ARTICLE AD BOX
ଏକ ନିଷ୍ଠୁର ବିଡ଼ମ୍ବନା ଭଳି ରାଜନୈତିକ ଲାଭ ଆଶାରେ ମହିଳାମାନଙ୍କ ପାଇଁ ସଂସଦରେ ସ୍ଥାନ ସଂରକ୍ଷଣ ପାଇଁ ପଦକ୍ଷେପ ନେଇ ନିଜକୁ ମହିଳା ସପକ୍ଷବାଦୀ ବୋଲି ପ୍ରଦର୍ଶିତ କରୁଥିବା ସରକାର ଦେଶରେ କ୍ୟାନସର ପୀଡ଼ିତା ମହିଳାମାନଙ୍କ ମଧ୍ୟରୁ ପ୍ରାୟ ୩୦ ଶତାଂଶ ହୋଇଥିବା ସ୍ତନକର୍କଟ ପୀଡ଼ିତାମାନଙ୍କର ଜୀବନରକ୍ଷାରେ ସହାୟକ ହେବା ଲାଗି ଏଇ ପଦକ୍ଷେପ ଗ୍ରହଣ କରିବା ପାଇଁ କୁଣ୍ଠିତ।
ସଂପ୍ରତି ଗଣମାଧ୍ୟମରେ ପ୍ରକାଶିତ ଦୁଇଟି ଖବର ଉପରେ ଏକତ୍ର ଦୃଷ୍ଟି ନିକ୍ଷେପ କଲେ ଭାରତରେ ସ୍ବାସ୍ଥ୍ୟ ସେବାରୁ ଆରମ୍ଭ କରି ବଜାର ଅର୍ଥନୀତି, ନ୍ୟାୟପାଳିକା ଓ ସର୍ବୋପରି ସରକାରଙ୍କର ନାରୀ-ସ୍ବାର୍ଥ-ବିେରାଧୀ ଆଭିମୁଖ୍ୟ ସଂପର୍କରେ ଏପରି ଏକ ବିଷାଦଜନକ ଚିତ୍ର ଦେଖିବାକୁ ମିଳିଥାଏ, ଯାହା ଜଣେ ସାଧାରଣ ନାଗରିକର ମନକୁ ବିଦ୍ରୋହୀ କରିଦେଇଥାଏ।
ପ୍ରଥମେ ବଜାର ଅର୍ଥନୀତିର ଚମତ୍କାରିତା ସଂପର୍କିତ ଖବରଟିକୁ ଦେଖାଯାଉ। ଭାରତରେ ଔଷଧ ଶିଳ୍ପରେ ସକ୍ରିୟ ଥିବା ଏକ କଂପାନି ହେଉଛି- ‘ଡିଭିଜ୍ ଲାବରେଟରିଜ୍’। ଏଇ କଂପାନି ସିଧାସଳଖ ଔଷଧପତ୍ର ଉତ୍ପାଦନ କରି ନ ଥାଏ; ଔଷଧ ପ୍ରସ୍ତୁତିରେ ବ୍ୟବହୃତ ସକ୍ରିୟ ଉପାଦାନ (‘ଆକ୍ଟିଭ୍ ଫାର୍ମାସିଉଟିକାଲ୍ ଇନ୍ଗ୍ରେଡିଏଣ୍ଟସ୍’- ‘ଏପିଆଇ’)ମାନ ଉତ୍ପାଦନ କରିଥାଏ। ଯେଉଁ କାରଣ ପାଇଁ ଏଇ କଂପାନି ଏବେ ଖବର ଶିରୋନାମା ମଣ୍ଡନ କରିଛି, ତାହା ଇଏ କୌଣସି ଚମକପ୍ରଦ ଜୀବନ ରକ୍ଷାକାରୀ ଔଷଧ ଆବିଷ୍କାର କରିଥିବା ଯୋଗୁଁ ନୁହେଁ, କିମ୍ବା କୌଣସି ଦୁର୍ମୂଲ୍ୟ ଔଷଧକୁ ଭାରତୀୟ ଉପଭୋକ୍ତାମାନଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧ କରାଇଥିବା େଯାଗୁଁ ନୁହେଁ। ‘ଡିଭିଜ୍ ଲାବରେଟରିଜ୍’ ଚର୍ଚ୍ଚାର ବିଷୟରେ ପରିଣତ ହେବାର କାରଣ ହେଲା- ଏହାର ପରିଚାଳନା ନିର୍ଦ୍ଦେଶକ (‘ଏମ୍ଡି’) ମୁରଲୀ କେ ଡିଭି ୨୦୨୫-୨୬ ବିତ୍ତ ବର୍ଷରେ ନିଜର କଂପାନିରୁ ଯେଉଁ ପରିମାଣର ପାରିତୋଷିକ ଲାଭ କରିଛନ୍ତି, ତାହା ହେଉଛି ସେ ବର୍ଷ ପାଇଁ ଭାରତୀୟ ଔଷଧ ଶିଳ୍ପରେ ସର୍ବୋଚ୍ଚ- ୧୦୦.୨୬ କୋଟି ଟଙ୍କା! ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏଇ ଆକାଶ ଛୁଅଁା ପାରିତୋଷିକ ରାଶିର ପୂରା ୯୯.୯ ଶତାଂଶ ହେଉଛି ଏଇ ସମୟରେ କଂପାନି ଅର୍ଜନ କରିଥିବା ଲାଭରୁ ଡିଭିଙ୍କୁ ପ୍ରଦାନ କରାଯାଇଥିବା କମିସନ। କହିବା ବାହୁଲ୍ୟ, ଏକ ଔଷଧ କଂପାନି ଅର୍ଜନ କରୁଥିବା ଏଭଳି ବିପୁଳ ଲାଭର ପ୍ରତିଟି ପଇସା ଆସିଥାଏ ଦେଶର ଅଗଣିତ ବ୍ୟାଧିଗ୍ରସ୍ତ ନାଗରିକମାନଙ୍କର ପକେଟ୍ରୁ।
Judgement: ସୁରେନ୍ଦ୍ର ଗାଡଲିଙ୍ଗଙ୍କ ଜାମିନ ଆବେଦନ ଶୁଣାଣିରୁ ତୃତୀୟ ସୁପ୍ରିମ୍କୋର୍ଟ ବିଚାରପତି ଓହରିଲେ
ଆମର ବଜାର ଅର୍ଥନୀତିରେ ଏହା ଔଷଧ ଶିଳ୍ପର ଯୋଗାଣ ପାର୍ଶ୍ବର ଚିତ୍ର ହୋଇଥିବା ବେଳେ, ଏହାର ଉପଭୋକ୍ତା ପାର୍ଶ୍ବର ଏକ ହୃଦୟ ବିଦାରକ ଚିତ୍ର ଉପଲବ୍ଧ ହୋଇଥାଏ ଏବେ ଭାରତର ସୁପ୍ରିମ୍ କୋର୍ଟ ଏ ବାବଦରେ ନେଇଥିବା ଏକ ପଦକ୍ଷେପ ସଂପର୍କିତ ଦ୍ବିତୀୟ ଖବରଟିରୁ। ସୁଲଭ ମୂଲ୍ୟରେ ଏକ ଜୀବନ ରକ୍ଷାକାରୀ ଔଷଧ ମିଳି ନ ପାରିବାରୁ କେରଳରେ ଜଣେ ସ୍ତନକର୍କଟ ପୀଡ଼ିତାଙ୍କର ଅକାଳ ମୃତ୍ୟୁ ଘଟିବା ଦ୍ବାରା ବିଚଳିତ ହୋଇ ସୁପ୍ରିମ୍ କୋର୍ଟ ଆପଣା ଛାଏଁ ଏହାକୁ ସଂବିଧାନର ଧାରା-୨୧ ଅନୁସାରେ ନାଗରିକର ବଞ୍ଚିବାର ମୌଳିକ ଅଧିକାର ସହିତ ସଂଯୁକ୍ତ କରି େକନ୍ଦ୍ର ସରକାରଙ୍କୁ ଜୀବନ ରକ୍ଷାକାରୀ ଔଷଧପତ୍ରର ମୂଲ୍ୟ ନିର୍ଦ୍ଧାରଣ ଓ ଉପଲବ୍ଧତା ସଂପର୍କରେ ନୋଟିସ୍ ଜାରି କରିଛନ୍ତି।
ପ୍ରକାଶିତ ସୂଚନା ଅନୁସାରେ ସରୋଜା ରାଧାକ୍ରିଷ୍ଟନ୍ ନାମ୍ନୀ ଏର୍ନାକୁଲମ୍ର ଜଣେ ସ୍ତନକର୍କଟ ପୀଡ଼ିତା ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀ ‘ପେଟେଣ୍ଟ୍ସ ଆକ୍ଟ’ ଅନୁସାରେ ବାଧ୍ୟତାମୂଳକ ଲାଇସେନ୍ସ ପ୍ରଦାନ (କମ୍ପଲ୍ସରି ଲାଇସେନ୍ସିଙ୍ଗ୍) କରି ସେ ଆବଶ୍ୟକ କରୁଥିବା ଏକ ଦୁର୍ମୂଲ୍ୟ ବିଦେଶୀ ଔଷଧ ଭାରତରେ ଶସ୍ତାରେ ଉତ୍ପାଦନ କରାଇବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ୨୦୨୨ରେ କେରଳ ହାଇକୋର୍ଟରେ ଆେବଦନ କରିଥିଲେ। ସରୋଜା ତାଙ୍କର ଆବେଦନରେ ଉଲ୍ଲେଖ କରିଥିଲେ େଯ ସ୍ବିସ୍ ବହୁଦେଶୀୟ ଔଷଧ କଂପାନି ‘ନୋଭାର୍ଟିସ୍’ ଦ୍ବାରା ପ୍ରସ୍ତୁତ ଔଷଧ ‘ରାଇବୋସିକ୍ଲିବ୍’ କ୍ରୟ କରିବା ପାଇଁ ମାସିକ ୭୮,୪୬୮ ଟଙ୍କା ଖର୍ଚ୍ଚ କରିବା ତାଙ୍କ କ୍ଷମତା ବାହାରେ ହୋଇଥିବାରୁ (ବିଭିନ୍ନ ସ୍ବାସ୍ଥ୍ୟ ବୀମା ଯୋଜନା ଏପରି ରୋଗୀଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ଭଳି ହୋଇଥାଏ) ସରକାର ଭାରତରେ ଏହାର ଶସ୍ତାରେ ଯୋଗାଣ ପାଇଁ ପଦକ୍ଷେପ ନିଅନ୍ତୁ। ଦୁର୍ଭାଗ୍ୟଜନକ ଭାବରେ ଭାରତରେ ନ୍ୟାୟିକ ପ୍ରକ୍ରିୟାର ଚରିତ୍ରକୁ ଅନୁସରଣ କରି ମାମଲାଟି ଇତିମଧ୍ୟରେ ଅଦାଲତର ବିଭିନ୍ନ ବେଞ୍ଚରେ ୫୭ ଥର ତାଲିକାଭୁକ୍ତ ହୋଇଥିଲେ ହେଁ ତାହା ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରି ନାହିଁ। ଇତିମଧ୍ୟରେ ଔଷଧ ଅଭାବରୁ ଆବେଦନକାରୀ ସରୋଜା ଇହଧାମ ତ୍ୟାଗ କରି ସାରିଲେଣି।
ଏଠାରେ ଯାହା େହଉଛି ଘୋର ଲଜ୍ଜାଜନକ, ତାହା ହେଲା ‘ରାଇବୋସିକ୍ଲିବ୍’ ପରି ଜୀବନ ରକ୍ଷାକାରୀ ଔଷଧର ଜେନେରିକ୍ ସଂସ୍କରଣ ବହୁ ଶସ୍ତାରେ ଉତ୍ପାଦନ କରାଯାଇ ପାରନ୍ତା ଏବଂ ସେଥିପାଇଁ ଭାରତୀୟ ଆଇନରେ ମଧ୍ୟ ବ୍ୟବସ୍ଥା ରହିଛି; କିନ୍ତୁ ସ୍ତନକର୍କଟ ଚିକିତ୍ସା ଏକ ଜରୁରି ଜାତୀୟ ଆବଶ୍ୟକତା ନୁହେଁ ବୋଲି କହି ସରକାର ଏଥିପାଇଁ ହେଉଥିବା ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି। ଏକ ନିଷ୍ଠୁର ବିଡ଼ମ୍ବନା ଭଳି ରାଜନୈତିକ ଲାଭ ଆଶାରେ ମହିଳାମାନଙ୍କ ପାଇଁ ସଂସଦରେ ସ୍ଥାନ ସଂରକ୍ଷଣ ପାଇଁ ପଦକ୍ଷେପ ନେଇ ନିଜକୁ ମହିଳା ସପକ୍ଷବାଦୀ ବୋଲି ପ୍ରଦର୍ଶିତ କରୁଥିବା ସରକାର ଦେଶରେ କ୍ୟାନସର ପୀଡ଼ିତା ମହିଳାମାନଙ୍କ ମଧ୍ୟରୁ ପ୍ରାୟ ୩୦ ଶତାଂଶ ହୋଇଥିବା ସ୍ତନକର୍କଟ ପୀଡ଼ିତାମାନଙ୍କର ଜୀବନରକ୍ଷାରେ ସହାୟକ ହେବା ଲାଗି ଏଇ ପଦକ୍ଷେପ ଗ୍ରହଣ କରିବା ପାଇଁ କୁଣ୍ଠିତ। ଏହା ସରକାରଙ୍କର ଅସଲ ନାରୀ-ବିରୋଧୀ ଚେହେରାକୁ ପଦାରେ ପକାଇଥାଏ।
ଔଷଧ ଭଳି ଏକ ଜୀବନ ରକ୍ଷାକାରୀ ଦ୍ରବ୍ୟର ଯୋଗାଣ ଓ ମୂଲ୍ୟ ନିର୍ଦ୍ଧାରଣକୁ ଯଦି ସଂପୂର୍ଣ୍ଣ ରୂପେ ବଜାର ହାତରେ ଛାଡ଼ି ଦିଅାଯାଏ, ତେବେ ତାହା ସରୋଜା ରାଧାକ୍ରିଷ୍ଣନ୍ମାନଙ୍କ ପାଇଁ ଘାତକ ସାବ୍ୟସ୍ତ ହେବା ବେଳେ ମୁରଲୀ ଡିଭିମାନଙ୍କୁ ଶହ ଶହ କୋଟି ଟଙ୍କାର ମାଲିକରେ ପରିଣତ କରିବ। ସରକାର କିନ୍ତୁ ଯଦି ଲୋକମାନଙ୍କ ପାଇଁ ପ୍ରକୃତରେ ଅତ୍ୟାବଶ୍ୟକ ଔଷଧପତ୍ର ଉପଲବ୍ଧ ହେବା ଚାହାନ୍ତି, ତାହା ହାସଲ କରିବା ନିମିତ୍ତ ସରକାରଙ୍କ ପାଖରେ ବିଭିନ୍ନ ସାଧନମାନ ଉପଲବ୍ଧ ଅଛି। ସରକାର ଚାହିଁଲେ ଦୁର୍ମୂଲ୍ୟ ଔଷଧଗୁଡ଼ିକୁ ‘ନେସନାଲ୍ ଲିଷ୍ଟ ଅଫ୍ ଏସେନ୍ସିଆଲ୍ ମେଡିସିନ୍ସ’ (‘ଏନ୍ଏଲ୍ଇଏମ୍’)ରେ ଅନ୍ତର୍ଭୁକ୍ତ କରିପାରିବେ; ଏଇ ତାଲିକାଭୁକ୍ତ ଔଷଧଗୁଡ଼ିକୁ ମାଗଣାରେ ଯୋଗାଇ ପାରିବେ। ପୂର୍ବରୁ କୁହାଯାଇଥିବା ଭଳି ‘ପେଟେଣ୍ଟ୍ସ ଆକ୍ଟ’ ଅନୁସାରେ ଜନସ୍ବାର୍ଥ ସୁରକ୍ଷା ପାଇଁ ବାଧ୍ୟତାମୂଳକ ଉତ୍ପାଦନ ଲାଇସେନ୍ସ ପ୍ରଦାନ କରାଯାଇ ପାରିବ। ସାର୍ବଜନୀନ ବିତରଣ ପାଇଁ ଦାମିକା ଔଷଧକୁ ସରକାର ବିପୁଳ ପରିମାଣରେ ରିହାତି ଦରରେ ସଂଗ୍ରହ କରିପାରିବେ। ସରକାରଙ୍କର ଏ ଦିଗରେ ଆନ୍ତରିକତାର ଅଭାବର ଏକ ପ୍ରମାଣ ସ୍ବରୂପ କେବଳ ଥରେ ମାତ୍ର, ୨୦୧୨ରେ ତତ୍କାଳୀନ ‘ୟୁପିଏ’ ସରକାର ଏକ ଜୀବନ ରକ୍ଷାକାରୀ କିଡ୍ନି କ୍ୟାନସର ଔଷଧ ଉତ୍ପାଦନ ପାଇଁ ବାଧ୍ୟତାମୂଳକ ଲାଇସେନ୍ସ ପ୍ରଦାନ କରିଥିେଲ। ଚାରି ବର୍ଷ ତଳେ କେରଳ ହାଇକୋର୍ଟଙ୍କର ଏକ ପ୍ରସ୍ତାବ ସେତ୍ତ୍ବ ସରକାର ସ୍ତନକର୍କଟ ଚିକିତ୍ସା ପାଇଁ ଔଷଧ ଉତ୍ପାଦନ ନିମିତ୍ତ ବାଧ୍ୟତାମୂଳକ ଲାଇସେନ୍ସ ପ୍ରଦାନ କରିବାକୁ ରାଜି ହୋଇ ନ ଥିଲେ।
ଏ ଦିଗରେ କେରଳ ହାଇକୋର୍ଟଙ୍କର ଅନ୍ୟ ଏକ ଉଦ୍ୟମ ସମ୍ବନ୍ଧରେ ଏଠାରେ ଉଲ୍ଲେଖ କରିବା ଉଚିତ ମନେ ହୁଏ। ଅନ୍ୟ ଏକ ମାମଲାର ବିଚାର କରିବା ଅବସରରେ ଏଇ ଅଦାଲତ ଔଷଧ ଶିଳ୍ପ ତରଫରୁ ଅବାଧ ବଜାରଭିତ୍ତିକ ମୂଲ୍ୟ ନିର୍ଦ୍ଧାରଣ ପାଇଁ ହୋଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇ ଉତ୍ପାଦନ ବ୍ୟୟଠାରୁ ସର୍ବୋଚ୍ଚ ୩୦ ଶତାଂଶ ଅଧିକ ସୀମା ମଧ୍ୟରେ ଔଷଧର ମୂଲ୍ୟ ନିର୍ଦ୍ଧାରଣ କରିବା ଲାଗି ନିେର୍ଦ୍ଦଶ ଦେଇଥିଲେ।
ସକାଳ ଜଳଖିଆ ପାଇଁ ବନାନ୍ତୁ ସ୍ୱାଦିଷ୍ଟ ଧନିଆ ପରାଠା
ଏକଦା ପୂର୍ବତନ ଯୋଜନା କମିସନ୍ର ସାର୍ବଜନୀନ ସ୍ବାସ୍ଥ୍ୟ ସେବା ପ୍ରଦାନ ସଂପର୍କିତ ‘ହାଇ ଲେଭେଲ୍ ଏକ୍ସପର୍ଟ ଗ୍ରୁପ୍’ (‘ଏଚ୍ଏଲ୍ଇଜି’) ଜନସାଧାରଣଙ୍କ ପାଇଁ ଔଷଧପତ୍ର ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ପାଇଁ ବାଧ୍ୟତାମୂଳକ ଲାଇସେନ୍ସ ପ୍ରଦାନ ବ୍ୟବସ୍ଥାର ଅଧିକ ବ୍ୟାପକ ଉପଯୋଗ କରାଯିବା ପାଇଁ ସୁପାରିସ କରିଥିଲେ। ବର୍ତ୍ତମାନର ସରକାର ଯୋଜନା କମିସନ୍ର ଉଚ୍ଛେଦ ସାଧନ କରିଥିଲେ ହେଁ, ଏବେ ଦେଶର ଲକ୍ଷ ଲକ୍ଷ ସଂଖ୍ୟକ ସ୍ତନକର୍କଟ ପୀଡ଼ିତାମାନଙ୍କ ପ୍ରତ ନିଜର ନିଷ୍କରୁଣ ଆଭିମୁଖ୍ୟ ପରିତ୍ୟାଗ କରି ‘ଏଚ୍ଏଲ୍ଇଜି’ର ଏହି ସାଧୁ ଉପଦେଶକୁ ବର୍ତ୍ତମାନ ସୁପ୍ରିମ୍ କୋର୍ଟଙ୍କର ତାଗିଦା ପରେ ଅନୁସରଣ କରିେବ ବୋଲି ଆଶା କରାଯାଏ।

1 hour ago
3


