ARTICLE AD BOX
ସରକାରୀ ସ୍କୁଲ ହେଉ ବା ଅନ୍ୟ ଯେ କୌଣସି କ୍ଷେତ୍ର; ସେଥିରେ ଥିବା ଦୁର୍ଦ୍ଦଶା ଉନ୍ମୋଚିତ ହେଲେ ଯାଇ ସରକାରଙ୍କ ପକ୍ଷେ କୌଣସି ପଦକ୍ଷେପ ନେବା ସହଜ ହେବ। ସେହି ଦୃଷ୍ଟିରୁ, ଅନେକ ପର୍ଯ୍ୟବେକ୍ଷକ କହିଥାନ୍ତି ଯେ ରାଷ୍ଟ୍ର ନିର୍ମାଣ କଳ୍ପେ ସରକାରଙ୍କ ପକ୍ଷରୁ ସିଜେପିକୁ ଏକ ସହଯୋଗୀ ଭାବେ ସ୍ବୀକାର କରାଯିବା ଏକ ଯୁଗାନ୍ତକାରୀ ଦୂରଦୃଷ୍ଟି ହୁଅନ୍ତା।
ଗଲା ଶନିବାର ଦିନ ଦିଲ୍ଲୀର ଲାଲକିଲ୍ଲାଠାରେ ପାଳିତ ହୋଇଯାଇଥିବା ସ୍ବାଧୀନତା ଦିବସ ସମାରୋହରେ ପରମ୍ପରା ଅନୁଯାୟୀ ପ୍ରଥମେ ଜାତୀୟ ସଂଗୀତ ବା ‘ଜନ ଗଣ ମନ’ ଗାନ କରାଯିବା ପରିବର୍ତ୍ତେ ରାଷ୍ଟ୍ର ଗୀତ ‘ବନ୍ଦେ ମାତରମ’ର ଗାୟନ ମୃଦୁ ଆଲୋଚନାର କାରଣ ହୋଇଛି। ସେହି ଭଳି ଲାଲକିଲ୍ଲାର ପ୍ରାଚୀର ଉପରୁ ପ୍ରଦତ୍ତ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ‘ନକ୍ସଲ ମାନସିକତା’ ଭଳି ଅଭିବ୍ୟକ୍ତିର ଆବିର୍ଭାବ ଘଟି ରାଜନୈତିକ ବିରୋଧୀମାନଙ୍କ ଦ୍ବାରା ସମାଲୋଚିତ ମଧ୍ୟ ହୋଇଛି। ପ୍ରକାଶ ଥାଉ କି ଦେଶରେ ନକ୍ସଲ ହିଂସାର ଅବସାନ ଘଟିଥିବା ବିଷୟ ଘୋଷଣା କରିବା ସମୟରେ ପ୍ରଧାନମନ୍ତ୍ରୀ ‘ନକ୍ସଲ ମାନସିକତା’ ସଂପନ୍ନ ଅରାଜକ ତତ୍ତ୍ବଙ୍କ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ତେବେ ସେ ଯାହା ହେଉ, ପ୍ରଧାନମନ୍ତ୍ରୀଙ୍କ ଏହି ଭାଷଣ ତା’ର ରୂପରେଖ ଓ ଆଭିମୁଖ୍ୟରେ ପୂର୍ବ ବର୍ଷର ଭାଷଣଗୁଡ଼ିକ ଠାରୁ ଅନେକ ଦୃଷ୍ଟିରୁ ଭିନ୍ନ ହୋଇଥିବାରୁ ଉପର ବର୍ଣ୍ଣିତ ବିନ୍ଦୁ ଯୋଡ଼ିକଠାରେ ଅଟକି ନ ଯାଇ ବୃହତ୍ତର ରାଷ୍ଟ୍ର ହିତ ସକାଶେ ପ୍ରାସଙ୍ଗିକ ଅନ୍ୟ କେତେକ ମହତ୍ତ୍ବପୂର୍ଣ୍ଣ ବିନ୍ଦୁ ଉପରେ ଆଲୋଚନା କରାଯାଇପାରେ।
Accident: ହରିୟାଣାରେ ହାଇଭୋଲଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା କ୍ୟାଣ୍ଟର-ଟ୍ରକ୍
ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରାୟ ୭୫ ମିନିଟ ଅବଧିର ଭାଷଣରେ ଉତ୍ପାଦନ କ୍ଷେତ୍ରରେ ପୂର୍ଣ୍ଣ ଆତ୍ମନିର୍ଭରଶୀଳତା ବିଶେଷ ଗୁରୁତ୍ବ ଲାଭ କରିଛି, ଯହିଁରେ ସେ ଆଶା ପ୍ରକାଶ କରିଥିଲେ ଯେ ସୁଲଭ ମୂଲ୍ୟରେ ଉଚ୍ଚ ଗୁଣବତ୍ତାସଂପନ୍ନ ଦ୍ରବ୍ୟର ଉତ୍ପାଦକ ଓ ଯୋଗାଣକାରୀ ରାଷ୍ଟ୍ର ଭାବେ ଭାରତ ଖୁବ୍ ଶୀଘ୍ର ଆବିର୍ଭୂତ ହେବା ଜରୁରି। କହିବା ଅନାବଶ୍ୟକ ଯେ ସେବା ବା ‘ସର୍ଭିସେସ’ ବିକ୍ରୟ ଓ ଯୋଗାଣ କ୍ଷେତ୍ରରେ, ବିଶ୍ବ ପରିପ୍ରେକ୍ଷୀରେ, ଭାରତ ପ୍ରଭାବଶାଳୀ ହୋଇଥିଲେ ହେଁ ଏବଂ ଭାରତୀୟ ରପ୍ତାନିର ୬୦%ରୁ ଅଧିକ ଏହି କ୍ଷେତ୍ର ଦ୍ବାରା ଅଧିକୃତ ହୋଇଥିଲେ ସୁଦ୍ଧା ଏ.ଆଇ.ର ଆବିର୍ଭାବ ଓ ଦ୍ରୁତ ବିକାଶ ଫଳରେ ଭବିଷ୍ୟତ୍ରେ ତାହା ଏକ ଶୁଷ୍କ ମରୁକ୍ଷେତ୍ରରେ ପରିଣତ ହେବାର ଭୟ ସୃଷ୍ଟି ହେଲାଣି। କହିବା ବାହୁଲ୍ୟ, ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଏ କ୍ଷେତ୍ରରେ ଚୀନ ତୁଲ୍ୟ ସର୍ବବିଦ୍ୟମାନତା ହାସଲ କରିବା। କିନ୍ତୁ ସତ କଥାଟି ହେଲା, ତାହା ନିର୍ଭର କରିବ ଉପଯୁକ୍ତ ନୀତି ନିର୍ଦ୍ଧାରଣ ଓ ନିଷ୍ପତ୍ତି ଉପରେ ଏବଂ ନାଲି ଫିତାର ଛନ୍ଦଣିରୁ ମୁକ୍ତ ହେବାରେ। ଉଲ୍ଲେଖଯୋଗ୍ୟ ଯେ ଲାଲ ବାହଦୁର ଶାସ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଇନ୍ଦିରା ଗାନ୍ଧୀଙ୍କ ଦେଇ ଅଟଳ ବିହାରୀ ବାଜପେୟୀଙ୍କ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀମାନେ ଧାରାବାହିକ ଭାବେ ‘ପର-ନିର୍ଭରଶୀଳତା’ ରୂପକ ଦାସତ୍ବରୁ ମୁକ୍ତି ସକାଶେ ଆହ୍ବାନ ଦେଇ ଆସିଛନ୍ତି; କିନ୍ତୁ, ଅସଂଗତିଟି ହେଲା ଭାରତରେ ‘ସ୍ବଦେଶୀ ସ୍ବାବଲମ୍ବନ’ର ଦୃଶ୍ୟପଟ ଏ ଯାବତ୍ ଆଦୌ ପ୍ରେରଣାଦାୟୀ ନୁହେଁ। ଅବଶ୍ୟ, ଗୋଟିଏ ସମୟରେ ଉତ୍ପାଦନରେ ଆତ୍ମନିର୍ଭରଶୀଳତାର ଲକ୍ଷ୍ୟ ଥିଲା ଦେଶର ଚାହିଦା ପୂରଣ; କିନ୍ତୁ ସଂପ୍ରତି, ବଜାର ଅର୍ଥନୀତିର ବାତାବରଣରେ, ତାହା ଅନ୍ୟ ରାଷ୍ଟ୍ର ଉପରେ ପ୍ରଭାବ ବିସ୍ତାରର ମାଧ୍ୟମ ମଧ୍ୟ ହେଲାଣି। ସଂପ୍ରତି ଚୀନ ପୃଥିବୀର ବୃହତ୍ତମ ଉତ୍ପାଦନ ଓ ଯୋଗାଣ କେନ୍ଦ୍ରରେ ପରିଣତ ହୋଇଥିବାରୁ ଟ୍ରଂପଙ୍କ ‘ଟାରିଫ ଯୁଦ୍ଧ’ ପରିପ୍ରେକ୍ଷୀରେ ମୁହାଁମୁହିଁ ହୋଇ ଛିଡ଼ା ହେବାରେ ସମର୍ଥ ହୋଇଛି। ସେହିଭଳି, ପ୍ରତିରକ୍ଷା କ୍ଷେତ୍ରାରେ ଆତ୍ମ ନିର୍ଭରଶୀଳତା ସହିତ ଯୁଦ୍ଧର ପରିବର୍ତ୍ତିତ ସ୍ବରୂପ ଦୃଷ୍ଟିରୁ ବିଶେଷ ପ୍ରସ୍ତୁତି ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ବ ପ୍ରଦାନ କରିଛନ୍ତି। ସଂପ୍ରତି ଯୁଦ୍ଧ କେବଳ ସୀମାନ୍ତରେ ସୈନିକମାନଙ୍କ ବଳିଦାନର ବ୍ୟାପାର ହୋଇ ରହିନାହିଁ। ବରଂ, ଏ.ଆଇ.ର ବିପୁଳ ଉପଯୋଗ ସହିତ ଡ୍ରୋନ ଓ ସାଇବର ଆକ୍ରମଣ ଦ୍ବାରା ଦେଶର ଅଭ୍ୟନ୍ତର ଅଞ୍ଚଳ ଏବଂ ସେଠାରେ ବସବାସ କରୁଥିବା ସାଧାରଣ ନାଗରିକମାନଙ୍କୁ ଆଘାତ ପହଞ୍ଚା ଯାଇପାରୁଛି; ଯେଉଁ କାରଣରୁ ନିରନ୍ତର ପ୍ରସ୍ତୁତି ଓ ସତର୍କତା ଅନିବାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ ଇଙ୍ଗିତ କରିଛନ୍ତି। ଏହି ଭାଷଣରେ ଯୁବ ବର୍ଗଙ୍କୁ ବିଶେଷ ମହତ୍ତ୍ବ ପ୍ରଦାନ କରାଯାଇଛି, ଯହିଁରେ ସେମାନଙ୍କ ଶିକ୍ଷା, ନିଯୁକ୍ତିି ଓ ପ୍ରଶିକ୍ଷଣ ଆଦି ଭଳି ବିଷୟ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ରେଖାଙ୍କିତ ହୋଇଛି। ନିମ୍ନ ବିତ୍ତୀୟ ବର୍ଗର ଛାତ୍ରଛାତ୍ରୀଙ୍କ ସକାଶେ ମାଗଣା ଅନଲାଇନ କୋଚିଂ ହେଉ ବା ଏକ କୋଟିି ସଂଖ୍ୟକ ଯୁବକଯୁବତୀଙ୍କ ସକାଶେ ଏ.ଆଇ. ପ୍ରଯୁକ୍ତି ସମ୍ବନ୍ଧୀୟ ପ୍ରଶିକ୍ଷଣର ଯୋଜନା ହେଉ ଅଥବା ଦେଶରେ ଏକ ହଜାର ବିଶ୍ବବିଦ୍ୟାଳୟ ସ୍ଥାପିତ ହୋଇସାରିଥିବା ବାବଦ ପରିସଂଖ୍ୟାନଗତ ଅବତାରଣା ହେଉ କିମ୍ବା ନିଯୁକ୍ତି ସୁଯୋଗରେ ସଂପ୍ରସାରଣ ହେଉ; ଏ ସମସ୍ତ ବିଷୟ ଭାଷଣରେ ବିସ୍ତୃତ ଭାବେ ସ୍ଥାନ ପାଇ ସାବ୍ୟସ୍ତ କରିଛି ଯେ ତରୁଣ ଭାରତୀୟ ବର୍ଗ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ସକାଶେ ସରକାର ଉଦ୍ଗ୍ରୀବ, ଯେଉଁ ବର୍ଗ ଆସନ୍ତା ୨୦୨୯ ମସିହାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମରେ ସମୁଦାୟ ଭୋଟର ସଂଖ୍ୟାର ପ୍ରାୟ ଏକ-ତୃତୀୟାଂଶ ହୋଇସାରିଥିବେ।
ପ୍ରଧାନମନ୍ତ୍ରୀଙ୍କ ଭାଷଣ ସଂଦର୍ଭରେ ଏକ କୌତୂହଳପ୍ରଦ ପରିସଂଖ୍ୟାନ ମିଳିଛି ‘ଦ ପ୍ରିଣ୍ଟ’ର ‘ପଲିଟିକାଲ ଏଡିଟର’ ବା ‘ରାଜନୈତିିକ ବ୍ୟାପାର ସଂପାଦକ’ ଡି. କେ. ସିଂହଙ୍କ ସୌଜନ୍ୟରୁ, ଯାହା ଅନୁସାରେ ଏହି ଭାଷଣରେ ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ତରୁଣ ବା ତାରୁଣ୍ୟ ଭଳି ଶବ୍ଦ ଶୁଣିବାକୁ ମିଳିଛି ୪୩ ଥର; ଯେଉଁ ସଂଖ୍ୟା ଗଲା ବର୍ଷ ଥିଲା ୨୯, ଅର୍ଥାତ୍ ଏଥର ପ୍ରାୟ ୫୦% ବୃଦ୍ଧି ଘଟିଛି। ସେହିଭଳି, ସ୍ବାଧୀନତା ଦିବସ ପାଳନ ଅବସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରମୁଖ ମୋହନ ଭାଗବତ ମଧ୍ୟ ତାଙ୍କ ଭାଷଣ ମୁଖ୍ୟତଃ ତରୁଣ ବର୍ଗଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। କହିବା ବାହୁଲ୍ୟ ଯେ ଜନ୍ତରମନ୍ତରରେ ହୋଇଥିବା ଆନ୍ଦୋଳନ ହେତୁ ସଂପ୍ରତି ତରୁଣ ବର୍ଗ ମଞ୍ଚର ମଧ୍ୟ ସ୍ଥଳରେ ଛିଡ଼ା ହେବାର ସୁଯୋଗ ପାଇଛନ୍ତି। ଡି. କେ. ସିଂହଙ୍କ ପରିସଂଖ୍ୟାନ ଅନୁସାରେ ୨୦୧୮, ୨୦୧୯, ୨୦୨୦, ୨୦୨୧ ଓ ୨୦୨୨ ମସିହାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ଉପରୋକ୍ତ ଦୁଇଟି ଶବ୍ଦ ଯଥାକ୍ରମେ ମାତ୍ର ୯, ୮, ୫, ୧୦ ଓ ୯ ଥର ଶୁଣିବାକୁ ମିଳିଥିଲା। ୨୦୨୩ ମସିହାରେ ତହିଁରେ ବୃଦ୍ଧି ଘଟିବାର ଧାରା ଦୃଶ୍ୟମାନ ହୋଇଥିଲା ଏବଂ ୨୦୨୩ ଓ ୨୦୨୪ ମସିହାରେ ତାହା ପହଞ୍ଚିଥିଲା ଯଥାକ୍ରମେ ୨୧ ଓ ୨୭ରେ। ପର୍ଯ୍ୟବେକ୍ଷକମାନଙ୍କ ମତରେ କ୍ରମବର୍ଦ୍ଧିଷ୍ଣୁ ନିଯୁକ୍ତିହୀନତା ନେଇ ଭାରତୀୟ ଯୁବ ବର୍ଗ ମଧ୍ୟରେ ଅସନ୍ତୋଷ ଠୁଳୀଭୂତ ହେଉଥିବାରୁ ୨୦୨୪ ମସିହାର ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୨୩ ମସିହାରେ, ପ୍ରଧାନମନ୍ତ୍ରୀଙ୍କ ଭାଷଣରେ, ତରୁଣଙ୍କ ସଂଦର୍ଭ ଗୁରୁତ୍ବ ଲାଭ କରିଥିଲା।
India GDP: ୨୦୩୬ ସୁଦ୍ଧା ଭାରତ ହେବ୨୦ ଟ୍ରିଲିଅନ ଡଲାର ଅର୍ଥନୀତି
ଗଲା ଶନିବାର ଦିନ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଦେଶ ଉଦ୍ଦେଶ୍ୟରେ ଭାଷଣ ନିବେଦିତ ହେଉଥିବା ବେଳେ ‘କକ୍ରୋଚ ଜନତା ପାର୍ଟି’ ବା ସିଜେପି ଦ୍ବାରା ଆରମ୍ଭ କରାଯାଇଥିବା ‘ସ୍କୁଲ ଠିକ୍ କର’ ଅଭିଯାନ କ୍ରମରେ, ମହାରାଷ୍ଟ୍ରର ହଙ୍ଗୋଲି ଜିଲ୍ଲାରେ, ଏହାର ପ୍ରତିଷ୍ଠାତା ଅଭିଜିତ ଦୀପକେ ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହିତ ବାର୍ତ୍ତାଳାପରେ ମଗ୍ନ ଥିଲେ; ଉଦ୍ଦେଶ୍ୟ ଥିଲା ପିଲାମାନଙ୍କ ଠାରୁ ଶୁଣି ସ୍କୁଲରେ ଥିବା ଅଭାବ ଅସୁବିଧାର ତାଲିକା କରିବା ଓ ସେ ସବୁ ଦୂର କରିବା ଦିଗରେ ପ୍ରୟାସ କରିବା। ଏହି ଦେଶବ୍ୟାପୀ ଅଭିଯାନରେ ସାମିଲ ହେବା ଲାଗି ସିଜେପି ପକ୍ଷରୁ ଗାଁ ସରପଞ୍ଚମାନଙ୍କୁ ଅନୁରୋଧ କରାଯାଇଛି; ଯଦ୍ଦ୍ବାରା ଅବହେଳା ଓ ନିସ୍ପୃହତା ହେତୁ ଜୀର୍ଣ୍ଣ ଓ ଭଗ୍ନପ୍ରାୟ ସରକାରୀ ସ୍କୁଲଗୁଡ଼ିକ ସଜାଡ଼ି ହେବେ, ଯାହା ଉପରେ ମୁଖ୍ୟତଃ ନିମ୍ନ-ବିତ୍ତୀୟ ଭାରତୀୟ ପରିବାରର ସନ୍ତାନମାନେ ନିର୍ଭରଶୀଳ। କହିବା ଅନାବଶ୍ୟକ ଯେ ଏହା ରାଷ୍ଟ୍ର ହିତ କଳ୍ପେ ଏକ ଅଭିଯାନ, ଯାହା ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ସହିତ ଏକ ସମାନ୍ତରାଳ ଧାରା। ଏହି ଦୃଷ୍ଟିରୁ ସିଜେପିକୁ ସରକାରଙ୍କ ପ୍ରତିପକ୍ଷ ରୂପେ ଦେଖାଯିବା ଉଚିତ ନୁହେଁ। ସରକାରୀ ସ୍କୁଲ ହେଉ ବା ଅନ୍ୟ ଯେ କୌଣସି କ୍ଷେତ୍ର; ସେଥିରେ ଥିବା ଦୁର୍ଦ୍ଦଶା ଉନ୍ମୋଚିତ ହେଲେ ଯାଇ ସରକାରଙ୍କ ପକ୍ଷେ କୌଣସି ପଦକ୍ଷେପ ନେବା ସହଜ ହେବ। ସେହି ଦୃଷ୍ଟିରୁ, ଅନେକ ପର୍ଯ୍ୟବେକ୍ଷକ କହିଥାନ୍ତି ଯେ ରାଷ୍ଟ୍ର ନିର୍ମାଣ କଳ୍ପେ ସରକାରଙ୍କ ପକ୍ଷରୁ ସିଜେପିକୁ ଏକ ସହଯୋଗୀ ଭାବେ ସ୍ବୀକାର କରାଯିବା ଏକ ଯୁଗାନ୍ତକାରୀ ଦୂରଦୃଷ୍ଟି ହୁଅନ୍ତା।

1 hour ago
1


