Editorial: ନେତାଙ୍କ ଯୋଗାସନ: ଶ୍ୟାମସୁନ୍ଦର ଅଗ୍ରୱାଲାଙ୍କ ସମ୍ପାଦକୀୟ ସତ କହୁଛିରେ ପଢ଼ନ୍ତୁ ଏଥର...

1 hour ago 1
ARTICLE AD BOX

ନେତାଙ୍କ ଯୋଗାସନ

ଶ୍ୟାମସୁନ୍ଦର ଅଗ୍ରୱାଲା
ସତ କହୁଛି

ଜୁନ୍‌ ମାସ ବାଇଶ ତାରିଖ ଦିନ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ କ୍ଲିନିକ ସାମ୍ନାରେ ନେତାମାନଙ୍କର ହଠାତ୍ ଭିଡ଼ ଦେଖିବାକୁ ମିଳିଥିଲା। କାରଣ କ’ଣ ବୁଝୁ ବୁଝୁ ଜଣା ପଡ଼ିଲା ଯେ ଗତ ଦିନ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଏମାନେ ସବୁ ହାତ ଗୋଡ଼ ମୋଡ଼ି ବିଭିନ୍ନ ଯୋଗମୁଦ୍ରାର ଚିତ୍ର ଗଣମାଧ୍ୟମରେ ପ୍ରକାଶ କରିବାକୁ ଚାହିଁଥିଲେ। ଶୁଣାଯାଇଥିଲା ଯେ ଜଣେ ନେତା ମର୍କଟାସନ କରୁ କରୁ ଏମିତି ଛନ୍ଦି ହୋଇ ଫସିଗଲେ ଯେ ତାଙ୍କୁ ସେଥିରୁ ମୁକୁଳେଇବା ପାଇଁ ଜଣେ ଡାକ୍ତର ଓ ଗୋଟେ ଆମ୍ବୁଲାନ୍‌ସ ଡାକିବାକୁ ପଡ଼ିଥିଲା। କାଳେ ନାହିଁ ବେଳେ ନାହିଁ ହଠାତ୍ ଯଦି ଆପଣ ପଦ୍ମାସନରେ ବସିପଡ଼ି ଦୁଇ ହାତକୁ ପିଠି ପଟେ ବୁଲେଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁବେ ତେବେ ଏଭଳି ଦଶା ଭୋଗିବା ସ୍ୱାଭାବିକ। 

ସୁନ୍ଦର ସ୍ୱାସ୍ଥ୍ୟ ଗୋଟିଏ ଦିନରେ ଗଢ଼ି ହୁଏ ନାହିଁ କି ଗୋଟିଏ ଦିନରେ ନିରୋଗ ବାର୍ଦ୍ଧକ୍ୟ ହାସଲ କରିହୁଏ ନାହିଁ। ସ୍ୱାସ୍ଥ୍ୟ ପ୍ରତ୍ୟହ ପ୍ରତ୍ୟକ୍ଷ ହୋଇଥାଏ। ଏହା ଦିନକର ପ୍ରତୀକାତ୍ମକତା ନୁହେଁ, ତେଣୁ ଯାହା ହେବା କଥା ହେଲା। ଏହି ଗୋଟିଏ ଦିନ ସମଗ୍ର ଭାରତବର୍ଷର ବିଭିନ୍ନ ପାର୍କ ଓ ମଣ୍ଡପମାନଙ୍କରେ ବଡ଼ ବଡ଼ ବ୍ୟାନର ଟାଙ୍ଗି ଯେଉଁ ଉତ୍ତମ ସ୍ୱାସ୍ଥ୍ୟ ହାସଲ କରିବାକୁ ଚେଷ୍ଟା କରାଯାଇଥିଲା ତାହା ତା’ର ବାସିଦିନକୁ ଫସର ଫାଟି ଯାଇଥିଲା। ସେହିଦିନ ପାର୍କମାନଙ୍କରେ ସୁନ୍ଦର ସୁନ୍ଦର ବିଜ୍ଞାପନ ଓ ଶରୀରମାନଙ୍କରେ ରଙ୍ଗିନ ଟି ସାର୍ଟ ସବୁ ଶୋଭା ପାଉଥିଲା ଆଉ ଲାଗୁଥିଲା ସତେ ଯେମିତି ସମଗ୍ର ଭାରତବର୍ଷ ଯୋଗରେ ଏକପ୍ରାଣ ହୋଇଗଲା। କିନ୍ତୁ କଥାରେ ଅଛି- ରାତି ଗଲା ତ କଥା ସରିଲା। ଏ ଦିନ ବିଭିନ୍ନ ଯୋଗାସନର ମୁଦ୍ରା କରି ଅଧିକାଂଶ ଲୋକ ଏତେ ହାଲିଆ ହୋଇପଡ଼ିଲେ ଯେ ତା’ ପରଦିନ ସେମାନଙ୍କୁ ଦଶଟା ବେଳକୁ ଉଠିବାକୁ ପଡ଼ିଲା ଆଉ ସ୍ୱାସ୍ଥ୍ୟ ଯଥା ପୂର୍ବମ୍ ତଥା ପରମ୍ ହୋଇ ରହିଗଲା। 

ଆହୁରି ପଢ଼ନ୍ତୁ- London protest: ଲଣ୍ଡନ ରାଜରାସ୍ତାରେ ପିଓକେର ସ୍ୱାଧୀନତା ଦାବି ନେଇ ସ୍ଲୋଗାନ: ପାକିସ୍ତାନ ବିରୋଧରେ ପ୍ରବାସୀ କାଶ୍ମୀରୀଙ୍କ ଆକ୍ରୋଶ

ଯୋଗ କେବଳ ଚଟେଇ ପକେଇ ହାତଗୋଡ଼ ଟେକାଟେକି କିମ୍ବା ନିଶ୍ୱାସ ପ୍ରଶ୍ୱାସର ସୁଁ ସାଁ ଶଦ୍ଧ ନୁହେଁ। ଯୋଗ ହେଉଛି ଶରୀର, ମନ ଓ ପ୍ରାଣର ମିଳନ, ଯାହା ଆପଣଙ୍କ ନିଶ୍ୱାସ ପ୍ରଶ୍ୱାସ ଆଧାରରେ ମନକୁ ନିୟନ୍ତ୍ରଣ କରି ଶରୀରକୁ ସୁସ୍ଥ ରଖିଥାଏ। ଶରୀର, ମନ ଓ ପ୍ରାଣ ଏକ ଇକୋସିଷ୍ଟମ ବା ପରିସଂସ୍ଥା ସଦୃଶ କାମ କରିଥାଏ। ଗୋଟିଏ ଅନ୍ୟର ପରିପୂରକ ହୋଇ ରହିଥାଏ। ଏଥିରେ ଗୋଟିକର ବିଚ୍ୟୁତି ଘଟିଲେ ସଂପୂର୍ଣ୍ଣ ବ୍ୟବସ୍ଥା ବିଫଳ ହୋଇଯାଏ ଏବଂ ଶରୀର ରୋଗାକ୍ରାନ୍ତ ହୋଇଯାଇଥାଏ। 

ଅତଏବ ଯୋଗ ହେଉଛି ଏକ ସାମଗ୍ରିକ ସ୍ୱାସ୍ଥ୍ୟ ବିଜ୍ଞାନ। ଏହା ଦିନକରେ ହାସଲ କରିହୁଏ ନାହିଁ। ଏଥିପାଇଁ ଲଗାତାର ଆପଣଙ୍କୁ ଏକ ଶୃଙ୍ଖଳିତ ଜୀବନ ଜିଇଁବାକୁ ପଡ଼ିଥାଏ ଆଉ ଖାଦ୍ୟ ଶୈଳୀଠାରୁ ନେଇ ଜୀବନଶୈଳୀରେ ଘୋର ପରିବର୍ତ୍ତନ କରିବାକୁ ପଡ଼ିଥାଏ। ଦିନଯାକ ଶରୀର ଉପରେ ଅତ୍ୟାଚାର କରି ଓ ପେଟ ଭିତରେ ନାନାଦି ଅଳିଆ ଆବର୍ଜନା ଭର୍ତ୍ତି କରି ସକାଳୁ ହଜାର ହଜାର ଥର କପାଳଭାତି କଲେ ଏହାର ସାମାନ୍ୟତମ ପ୍ରଭାବ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ି ନଥାଏ। 

ମନେ ରଖନ୍ତୁ, ଯୋଗ ମୁଖ୍ୟତଃ ରୋଗ ନିରାକରଣ କରିଥାଏ। ଏହା ରୋଗର ଚିକିତ୍ସା କିମ୍ବା ଉପଚାର କରି ନଥାଏ। ଏହା ଏକ ପ୍ରାଚୀନ ବିଜ୍ଞାନ ଯାହାର ଆଧୁନିକ ଚିକିତ୍ସା ବିଜ୍ଞାନ ସହିତ କୌଣସି ଶତ୍ରୁତା ନାହିଁ। ଅନେକ ଯୋଗଗୁରୁ ଅକାରଣରେ ଆଧୁନିକ ଚିକିତ୍ସା ବିଜ୍ଞାନକୁ ଗାଳିଗୁଲଜ କରିଥାନ୍ତି କିନ୍ତୁ ସଙ୍କଟ ସମୟରେ ସୁସ୍ଥ ହେବା ପାଇଁ ସେହିମାନଙ୍କର ହିଁ ସହାୟତା ନେଇଥାନ୍ତି ଏବଂ ଆଧୁନିକ ହସପିଟାଲମାନଙ୍କର ଆଇସିୟୁରେ ରହି ଚିକିତ୍ସିତ ହୋଇଥାନ୍ତି। 

ଆହୁରି ପଢ଼ନ୍ତୁ- India vs England 3rd T20I: ମଙ୍ଗଳବାର ତୃତୀୟ ଟ୍ବେଣ୍ଟି-୨୦, ବିଷ୍ଣୋୟୀଙ୍କୁ ନେଇ ଚିନ୍ତା


ଯୋଗ ଆପଣଙ୍କ ଶରୀରକୁ ଘସିମାଜି ତୀକ୍ଷ୍‌ଣ ରଖିଥାଏ ଓ ରୋଗ ବଇରାଗଠାରୁ ଦୂରେଇ ରହିବାକୁ ସାହାଯ୍ୟ କରିଥାଏ। କିନ୍ତୁ ଏଥିପାଇଁ ପ୍ରତ୍ୟହ ଆପଣଙ୍କୁ ଏହାର ଅଭ୍ୟାସ କରିବାକୁ ପଡ଼ିଥାଏ। ଏହା ଉପରେ ଉଦାହରଣଟିଏ ଦେଉଛି। ଥରେ ଜଣେ ବାଳକ ଗୋଟିଏ କରତ କଳରେ କାମ କରିବାକୁ ଗଲା। ମାଲିକ ତାକୁ ଗୋଟିଏ କୁରାଢ଼ି ଦେଇ ସବୁ ଦିନ ଜଙ୍ଗଲରୁ ଗଛ କାଟି ଆଣିବାକୁ କହିଲେ। ବାଳକଟି ପ୍ରଥମ ଦିନ ପ୍ରାୟ ଦଶ ବାରଟି ଗଛ କାଟି ଆଣିଲା। ମାଲିକ ବହୁତ ଖୁସି ହୋଇଗଲେ। ଦ୍ୱିତୀୟ ଦିନ ଆଠ ଦଶଟି ଆଣିପାରିଲା। ତୃତୀୟ ଦିନ ସାତ ଆଠ ଆଉ ଏହିପରି ଦିନକୁ ଦିନ ଗଛ ସଂଖ୍ୟା କମି କମି ଯାଉଥିଲା। ମାଲିକ ବ୍ୟସ୍ତ ହୋଇପଡ଼ି ଏହାର କାରଣ କ’ଣ ପଚାରିଲେ। ପିଲାଟି କିନ୍ତୁ ଅକ୍ଳାନ୍ତ ପରିଶ୍ରମ କରୁଥିଲା ଏବଂ ଗଛର ସଂଖ୍ୟା କାହିଁକି କମୁଥିଲା ଜାଣିପାରୁ ନଥିଲା। ମାଲିକ ଦିନେ ପିଲାଟିକୁ ତାହାର କୁରାଢ଼ିଟିକୁ ଦେଖେଇବାକୁ କହିଲେ ଆଉ ଜାଣିପାରିଲେ ଯେ ପିଲାଟି ଲଗାତାର କୁରାଢ଼ିରେ ଗଛ କାଟି ଚାଲିଛି ଅଥଚ ଦିନେ ବି ସେଥିରେ ଦାଢ଼ ଦେଇନାହିଁ। ବନ୍ଧୁଗଣ, ଯୋଗ ହେଉଛି ଶରୀରର ଏହି ଦାଢ଼ ଯାହାକୁ ପ୍ରତ୍ୟହ ନ ଦେଲେ ଆପଣଙ୍କ ଶରୀର ବାର୍ଦ୍ଧକ୍ୟରେ ମାଡ଼ି ଆସୁଥିବା ରୋଗ ବଇରାଗକୁ କାଟିପାରିବ ନାହିଁ। 
(ମତାମତ ଲେଖକଙ୍କ ନିଜସ୍ବ)

ମୋ: ୯୪୩୭୦୬୭୫୬୭

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.