ARTICLE AD BOX
ଆମେ ଜାଣୁ ଅନନ୍ତ ମହାଶୂନ୍ୟରେ ଭାସି ବୁଲୁଥିବା ପୃଥିବୀ ନାମକ ଗ୍ରହର ଉପର ନାହିଁ କି ତଳ ନାହିଁ। ତା’ହେଲେ ପୃଥିବୀର ଉତ୍ତର ଗୋଲାର୍ଦ୍ଧକୁ ସର୍ବଦା ମାନଚିତ୍ର ବା ଗ୍ଲୋବ୍ର ଉପର ଭାଗରେ କାହିଁକି ପ୍ରଦର୍ଶିତ କରାଯାଇଥାଏ? ସତେ ଯେମିତି ଦକ୍ଷିଣ ବିଶ୍ବର ସ୍ଥାନ ହେଉଛି ଉତ୍ତର ବିଶ୍ବର ପାଦ ତଳେ!
Nabarangpur: ଓସ୍ବାସ ଫାଇଲ୍ ପ୍ରକ୍ରିୟାକରଣରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଥମ
‘ଥିଙ୍ଗ୍ସ ଫଲ୍ ଏପାର୍ଟ’ ପରି କାଳଜୟୀ ଉପନ୍ୟାସର ଲେଖକ ଆଫ୍ରିକୀୟ ଦେଶ ନାଇଜେରିଆର ଅଧିବାସୀ ଚିନୁଆ ଆଚେବେ ୧୯୯୪ରେ ମର୍ଯ୍ୟାଦାଜନକ ସାହିତ୍ୟ ପତ୍ରିକା ‘ପ୍ୟାରିସ୍ ରିଭିଉ’କୁ ଦେଇଥିବା ଏକ ସାକ୍ଷାତ୍କାରରେ ତାଙ୍କୁ ଜଣେ ଲେଖକ ହେବା ପାଇଁ କ’ଣ ପ୍ରବୃତ୍ତ କରିଥିଲା, ସେ ସମ୍ବନ୍ଧରେ ଯାହା କହିଥିଲେ, ତାହା ସେବେଠାରୁ ପୃଥିବୀର ଅନ୍ୟତମ ସର୍ବାଧିକ ପ୍ରସାରିତ କିଂବଦନ୍ତିରେ ପରିଣତ ହୋଇଯାଇଛି। ଆଚେବେ କହିଥିଲେ ଆଫ୍ରିକାରେ ପ୍ରଚଳିତ ଏଇ ସୁପରିଚିତ ଲୋକୋକ୍ତିଟି ହିଁ ତାଙ୍କୁ କଲମ ଧରାଇଥିଲା: ‘‘ସିଂହମାନେ ନିଜର ଜଣେ ଇତିହାସ ଲେଖକ ନ ପାଇବା ପର୍ଯ୍ୟନ୍ତ ଶିକାରର ଇତିହାସ ସର୍ବଦା ଶିକାରୀମାନଙ୍କୁ ମହିମାମଣ୍ଡିତ କରିଚାଲୁଥିବ।’’
ଆଚେବେ ଏଇ ଉକ୍ତିର ସତ୍ୟତା ପ୍ରମାଣ ସ୍ବରୂପ ଦର୍ଶାଇଥିଲେ ଯେ ସମଗ୍ର ପାଶ୍ଚାତ୍ୟ ସାହିତ୍ୟରେ ଆଫ୍ରିକା ଓ ଆଫ୍ରିକୀୟମାନଙ୍କର ଯେଉଁ ଚିତ୍ର ପ୍ରଦାନ କରାହୋଇ ଆସିଛି, ତାହା ହେଲା ଏକ ଅନ୍ଧାରି ମୁଲକ ଓ ସେଠାରେ ବାସ କରୁଥିବା ପଶୁତୁଲ୍ୟ କୃଷ୍ଣକାୟ ମନୁଷ୍ୟ। ଏହା ଥିଲା ବିଜେତାମାନଙ୍କ ଦ୍ବାରା ଅଙ୍କନ କରାଯାଇଥିବା ବିଜିତମାନଙ୍କର ଚିତ୍ର; ଶିକାରୀମାନେ ଲେଖିଥିବା ସିଂହମାନଙ୍କର ଇତିହାସ। ଔପନିବେଶିକ ଦଖଲକାରୀମାନଙ୍କ ଦ୍ବାରା ବିକୃତ କରାଯାଇଥିବା ଆଫ୍ରିକାର ଏଇ ଇତିହାସକୁ ନିଜର ସାହିତ୍ୟ ଦ୍ବାରା ସଜାଡ଼ିବା ଉଦ୍ଦେଶ୍ୟରେ ଚିନୁଆ ଆଚେବେ ଆଗେଇ ଆସିଥିଲେ। ଅନ୍ୟ ଭାଷାରେ କହିଲେ, ଆଚେବେ ସାହସିକ ସିଂହମାନଙ୍କର ଇତିହାସକାର ରୂପେ ଆବିର୍ଭୂତ ହେଲେ।
ସେ ତାଙ୍କର ଉପନ୍ୟାସମାନଙ୍କରେ ପ୍ରଦର୍ଶିତ କଲେ ଆଫ୍ରିକା ଏକ ଅନ୍ଧାରି ମୁଲକ ନୁହେଁ, ତାହା ନିଜର ଆପଣା ସଭ୍ୟତା ଓ ସଂସ୍କୃତିର ଆଲୋକ ଦ୍ବାରା ଉଦ୍ଭାସିତ; ସେଠାକାର ଅଧିବାସୀମାନେ ମଧ୍ୟ ନିଜର ଆଶା ନିରାଶା, ସୁଖ ଦୁଃଖ, ଜୀବନ ସଂଗ୍ରାମର ଜଟିଳ ପ୍ରବାହମାନଙ୍କର ସେଇଭଳି ସିଂହସୁଲଭ ସାହସିକ ମୁକାବିଲା କରିଥାନ୍ତି, ଯେମିତି ପାଶ୍ଚାତ୍ୟ ସମାଜରେ ଘଟିଥାଏ। ଏଠାରେ ଉଲ୍ଲେଖଯୋଗ୍ୟ ତାଙ୍କର ଉଚ୍ଚମାନର ସାହିତ୍ୟ କୃତି ପାଇଁ ସେ ନୋବେଲ୍ ପୁରସ୍କାର ପାଇବା ପାଇଁ ହକ୍ଦାର ବୋଲି ବ୍ୟାପକ ଭାବରେ ବିଶ୍ବାସ କରାଯାଇଥିଲେ ହେଁ ତାଙ୍କୁ ତାହା କେବେହେଲେ ପ୍ରଦାନ କରାଯାଇ ନ ଥିଲା। ଏ ସଂପର୍କରେ ତାଙ୍କୁ କେହି ପଚାରିଲେ, ଆଚେବେ ତାଙ୍କର ସ୍ବଭାବସୁଲଭ ଢଙ୍ଗରେ ଉତ୍ତର ଦେଉଥିଲେ: ଏହା ଗୁରୁତ୍ବହୀନ; ଏହା ହେଉଛି ଏକ ପାଶ୍ଚାତ୍ୟ ପୁରସ୍କାର ମାତ୍ର।
ଯେଉଁ ପାଶ୍ଚାତ୍ୟ ଶକ୍ତିମାନେ ଆଫ୍ରିକାର ଇତିହାସ ସବୁ ଏଭଳି ବିକୃତ କରି ପ୍ରଦର୍ଶିତ କରିଥିଲେ, ସେମାନେ ତାହାର ଭୂ-ଗୋଳକୁ ମଧ୍ୟ ଛାଡ଼ି ନ ଥିଲେ। ଏହାର ଏକ ପ୍ରମାଣ ସ୍ବରୂପ ବିଗତ ଚାରି ଶତାବ୍ଦୀରୁ ଊର୍ଦ୍ଧ୍ବ କାଳ ଧରି ସେମାନଙ୍କ ଦ୍ବାରା ‘ମର୍କେଟର୍ ପ୍ରୋଜେକ୍ସନ୍’ ବ୍ୟବହାର କରାଯାଇ ପୃଥିବୀର ଯେଉଁ ମାନଚିତ୍ର ପ୍ରସ୍ତୁତ ଓ ପ୍ରଚଳିତ ହୋଇ ଆସିଛି, ସେଥିରେ ଆଫ୍ରିକାର ଆକାରକୁ ଅତ୍ୟନ୍ତ ସଂକୁଚିତ କରି ଦିଆଯାଇଥିବା ବେଳେ ଇଉରୋପ ଓ ଆମେରିକାକୁ ସେମାନଙ୍କର ପ୍ରକୃତ ଆକାର ତୁଳନାରେ ବହୁ ଗୁଣ ଅଧିକ ଦୃଶ୍ୟମାନ ଉପସ୍ଥିତି ପ୍ରଦାନ କରାଯାଇଛି। ଏପରିକି ଉତ୍ତର ଗୋଲାର୍ଦ୍ଧର ଚୂଳ ଅଞ୍ଚଳରେ ଥିବା ପ୍ରାୟ ଜନମାନବଶୂନ୍ୟ ବରଫାବୃତ ଦ୍ବୀପ ଗ୍ରିନ୍ଲ୍ୟାଣ୍ଡ ମଧ୍ୟ ପାଶ୍ଚାତ୍ୟ ମାନଚିତ୍ରକାରମାନଙ୍କର ଏଇ ପକ୍ଷପାତିତା ଦ୍ବାରା ବେଶ୍ ଲାଭବାନ ହୋଇଛି। ଅପର ପକ୍ଷେ ଦକ୍ଷିଣ ବିଶ୍ବ ରୂପେ ପରିଚିତ ଭାରତ ସମେତ ବିଷୁବ ରେଖା ନିକଟବର୍ତ୍ତୀ ସମସ୍ତ ବିକଶିତ ଦେଶମାନଙ୍କୁ ଏଇ ମାନଚିତ୍ରରେ ବସ୍ତୁତଃ ବିଶ୍ବ ଚେତନାର ସୀମାନ୍ତ ଅଞ୍ଚଳକୁ ଠେଲି ଦିଆଯାଇଛି। ଆଉ ପ୍ରାଥମିକ ବିଦ୍ୟାଳୟର ସ୍ତରରୁ ଆରମ୍ଭ କରି ପିଢ଼ି ପରେ ପିଢ଼ି ଆମେମାନେ ଏହାକୁ ହିଁ ଭୂ-ଗୋଳ ରୂପେ ଜାଣି ଆସିଛୁ।
ଏବେ ପୃଥିବୀବ୍ୟାପୀ ଆଲୋଡ଼ନ ସୃଷ୍ଟି କରି ଚିନୁଆ ଆଚେବେଙ୍କୁ ଅନୁସରଣ କଲାଭଳି ଆଫ୍ରିକା ତଥା ସାରା ପୃଥିବୀର ଏଇ ବିକୃତ ଭୂ-ଗୋଳକୁ ସଜାଡ଼ିବା ପାଇଁ ଆଗେଇ ଆସିଛି ମିଳିତ ଜାତିସଂଘ। ଏଇ ଉଦ୍ୟମର ଅଂଶସ୍ବରୂପ ୪ ସେପ୍ଟେମ୍ବରରେ ଭାରତ ସମେତ ୧୬୪ଟି ସଦସ୍ୟ ରାଷ୍ଟ୍ରଙ୍କର ସମର୍ଥନ ଲାଭ କରି ଜାତିସଂଘରେ ଗୃହୀତ ହୋଇଥିବା ଏକ ପ୍ରସ୍ତାବରେ (ଏକମାତ୍ର ଆମେରିକା ଏହା ବିରୋଧରେ ମତଦାନ କରିଥିବା ବେଳେ ଛ’ଟି ଦେଶ ମତଦାନରୁ ବିରତ ରହିଥିଲେ) ଏଇ ବିକୃତିକୁ ଦୂର କରିବା ନିମିତ୍ତ ମାନଚିତ୍ର ଅଙ୍କନରେ ‘ମର୍କେଟର୍ ପ୍ରୋଜେକ୍ସନ୍’ ସ୍ଥାନରେ ‘ଇକ୍ବାଲ୍ ଆର୍ଥ ପ୍ରୋଜେକ୍ସନ୍’ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଆହ୍ବାନ ଦିଆଯାଇଛି।
ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଜାତିସଂଘ ସାଧାରଣ ପରିଷଦରେ ଗୃହୀତ ହୋଇଥିବା ଏଇ ସଂକଳ୍ପ ବହନ କରୁଥିବା ନାତିଦୀର୍ଘ ଶିରୋନାମା ହେଉଛି: ‘‘କରେକ୍ଟ ଦି ମ୍ୟାପ୍: ରିବାଲାନ୍ସିଙ୍ଗ ଗ୍ଲୋବାଲ୍ କାର୍ଟୋଗ୍ରାଫିକ୍ ରିପ୍ରେଜେଣ୍ଟେସନ୍ ଆଣ୍ଡ୍ ପ୍ରମୋଟିଙ୍ଗ ଇକ୍ବିଟେବ୍ଲ ରିପ୍ରେଜେଣ୍ଟେସନ୍ ଅଫ୍ ଦି ୱର୍ଲଡ’ସ ରିଜନ୍ସ, ପର୍ଟିକ୍ୟୁଲାର୍ଲି ଆଫ୍ରିକା।’’ ଏଥିରେ ସ୍ପଷ୍ଟ କରିଦିଆଯାଇଛି ଯେ ‘‘ନିର୍ଦ୍ଦିଷ୍ଟ ଭାବରେ ଆଫ୍ରିକା’’ ସମ୍ମୁଖୀନ ହୋଇ ଆସୁଥିବା ବୈଷମ୍ୟକୁ ଦୂର କରିବା ହେଉଛି ମାନଚିତ୍ର ଅଙ୍କନ ପଦ୍ଧତିରେ ଘଟିବାକୁ ଯାଉଥିବା ଏଇ ସଂଶୋଧନର ଉଦ୍ଦେଶ୍ୟ। ୨୦୧୩ରେ ଇହଧାମ ତ୍ୟାଗ କରିଥିବା ଚିନୁଆ ଆଚେବେ ଆଜି ଯଦି ଜୀବିତ ଥାନ୍ତେ, କହିଥାନ୍ତେ: ଏଥର ସିଂହମାନଙ୍କ ପାଇଁ ଶିକାରର ଭୂ-ଗୋଳ ମଧ୍ୟ ପୁନର୍ଲିଖିତ ହେବ।
Traffic: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବିଯୁକ୍ତ ପଏଣ୍ଟ ମିଳିବ, ଭଲ ଆଚରଣ ପାଇଁ ରିୱାର୍ଡ
ଜେରାର୍ଡସ୍ ମର୍କେଟର୍ ୧୫୬୯ରେ ତାଙ୍କର ନାମ ବହନ କରୁଥିବା ଏଇ ମାନଚିତ୍ର ଅଙ୍କନ ପଦ୍ଧତି ଉଦ୍ଭାବନ କରିବା ପଛରେ ନିହିତ ଅସଲ ଉଦ୍ଦେଶ୍ୟ ଥିଲା ଜଳଯାତ୍ରା ସମୟରେ ନାବିକମାନଙ୍କୁ ସହଜରେ ନିର୍ଭୁଲ୍ ଭାବରେ ଗତିପଥ ନିର୍ଣ୍ଣୟ କରିବାରେ ସହାୟକ ହେବା। ସେଇ ମୂଳ ଉଦ୍ଦେଶ୍ୟ ସାଧନରେ ଏହା ଚମକପ୍ରଦ ସଫଳତା ଅର୍ଜନ କରିଛି। କିନ୍ତୁ ଏହା ଆଧାରରେ ଅଙ୍କିତ ମାନଚିତ୍ର ପୃଥିବୀର ବିଭିନ୍ନ ଭୂ-ଭାଗମାନଙ୍କର ତୁଳନାତ୍ମକ ଆକାର ସମ୍ବନ୍ଧରେ ଏକ ଅତ୍ୟନ୍ତ ଭ୍ରମାତ୍ମକ ଚିତ୍ର ପ୍ରଦାନ କରିଥାଏ। ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନେ ସାମରିକ ବଳ ପ୍ରୟୋଗ କରି ଯେଉଁ ସନ୍ଦେଶ ପ୍ରସାର କରିଥିଲେ ଏଇ ମାନଚିତ୍ର ତାହାକୁ ନିରବ ସ୍ବୀକୃତି ପ୍ରଦାନ କରିଥାଏ: ପୃଥିବୀର ବିକଶିତ ଉତ୍ତର ହେଉଛି ବପୁବନ୍ତ, ବିକାଶଶୀଳ ଦକ୍ଷିଣ ହେଉଛି ବାମନ; ବସୁନ୍ଧରା ବୀରଭୋଗ୍ୟା ହୋଇଥିବାରୁ ପୃଥିବୀର ବୃହତ୍ ଅଂଶ ପାଶ୍ଚାତ୍ୟ ଶକ୍ତିମାନଙ୍କର ଦଖଲରେ ରହିଛି ଓ ଦୁର୍ବଳ ରାଷ୍ଟ୍ରମାନେ ନିଜକୁ କ୍ଷୁଦ୍ର ଭୌଗୋଳିକ ଇଲାକା ମଧ୍ୟରେ ସୀମିତ ରଖିବାକୁ ବାଧ୍ୟ ହୋଇଛନ୍ତି।
ପିଢ଼ି ପରେ ପିଢ଼ି ଏଇ ବୈଷମ୍ୟ ବହନକାରୀ ମାନଚିତ୍ର ସହିତ ପରିଚିତି ଦକ୍ଷିଣ ବିଶ୍ବର ଦେଶମାନଙ୍କର ଅଧିବାସୀମାନଙ୍କ ଠାରେ ସେମାନଙ୍କ ଅଜାଣତରେ ଏକ ହୀନମନ୍ୟତା ସୃଷ୍ଟି କରି ଆସିଛି। ଏଥିରୁ ସାବ୍ୟସ୍ତ ହୋଇଥାଏ ଯେ ସାମ୍ରାଜ୍ୟବାଦ କେବଳ ବନ୍ଧୁକ, ତୋପ, ଜାହାଜ ଓ ସୈନ୍ୟବାହିନୀ ଦ୍ବାରା ପ୍ରତିଷ୍ଠିତ ହୋଇ ନ ଥିଲା, ଏହା ମଧ୍ୟ କମ୍ପାସ, େପନ୍ସିଲ ଓ ରୁଲର୍ ଦ୍ବାରା ଚେର ବିସ୍ତାର କରିଥାଏ। ଜାତିସଂଘର ଏଇ ପଦକ୍ଷେପ ଏହାର ଅନ୍ତ ଘଟାଇବା ପାଇଁ ଉଦ୍ଦିଷ୍ଟ।
କିନ୍ତୁ ଏଥିସହିତ ଏହା ମଧ୍ୟ ଆମ ମନରେ ଏକ ଅବଧାରିତ ସତ୍ୟର ରୂପ ଧାରଣ କରି ରାଜତ୍ବ କରୁଥିବା ମାନଚିତ୍ରର ଅନ୍ୟ ଏକ ଚରିତ୍ର ଉପରେ ପ୍ରଶ୍ନଚିହ୍ନ ଲଗାଇଥାଏ। ଆମେ ଜାଣୁ ଅନନ୍ତ ମହାଶୂନ୍ୟରେ ଭାସି ବୁଲୁଥିବା ପୃଥିବୀ ନାମକ ଗ୍ରହର ଉପର ନାହିଁ କି ତଳ ନାହିଁ। ତା’ହେଲେ ପୃଥିବୀର ଉତ୍ତର ଗୋଲାର୍ଦ୍ଧକୁ ସର୍ବଦା ମାନଚିତ୍ର ବା ଗ୍ଲୋବ୍ର ଉପର ଭାଗରେ କାହିଁକି ପ୍ରଦର୍ଶିତ କରାଯାଇଥାଏ? ସତେ ଯେମିତି ଦକ୍ଷିଣ ବିଶ୍ବର ସ୍ଥାନ ହେଉଛି ଉତ୍ତର ବିଶ୍ବର ପାଦ ତଳେ! ଏମିତିରେ ଏଇ ଗୋଲାକାର ଗ୍ରହରେ ଦକ୍ଷିଣ ଗୋଲାର୍ଦ୍ଧବାସୀମାନେ ଉତ୍ତର ଗୋଲାର୍ଦ୍ଧବାସୀଙ୍କର ପାଦ ତଳେ ଥିବାବେଳେ ଉତ୍ତର ଗୋଲାର୍ଦ୍ଧବାସୀମାନେ ମଧ୍ୟ ଦକ୍ଷିଣ ଗୋଲାର୍ଦ୍ଧବାସୀଙ୍କର ପାଦ ତଳେ ନଥାନ୍ତି କି? ମନେହୁଏ ଦୀର୍ଘ କାଳ ଧରି ଉତ୍ତର ଗୋଲାର୍ଦ୍ଧର ରାଜତ୍ବ ପରେ ଏଥର ଦକ୍ଷିଣ ଗୋଲାର୍ଦ୍ଧକୁ ଉପରେ ପ୍ରଦର୍ଶିତ କରି ମାନଚିତ୍ର ଅଙ୍କନ କରିବାର ସମୟ ବୋଧହୁଏ ଉପସ୍ଥିତ!

13 hours ago
2


