ARTICLE AD BOX
ଦାଶ ବେନହୁର
ମଣିଷ ମାତ୍ରେ ଗୋଟିଏ ଗୋଟିଏ ଜଳଧାର। କିଏ କ୍ଷୁଦ୍ର କିଏ ବିଶାଳ। କିଏ ତା’ର ଗତିଧାରାରେ କୁଆଡ଼େ ମରି ହଜି ବିଲୀନ ହୋଇଯାଏ ତ ଅାଉ କିଏ ବହି ଚାଲିଥାଏ ଯୁଗ ପରେ ଯୁଗ କୂଳବାସୀ ପ୍ରାଣୀସମୂହକୁ ଜୀବନମୁଖୀ କରି।
ନଦୀର ଜନ୍ମ ଅଛି, ଗତି ଅଛି ଏବଂ ମହତ୍ତର ନଦୀଗୁଡ଼ିକ ସାଗର ଆଡ଼କୁ ପ୍ରବାହିତ। ସାଗରରେ ମିଶିବା ବି ସମସ୍ତଙ୍କ ଭାଗ୍ୟରେ ନ ଥାଏ।
ସେ ନିମ୍ନଗା ହୁଏ ପୁଣି ଊର୍ଦ୍ଧ୍ବମୁଖୀ ବାଷ୍ପର ରୂପ ଧରି ଆକାଶରେ ମେଘ ସଞ୍ଚାରେ, ଜଳବୃଷ୍ଟି କରେ। ଥରେ ମେଘ ପାଲଟିଗଲେ ତାହା ଆଉ କେଉଁ ମୁଲକରେ ପ୍ରାଣ ସୃଷ୍ଟିକରେ।
ମୋହନ ଦାସ କରମଚାନ୍ଦ ଗାନ୍ଧୀ ଗୋଟେ ଚିରପ୍ରବହମାନ ନଈ। ଆପଣା ଉଦ୍ଗମ ପରିସରରେ ସେ ‘ମହନିଆ’, ପାଖଆଖର ପରିଜନଙ୍କ ଲାଗି ‘ମୋହନ’ ଅଥଚ ଜଗତବାସୀଙ୍କ ପାଇଁ ସେ କେବଳ ଗାନ୍ଧୀ ବା ଗାନ୍ଧୀନଦୀ।
ଗାନ୍ଧୀନଦୀ ଏମିତି ଏକ ନଦୀ ଯେ ତାହା ସାରା ଗ୍ଲୋବ୍ର ସବୁ ଅଞ୍ଚଳକୁ ବର୍ତ୍ତମାନ ପ୍ରବାହିତ। ସବୁଠାରେ ସେ ନଦୀର ଜଳସ୍ପର୍ଶ ଅନୁଭୂତ। ଠାଏ ଠାଏ ନିଜ ଉଦ୍ଗମସ୍ଥଳ, ପ୍ରବାହସ୍ରୋତ, ଏବଂ ଅବବାହିକା ଠାରୁ ଅଧିକ ଗଭୀର ଭାବରେ କେଉଁଠି ଗଣ୍ଡ ତ କେଉଁଠି ହ୍ରଦ ହୋଇ ସେ ଉପସ୍ଥିତ।
କାହାପାଇଁ ନଦୀ ପବିତ୍ର ତ କାହାପାଇଁ ଅପବିତ୍ର। ନଦୀର ଜଳ ଯେଉଁଠି ଯେଉଁଠି କାହାର ସ୍ବାର୍ଥକୁଟୀର ବା ପ୍ରାସାଦଗୁଡ଼ିକୁ ଭସେଇ ନେଇଛି ତା’ ପାଇଁ ସେ ନିନ୍ଦାଜନକ ହେବାକୁ ବାଧ୍ୟ। କାହା ସକାଶେ ‘ମନ୍ଦାକିନୀ’, କା’ ମୁହଁରେ ସେ ‘ମଲାଗୁଣି’। କିଏ ତା’ ଭିତରେ ନିର୍ମଳ, ସ୍ବଚ୍ଛସଲିଳ ଦେଖିଛି ତ ଆଉ କାହା ଆଖିରେ ପଡ଼ିଛି ତା’ ଦେହରେ ଉଦ୍ଦେଶ୍ୟକୃତ ଭାବେ ଫୋପଡ଼ା ଯାଇଥିବା କୁଢ଼କୁଢ଼ ଶବ ଏବଂ ଭେଳାଭେଳା ମଇଳା ଆବର୍ଜନା।
Walkathon: ସନ୍ସାଇନ୍ ହସ୍ପିଟାଲ୍ର ୱାକାଥନ୍
ନଦୀ ମଇଳା ତିଆରି କରେନା। ତାକୁ ମଇଳା କରିଦିଆଯାଏ। ଥରେ ନଦୀ ପ୍ରଦୂଷିତ ହୋଇଗଲେ ତାକୁ ଆଉ ସଫା କରିବା ସହଜ ହୁଏନାହିଁ। ଜନବସତି ଦେଇ ନଦୀ ଧାଇଁଲେ ମଇଳା ହେବାକୁ ବାଧ୍ୟ। ଉପକାର ଖୋଜୁଥିବା ଲୋକ ସେ ମଇଳାରେ ନ ଅଟକି ଭିତରେ ଥିବା ଶୁଦ୍ଧ ଜଳକୁ ଆହରଣ କରେ।
ଆଜିକାର ସମୟରେ କେଉଁ ନଦୀର ଜଳକୁ ସିଧା ଆଣି ପାନ କରିହେବ ଯେ, ଗାନ୍ଧୀନଦୀର ଜଳ ସ୍ବଚ୍ଛ ହୋଇ ରହିବ ବୋଲି ଆଶା କରିବା? କାହା ବିଚାରରେ ଗାନ୍ଧୀନଦୀ ଅସ୍ବଚ୍ଛ ତ କେତେକଙ୍କ ଲାଗି ପ୍ରଦୂଷିତ।
ଗାନ୍ଧୀନଦୀର ଜଳରେ ଭାସୁଥିବା ମଇଳା ପାଖରେ ଅଟକିଗଲେ ତା’ର ମହତ୍ତ୍ବ ବୁଝିବା ଅସମ୍ଭବ। ଉପଯୋଗିତା ପାଲଟିବ ସୁଦୂରପରାହତ। ନଦୀଟିର ଜଳରେ ଥିବା ଗୁଣବତ୍ତା ଆପେ ଭାସିଯିବ ଅନ୍ୟଆଡ଼କୁ।
ଏବେ ଏ ନଦୀର ଜଳଗୁଣ ପରୀକ୍ଷା କରିବା ଆବଶ୍ୟକ। ସତେ କ’ଣ ଦିନେ ଅନେକଙ୍କ ପାଇଁ ଗଙ୍ଗାନଦୀତୁଲ୍ୟ ପବିତ୍ର ପାଲଟିଥିବା ନଦୀଟି ବର୍ତ୍ତମାନ ବିଷର ଯମୁନା ପାଲଟି ଯାଇଛି? ତା’ର ଆଉ କିଛି ଉପଯୋଗିତା ନାହିଁ?
ସତ୍ୟ, ଅହିଂସା, ଅପରିଗ୍ରହ, ସ୍ବଦେଶୀ, ସ୍ବରାଜ, ସତ୍ୟାଗ୍ରହ ଓ ସର୍ବୋଦୟ ପରି ଜୀବନ-ଦ୍ୟୋତକ ଜଡ଼ିବୁଟିର ସମ୍ମିଶ୍ରିତ ଗୁଣ ଧରି ଧାଇଁଥିବା ଏ ନଦୀର ଜଳ ହଠାତ୍ କେମିତି ଥୁ’ ଥୁ’ ପାଲଟିଗଲା ଆଜି? ଔଷଧ କ’ଣ ଥୁ’ ଥୁ’ର ଜିନିଷ ଯେ ଆମେ ପିତା, କଷା କହି ଫୋପାଡ଼ିଦେବା?
ଏ ଜଳ ବିଶୋଧିତ ହେବା ଦରକାର। ଜଳ ତ ଜଳ! ସେଥିରେ କ୍ଷାରପଣ ଥାଇପାରେ! କୌଣସି ଅଦରକାରୀ ବା ଅହିତକାରୀ ତତ୍ତ୍ବ କେହି ହୁଏ ତ ପାଇପାରେ ତା’ ଭିତରେ। ମାତ୍ର ଗାନ୍ଧୀନଦୀ ଯେ ଅମିତ ହିତକାରୀ ଜଳପ୍ଳାବନୀ, ତାହା ସାରା ବିଶ୍ବ ସ୍ବୀକାର କରୁଛି। ଯଦି ବା କେଉଁଠି ବିରୋଧ ହୋଇଛି ତାହା ସେ ଜଳର ଗୁଣବତ୍ତାକୁ ନେଇ ନୁହେଁ। ତା’ ପ୍ଳାବନର ଉପକ୍ରମକୁ ନେଇ ପ୍ରଶ୍ନ ଉଠିବା ସହଜ। ଏଇଠି ଏମିତି ବନ୍ଧ ଭାଙ୍ଗିଦେଲା ସେ ନଈ। ସେଠି ସେମିତି ପହଁରୁଥିବା ଲୋକଟିକୁ ବୁଡ଼ାଇ ନିଶ୍ଚିହ୍ନ କରିଦେଲା କୁଆଡ଼େ। ଅମୁକ ସ୍ଥାନରେ ମାଟି ଧସେଇ ନଷ୍ଟ କରିଦେଲା ଏକର ଏକର ଜମି।
ନଈ ଥିଲେ ବଢ଼ି ଅଛି। ଜଳ ପ୍ରବଳତା ଅଛି। କାହାର କଳିନ୍ଦ ଜମି ହୁଏତ ବାଲୁଚର ପାଲଟିଛି। ପୁଣି କେଉଁଠାରେ ଲକ୍ଷ ଲକ୍ଷ ହେକ୍ଟର ଜମିରେ ପଟୁ ପଡ଼ିଛି।
ଭାରତ ଭୂଇଁରେ ଗାନ୍ଧୀନଦୀ ପ୍ରବାହିତ ହେବାକୁ ଆରମ୍ଭ କରିଥିଲା ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଯେତେବେଳେ ଆତ୍ମବିଶ୍ବାସ, ଆତ୍ମାଭିମାନ, ଅାତ୍ମରକ୍ଷା ଭଳି ସମସ୍ତ ଭୂମି-ଫସଲ ନଷ୍ଟ ହୋଇଯାଇଥିଲା। ଲାଗୁଥିଲା ସବୁଆଡ଼େ ଧୁ ଧୁ ମରୁଭୂମି। ସେ ବହିବା ଆଗରୁ ଯେଉଁ ସଂଗ୍ରାମୀ-ଜଳସ୍ରୋତ ଏ ମାଟିରେ ପ୍ରବାହିତ ହେଉଥିଲା, ତାହା ଥିଲା ବିଭାଜିତ ପୁଣି ବିକ୍ଷିପ୍ତ।
୧୯୧୫ ସମୟକୁ ଯିବା। ୧୮୮୫ରୁ ଗୋଟାଏ ସିରିସିରି ଜଳଧାର ବୋହିବା ଆରମ୍ଭ କରିଥିଲା। ନା ସେଥିରେ ଥିଲା ସ୍ରୋତ ନା କୁଳୁକୁଳୁ ନାଦ। ସେ ଜଳ କେଉଁଠି ଟୁବଗାଡ଼ିଆ ତିଆରି କଲା ତ କେଉଁଠି ପୋଖରୀ। ଭାରତଭେଦିନୀ ସ୍ରୋତସ୍ବତୀ ପାଲଟିବାର ସମ୍ଭାବନା ନ ଥିଲା। ୧୯୦୫ର ବଙ୍ଗଭଙ୍ଗ ବେଳକୁ ଠାଏ ଠାଏ ଗଣ୍ଡ ତିଆରି ହୋଇଥିଲା। କେଉଁଠି କେଉଁଠି ଉଷ୍ମପ୍ରସ୍ରବଣ। ଟକ୍ମକ୍ ଫୁଟିବାକୁ ଆରମ୍ଭ କରିଥିଲା ପାଣି। ଠାଏ ଶୀତଳ ତ ଠାଏ ଗରମ। ନଈ ପାଲଟି ନ ଥିଲା ଜଳରାଶି। ଏତିକିବେଳେ ପାଣି ଦୁଇଭାଗ ହୋଇଗଲା। ଉଷ୍ମ, ଶୀତଳ। ବିପିନ, ଲଜପତ୍, ଗଙ୍ଗାଧର ହୋଇ ଗୋଟେପଟେ ବୋହି ଚାଲିଲା ଉଷ୍ମ ଜଳଧାର ତ ଆରପଟେ ଚିତ୍ତରଞ୍ଜନ, ଗୋପାଳକୃଷ୍ଣ, ମୋତିଲାଲ ହୋଇ ବୋହିଲା ଶୀତଳ ସଲିଳ ସ୍ରୋତ।
ନଦୀ କାଇଁ େଯ ଭୀମକାନ୍ତ ପ୍ଳାବନ ଆଣିବ? ଛୁଇଁବ ସାରା ଭାରତର କୋଣ ଅନୁକୋଣ? ସବୁ ଏକାକାର କରି ପଟୁ ମଡ଼େଇଦେବ ସାରା ଜମ୍ବୁଦୀପ? ସୁରଟ୍ ବିଭାଜନ ନାଅଁା ଧରି ଛୋଟ ନଈଟିଏ ବୋହୁଥିଲା ସତ ହେଲେ ତା’ର ଜଳ ସଞ୍ଚାରଣ ଥିଲା କ୍ଷୀଣ ଓ ସୀମିତ।
୧୯୧୬ ବେଳକୁ ସରସ୍ବତୀ ନଦୀ ପରି ଗାନ୍ଧୀନଦୀ ହଠାତ୍ ଭୂଇଁ ଫୁଟେଇ ସାବରମତୀରେ ଆତ୍ମପ୍ରକାଶ କଲା। ପୁରୁଣା ସଂଗ୍ରାମୀ ନଈଟି ଥିଲା କାହିଁ କେତେ ଦୂରରେ। ୧୯୧୭ ବେଳକୁ ସେ ନଦୀର ଜଳ ସତ୍ୟାଗ୍ରହ ରୂପ ନେଇ ବିହାରର ଚମ୍ପାରନଠାରେ ଯେଉଁ ପ୍ରାଣସଞ୍ଚାରୀ ପ୍ଳାବନ ସୃଷ୍ଟିକଲା ସେଥିରେ ସତେ ଯେମିତି ଭାରତର ତୃଷିତ ପ୍ରାଣରେ ଜୀବନ ଫେରିଲା। ୧୯୧୯ରେ ପଞ୍ଜାବର ଜାଲିଆନୱାଲା ବାଗଠାରେ ବ୍ରିଟିସ ସରକାର ନିଜ ଅଜାଣତରେ ଖୋଳିଦେଲେ ମାଟି। ଉଦ୍ଗିରଣର ସ୍ରୋତ ବୋହିଲା ଉତ୍ସକୂପରୁ। ୧୯୨୦ରେ ଅସହଯୋଗର ନାମ ଧରି ଗାନ୍ଧୀନଦୀ ଶାଖାପ୍ରଶାଖା ମେଲାଇ ଧାଇଁଲା ଚାରିଆଡ଼େ। ଗଁା, ସହର, ବନଭୂମି, ସ୍କୁଲ, କଲେଜ, କଚେରି, ଥିଲାବାଲା ନ ଥିଲାବାଲା ସବୁଆଡ଼ ଛୁଇଁଛୁଇଁ। ୧୯୨୧ରୁ ଏ ନଦୀ ଏମିତି ପ୍ରବାହିତ ହେଲା ଯେ ଆନନ୍ଦରେ ତା’ର ଶୀତଳ ଜଳରାଶିକୁ ଡେଇଁପଡ଼ିଲେ ସମସ୍ତେ।
ସେତେବେଳକୁ ପୂର୍ବ ପରିଚିତ ସଂଗ୍ରାମୀ ନଈଟି ଏକପ୍ରକାର ବିଲୀନ ହୋଇଯାଇଥିଲା ଗାନ୍ଧୀନଦୀ ଭିତରେ। ସବୁଆଡ଼େ ଗାନ୍ଧୀ ଗାନ୍ଧୀ। ପରେ ‘ବାମ’, ‘ଦକ୍ଷିଣ’, ‘ମଧ୍ୟ’ ହୋଇ ଯେତେ ଜଳଧାର ବୋହିବାକୁ ଆରମ୍ଭ କରିଥିଲେ ଆଗରୁ କେହି ଦେଖା ନ ଥିଲେ କେଉଁଠି। ଆଜି ଭାରତର ରାଜନୈତିକ ମାନଚିତ୍ରରେ ଯେତେ ବଡ଼ ନଈ ଦୃଶ୍ୟମାନ ହେଉଛନ୍ତି ପ୍ରାୟ ସମସ୍ତେ ଶାଖାନଦୀ ସୂତ୍ରରେ କିଛି ନା କିଛି ଜଳପ୍ରବାହ ଆହରଣ କରିଛନ୍ତି ସେଇ ଗାନ୍ଧୀନଦୀରୁ।
Mountain Bike Cycling: ମହେନ୍ଦ୍ରଗିରିରେ ଆରମ୍ଭ ହେଲା ଜାତୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍
୧୯୨୧ରେ ଏ ନଦୀ ଭାରତ ସାରା ସ୍ବାଧୀନତାର ପାଣି ମଡ଼ାଇବା ପରେ ପୁଣି ଏକ ମହାପ୍ଳାବନ ଆଣିଲା ୧୯୩୦ରେ। ଆପେ କେନାଲ ଖୋଳି ହୋଇଗଲା ଗାଅଁା, ଗାଅଁା, ସହରେ ସହରେ। ପାଣି ମାଡ଼ିଲା। ଜଳସେଚନ ହେଲା। ସ୍ବଦେଶୀ, ସ୍ବରାଜ ଓ ସତ୍ୟାଗ୍ରହର ବାସ୍ନାଫୁଲ ଫୁଟି ମହମହ ବାସିଲେ। ଜଳ ଭିତରେ ସତ୍ୟ ଓ ଅହିଂସାର ବିଦ୍ୟୁତ୍ ସ୍ରୋତ ବୋହିଲା, ଯାହାକୁ ଛୁଇଁଲେ ଆପେ ହୃଦୟ ଭିତରେ ଥିବା କାଚ ବଲ୍ବ ଜଳିଉଠିଲା। ପୁଣି ୧୯୪୨ରେ ଆସିଲା ଝଡ଼ତୋଫାନ ସହ ନଦୀରେ ଏକ ଦ୍ରୁତପ୍ଳାବନ। ନଦୀ, ଘୋର ଘର୍ଘର ନାଦରେ ଡାକ ଛାଡ଼ିଲା ମାଟି ଛାଡ଼, ମାଟି ଛାଡ଼। ଭାରତ ଛାଡ଼।
ଗାନ୍ଧୀନଦୀର ପ୍ରବଳ ବନ୍ୟା ହିଁ ୧୯୪୭ ବେଳକୁ ଭାରତ ମାଟିରେ ତୁହାକୁ ତୁହା ଯେଉଁ ପଟୁ ପକାଇଥିଲା ତା’ର ଫସଲ ଫଳିଲା ଏବଂ ଅମଳ ହେଲା ଅଗଷ୍ଟ ପନ୍ଦରରେ।
ଗୋଟିଏ କଥା ମନେରଖିବା ଆବଶ୍ୟକ ଯେ କୌଣସି ନଦୀ ମୌଳିକ ନୁହେଁ। ସେମିତି ଏ ଗାନ୍ଧୀନଦୀ। ସେତେବେଳେ ଉପରର ଜଳବୃଷ୍ଟି, ମାଟିତଳର ଝର ସଙ୍ଗକୁ ଶାଖାନଦୀଗୁଡ଼ିକର ଅବଦାନ କିଛି କମ୍ ନ ଥିଲା ଗାନ୍ଧୀନଦୀର ସଫଳ ସେଚଧାରଣ କ୍ଷମତା ପାଇଁ। ନଦୀ ମାତ୍ରେ ସେଥିରୁ ଶାଖାନଦୀ ବାହାରିବା ଅବଶ୍ୟମ୍ଭାବୀ। ଏବଂ ଶେଷକଥାଟି ହେଲା ନଦୀର ପ୍ଳାବନ କେଉଁଠି ମାଟି ଧସାଏ ତ କେଉଁଠି ଚଡ଼ା ତିଆରି କରିଦିଏ।
ଗାନ୍ଧୀନଦୀ ଅଦ୍ଭୁତ। ତା’ର ଜଳରାଶିରେ ଅଛି ଚମତ୍କାର ଜୀବନୀଶକ୍ତି। ଜଳସ୍ରୋତରେ ମଇଳା ଫିଙ୍ଗି ତାକୁ କଳୁଷିତ କଲେ କୂଳବାସୀଙ୍କର କ୍ଷତି। ଶାନ୍ତି, ମୈତ୍ରୀ, ଅହିଂସା ଆଦିର ଉପଯୋଗ ନେଇ ସାରା ପୃଥିବୀର ଲୋକେ ସଂପ୍ରତି ସେ ଜଳକୁ ବ୍ୟବହାର କରୁଛନ୍ତି। ଗାନ୍ଧୀନଦୀର ଜଳରେ ଅବଗାହନ କରି କେତେକିଏ ବ୍ରତ ଆଚରଣ କରିଛନ୍ତି। ଇତାଲୀୟ ଗାନ୍ଧୀ ଆଲ୍ଦୋ କ୍ୟାପିତିନି ଲେଖିଛନ୍ତି- ‘‘ଅହିଂସା ପ୍ରତ୍ୟେକ ପ୍ରାଣୀର ସତ୍ତା, ସ୍ବାଧୀନତା ଓ ବିକାଶକୁ ବିଭାସିତ କରେ।’’ ତାହା ହିଁ ଗାନ୍ଧୀନଦୀ ଜଳର ବିଶେଷତା।
ଅକ୍ଟୋବର ଦୁଇ ଗାନ୍ଧୀନଦୀର ଆବିର୍ଭାବ ଦିବସ। ଏ ନଦୀର ମୃତ୍ୟୁ ନାହିଁ। ଆମ ପାଇଁ ଯାହା ଆବଶ୍ୟକ ତାହା ହେଉଛି ନଦୀ ବିଞ୍ଚିଯାଇଥିବା ପଟୁମାଟିର ଉପଯୋଗିତା। ସର୍ବୋଦୟର ସଞ୍ଚରଣ।
ନଦୀକୁ ଗାଳି କରି ଲାଭ ନାହିଁ। ତା’ ଜଳରେ ଥିବା ଆବର୍ଜନାକୁ ହଟେଇ ନିର୍ମଳ କରି ବ୍ୟବହାର କରିବା ଆବଶ୍ୟକ।
(ମତାମତ ଲେଖକଙ୍କ ନିଜସ୍ବ)
[email protected]

57 minutes ago
1


