେ କୌଣସି ଚିତ୍ର କିନ୍ତୁ ଅକ୍ଷରକୀର୍ତ୍ତିର ମାନକ ଲାଭ କରେନାହିଁ। ଚିତ୍ରଟିଏ ଖବର ହେବାରେ ଅସୁବିଧା ନାଇଁ। ସେଇଥିପାଇଁ ଚିତ୍ର-ସାମ୍ବାଦିକତା ବା ଫଟୋ-ସାମ୍ବାଦିକତା ଏକ ମୂଲ୍ୟବାନ ମାଧ୍ୟମ ଭାବରେ ଏବେ ସର୍ବତ୍ର ଗ୍ରହଣୀୟ। ୧୯୩୬ରେ ଆମେରିକୀୟ ପ୍ରକାଶକ ହେନ୍ରି ଲ୍ୟୁକ୍ ଆରମ୍ଭ କରିଥିଲେ ‘ଲାଇଫ୍’ ନାମରେ ଏକ ଆଲୋକଚିତ୍ର ବା ଫଟୋ-ଆଧାରିତ ଖବର ସପ୍ତାହିକ। ସାମ୍ବାଦିକତାର ଧାରା ବଦଳେଇ ଦେଇଥିଲା ଏ ପତ୍ରିକା। ବିଶ୍ବର ବିଶେଷ ଘଟଣାବଳୀ, ଯୁଦ୍ଧର ବିଭୀଷିକା ବା ମନମତାଣିଆ ମନୋରଞ୍ଜନର ଦୃଶ୍ୟ-ସମ୍ବାଦ ଚିତ୍ରରେ ଚିତ୍ରରେ ଲୋକଙ୍କୁ ଛୁଇଁଯାଉଥିଲା। ଛବି ପାଲଟିଥିଲା ସମ୍ବାଦ। ବିଡ଼ମ୍ବନା। ଟେଲିଭିଜନ ଆସିବା ପରେ ବିଚରାର ମୃତ୍ୟୁ ଘଟିଲା।
ଆହୁରି ପଢ଼ନ୍ତୁ- Bus Truck Accident: ଲକ୍ଷ୍ମୀ ବସ୍–ଟ୍ରକ୍ ମୁହାଁମୁହିଁ ଧକ୍କା: ଚାଳକଙ୍କ ସମେତ ୬ ଯାତ୍ରୀ ଆହତ
କ’ଣ ସାହିତ୍ୟିକର ଧର୍ମ? ମନର ଭାବନାକୁ ଯିଏ ଯେମିତି ପରିବେଷଣ କରିଦେଲେ ତାହା କ’ଣ ସାହିତ୍ୟ ପଦବାଚ୍ୟ ହେବ? ସେମିତି ହେଲେ ତ ସବୁ ଲେଖା ସାହିତ୍ୟ। ପ୍ରତିଦିନ କାଗଜରେ ଛାପା ଓ ପାଟିରେ କୁହା ଯେତେ ଖବରାଖବର ସେ ସବୁକୁ ସାହିତ୍ୟ କହିବା ହାସ୍ୟାସ୍ପାଦ ନିଶ୍ଚୟ। ସାହିତ୍ୟ ସମୟର, ସମୂହର, ସମାଜର, ସଂପର୍କର, ସମ୍ବେଦନାର ପୁଣି ସୌନ୍ଦର୍ଯ୍ୟର କଥା କହେ। ସାହିତ୍ୟର ଭାଷା ସବୁବେଳେ ସଂଯତ ତଥା ସୁସଂହତ। ଏ ସବୁର ଊର୍ଦ୍ଧ୍ବରେ ଅଛି ଭାବର ରସୁଆଳପଣ। ସାହିତ୍ୟ ହେଉ ବା ଅଭିନୟ ସକାଶେ ସେଥିଲାଗି ଭାରତୀୟ ପରମ୍ପରାରେ ନଅଗୋଟି ରସର ବର୍ଣ୍ଣନା କରାଯାଇଛି। ଯଥା- ଶୃଙ୍ଗାର, ହାସ୍ୟ, କରୁଣ, ରୌଦ୍ର, ବୀର, ଭୟାନକ, ବିଭତ୍ସ, ଅଦ୍ଭୁତ ଓ ଶାନ୍ତ। ଆରମ୍ଭରୁ ବୁଝିନେବା ଆବଶ୍ୟକ ଯେ ଅନେକ ସାଧାରଣରେ ବୁଝିବା ଭଳି ଏ ଶୃଙ୍ଗାର ରସ ଯୌନରସ ନୁହେଁ କି ବିଭତ୍ସରସ ଘୃଣା ବା ଅସୂୟା ପ୍ରଚୋଦନା ପାଇଁ ଉଦ୍ଦିଷ୍ଟ ନୁହେଁ। ଶୃଙ୍ଗାରରସ ପ୍ରେମ ଓ ସୌନ୍ଦର୍ଯ୍ୟର କଥା କହେ। ସେମିତି ବିଭତ୍ସରସ ମାନୁଷୀ ବିକାରକୁ ପ୍ରକାଶିତ କରେ। କୌଣସି ରସ ପ୍ରେରଣା ପାଇଁ ନୁହେଁ, କେବଳ ପରିବେଷଣ ପାଇଁ ଉଦ୍ଦିଷ୍ଟ।
ଏ ନଅଗୋଟି ରସ ବ୍ୟତିରେକ ଆଉ ଦୁଇଟି ଗୁରୁତ୍ବପୂର୍ଣ୍ଣ ରସ ଅଛି ଯାହା ପ୍ରତି ଅତୀତର ଭାବମୋଦୀ ବିଦ୍ବାନଗଣ ଗୁରୁତ୍ବ ଦେଇନାହାନ୍ତି। ତାହା ହେଉଛି ବାତ୍ସଲ୍ୟରସ ଓ ବିହ୍ବଳରସ। ମନେରଖିବା ଆବଶ୍ୟକ ଯେ ସାହିତ୍ୟର ଆରମ୍ଭରସ ହେଉଛି ବାତ୍ସଲ୍ୟରସ। ସେଇଥିପାଇଁ ସକଳ ଭାଷାର ନାନାବାୟା ଗୀତ ବା ଲୋରି ହେଉଛି ସେଇ ସେଇ ଭାଷାର ମୂଳ ସ୍ରୋତ। ପଣ୍ଡିତ ଯେ ଦିନେ ପିଲା ଥିଲେ ଏବଂ ତାଙ୍କର ସାହିତ୍ୟଗତ ପାଣ୍ଡିତ୍ୟ ଦିନେ ସେଇ ଧାରାରେ ପୁଷ୍ଟ ହୋଇଥିଲା ଆମେ ସେ କଥା ଭୁଲିଯାଉ। ସେଇଭଳି ହାସ୍ୟ ହେଉ ବା କରୁଣ, ଭୟାନକ ହେଉ କି ଅଦ୍ଭୁତ ବିହ୍ବଳତାବୋଧ ସ୍ତରକୁ ନ ଗଲେ କୌଣସି ଅକ୍ଷର-କ୍ଷରଣ ସାହିତ୍ୟ ହେବ ନାହିଁ। ନଚେତ୍ ତାହା ପାଲଟିଯାଏ ରିପୋର୍ଟିଂ ବା ବିବରଣୀ। ଏଇ ବିହ୍ବଳତା ହିଁ ସମ୍ବେଦନା ମାଧ୍ୟମରେ ମନ ତଥା ମସ୍ତିଷ୍କକୁ ଘାରେ ଏବଂ ମୁଖ ବା ଲେଖନୀ ନିଃସୃତ ହୋଇ ଝରିଯାଏ।
ସାହିତ୍ୟ ବିବରଣୀ ନୁହେଁ, ସତ୍ୟପାଠ ନୁହେଁ, ନିଷ୍ପକ୍ଷ ପ୍ରତିବେଦନ ନୁହେଁ କି ନିନ୍ଦା ବା ମୂଲ୍ୟାୟନ ନୁହେଁ। ସମାଜଶାସ୍ତ୍ର ହୁଏତ ସାହିତ୍ୟକୁ ପ୍ରଭାବିତ କରିପାରେ, ଖବରଟିଏ ଲେଖକ ଭିତରେ ସମ୍ବେଦନା ସୃଷ୍ଟି କରି ସାହିତ୍ୟ-ସୃଷ୍ଟିର କାରଣ ସାଜିପାରେ ମାତ୍ର ସମାଜଶାସ୍ତ୍ର ସାହିତ୍ୟ ନୁହେଁ କି ଖବର ବି ସାହିତ୍ୟ ନୁହେଁ। ଅସୁନ୍ଦରତା, ଘୃଣା, ଅଶାଳୀନତା ସାହିତ୍ୟର ପ୍ରେରଣାଭୂମି ହେଲେ ତାହା ଆଉ ସାହିତ୍ୟ ହୋଇ ରହେନାହିଁ। କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ବା ସୀମିତ ସମୟଖଣ୍ଡର ମୂଲ୍ୟାୟନ ହୋଇ ଯେଉଁ ତଥାକଥିତ ମନୋରଞ୍ଜନର ଧାରାକୁ ଅକ୍ଷର ବା ଅଭିବ୍ୟକ୍ତି ମାଧ୍ୟମରେ ପ୍ରକାଶ କରାଯାଏ ତାହା ମଧ୍ୟ ସାହିତ୍ୟ ନୁହେଁ।
ସାହିତ୍ୟ ଚିରନ୍ତନ ମୂଲ୍ୟବୋଧର ଜୟଗାନ କରେ। ମଣିଷ ଭିତରେ ସୁସଂହତ ଓ ସୌନ୍ଦର୍ଯ୍ୟଭାବ ଉପୁଜାଏ। ଦୟା, କ୍ଷମା, ସ୍ନେହ, ସଂପ୍ରୀତି, ତ୍ୟାଗ, ତିତିକ୍ଷା, ପରୋପକାର ଭଳି ଉପାଦାନ ହିଁ ସାହିତ୍ୟ ଭୂମିର ଫସଲ। ପ୍ରତିଟି ସାହିତ୍ୟିକ ଏହା ପ୍ରତି ସଚେତନ ହେବା ଆବଶ୍ୟକ। ଆଜି ଏହା ଘଟିଲା ଏବଂ ତାହାକୁ ଅବଲୟ କରି ଗୀତ ପଦେ ଗାଇଦେଲେ କି ଗପଟିଏ ଲେଖିଦେଲେ ତାହା ସାହିତ୍ୟ ପତ୍ରିକାରେ ହୁଏତ ଛାପା ହୋଇଯାଇପାରେ, ପାଠକପାଠିକାଙ୍କ ଠାରୁ ବାହାବା ସାଉଁଟିପାରେ ହେଲେ ସାହିତ୍ୟ ମହାକାଳ ଚାଲୁଣୀରେ ତାହା ଛାଣିହୋଇ କୁଆଡ଼େ ହଜିଯାଏ।
ଆହୁରି ପଢ଼ନ୍ତୁ- Accident: ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତିଗଲେ ବସ୍ର ସମସ୍ତ ଯାତ୍ରୀ
ଅନ୍ୟ ପକ୍ଷରେ ସାମ୍ବାଦିକତା କେବଳ ସମୟର କଥା କହେ। ଘୃଣା, ଅସୂୟା, ଘଟଣା, ଦୁର୍ଘଟଣା, ବାଦ, ବିବାଦ ଆଦି ସମ୍ବାଦର ଫସଲ। ଏପରିକି ଯାହା ଘଟିଛି, ଯାହା ଘଟିଥିଲା ଏବଂ ଯାହା ଘଟିବାକୁ ଯାଉଛି ସେ ସବୁର ସତ୍ୟଶୀଳ ପୁଣି ନିରପେକ୍ଷ ପରିବେଷଣ ହିଁ ଅସଲ ସାମ୍ବାଦିକତା। ସାହିତ୍ୟରେ କଳ୍ପନା ରହିପାରେ ମାତ୍ର ସାମ୍ବାଦିକତାରେ କଳ୍ପନାର ସ୍ଥାନ ନାହିଁ। ସାହିତ୍ୟ ପକ୍ଷଭୁକ୍ତ ହୋଇପାରେ ମାତ୍ର ସମ୍ବାଦ ପକ୍ଷଭୁକ୍ତ ହେଲେ ସହଜରେ ବିଶ୍ବସ୍ତତା ହରାଏ। ସାମ୍ବାଦିିକଙ୍କର କାମ ହେଲା ସତ୍ୟର ଅନୁସନ୍ଧାନ କରିବା, ପ୍ରମାଣ ଖୋଜିବା ଏବଂ ଜନସାଧାରଣଙ୍କ ନିକଟରେ ସେ ସବୁ ସତ୍ୟଶୀଳତାର ସହ ଉପସ୍ଥାପନ କରିବା। ସାମ୍ବାଦିକତାରେ ବଡ଼ କଥା ହେଲା ଜନସଚେତନତା। ଏ ଜନସଚେତନତା ପାଇଁ କଳ୍ପନା ତଥା ଅସତ୍ୟ ହିଁ ବଡ଼ ବାଧକ। ଦେଶ ସୀମାରେ ସୈନିକ ପରି ରାଷ୍ଟ୍ରର ଅଭ୍ୟନ୍ତରରେ ସମ୍ବାଦିକମାନେ ହିଁ ଦେଶ-ବିବେକର ଅସଲ ପ୍ରହରୀ। ରୋଚକ କରିବା ଲାଗି ଚେଷ୍ଟାକରି କୌଣସି ସାମ୍ବାଦିକ ଯଦି ଖବରକୁ ରସୁଆଳ କରିବା ନିମନ୍ତେ ରଚନାତ୍ମକତାର ଆଶ୍ରୟ ନିଅନ୍ତି ତେବେ ସରିଲା କଥା। ଅନୁସନ୍ଧାନ, ଅନୁଶୀଳନ, ସତଖୋଜା ସହ ଘଟନା ସଂପର୍କିତ ଚରିତ୍ରମାନଙ୍କର ମତାମତ ସଂଗ୍ରହ କରି ବିବରଣୀକୁ ଜନତାଙ୍କ ନିକଟରେ ପହଞ୍ଚାଇବା ଜଣେ ସାମ୍ବାଦିକଙ୍କର ମୌଳିକ କର୍ତ୍ତବ୍ୟ। ସାହିତ୍ୟିକ ନିଜ ଲେଖାର ଭାଷାରେ ଚମତ୍କାରିତା, ଗମ୍ଭୀରତା ବା ଅଳଙ୍କାର ପ୍ରୟୋଗର ବିବିଧତା ପ୍ରକାଶ କରିବା ହୁଏତ ଶ୍ଳାଘ୍ୟ ହୋଇପାରେ ମାତ୍ର ସାମ୍ବାଦିକ ଲାଗି ପରିବେଷଣର ଭାଷା ହେଉଛି ସାଧାରଣରେ ବୋଧଗମ୍ୟ ଭାଷା। ସେଥିରେ ପାଣ୍ଡିତ୍ୟ ଦେଖାଇବାର ଧୃଷ୍ଟତା ସାମ୍ବାଦିକତା ଧର୍ମର ପରିପନ୍ଥୀ।
ଆଉ ଗୋଟିଏ ଦିଗ ହେଲା ଆପଣା ବ୍ୟକ୍ତିସତ୍ତା। ସାହିତ୍ୟିକ ନିଜ ରଚନାରେ ହୁଏତ ନିଜକୁ କେନ୍ଦ୍ରରେ ରଖିପାରନ୍ତି, ନିଜର ମନନ ଚିନ୍ତନକୁ ପ୍ରାଧାନ୍ୟ ଦେଇପାରନ୍ତି କିନ୍ତୁ ସାମ୍ବାଦିକ ନୈର୍ବ୍ୟକ୍ତିକ ହେବାକୁ ବାଧ୍ୟ। ଆପଣା ମତ ରଖି ବିବରଣୀକୁ ପକ୍ଷ ପ୍ରଦାନ କରିବା ସାମ୍ବାଦିକତାର ଧର୍ମ ନୁହେଁ। ଖବର ହିଁ ଖବର। ତାହା ସତ୍ୟଶୀଳ ଓ ସାଧାରଣ ଭାଷାରେ ପୁଷ୍ଟ। ମତ ମନ୍ତବ୍ୟର ସ୍ଥାନ ନାହିଁ ଜଣେ ସାମ୍ବାଦିକଙ୍କ କର୍ମକୁଶଳତାରେ। ଜଣେ ସାମ୍ବାଦିକ କ୍ଷେତ୍ରରେ ଥାଇ ବିବରଣୀ ପ୍ରସ୍ତୁତ କରନ୍ତୁ ବା ଡେସ୍କରେ ବସି ଖବରକୁ ଛାପାଯୁକ୍ତ କରାଇବାର ଭୂମିକା ନିର୍ବାହ କରନ୍ତୁ, ସେଥିରେ ସାହିତ୍ୟିକୀୟ ମନୋଭାବ ପୋଷଣ କରିବା ଦୋଷାବହ।
ସାମ୍ବାଦିକ ସବୁବେଳେ ନିଜକୁ ସରକାରର ପ୍ରତିପକ୍ଷ ମନେକରିବା ଉଚିତ। ସେଥିପାଇଁ ସେ ଚତୁର୍ଥ ସ୍ତମ୍ଭର ଧର୍ମ ବହନ କରେ। କ୍ଷମତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ, ସ୍ବର ଉଠାଏ, ସାଧାରଣ ଜନତାଙ୍କୁ ଜାଗରିତ କରିଥାଏ।
ସାହିତ୍ୟିକ ଅନ୍ୟ ପକ୍ଷରେ ନିଜର ମତ ମାଧ୍ୟମରେ ନିଜର ବିଚାର ଉପସ୍ଥାପନ କରେ, କାହାଣୀ କହେ, କଳ୍ପନାର ଜାଲ ବୁଣେ ପୁଣି ପାଠକର ଚେତନାବୋଧକୁ ସୂଚନାୟିତ କରିବା ସହ ଉତ୍ତରିତ କରେ। ଉତ୍ତରଣ ନ ଥିଲେ ତାହା କିବା ସାହିତ୍ୟ?
ଆହୁରି ପଢ଼ନ୍ତୁ- School Incident: ଭେଣ୍ଟିଲେସନ ଅଭାବରୁ ୬ଜଣ ଛାତ୍ରୀ ଅସୁସ୍ଥ
ସାମ୍ବାଦିକର କାମ ଉତ୍ତରିତ କରିବା ନୁହେଁ ଓଲଟି ବିସ୍ତାରିତ କରିବା।
ଆନ୍ତର୍ଜାତିକ ସାମ୍ବାଦିକ ସଂଘର ବିଧିବ୍ୟବସ୍ଥା ଅନୁସାରେ ଯେଉଁ ସାମ୍ବାଦିକ ନୀତି (ଜର୍ନାଲିଷ୍ଟ୍ସ କ୍ରିଡ୍) ବା ସାମ୍ବାଦିକଙ୍କ ଲାଗି ଥିବା ଅନ୍ତର୍ଜାତୀୟ ନୀତି (ଗ୍ଲୋବାଲ୍ ଚାର୍ଟର୍ ଅଫ୍ ଏଥିକ୍ସ ଫର୍ ଜର୍ନାଲିଷ୍ଟ୍ସ) ପ୍ରଣୟିତ ହୋଇଛି ସେଥିରେ ସତ୍ୟ ଓ ଔଚିତ୍ୟବୋଧ, ସ୍ବାଧୀନତା, ନିରପେକ୍ଷତା, ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ବ ତଥା ଖବର ସଂଗ୍ରହରେ ଗୋପନୀୟତା ସଙ୍ଗକୁ କୌଣସି ପ୍ରଲୋଭନ ଠାରୁ ଦୂରରେ ରହିବା ପାଇଁ ଏକ ଶପଥପାଠ-ଖସଡ଼ା ପ୍ରସ୍ତୁତ କରାଯାଇଛି।
ସାହିତ୍ୟିକର କୌଣସି ସତ୍ୟପାଠ ବା ଶପଥପାଠ ନାହିଁ। ବିବେକ, ଶାଳୀନତା ଓ ସୁସଞ୍ଚଭାବନା ହିଁ ସାହିତ୍ୟିକର ଅସଲ ଆୟୁଧ। ଅନ୍ୟ ପକ୍ଷରେ ସାମ୍ବାଦିକର ଆୟୁଧ ହେଉଛି ତା’ର ସତ୍ୟପ୍ରକଟନ କ୍ଷମତାର ଶାଣିତ ଧାରା।
ଜଣେ ସାମ୍ବାଦିକ ବୃତ୍ତିରେ ଖବର-ସୌଦାଗର ହେଲେ ବି ସେ ଯେ ଭାବ-ସଉଦାରେ ପଶିବେ ନାହିଁ ଏପରି କଥା ନାହିଁ। ତେଣୁ ସାମ୍ବାଦିକ ବି ସାହିତ୍ୟିକ ହୋଇପାରିବେ। ମାତ୍ର ସମ୍ବାଦରେ ସାହିତ୍ୟ ପୂରାଇବା ପ୍ରମାଦପୂର୍ଣ୍ଣ। ଅନ୍ୟପକ୍ଷରେ ସାହିତ୍ୟିକ ସାମ୍ବାଦିକ ହେବାକୁ ମନ କରିବା ନିତାନ୍ତ ଦୋଷଯୁକ୍ତ। ସେଇ ପାଲରେ ପଡ଼ି ଅନେକ ସାହିତ୍ୟିକ ନିଜର ଭାବମନ୍ଥନକୁ ଅସୁନ୍ଦର ପୁଣି ଅସ୍ତବ୍ୟସ୍ତ କରିପକାନ୍ତି। ଅନ୍ୟର ଉସୁକାଣରେ ପଡ଼ନ୍ତି। ସାମ୍ବାଦିକ ପରି ବିବରଣୀ ଆଶ୍ରିତ ହୋଇଯାନ୍ତି।
ପ୍ରତ୍ୟେକ ସାହିତ୍ୟିକ ମନେ ରଖିବା ଦରକାର ଯେ ସାହିତ୍ୟ ଚିରନ୍ତନ ଓ କାଳଜୟୀ ହେବାର ସାମର୍ଥ୍ୟ ରଖେ। ସେମିତି ସାମ୍ବାଦିକ ଜାଣିନେବା ଆବଶ୍ୟକ ଯେ ସମ୍ବାଦ ବା ଖବର ଦାୟିତ୍ବମୂଳକ ପୁଣି ବିଶ୍ବସନୀୟ ହେବା ଆବଶ୍ୟକ। ସାହିତ୍ୟିକ କଳ୍ପନା ଦିଏ। ସାମ୍ବାଦିକ ସତର ସୂଚନା ପ୍ରଦାନ କରେ।
(ମତାମତ ଲେଖକଙ୍କ ନିଜସ୍ବ)
[email protected]
ଅଧିକ ଦେଖନ୍ତୁ-

1 week ago
4

