ARTICLE AD BOX
ଦାଶ ବେନହୁର
ବର୍ତ୍ତମାନର ସମୟକୁ ଅଧିକତର ଭାବେ ଆମେ କ’ଣ ବିଜ୍ଞାପନର ଯୁଗ ବୋଲି ଅଭିହିତ କରିପାରିବା?
କାନ୍ଥ, ବାଡ଼, ରାସ୍ତା, ଘାଟ, ଗାଡ଼ି, ମଟର ସବୁଆଡ଼େ ବିଜ୍ଞାପନର ମେଳା। ଆଧୁନିକ ଜୀବନକୁ ବିଜ୍ଞାନ ଅପେକ୍ଷା ବିଜ୍ଞାପନ ଅଧିକ କବଳିତ କରିସାରିଲାଣି। ଯାହା ନାହିଁ, ତାହା ଅଛି ବୋଲି ଯଦି କେହି ସମକାଳରେ ପ୍ରମାଣିତ କରିଦେଇପାରେ ତେବେ ତାହା ହେଉଛି ବିଜ୍ଞାପନ।
ବିଜ୍ଞାପନମୟ ପୃଥିବୀ। ପାଣି ଭିତରର କଥା କହିହେବ ନାହିଁ ହେଲେ ମାଟିରେ ସର୍ବତ୍ର ଏହାର ରାଜୁତି। ବଡ଼ବଡ଼ ସହର ଓ ଚଉଡ଼ା ରାସ୍ତାର ମାଲିକ ହେଉଛି ଏ ବିଜ୍ଞାପନ-ମଲ୍ଲ। ପାହାଡ଼, ପର୍ବତ, ନଦୀ, ପ୍ରପାତ ସବୁ ଏ ମଲ୍ଲବୀରର ଆଢୁଆଳରେ। ଆକାଶରେ ଉଡୁଥିବା ବେଲୁନ୍ ଏବଂ ଜାହାଜ ବି ବିଜ୍ଞାପନର ଚିତା କୁଟେଇ ଦେହ ଦେଖାଇବା ସଂପ୍ରତି ଏକ ସାଧାରଣ କଥା।
ଦେହରେ ବିଜ୍ଞାପନ, ମନରେ ବିଜ୍ଞାପନ, ଚେତନାରେ ବିଜ୍ଞାପନ। ପଥର, ଲୁହା, କାଠ, ପ୍ଲାଷ୍ଟିକ୍, କାଚ, ଟିଣ, କାଗଜ ମାଧ୍ୟମରୁ ଆରମ୍ଭ କରି ଡିଜିଟାଲ ପରଦାରେ ସର୍ବତ୍ର ବିଜ୍ଞାପନର ଶାସନ।
Pakistan School: ପାକିସ୍ତାନରେ ଘରୋଇ ସ୍କୁଲ ଛାତ ଭୁଶୁଡ଼ି ୩୪ ମୃତ: ସ୍କୁଲ ମାଲିକ ଗିରଫ
ସାରା ବିଶ୍ବରେ ନିଜକୁ ଏକ ନମ୍ବର ବୋଲି ଦାବି କରୁଥିବା ଆମେରିକାର ରାଷ୍ଟ୍ରପତି ମିଷ୍ଟର୍ ଟ୍ରମ୍ପ ଜଣେ ଗାୟକ ବୋଲି କେହି ଜାଣନ୍ତି ନାହିଁ। ହେଲେ ଗୋଟିଏ ମାତ୍ର ବିଜ୍ଞାପନକୁ ଆଧାର କରି ମାତ୍ର କେଇ ମିନିଟ୍ରେ ସେ ଅସତ୍ୟକୁ ସତ୍ୟ କରାଯାଇପାରିବ। ଟ୍ରମ୍ପ ସାହେବ ଜଣେ ଅସାଧାରଣ ସ୍ବରସମ୍ରାଟ। ପୃଥିବୀ ସେ କଥା ମାନିବ ଓ ପ୍ରାମାଣିକ ବୋଲି ଗ୍ରହଣ କରିବ। ବିଜ୍ଞାପନ ନୂଆ ଈଶ୍ବର। ସେ ଗଢ଼ିପାରେ, ଭାଙ୍ଗିପାରେ ଏବଂ ଅଲୌକିକତା ଦେଖାଇପାରେ। ପୁଣି ସତ୍ୟର ଆଲୋକକୁ ଫିଙ୍ଗିଦେଇପାରେ ଅନ୍ଧାରର ଅତଳଗହ୍ବରକୁ।
ଯେ କୌଣସି କଥା ମାତ୍ରାଧିକ ହେଲେ ତାହା ବିଷରେ ପରିଣତ ହୁଏ।
ଏବେ ଶିଳ୍ପରେ ବିଜ୍ଞାପନ, କୃଷିରେ ବିଜ୍ଞାପନ। ସମାଜତତ୍ତ୍ବ, ଅର୍ଥନୀତି, ରାଜନୀତି, ସଂସ୍କୃତି ଆଦି ସମସ୍ତ ବିଭାଗରେ ବିଜ୍ଞାପନ। ବିଜ୍ଞାପନ ବିନା ସମାଜ ଯେ ଆଉ ଆଗକୁ ଯାଇପାରିବ ନାହିଁ କି ରାଷ୍ଟ୍ର ବଞ୍ଚିପାରିବ ନାହିଁ ତାହା ସମସ୍ତେ ମାନି ନେଇସାରିଲେଣି।
ଯାହା କବଳରେ ବିଜ୍ଞାପନ ତାହା କବଳରେ ପୃଥିବୀ। ଦେଖେଇ ବୁଝେଇପାରିଲା ଯିଏ, ମନ ଚେତନାକୁ ଘାରିଲା ସିଏ।
ଭବିଷ୍ୟତ ସଂପର୍କରେ ଗଭୀର ଅନୁଶୀଳନ କରି ଚମତ୍କାର ତିନିଗୋଟି ପୁସ୍ତକର ସ୍ରଷ୍ଟା ହେଉଛନ୍ତି ଆଲ୍ଭିନ୍ ଟଫଲର୍। ବହି ତିନିଟିର ନାମ, ‘ଫ୍ୟୁଚର୍ ସକ୍’ (ଭବିଷ୍ୟତ ଭୟ), ‘ଦ ଥାର୍ଡ ୱେଭ୍’ (ତୃତୀୟ ଲହର), ଓ ‘ପାୱାର ସିଫ୍ଟ’ (ଶକ୍ତିର ସ୍ଥାନାନ୍ତରଣ)। ପ୍ରଥମେ କୃଷି, ତା’ ପରେ ଶିଳ୍ପ ଓ ତେଣିକି ଜ୍ଞାନ ହିଁ ପାଲଟିବ ସକଳ ଶକ୍ତିର ଉତ୍ସ। ଯାହା ହାତରେ ଜ୍ଞାନ ସେ ସବୁ କଥାକୁ ପ୍ରଯୁକ୍ତି ମାଧ୍ୟମରେ ହାସଲ କରିପାରିବ।
ଏହି ଜ୍ଞାନ ଏବେ ବିଜ୍ଞାପନ କବଳରେ। ଆମର ସମସ୍ତ ବୋଧଶକ୍ତି ବା ଜ୍ଞାନ ଯେ ସାଧାରଣ ଭାବେ ଆହରିତ ତାହା କେହି ଅସ୍ବୀକାର କରିପାରିବା ନାହିଁ। ହେଲେ ଆଜି ଯେତେଯେତେ କଥାକୁ ଆପଣା ଜ୍ଞାନର ଆଧାର ବୋଲି ଆମେ କହୁଛୁ ତାହା ବିଜ୍ଞାପନ ମାଧ୍ୟମରେ ହିଁ ଆସିଛି। ନିଜେ ପାଟିରେ ଚାଖି, ଅନୁଭବ କରି କହୁଥିଲୁ ମହୁ ମିଠା, ଗୁଡ଼ ମିଠା, ଚିନି ମିଠା। ମାତ୍ର ବିଜ୍ଞାପନ, ଆମେ ନ ଜାଣିଥିବା ଗୋଟିଏ ଉପାଦାନକୁ ପ୍ରଚାରିତ କରି ଏପରି କରିଦେଇପାରେ ଯେ ସେ ଅମୁକ ପଦାର୍ଥଟି ମହୁ, ଗୁଡ଼ ବା ଚିନିଠାରୁ ଅଧିକ ମିଠା ବୋଲି ଗୃହୀତ ହୋଇଯିବ।
ବିଜ୍ଞାପନକୁ ଟାପରା କରି ଫ୍ରେଡ୍ ଆଲେନ୍ ତାଙ୍କର ‘ଟ୍ରେଡ୍ମିଲ୍ ଟୁ ଓବ୍ଲିଭିଅନ୍’ ପୁସ୍ତକରେ ଏକ ମଜାଦାର ହିସାବ ଦେଇଛନ୍ତି। ତାଙ୍କ ମତରେ ‘‘ବିଜ୍ଞାପନର ୮୫% ଭାଗ ବିଭ୍ରାନ୍ତି ତ ୧୫% ଭାଗ ରିହାତି।’’ ଷ୍ଟୁଆର୍ଟ ଚେସ୍ଙ୍କ ମତରେ ‘‘ଔଚିତ୍ୟବୋଧ ଆଧାରିତ ବିଜ୍ଞାପନ ଗୋଟାଏ ଅଲଗା ପୃଥିବୀ ଗଢ଼ିବାରେ ସକ୍ଷମ।’’ ନର୍ମାନ୍ ଡଗ୍ଲାସ୍ଙ୍କ ମତ ହେଲା, ‘‘ଗୋଟାଏ ଦେଶର ଆଦର୍ଶ ତା’ର କାନ୍ଥବାଡ଼ ଓ ଚାରିଆଡ଼େ ମରାଯାଇଥିବା ବିଜ୍ଞାପନରୁ ହିଁ ଆକଳନ କରାଯାଇପାରିବ।’’ ସିନ୍କ୍ଲେୟାର ଲିଉଇସ୍, ‘‘ବିଜ୍ଞାପନକୁ ଯେ କୌଣସି ପଦାର୍ଥ ଓ ବିଶେଷକରି ନିମ୍ନମାନର ଜିନିଷପାତିର ବିକ୍ରିବଟା ପାଇଁ ସବୁଠାରୁ ଅଧିକ କୌଶଳପୂର୍ଣ୍ଣ ଏକ ଅର୍ଥନୈତିକ ଉପଯୋଗ’’ ବୋଲି ଗୋଟିଏ ପ୍ରବନ୍ଧରେ ପ୍ରକାଶ କରିଛନ୍ତି।
ବିଜ୍ଞାପନର ଅର୍ଥ କୌଣସି ପଦାର୍ଥ, ଆଦର୍ଶ, ତତ୍ତ୍ବ, ସ୍ଥାନ ବା ବ୍ୟକ୍ତିର ପ୍ରଚାର ବା ପ୍ରସାର। ବେଳେବେଳେ ବସ୍ତୁ, କଥା, ଛବି ବା ପ୍ରତୀକକୁ ବାଗେଇ ସଜେଇ ଉପସ୍ଥାପିତ କରି ବିଜ୍ଞାପନର କ୍ଷେତ୍ର ପ୍ରସ୍ତୁତ କରାଯାଇପାରେ।
ଧରାଯାଉ ଅତୀତ କାହାଣୀର କଥା ଭଳି ସୁନ୍ଦରୀ ରାଜଜେମା ନିଜ ମୁଣ୍ଡର ଗୋଟିଏ ଷୋହଳ ହାତ କେଶକୁ ଫରୁଆରେ ପୂରାଇ ନଈ ସୁଅରେ ଭସାଇ ଦେଲେ। ଏଇ ଭସେଇବା ପଛର ଉଦ୍ଦେଶ୍ୟଟି କ’ଣ ହୋଇପାରେ? କେଶ ଏଠାରେ ରାଜଜେମାଙ୍କ ବିଜ୍ଞାପନର ଆଧାର। ତାକୁ ରଜାପୁଅ ପାଇଲେ ହିଁ ସେ ବିଜ୍ଞାପନର ସାର୍ଥକତା ପ୍ରତିପାଦିତ ହେବ। ସେ ଯେଉଁ ପ୍ରଚେଷ୍ଟା ତାହା କେବଳ ରାଜଜେମାଙ୍କ ନିଜ କେଶଗତ ସୌନ୍ଦର୍ଯ୍ୟର ପ୍ରସାର। ଅତୀତରେ ରାଜା, ମହାରାଜାମାନେ ପଥରରେ ଖୋଦିତ କରି ବା ତମ୍ବାପଟାରେ ଲେଖାଇ ଆପଣାର କୃତି ଓ କୃତିତ୍ବର ଯେ ପ୍ରସାରଣ କରୁଥିଲେ ତାହା ମଧ୍ୟ ଥିଲା ସେଇ ପ୍ରଣାଳୀର ଅଂଶ। ନିଜର ତଥା ବଂଶର ମହାନତା ସେଇବାଟେ ଯୁଗ ଯୁଗ ଧରି ବିଜ୍ଞପିତ ହୋଇ ଚାଲିବାରେ ଅସୁବିଧା ନ ଥିଲା। ସମ୍ରାଟ ଅଶୋକ ନିଜକୁ ‘‘ଦେବାନାଂ ପ୍ରିୟ ପ୍ରିୟଦର୍ଶୀ’’ କହି ପଥରରେ ଖୋଦିତ କରିବା ଠାରୁ ଶିଳାଲେଖରେ ନିଜେ ‘‘ଚଣ୍ଡାଶୋକରୁ ଧର୍ମାଶୋକ’’ ପାଲଟିଥିବା କଥା ଏବଂ କଳିଙ୍ଗ ଯୁଦ୍ଧର ବିବରଣୀ ଆଦି ସମସ୍ତ କଥା ବିଜ୍ଞାପନ ନିଶ୍ଚୟ।
ନିଜକୁ ଓ ନିଜ କୃତିତ୍ବକୁ ବିଜ୍ଞପିତ କରିବା ଲାଗି ଶିଳାଲେଖକୁ ଇତିହାସରେ ବେଶ୍ ମର୍ଯ୍ୟାଦାର ସହ ପ୍ରୟୋଗ କରାଯାଇଛି। ଏପରିକି ଶାସକମାନେ ନିଜର ପାରଦର୍ଶିତା ଓ ସାମର୍ଥ୍ୟକୁ ପ୍ରସାରିତ କରିବା ଲାଗି ଭିନ୍ନ ଭିନ୍ନ ପ୍ରୟୋଗରେ ନିପୁଣ ଥିବାର ବହୁ ପ୍ରମାଣ ଆମକୁ ମିଳେ।
ପୁରାଣର ଚରିତ୍ର ନାରଦ ମହାଋଷି ଅନେକ କଥାର ଥିଲେ ଜଣେ ଚତୁର ବିଜ୍ଞାପକ। ତାଙ୍କରି ମାଧ୍ୟମରେ ତିନିଲୋକରେ କେତେ କଥା ପ୍ରସାରିତ ହୋଇଯାଉଥିଲା। ଅଶ୍ବମେଧ ଯଜ୍ଞରେ ସୁସଜ୍ଜିତ ଅଶ୍ବଟି ଜଣେ ଚକ୍ରବର୍ତ୍ତୀ ହେବାର ବାସନା ପୋଷଣ କରିଥିବା ବୀରରାଜାଙ୍କର ଥିଲା ଏକ ଚଳତ୍ମାନ ବିଜ୍ଞାପନ। ‘‘ଶୁଣ, ଶୁଣ, ଶୁଣ। ଦେଖ, ଦେଖ, ଦେଖ। ଆମ୍ଭର ଏ ଅଶ୍ବକୁ ଦେଖ। ତାକୁ ଦେଖି ବୁଝିଯାଅ ଯେ ଆମ୍ଭେ ହିଁ ସବୁଠାରୁ ବଳଶାଳୀ। ତେଣୁ ଆମ୍ଭର ବଶ୍ୟତା ସ୍ବୀକାର କର। ନଚେତ୍ ପରାଜୟ ବରଣ କରି ଜୀବନ ହରାଇବାକୁ ପ୍ରସ୍ତୁତ ହୁଅ।’’
ଅତୀତରେ ଅଶ୍ବମେଧ ଯଜ୍ଞର ଏ ଅଶ୍ବ ଥିଲା ଜଣେ ‘ମୁଁ ହିଁ ସର୍ବଶ୍ରେଷ୍ଠ’ ବୋଲି ଅନ୍ୟକୁ ବୁଝାଇ ଦେବାର ବିଜ୍ଞାପନ ଆଧାରିତ ଏକ ଶ୍ରେଷ୍ଠ ପନ୍ଥା। ମୂକ ପଶୁଟି ଧରିବୁଲୁଥିଲା ଗୋଟେ ବିଶାଳ ସାମ୍ରାଜ୍ୟର ବିଜ୍ଞାପନ।
ନିକଟ ଅତୀତରେ ‘ଅପରେସନ ସିିନ୍ଦୂର’ ବେଳେ ଭାରତ ଓ ପାକିସ୍ତାନ ସୀମାରେ ଯେଉଁ ଲଢ଼େଇ ହେଲା ସେଥିରେ ଗୋଟିଏ ନୂଆ ଧରଣର ବିଜ୍ଞାପନ ଦେଖିବାକୁ ମିଳିଲା। ଲଢ଼େଇ ଥିଲା ଭାରତ ଓ ପାକିସ୍ତାନ ଭିତରେ। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ଲଢ଼େଇ କରୁଥିଲେ ଚୀନ୍, ଆମେରିକା, ରୁଷିଆ, ତୁର୍କୀ, ଇଜ୍ରାଏଲ ଓ ଫ୍ରାନ୍ସର ଯୁଦ୍ଧାସ୍ତ୍ରସମୂହ। ଆଜିର ପୃଥିବୀରେ ସବୁଠାରୁ ମୂଲ୍ୟବାନ ବିକ୍ରିଲବ୍ଧ ସାମଗ୍ରୀ ହେଲା ଯୁଦ୍ଧାସ୍ତ୍ର। ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଲକ୍ହିଡ୍ ମାର୍ଟିନ୍ ଏଫ୍-୩୫ ଜଏଣ୍ଟ ଫାଇଟର୍ ପ୍ରୋଗାମ୍ ଯୁଦ୍ଧ ସରଞ୍ଜାମର ମୂଲ୍ୟ ୧.୭ ଟ୍ରିଲିଅନ୍ ଡଲାର୍। ଯୁଦ୍ଧାସ୍ତ୍ର ତିଆରି କରୁଥିବା ଦେଶମାନେ ଅନେଇ ବସିଥାନ୍ତି, କେମିତି ତାଙ୍କ ଦେଶରେ ତିଆରି ଅସ୍ତ୍ର ଶ୍ରେଷ୍ଠ ବୋଲି ପ୍ରମାଣିତ ହେଉ। ତା’ ହେଲେ ବିଭିନ୍ନ ଦେଶ ତାକୁ କିଣିବେ ଏବଂ ସେ ଦେଶର ଧନଉପାର୍ଜନ କ୍ଷମତା ବହୁଗୁଣିତ ହେବ।
ଯୁଦ୍ଧକ୍ଷେତ୍ର ଏକ ଯୁଦ୍ଧାସ୍ତ୍ର ବିଜ୍ଞାପନର ଆକାଶ। ଲୋକେ ମରନ୍ତୁ, ପ୍ରକୃତି ଧ୍ବଂସପାଉ, ପୃଥିବୀ ମରୁଭୂମି ପାଲଟୁ କିନ୍ତୁ ନିଜ ତିଆରି ଯୁଦ୍ଧାସ୍ତ୍ର ସୁନାପଦକ ପାଉ। ଦୁଇଟି ଦେଶ ଭିତରେ ଯୁଦ୍ଧ ନ ଉପୁଜିଲେ ସେ କଥା ବିଜ୍ଞପିତ ହେବ କେମିତି? ପ୍ରତିଯୋଗିତା କେମିତି ସମ୍ଭବ ହେବ? ସମସ୍ତ ସଭ୍ୟ ତଥା ବିକଶିତ ଦେଶ ଏବେ ଶାନ୍ତି ପାଇଁ ବିଜ୍ଞାପନ ଛାପୁ ନାହାନ୍ତି। ଯୁଦ୍ଧ ପାଇଁ ସବୁଆଡ଼େ ଅଘୋଷିତ ବିଜ୍ଞାପନ। ଆଢୁଆଳରେ ରହି ଉନ୍ନତ ଦେଶମାନେ ଅସଲରେ ଅନ୍ୟ କାନ୍ଧରେ ବନ୍ଧୁକ ରଖି ନିଜ ବୈଷୟିକ ଜ୍ଞାନକୌଶଳ ତଥା ପାରିଲାପଣିଆର ପ୍ରଦର୍ଶନ କରନ୍ତି। ଯାହାର ଯୁଦ୍ଧାସ୍ତ୍ର ଶ୍ରେଷ୍ଠ ସେ ହିଁ ଅସଲରେ ଚକ୍ରବର୍ତ୍ତୀ।
ସେକାଳେ ରାଜପଣର ଶ୍ରେଷ୍ଠତା ପ୍ରତିପାଦିତ କରିବା ଲାଗି ଅଶ୍ବମେଧ ଯଜ୍ଞର ଅଶ୍ବକୁ ବୁଲାଇବା ପରି ଆକାଶ ମଣ୍ଡଳରେ ଏବେ ଯୁଦ୍ଧାସ୍ତ୍ର-ସୌଦାଗରମାନେ ନିଜ ନିଜର ବିଜ୍ଞାପନ ଜାରି ରଖିଛନ୍ତି।
ଖ୍ରୀଷ୍ଟପୂର୍ବ ତିନି ହଜାର ବର୍ଷ ପୂର୍ବେ କ୍ରୀତଦାସ ବିକିବା ପାଇଁ ଜଣେ ମଧ୍ୟପ୍ରାଚ୍ୟ ସୌଦାଗର ବିଜ୍ଞାପନର ସାହାଯ୍ୟ ନେଇଥିବାର ଲିଖିତ ପ୍ରମାଣ ମିଳିଛି ଇଜିପ୍ଟରୁ। ବିଜ୍ଞାପନ ଯେ ପ୍ରାଚୀନ କାଳରୁ ମଣିଷ ସଭ୍ୟତାର ଏକ ଅବଧାରିତ ଆବଶ୍ୟକତା ତାହା କେହି ଅସ୍ବୀକାର କରିପାରିବେ ନାହିଁ।
ପ୍ରତ୍ୟେକ ବିଜ୍ଞାପନର ମୂଳ ତା’ର ବିଜ୍ଞାପକ। ସେ କେଉଁ ଉଦ୍ଦେଶ୍ୟରେ ଅସ୍ତ୍ରଟିକୁ ପ୍ରୟୋଗ କରୁଛନ୍ତି ତାହା ହିଁ ସମସ୍ତ ଭଲ-ମନ୍ଦରର ଅସଲ କଥା ବୟାନ କରେ।
ଆଜି ବିଜ୍ଞାପନ କେବଳ ଖବରକାଗଜ ବା ଗଣମାଧ୍ୟମର କଥା ହୋଇନାହିଁ। ଏହା ଚେତନାର ସମସ୍ତ ସ୍ତରକୁ ସମ୍ପ୍ରସାରିତ। କେଉଁବାଟେ ମଣିଷର ଭାବଚେତନାକୁ ପ୍ରଭାବିତ କରିହେବ ତାହା ହିଁ ସବୁ ବିଜ୍ଞାପନର ମୁଖ୍ୟ ଉଦ୍ଦେଶ୍ୟ।
ଦେଶଗୁଡ଼ିକ ସୁସ୍ଥ, ସବଳ ବିଜ୍ଞାପନ ନୀତି ଆପଣାର ନ କଲେ ଆଗକୁ ସବୁ ସତ ଲୁଚିଯାଇ ସବୁଆଡ଼େ ମିଛ ଓ ଅହଙ୍କାର ଯେ ରାଜୁତି କରିବ, ଏହା ଅବଶ୍ୟମ୍ଭାବୀ।
(ମତାମତ ଲେଖକଙ୍କ ନିଜସ୍ବ)
[email protected]

1 hour ago
1


