Editorial: ସଂଶୋଧନର ମହାପର୍ବ: ଚିନ୍ମୟ ହୋତାଙ୍କ ସମ୍ପାଦକୀୟ ଚିନ୍ମୟ ଚେତନାରେ ପଢ଼ନ୍ତୁ...

1 hour ago 1
ARTICLE AD BOX

ସଂଶୋଧନର ମହାପର୍ବ

ଚିନ୍ମୟ ହୋତା
ଚିନ୍ମୟ ଚେତନା

ସେଦିନ ଓଡ଼ିଶା ସରକାର ଘୋଷଣା କଲେ, ଓଡ଼ିଶାର ଚଉଷଠିଟି ଜିଲ୍ଲା, ସହର, ବ୍ଲକ ଓ ଅନ୍ୟାନ୍ୟ ସ୍ଥାନଗୁଡ଼ିକର ନାମର ଇଂରେଜୀ ବନାନ ସଂଶୋଧନ କରାଯିବ। କଟକ, ବାଲେଶ୍ୱର, ବ୍ରହ୍ମପୁର, ଆଉ ଅନ୍ୟ ସ୍ଥାନଗୁଡ଼ିକ ଇତିହାସର ଧୂଳି ଝାଡ଼ି ପୁଣି ତାଙ୍କର ପୁରୁଣା ଓଡ଼ିଆ ନାମସବୁ ଫେରି ପାଇବେ। ଏହି ବନାନ ସଂସ୍କାରର ଯୁକ୍ତିଟିକୁ ଅସ୍ୱୀକାର କରିବାର ଉପାୟ ନାହିଁ। ଭାଷାର ତ ପୁଣି ଆତ୍ମସମ୍ମାନ ରହିଛି! ଔପନିବେଶିକ ଆଳସ୍ୟ ଓ ଅବଜ୍ଞାରୁ ବିକୃତ ହୋଇଥିବା ନାମଗୁଡ଼ିକ ମଧ୍ୟ ଦିନେ ନା ଦିନେ ନ୍ୟାୟ ପାଇବା ଉଚିତ।ହେଲେ ଏହି ଖବରଟି ପଢ଼ି ମୋତେ ଲାଗିଲା, କେବଳ ସ୍ଥାନଗୁଡ଼ିକର ନାମ କାହିଁକି, ଆଜିର ଦିନରେ ସବୁ କ୍ଷେତ୍ରରେ ଆମେ ସଂଶୋଧନର ଏକ ମହାପର୍ବ ପାଳନ କରିଚାଲିଛୁ। ଆଜି ଜିଲ୍ଲାର ନାମ, କାଲି ପାଠ୍ୟପୁସ୍ତକ, ପଅରଦିନ ସରକାରୀ ବିଜ୍ଞପ୍ତି, ତା’ ପରଦିନ ଇତିହାସ। ମୋତେ ଲାଗୁଛି ଦେଶଟି ଆଗଉଛି କମ୍, ସଂଶୋଧିତ ହୋଇ ଚାଲିଛି ବେଶୀ। ଏଇ ଦେଖୁ ନାହାନ୍ତି, ଓଡ଼ିଶାରେ ସ୍କୁଲ ପିଲାଙ୍କ ବହି ବାହାରିବା ପରେ ବି କେମିତି ସେହି ସଂଶୋଧିତ ସଂସ୍କରଣକୁ ଅପେକ୍ଷା କରିଛନ୍ତି ପିଲାଏ। 

ଆହୁରି ପଢ଼ନ୍ତୁ- Netaji's Ashes : ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ; କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି

ପୂର୍ବେ ବହି ବାହାରୁଥିଲା, ପରେ ତା’ର ଦ୍ବିତୀୟ ସଂସ୍କରଣ। ଆଜିକାଲି ପ୍ରଥମେ ବହି ବାହାରୁଛି, କିଛି ଦିନ ପରେ ସଂଶୋଧିତ ବହି ଓ ତା’ ପରେ ପରେ ସଂଶୋଧିତ ସଂଶୋଧନ। ସରକାରୀ ଟେଣ୍ଡରର ବିଜ୍ଞପ୍ତି ଆମମାନଙ୍କର ପ୍ରିୟ ସାହିତ୍ୟ। ଆଗେ ସରକାରୀ ଟେଣ୍ଡର ସୂଚନା ବାହାରୁଥିଲା, ହେଲେ ଏବେ ତା’ଠୁ ବେଶୀ ବାହାରୁଛି ଟେଣ୍ଡର ଶୁଦ୍ଧିପତ୍ର। ଏମିତି ଦିନ ଆସିବ, ଶୁଦ୍ଧିପତ୍ରର ସ୍ତୂପ ତଳୁ ମୂଳ ବିଜ୍ଞପ୍ତିଟି ଖୋଜି ପାଇବା କାଠିକର ପାଠ ହୋଇଯିବ। 

ଆମ ଦେଶରେ ସଂଶୋଧନର ବିଶେଷ ମର୍ଯ୍ୟାଦା। ସଂବିଧାନ ଲେଖା ହେଲା, ତା’ ପରେ ସଂଶୋଧନ, ଫି’ ବର୍ଷକୁ ଆହୁରି ସଂଶୋଧନ। ମଣିଷର ଗୋଟେ ଅଦ୍ଭୁତ ସ୍ୱଭାବ, ଯାହା ଲେଖା ହୋଇଛି ତାକୁ କଟାକଟି ନ କଲେ ଶାନ୍ତି ନାହିଁ। ମୋର ବିଶ୍ୱାସ, ଭଗବାନ ମଣିଷକୁ ସୃଷ୍ଟି କଲାପରେ ଟିକେ ଅନୁତପ୍ତ ହୋଇ ପଡ଼ିଥିଲେ। ସେଥିପାଇଁ ମଝିରେ ମଝିରେ ନୂଆ ଅବତାରମାନଙ୍କୁ ପଠାଉଛନ୍ତି। ସେହି ଅବତାରମାନେ ଆସି କହୁଛନ୍ତି, ‘‘ନା, ନା, ଏମିତି ନୁହେଁ ସେମିତି।’’ 

ମହାଭାରତରେ ବି ସଂଶୋଧନ ହୋଇଥିଲା। ଯୁଧିଷ୍ଠିର କହିଲେ ଅଶ୍ୱତ୍‌ଥାମା ନିହତ, ତା’ପରେ ଆସ୍ତେ ଇଙ୍ଗିତ କରିଦେଲେ ଯେ ପ୍ରକୃତରେ ମରିଛି ହାତୀଟା। ରାମାୟଣର ବି କେତେ ସଂସ୍କରଣ। ପ୍ରଥମେ ବାଲ୍ମୀକି ଲେଖିଲେ। ସାରଳା ଦାସ ଭାବିଲେ, ଏଥିରେ ଟିକେ ଓଡ଼ିଆର ହାୱା ବାଜୁ। ପୁଣି ତୁଳସୀଦାସ କହିଲେ, ଏଠି ଭକ୍ତିର ମାତ୍ରା ଆଉଟିକିଏ ବଢ଼ାଯାଉ। କାହାଣୀ ଗୋଟିଏ, ସଂଶୋଧନର ପୋଷାକ କେବଳ ଅଲଗା ଅଲଗା। ଆଉ ପୁରୁଣା ଯୁଗର କଥା ଛାଡ଼ନ୍ତୁ, ଆଜିର ଦୁନିଆରେ ସଂଶୋଧନ ବିନା ପ୍ରଗତିର କଥା ଚିନ୍ତା କରି ହୁଏନା। ମୋବାଇଲ ଫୋନ ବି ଏବେ ଆମ ଭଳିଆ। ପ୍ରତିଦିନ କହେ, ‘‘ଅପଡେଟ ଆସିଯାଇଛି, ଡାଉନଲୋଡ କରିନିଅନ୍ତୁ।’’ ଅପଡେଟ ପରେ ଆମେ ଦେଖୁ ଯେ ପୁରୁଣା ସମସ୍ୟା ଯେମିତି ଥିଲା ସେମିତି ରହିଛି, ଆଉ ଦୁଇଟି ନୂଆ ସମସ୍ୟା ଯୋଡ଼ି ହୋଇ ଯାଇଛି। ଚିନ୍ତା ନାହିଁ, ପୁଣି ଅପଡେଟ ଆସିଯିବ। ଜୀବନଟା ତ ସେଇଆ: ଗୋଟିଏ ସମସ୍ୟାର ସମାଧାନ କରିବାକୁ ଗଲେ ଆଉ କିଛି ନୂଆ ସମସ୍ୟା ମୁଣ୍ଡ ଟେକେ। 

ଆହୁରି ପଢ଼ନ୍ତୁ- Mangal Milan: ମଙ୍ଗଳ ମିଳନ ବୈଠକ ତ୍ରିରଙ୍ଗାମୟ: ଏନଡିଏ ସାଂସଦମାନଙ୍କ ସହିତ ତ୍ରିରଙ୍ଗା ଉଡାଇଲେ ପ୍ରଧାନମନ୍ତ୍ରୀ

ସାହିତ୍ୟିକମାନେ ସଂଶୋଧନ କଳାରେ କିଛି ପଛରେ ପଡ଼ି ନାହାନ୍ତି। ସମ୍ପାଦକମାନେ ଲାଲ କାଳିରେ ଏତେସବୁ ସଂଶୋଧନ କରିପକାନ୍ତି ଯେ ଲେଖକ ବିଚରା ଶେଷରେ ନିଜ ଲେଖାକୁ ବି ଚିହ୍ନି ପାରେ ନାହିଁ। ବେଳେବେଳେ ତ ମୃତ ଲେଖକର ଲେଖାକୁ ମଧ୍ୟ ସମ୍ପାଦକମାନେ ‘ଶୁଦ୍ଧ’ କରି ପକାନ୍ତି। ଆଜିକାଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପରେପରେ ଲେଖକ ଲେଖି ପକାନ୍ତି, ‘‘ଲେଖାରେ ଗୋଟେ ଟାଇପ ପ୍ରମାଦ ଥିଲା, ଏଇଥିରେ ସଂଶୋଧନ କରାଗଲା।’’ ପରେପରେ କିଏ ଛିଗୁଲିଆ ପାଠକ ମନ୍ତବ୍ୟ ଦିଅନ୍ତି, ‘‘ଆହୁରି ଦୁଇଟା ରହି ଯାଇଛି।’’ ପ୍ରଯୁକ୍ତି ଆମର ସଂଶୋଧନର ଆସକ୍ତିକୁ ଆହୁରି ବଢ଼େଇ ଦେଇଛି। ମୋବାଇଲରେ ‘ଅଟୋକରେକ୍ଟ’ ଯେମିତି ଜଣେ ସମ୍ପାଦକ। ଆପଣ ଗୋଟେ କଥା ଲେଖିଲା ବେଳକୁ ଲେଖି ହୋଇଯିବ ଠିକ୍ ଅଦ୍ଭୁତ ଶବ୍ଦଟିଏ। ଆପଣ କାହାକୁ ‘ସଶ୍ରଦ୍ଧ’ ଲେଖିଥିଲେ, ହେଲେ ବାର୍ତ୍ତାଟି ପହଞ୍ଚିଲା ବେଳକୁ ହୋଇଯାଇଥିଲା ‘ସଶବ୍ଦ’। ‘ନାରୀ ସଶକ୍ତୀକରଣ’କୁ ଅଟୋକରେକ୍ଟ କରିଦେଲା ‘ନାରୀ ସଶସ୍ତ୍ରୀକରଣ’। 

ଆମର ଦୈନନ୍ଦିନ ଜୀବନ ବି ଆଉ କ’ଣ ଅଲଗା? ଆମେ ବଜେଟ ତିଆରି କରୁ, ଆଉ ମାସ ଶେଷରେ ପୁଣି ସପ୍ଲିମେଣ୍ଟାରି ବଜେଟ ପ୍ରସ୍ତୁତ ନ କଲେ ନ ଚଳେ। ସନ୍ତାନକୁ ନାଲି ଆଖି ଦେଖାଉ, ପରେ ପୁଣି ତାକୁ ଚକୋଲେଟ ଦେଇ ନିଜର ଭୁଲ୍ ସଂଶୋଧନ କରୁ। ବିବାହିତ ଜୀବନର ଅଧା କଟିଯାଏ ‘ମୁଁ ସେମିତି ତ କହିବାକୁ ଚାହିଁ ନ ଥିଲି’ର ସଂଶୋଧନ ବିଲ୍ ପାସ୍ କରିବାରେ। ବୋଧହୁଏ ଆଜିର ସମୟରେ ଚୂଡ଼ାନ୍ତ ସତ୍ୟ ବୋଲି କିଛି ନାହିଁ, ଅଛି ଖାଲି ‘ପରିମାର୍ଜିତ ସଂସ୍କରଣ’। ଆଗେ ସିଦ୍ଧାନ୍ତ, ପରେ ବ୍ୟାଖ୍ୟା। ଆଗେ ଘୋଷଣା, ପରେ ସ୍ପଷ୍ଟୀକରଣ। ଆଗେ ବହି ପ୍ରକାଶନ, ପରେ ଶୁଦ୍ଧି। ଆଗେ ଆଇନ, ପରେ ସଂଶୋଧନୀ। ଆଗେ ବକ୍ତୃତା, ପରେ ପ୍ରେସ ନୋଟ। ଆଜିକାଲି କୌଣସି କଥାକୁ ‘ଶେଷ କଥା’ ବୋଲି କହି ହେବ ନାହିଁ। ପୁସ୍ତକ ନୁହେଁ, ଆଇନ ନୁହେଁ, ଅଭିଭାଷଣ ନୁହେଁ, ମାନଚିତ୍ର ନୁହେଁ, ଏମିତିକି ଆମର ମତାମତ ବି ନୁହେଁ। କାରଣ ଆମେ ଏବେ ଏମିତି ଏକ ଯୁଗରେ ବାସ କରୁଛୁ, ଯେଉଁଠି ସଂଶୋଧନ ହୋଇଯାଇଛି ଖୁବ୍ ସହଜଲଭ୍ୟ। ଆଉ ସଂଶୋଧନ ଯେଉଁଠି ଏତେ ସହଜ, ସେଠାରେ ପ୍ରଥମ ଥରରେ ନିର୍ଭୁଲ୍‌ ହେବାର ବାଧ୍ୟବାଧକତାଟି ଧୀରେ ଧୀରେ ଦୁର୍ବଳ ହୋଇଯାଉଛି। ଭୁଲ୍‌ଠାରୁ ଆଜି ସଂଶୋଧନ ପ୍ରତି ଲୋକଙ୍କର ବିଶ୍ୱାସ ଅଧିକ। ମନେହୁଏ, ଠିକ୍ କରିବାର ଦାୟିତ୍ୱ ଭବିଷ୍ୟତର। ଆଜି ଯେମିତି ସେମିତି କାମଟି କରି ଦିଅ, କାରଣ ଆଗକୁ ତ ସଂଶୋଧନ ରହିଛି। ଏହି ‘ସଂଶୋଧନ ତ ଅଛି’ କଥାଟି ହୁଏତ ଆମର ଭୁଲ୍ କରିବାର ପ୍ରବଣତାକୁ ସବୁଠୁ ଅଧିକ ପ୍ରଶ୍ରୟ ଦେଉଛି।
(ମତାମତ ଲେଖକଙ୍କ ନିଜସ୍ବ)

ମୋ: ୯୪୩୭୦୮୯୬୫୫

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.