ARTICLE AD BOX
ଗଲା ଶନିବାର ସଂଧ୍ୟା ପରେ ଭବିଷ୍ୟତ ଯୋଜନାର କୌଣସି ରୂପରେଖ, କ୍ଷମତା ରାଜନୀତି ପ୍ରତି କୌଣସି ଆସକ୍ତିର ଚିହ୍ନ ବା କୌଣସି ପ୍ରତିଶ୍ରୁତି ନ ରଖି ଆନ୍ଦୋଳନକାରୀ ଓ ଆନ୍ଦୋଳନର ପରିଚାଳକମାନେ ଭାରତର ବିଭିନ୍ନ ପ୍ରାନ୍ତରେ ସେମାନଙ୍କ ପରିଚୟହୀନ ଅସ୍ତିତ୍ବ ମଧ୍ୟକୁ ଫେରି ଯାଇଛନ୍ତି! କେହି କେହି ମତ ଦିଅନ୍ତି ଯେ ଏକ ଦୃଢ଼ ରାଜନୈତିକ ବିରୋଧୀ ଭାବେ ସିଜେପିର ଆବିର୍ଭାବ ଆମ ଗଣତନ୍ତ୍ର ଲାଗି ଶୁଭଙ୍କର ହୁଅନ୍ତା। କିନ୍ତୁ ରାଜନୀତିର ପଙ୍କରେ କର୍ଦ୍ଦମାକ୍ତ ହେବାର ଅନିବାର୍ଯ୍ୟତା ଦୃଷ୍ଟିରୁ ସିଜେପିର ପ୍ରତିଷ୍ଠାତାମାନେ ତାହା ଚାହିଁବେ କି? ତାହା ଏକ ବିତର୍କିତ ପ୍ରଶ୍ନ, ଯାହାର ଉତ୍ତର ଭବିଷ୍ୟତ ଦେବ।
ଗଲା ୨୫ ତାରିଖ ଅପରାହ୍ଣରେ ଦିଲ୍ଲୀର ଯନ୍ତରମନ୍ତରଠାରେ ଯେଉଁ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଲା, ତାକୁ ବର୍ଣ୍ଣିବାକୁ ଯାଇ ଯନ୍ତରମନ୍ତରରେ ଉପସ୍ଥିତ ଜଣେ ତରୁଣ କୌଣସି ଏକ ସାମାଜିକ ଗଣମାଧ୍ୟମ ଚ୍ୟାନେଲରେ ଉଚ୍ଛ୍ବସିତ କଣ୍ଠାରେ କହିପକାଇଲେ, “ମନେ ହେଉଛି, କ୍ରିକେଟ୍ ବିଶ୍ବକପ ଫାଇନାଲରେ ଅନ୍ତିମ ବଲରେ ଚଉକାଟିଏ ମାରି ସତେ ଯେମିତି ଭାରତ ଜିତିଯାଇଛି!’’ ଏହି ମନ୍ତବ୍ୟଟିରେ ସେ ତାଙ୍କ ଉଲ୍ଲାସର ସ୍ତର ବିଷୟରେ ଇଙ୍ଗିତ କରିଥିଲେ ସତ, କିନ୍ତୁ ତାଙ୍କ ବାକ୍ୟଟି ଏଥି ଲାଗି ମର୍ମସ୍ପର୍ଶୀ ଥିଲା ଯେ ‘ଜେନ-ଜି’ର ଏହି ଆନ୍ଦୋଳନ ସମଗ୍ର ପୃଥିବୀକୁ ଦେଖାଇ ଦେଲା ଯେ କୌଣସି ଦୁରଭିସନ୍ଧି ବା ସଂଗୁପ୍ତ ଉଦ୍ଦେଶ୍ୟ ଦ୍ବାରା ପରିଚାଳିତ ନ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଦୀର୍ଘ ଆନ୍ଦୋଳନ ଜାରି ରଖି କିଭଳି ଦାବି ହାସଲ କରାଯାଇପାରେ; ଦାବି ପୂରଣ ହେବା ମାତ୍ରକେ କିଭଳି ଶୃଙ୍ଖଳିତ ଭାବେ ସେଠାରୁ ଅପସରି ଯାଇ ହୁଏ। ଏହି ଦୃଷ୍ଟିରୁ ସେହି ମୁହୂର୍ତ୍ତଟି ଥିଲା ଗଣତାନ୍ତ୍ରିକ ଭାରତ ସକାଶେ ଏକ କାଳ ବିଭାଜିକା ସୃଷ୍ଟି ହେବାର ବେଳ, ଯେଉଁ ପ୍ରେକ୍ଷାପଟରେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ପ୍ରଦାନ ବା ସରକାର ନତମସ୍ତକ ହୋଇଯିବା ଭଳି ପ୍ରସଙ୍ଗ ମଧ୍ୟ ଗୌଣ ମନେ ହୋଇଥାଏ; ଯାହା ମୁଖ୍ୟ ହୋଇଯାଏ, ତାହା ହେଲା ଆନ୍ଦୋଳନର ଧାରା କିଭଳି ହେବା ଆବଶ୍ୟକ, ତା’ର ଏକ ଉଜ୍ଜ୍ବଳ ଦୃଷ୍ଟାନ୍ତ ପୃଥିବୀ ସମ୍ମୁଖରେ ସ୍ଥାପିତ ହୋଇଯିବା।
ଗଲା ମେ ୧୬ ତାରିଖରେ ଏକ କଟାକ୍ଷ ଓ କୌତୁକରୁ ସାମାଜିକ ଗଣମାଧ୍ୟମ ମଞ୍ଚରେ ‘କକ୍ରୋଚ ଜନତା ପାର୍ଟି’ ବା ‘ସିଜେପି’ର ମୂଳଦୁଆ ସ୍ଥାପନ, ଏହାର ଅନୁଗାମୀଙ୍କ ସଂଖ୍ୟାରେ ବିସ୍ଫୋରକ ବୃଦ୍ଧି, ଏହି ବିପୁଳ ସମର୍ଥନର ସଦୁପଯୋଗ କରି ସାମାଜିକ ଦାୟିତ୍ବ ସଂପାଦନ ଦିଗରେ ଏହାର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କଠାରେ ସୃଷ୍ଟ ଆଗ୍ରହ, ଠିକ୍ ସେହି ସମୟରେ ନିଟ୍ ପ୍ରଶ୍ନପତ୍ର ଲିକ୍ ଭଳି ଅଘଟଣ ଓ ତଦ୍ଦ୍ବାରା ହତାଶ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟାର ଧାରା ଏବଂ ପରିଶେଷରେ କେନ୍ଦ୍ର ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନର ସୃଷ୍ଟି ଇତ୍ୟାଦି ଭଳି ଘଟଣାକ୍ରମ ସୁନିଶ୍ଚିତ ଭାବେ ଲୋକକଥା ସୁଲଭ ବିଷୟବସ୍ତୁ ହୋଇ ରହିଯିବ। ତେବେ, ସାମାଜିକ ଗଣମାଧ୍ୟମ ବା ‘ପ୍ରତୀୟମାନ ବାସ୍ତବତା’ (ଭର୍ଚୁଆଲ ରିଏଲିଟି)ର ସଂସାରରେ ସିଜେପି ଠୁଳ କରିଥିବା ସମର୍ଥନ ଯେ ବାସ୍ତବ ଦୁନିଆରେ ପ୍ରଭାବଶାଳୀ ହୋଇପାରିବ, ସେ ନେଇ ମଧ୍ୟ ପ୍ରଥମରୁ ସନ୍ଦେହ ପ୍ରକଟିତ ହୋଇଆସୁଥିଲା। ଏହି ଧାରଣାକୁ ଭ୍ରାନ୍ତ ବୋଲି ସାବ୍ୟସ୍ତ କରିଛି ଏହି ଆନ୍ଦୋଳନ। ଯେଉଁ ବୈଦ୍ୟୁତିକ ବେଗରେ ଏହା କଳ୍ପିତ ଓ ଆରମ୍ଭ ହୋଇଥିଲା, ସେହିଭଳି ତତ୍କ୍ଷଣାତ୍ ସମାପ୍ତ ହୋଇଯାଇଛି ସତ, ଅଥଚ, ରାଷ୍ଟ୍ରର ମାନସପଟଳରେ ଆଭା ଛାଡ଼ି ଦେଇଯାଇଛି। ଅନେକ ମତ ଦେଇଥାଆନ୍ତି ଯେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦ୍ବାରା କେବଳ ମନବୋଧ ହେଉଥାଇପାରେ; କିନ୍ତୁ ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ନ ଆସିବା ପର୍ଯ୍ୟନ୍ତ ବାସ୍ତବ ସମସ୍ୟାର ସମାଧାନ ହୋଇପାରିବ ନାହିଁ। କିନ୍ତୁ କଥା ହେଲା, ପ୍ରଶ୍ନପତ୍ର ଲିକ୍ ଭଳି ଅତ୍ୟନ୍ତ ଗୁରୁତର ବିଭ୍ରାଟମାନ ନିୟମିତ ବ୍ୟବଧାନରେ ଘଟି ଚାଲିଥିଲେ ହେଁ ସବୁ କ୍ଷେତ୍ରରେ, ଏ ଯାବତ୍, କେବଳ କିଛି ଅଧିକାରୀଙ୍କ ବଦଳି ଓ ନିଲମ୍ବନ ବା ଆଇନ ବା ନିୟମରେ କିଛି ପରିବର୍ତ୍ତନ ଇତ୍ୟାଦି ଭଳି ଘଷରା ପଦକ୍ଷେପଗୁଡ଼ିକ ଜରିଆରେ ତହିଁରେ ବିରାମ ଲଗାଇବାର ଚେଷ୍ଟା କରାଯାଇଛି। ତହିଁରୁ କିଛି ସୁଫଳ ମିଳିଛି କି? ସମ୍ଭବତଃ ଏହି କାରଣରୁ ଆନ୍ଦୋଳନକାରୀମାନେ ଉତ୍ତରଦାୟିତ୍ବ ସ୍ବୀକାର କରିବାର ଦାୟ ସର୍ବୋଚ୍ଚ ପଦାସୀନଙ୍କଠାରେ ଦେଖିଛନ୍ତି। ତେଣୁ, ଏହା ମଧ୍ୟ ସାଂକେତିକ ଏବଂ ଏଭଳି ସ୍ଥିତିରେ ଆହତ ସରକାର, ‘ଲଲିପପ ରାଜନୀତି’ରୁ କ୍ଷାନ୍ତ ରହି (ଶିକ୍ଷା ବିଭାଗରେ) ମୌଳିକ ସଂସ୍କାର ଆଣିବା ଦିଗରେ ପ୍ରବୃତ୍ତ ହେବାର ସମ୍ଭାବନା ଅଧିକ।
ଏହି ଆନ୍ଦୋଳନର ଆଉ ଏକ ବଡ଼ ଉପଲବ୍ଧି ହେଲା ଯେ ଏହାର ଉତ୍ପତ୍ତି, ଲକ୍ଷ୍ୟ, ଅଭିସନ୍ଧି ଇତ୍ୟାଦି ନେଇ ସୃଷ୍ଟ ସନ୍ଦେହ ଓ ସୁନିୟୋଜିତ ‘ଅପ-ବ୍ୟାଖ୍ୟାନ’କୁ ଭ୍ରାନ୍ତ ବୋଲି ସାବ୍ୟସ୍ତ କରିବାରେ ସଫଳତା। କହିବା ବାହୁଲ୍ୟ ଯେ କେତେକ ମହଲରେ ଭୟ ବିଜଡ଼ିତ ଉଦ୍ବେଗ ପ୍ରକାଶିତ ହେବାରେ ଲାଗିଥିଲା ଯେ ଆନ୍ଦୋଳନଟି ଶତ୍ରୁରାଷ୍ଟ୍ରଙ୍କ ଏଜେଣ୍ଟମାନଙ୍କ ଦ୍ବାରା ପରିଚାଳିତ; ବାଂଲାଦେଶ ଓ ନେପାଳରେ ଘଟିଥିବା ଭଳି ଏହା ସତ୍ତା-ପରିବର୍ତ୍ତନକାମୀ ଚକ୍ରାନ୍ତର ଏକ ଅଂଶ ଇତ୍ୟାଦି। କିନ୍ତୁ, ଗଲା ୨୦ ତାରିଖରେ ‘ସଂସଦ ଚଲୋ’ ଅଭିଯାନ ସମୟରେ ପୁଲିସ ଦ୍ବାରା ପ୍ରଦର୍ଶିତ ଅକଥନୀୟ ନିର୍ମମତା ସତ୍ତ୍ବେ ହଜାର ହଜାର ତରୁଣଙ୍କ ସମଷ୍ଟିରେ ସୃଷ୍ଟ ଜନ ସମୁଦ୍ରରେ ହିଂସାର ତରଙ୍ଗଟିଏ ନ ଉଠିବା ଭଳି ସ୍ଥିତିରେ ଅସଂଖ୍ୟ ଆଶ୍ବସ୍ତ ହୋଇଥିଲେ ଯେ ବାଂଲାଦେଶ ବା ନେପାଳ ଭଳି ହିଂସ୍ର ନୈରାଜ୍ୟ ସୃଷ୍ଟିର କୌଣସି ଅଭିପ୍ରାୟ ଏଥିରେ ନାହିଁ। ଉଲ୍ଲେଖଯୋଗ୍ୟ ଯେ ଏହା ପରଠାରୁ ହିଁ ଭାରତର ବିଭିନ୍ନ ପ୍ରାନ୍ତରୁ ବୟସ ନିର୍ବିଶେଷରେ ଅଧିକରୁ ଅଧିକ ନାଗରିକ ଆନ୍ଦୋଳନରେ ସାମିଲ ହେବାରେ ଲାଗିଥିଲେ। ତେବେ, ଏହି ସଂଦର୍ଭରେ ସର୍ବାଧିକ ଲଜ୍ଜାବନତ ଓ ଉପହସିତ ହୋଇଛନ୍ତି ବିଭ୍ରାନ୍ତିମୂଳକ ଅପପ୍ରଚାରର ପୁରୋଧା ‘କୋଳାଶ୍ରିତ ଗଣମାଧ୍ୟମ’ର ଉଚ୍ଚାଟ ସୃଷ୍ଟିକାରୀ ‘ଆଙ୍କୋର’ ଓ ସାମ୍ବାଦିକମାନେ; କେବଳ ରାଷ୍ଟ୍ର ସମକ୍ଷରେ ଯେ ସେମାନେ ପତିତ ହୋଇଛନ୍ତି, ତାହା ନୁହେଁ; ନିଜ ପରିବାରର କିଶୋର ଓ ତରୁଣ ସଦସ୍ୟମାନଙ୍କ ଦୃଷ୍ଟିରେ ମଧ୍ୟ ସେମାନେ ସ୍ଖଳିତ ହୋଇ ଯାଇଥିବା ଖୁବ୍ ସମ୍ଭବ!
ଗଲା ଶନିବାର ସଂଧ୍ୟା ପରେ ଭବିଷ୍ୟତ ଯୋଜନାର କୌଣସି ରୂପରେଖ, କ୍ଷମତା ରାଜନୀତି ପ୍ରତି କୌଣସି ଆସକ୍ତିର ଚିହ୍ନ ବା କୌଣସି ପ୍ରତିଶ୍ରୁତି ନ ରଖି ଆନ୍ଦୋଳନକାରୀ ଓ ଆନ୍ଦୋଳନର ପରିଚାଳକମାନେ ଭାରତର ବିଭିନ୍ନ ପ୍ରାନ୍ତରେ ସେମାନଙ୍କ ପରିଚୟହୀନ ଅସ୍ତିତ୍ବ ମଧ୍ୟକୁ ଫେରି ଯାଇଛନ୍ତି! କେହି କେହି ମତ ଦିଅନ୍ତି ଯେ ଏକ ଦୃଢ଼ ରାଜନୈତିକ ବିରୋଧୀ ଭାବେ ସିଜେପିର ଆବିର୍ଭାବ ଆମ ଗଣତନ୍ତ୍ର ଲାଗି ଶୁଭଙ୍କର ହୁଅନ୍ତା। କିନ୍ତୁ ରାଜନୀତିର ପଙ୍କରେ କର୍ଦ୍ଦମାକ୍ତ ହେବାର ଅନିବାର୍ଯ୍ୟତା ଦୃଷ୍ଟିରୁ ସିଜେପିର ପ୍ରତିଷ୍ଠାତାମାନେ ତାହା ଚାହିଁବେ କି? ତାହା ଏକ ବିତର୍କିତ ପ୍ରଶ୍ନ, ଯାହାର ଉତ୍ତର ଭବିଷ୍ୟତ ଦେବ। ବିରୋଧୀ ରାଜନୈତିକ ଦଳଗୁଡ଼ିକ ଏହି ଆନ୍ଦୋଳନ ସହିତ ସଂପୃକ୍ତ ହୋଇଥିଲେ (ବିଳମ୍ବରେ ଅବଶ୍ୟ) ହେଁ ଶ୍ରେୟର ଚମକ ଅପହରଣ କରିନେବାରେ ସେମାନେ ସମର୍ଥ ହୋଇନାହାନ୍ତି। ଆନ୍ଦୋଳନର ସମାପ୍ତି ପରେ ଅପସୃୟମାନ ଭିଡ଼ରେ ଯେଉଁ ହୃଦୟଗ୍ରାହୀ ଦୃଶ୍ୟମାନ ଦେଖିବାକୁ ମିଳିଥିଲା, ତହିଁରେ ଥିଲା ତ୍ରିରଙ୍ଗାର ତରଙ୍ଗ, ସଂବିଧାନ ପୁସ୍ତିକା ଓ ବାବା ସାହେବ ଆମ୍ବେଦକରଙ୍କ ଫଟୋର ପ୍ରଦର୍ଶନ, ବନ୍ଦେ ମାତରମ୍ର ସଂଗୀତ ଏବଂ କେତେକ ଆନ୍ଦୋଳନକାରୀ ତରୁଣତରୁଣୀଙ୍କ ଦ୍ବାରା ସେଠାରେ ଜମା ଆବର୍ଜନା କୁଢ଼ର ସ୍ବତଃସ୍ଫୂର୍ତ୍ତ ସଫେଇ। ବରିଷ୍ଠ ସାମ୍ବାଦିକା ବରଖା ଦତ୍ତଙ୍କୁ ସେମାନେ କହିଥିଲେ, ‘ଆମେ ଏହାକୁ ଯେମିତି ପାଇଥିଲୁ, ସେମିତି ଫେରାଇ ଦେଇ ଯାଉଛୁ।’ ଏହା ମଧ୍ୟ ଏହି ଆନ୍ଦୋଳନର ଏକ ବିଶେଷ ଚାରିତ୍ରିକ ବିଭାବ।
ଗଲା ମେ ୨୩ ତାରିଖରେ ‘ସିଜେପି’ର ପ୍ରାରମ୍ଭ କାଳରେ ଏହି ସ୍ତମ୍ଭରେ ‘ଅସରପା ଉଦୟ’ ଶୀର୍ଷକ ଆଲୋଚନାର ଉପସଂହାରରେ କୁହାଯାଇଥିଲା, ‘ଏ ଯାବତ୍, ଆମେମାନେ, ବଞ୍ଚି ରହିବା ସକାଶେ, ବିକଳରେ ପଳାୟନ-ପ୍ରବୃତ୍ତ, ଲୁଚି ଯିବାରେ ଅଭ୍ୟସ୍ତ ଅସରପାମାନଙ୍କୁ େଦଖିଛେ; ତେଣୁ କୋଟିକୋଟି ‘କକ୍ରୋଚ’ଙ୍କ ସମ୍ମିଳିତ ବିଦ୍ରୋହର ଘନଘଟା ନେଇ ଅନୁମାନ ବୋଧହୁଏ କରିପାରୁ ନାହେଁ!’ ଏବେ, ଦୁଇ ମାସ ପରେ, ତା’ର ଝଲକଟିଏ ଅନ୍ତତଃ ଦେଖିବାକୁ ମିଳିଛି। ଏହା ମଧ୍ୟ କୁହାଯାଇପାରେ କି ଯେ ଯନ୍ତରମନ୍ତରରେ ଆନ୍ଦୋଳନର ମାସାଧିକ କାଳ ପ୍ରକୃତରେ ଥିଲା, କଟାକ୍ଷ, ସନ୍ଦେହ, ଆରୋପ ଓ ଅବହେଳା ଆଦିର ଟାଆଁସା କୋଷା ଭିତରେ ବନ୍ଦୀ ଅସରପା (ସଁବାଳୁଆ) ଭଳି କୌଣସି ଘୃଣ୍ୟ କୀଟର ରୂପାନ୍ତରିତ ହେବାର ସମୟ? ଏବଂ ଅବଶେଷରେ ଦେଖିବାକୁ ମିଳିଲା କି କୋଷାରୁ ମୁକ୍ତ ହୋଇ ପ୍ରଜାପତିଟିଏ ଉଡ଼ାଣ ଭରିଲା!

1 hour ago
1


