Editorial: ନିର୍ଦ୍ଦୋଷ ଦେଶୀ

1 hour ago 4
ARTICLE AD BOX

ଏଥିରେ କୌଣସି ସନ୍ଦେହ ନାହିଁ ଯେ ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ମନୁଷ୍ୟ ସମାଜ ସମ୍ମୁଖରେ ଏକ ବିଶାଳ ଆହ୍ବାନ ହୋଇ ଉଭା ହୋଇଛି, ଗ୍ରିନ୍‌ହାଉସ୍ ଗ୍ୟାସ୍ ବା ଅଙ୍ଗାର ନିର୍ଗମନ ହେଉଛି ଯାହାର ଏକ ମୁଖ୍ୟ କାରଣ। କିନ୍ତୁ ମନୁଷ୍ୟର ସମଗ୍ର ନୈତିକ ଦୁନିଆର ପରିଧି ଏତିକିରେ ସୀମିତ ନୁହେଁ; ଅାମର ପ୍ରତ୍ୟେକ ନୈତିକ ମୂଲ୍ୟବୋଧକୁ ନିର୍ଗତ ଅଙ୍ଗାରର ଓଜନ ଆକାରରେ ହିସାବ କରାଯାଇ ପାରିବ ନାହିଁ। ତା’ହେଲେ ତ ପୃଥିବୀର ପ୍ରତ୍ୟେକ ନିର୍ଦ୍ଦୋଷ ବ୍ୟକ୍ତିକୁ ଜଘନ୍ୟ ଅପରାଧୀ ଭଳି ଆଜୀବନ କାରାବାସରେ ରହିବାକୁ ହେବ।

Editorial: ସତ୍ୟର ଧ୍ବଜା

ଯେଉଁ ମା‌ଂସାହାରୀମାନେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇଥାନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଖୁଆଡ଼ରେ ପାଳିତ କୁକୁଡ଼ାମାନଙ୍କର ଅଣ୍ଡା ବା ତଥାକଥିତ ଫାର୍ମ ଅଣ୍ଡା ଓ ସେଇଭଳି ଖୁଆଡ଼ରେ ପାଳିତ ବ୍ରଏଲର୍ କୁକୁଡ଼ାର ମାଂସ ଅପେକ୍ଷା ବାହାରେ ଚରାବୁଲା କରୁଥିବା ଦେଶୀ କୁକୁଡ଼ାମାନଙ୍କର ଅଣ୍ଡା ଓ ମାଂସ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି ଏବଂ ସେଥିପାଇଁ ବେଶ୍ ଅଧିକ ଦାମ ଦେବାକୁ ପଛାଇ ନଥାନ୍ତି। ଏଇ ଦେଶୀ କୁକୁଡ଼ା-ପ୍ରିୟ ଖାଦ୍ୟ-ବିଳାସୀମାନଙ୍କ ମଧ୍ୟରେ ଯଦି କେହି ପରିବେଶ ସୁରକ୍ଷା ସମ୍ବନ୍ଧରେ ସଚେତନ ଥାନ୍ତି, ଏବେ ସଦ୍ୟ ପ୍ରକାଶ ପାଇଥିବା ଏକ ଗବେଷଣା ରିପୋର୍ଟ ସେମାନଙ୍କୁ ନିଜର ପସନ୍ଦ ବଦଳାଇ ନିଜର ଖାଇବା ଥାଳି ସହିତ ଦେଶୀ କୁକୁଡ଼ାର ସଂପର୍କ ଛିନ୍ନ କରି ଏଣିକି ଫାର୍ମ କୁକୁଡ଼ାଙ୍କ ସହିତ ସଂପର୍କ ସ୍ଥାପନ କରି କାମ ଚଳାଇବାକୁ ପ୍ରବୃତ୍ତ କରିପାରେ।
‘ରୟାଲ୍ ସୋସାଇଟି ଓପନ୍ ସାଇନ୍‌ସ’ ନାମକ ମର୍ଯ୍ୟାଦାଜନକ ଗବେଷଣା ପତ୍ରିକାରେ ପ୍ରକାଶିତ ଅକ୍‌ସଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଦ୍ବାରା ପ୍ରସ୍ତୁତ ଏଇ ରିପୋର୍ଟରେ କୁହାଯାଇଛି ଯେ ମୁକ୍ତ ଭାବରେ ଚରାବୁଲା କରୁଥିବା କୁକୁଡ଼ାମାନେ ଖୁଆଡ଼ରେ ବନ୍ଦୀ ଅବସ୍ଥାରେ ଜୀବନ ବିତାଉଥିବା କୁକୁଡ଼ାମାନଙ୍କ ତୁଳନାରେ ମାଂସ ଓ ଅଣ୍ଡା ଉତ୍ପାଦନ କରିବା ପାଇଁ ହାରାହାରି ପ୍ରାୟ ୬୦ ଶତାଂଶ ପର୍ଯ୍ୟନ୍ତ ବୃହତ୍ତର ଅଙ୍ଗାର ପଦଚିହ୍ନ ସୃଷ୍ଟି କରିଥାନ୍ତି, ଅର୍ଥାତ୍ ସେତିକି ମାତ୍ରାରେ ଅଧିକ ‘ଗ୍ରିନ୍‌ହାଉସ୍ ଗ୍ୟାସ୍’ (‘ଜିଏଚ୍‌ଜି’) ନିର୍ଗମନ ପାଇଁ ଦାୟୀ ହୋଇଥାନ୍ତି। ସଂକ୍ଷେପରେ ଏହାର କାରଣ ହେଉଛି ନିମ୍ନୋକ୍ତ ଭଳି।
ଏଇ ମୁକ୍ତ ପକ୍ଷୀମାନଙ୍କୁ ମଧ୍ୟ କୁକୁଡ଼ା ଚାଷୀମାନେ ଖାଇବାକୁ ଦାନା ଦେଇଥାନ୍ତି। ମୁକ୍ତ ପକ୍ଷୀମାନେ କିନ୍ତୁ ଦାନାରୁ ସଂଗ୍ରହ କରୁଥିବା ଶକ୍ତି ବା କ୍ୟାଲୋରିର ଅଧିକ ଅଂଶକୁ ମନଖୁସିରେ ଏଣେତେଣେ ଅବାଧରେ ଧାଁଦଉଡ଼ କରିବାରେ ଖର୍ଚ୍ଚ କରିଦିଅନ୍ତି, ଫଳରେ ଖୁଆଡ଼ରେ ପାଳିତ ବିମର୍ଷ କୁକୁଡ଼ାମାନଙ୍କ ତୁଳନାରେ ସେମାନଙ୍କର ମାଂସ ଓ ଅଣ୍ଡା ଉତ୍ପାଦନ ମନ୍ଥର ହୋଇଥାଏ; ସେମାନେ ସେମାନଙ୍କର ଜୀବନ କାଳ ମଧ୍ୟରେ ବନ୍ଦୀ କୁକୁଡ଼ାମାନଙ୍କ ଅପେକ୍ଷା ମୁଣ୍ଡପିଛା ବହୁତ କମ୍ ସଂଖ୍ୟକ ଅଣ୍ଡା ଓ କମ୍ ପରିମାଣର ମାଂସ ଉତ୍ପାଦନ କରିଥାନ୍ତି। ନିର୍ଦ୍ଦିଷ୍ଟ ପରିମାଣର ମାଂସ ବା ନିର୍ଦ୍ଦିଷ୍ଟ ସଂଖ୍ୟକ ଅଣ୍ଡା ଉତ୍ପାଦନ କରିବା ପାଇଁ କୁକୁଡ଼ା ଚାଷୀମାନଙ୍କୁ ତେଣୁ ଖୁଆଡ଼ କୁକୁଡ଼ା ତୁଳନାରେ ବହୁ ଅଧିକ ସଂଖ୍ୟକ ମୁକ୍ତ ବିଚରଣକାରୀ କୁକୁଡ଼ା ପାଳିବା ଦରକାର ହୋଇଥାଏ ଏବଂ ଏମାନଙ୍କୁ ଅଧିକ ପରିମାଣର ଦାନା ଯୋଗାଇବା ଆବଶ୍ୟକ ହୋଇଥାଏ। ଅଧିକ ଦାନା ଉତ୍ପାଦନ ପାଇଁ ଅଧିକ କୃଷିକ୍ଷେତ୍ର ଆବଶ୍ୟକ ହୋଇଥାଏ ଏବଂ ଏଥିଯୋଗୁଁ ଅଧିକ ‘ଗ୍ରିନ୍‌ହାଉସ୍ ଗ୍ୟାସ୍’ ସୃଷ୍ଟି ହୋଇଥାଏ। ପୁଣି ପ୍ରାକୃତିକ କାରଣରୁ ମୁକ୍ତ ବିଚରଣକାରୀ କୁକୁଡ଼ାମାନଙ୍କ ମଧ୍ୟରେ ମୃତ୍ୟୁ ହାର ଅପେକ୍ଷାକୃତ ଅଧିକ ହୋଇଥିବାରୁ ଅନେକ ସମୟରେ ଏଇ ‘ଗ୍ରିନ୍‌ହାଉସ୍ ଗ୍ୟାସ୍’ ନିର୍ଗମନ ନିରର୍ଥକ ହୋଇଥାଏ; ତାହା ଅଣ୍ଡା ବା ମାଂସରେ ରୂପାନ୍ତରିତ ହୋଇ ନ ଥାଏ। ମୋଟ ଉପରେ ଗବେଷକମାନେ ଆବିଷ୍କାର କରିଛନ୍ତି ଯେ ଖୁଆଡ଼-ଭିତ୍ତିକ କୁକୁଡ଼ା ଚାଷ ଅପେକ୍ଷା ଅବାଧ ବିଚରଣ-ଭିତ୍ତିକ କୁକୁଡ଼ା ଚାଷ ପରିବେଶ ପାଇଁ ବହୁ ଅଧିକ କ୍ଷତିକାରକ ହୋଇଥାଏ।
ସେମାନଙ୍କର ଏହି ସିଦ୍ଧାନ୍ତ ସୁଦୃଢ଼ ବୈଜ୍ଞାନିକ ଓ ଅର୍ଥନୈତିକ ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇଥିଲେ ହେଁ ପରିବେଶ ସୁରକ୍ଷା କ୍ଷେତ୍ରରେ ଏହାର ପ୍ରୟୋଗ କେତେକ ଅସ୍ବସ୍ତିକର ନୈତିକ ପ୍ରଶ୍ନକୁ ଜନ୍ମ ଦେଇଥାଏ। ଯେମିତି, ଯଦି ସ୍ବାଧୀନତା ଅଙ୍ଗାର ନିର୍ଗମନ ବୃଦ୍ଧି କରିଥାଏ, ତେବେ ସ୍ବାଧୀନତାକୁ ପରିବେଶ-ପ୍ରତିକୂଳ ବୋଲି ବିଚାର କରାଯାଇ ପାରିବ କି? କାରା କୋଠରିରେ କାଳ କାଟୁଥିବା ଜଣେ ବନ୍ଦୀ ଜଣେ ବିଶ୍ବ ଭ୍ରମଣକାରୀ ଶିଳ୍ପୋଦ୍ୟୋଗୀଙ୍କ ତୁଳନାରେ ଅତ୍ୟନ୍ତ ନଗଣ୍ୟ ମାତ୍ରାରେ ଅଙ୍ଗାର ନିର୍ଗମନକାରୀ ସମ୍ବଳ ବ୍ୟବହାର କରି ନ ଥାଏ କି? ପ୍ରତିଦିନ କୌଣସି ଯାନ ଆରୋହଣ କରି କାର୍ଯ୍ୟକ୍ଷେତ୍ରକୁ ଯିବାଆସିବା କରୁଥିବା ଜଣେ କର୍ମଚାରୀ ଏଇ ବନ୍ଦୀ ଅପେକ୍ଷା ନିୟମିତ ଭାବରେ ବହୁ ଅଧିକ ଅଙ୍ଗାର ନିର୍ଗମନ କରି ନଥାନ୍ତି କି? ପ୍ରତ୍ୟେକ ବିମାନ ଯାତ୍ରୀ ଏଇ ବନ୍ଦୀ ଅପେକ୍ଷା ଅଶେଷ ଅଧିକ ମାତ୍ରାରେ ଅଙ୍ଗାର ନିର୍ଗମନ ପାଇଁ ଦାୟୀ ହୋଇ ନଥାନ୍ତି କି? ଏଇ ଯୁକ୍ତିକୁ ଆଗେଇ ନେଇ କୁହାଯାଇ ପାରିବ, ପୃଥିବୀରେ ସିଏ ହିଁ ହେଉଛି ପରିବେଶର ଶ୍ରେଷ୍ଠତମ ବନ୍ଧୁ, ଯିଏ ତା’ର ସାରା ଜୀବନ କାରା କୋଠରି ଭିତରୁ କେବେହେଲେ ବାହାରି ନ ଥାଏ। ଏଭଳି ଯୁକ୍ତିରୁ ଯେଉଁ ଅନ୍ତିମ ସିଦ୍ଧାନ୍ତ ଉପଲବ୍‌ଧ ହୋଇଥାଏ, ତାହା ହେଲା, ଯଦି ସମଗ୍ର ମନୁଷ୍ୟ ଜାତିକୁ ଫାର୍ମ କୁକୁଡ଼ାଙ୍କୁ ଖୁଆଡ଼ରେ ବନ୍ଦୀ କରି ରଖିବା ଭଳି କାରାଗାରରେ ବନ୍ଦୀ କରିଦିଆଯାଏ, ପୃଥିବୀର ପରିବେଶ ସଂପୂର୍ଣ୍ଣ ରୂପେ ସୁରକ୍ଷିତ ରହିବ।

Editorial: ଉତ୍ପୀଡ଼କ ପ୍ରଶ୍ନ: ଗୌରହରି ଦାସଙ୍କ ସମ୍ପାଦକୀୟ ଓଡ଼ିଶା ଡାଏରିରେ ପଢ଼ନ୍ତୁ ଏଥର...

ନିଃସନ୍ଦେହରେ ଏହା ଏକ ସଂପୂର୍ଣ୍ଣ ଅବାସ୍ତବ ତଥା ଅତ୍ୟନ୍ତ ଉଦ୍ଭଟ ପ୍ରସ୍ତାବ। ଏହା କିନ୍ତୁ ସେଇ ଅକ୍‌ସଫୋର୍ଡ ଗବେଷକମାନଙ୍କର ଆବିଷ୍କାର ବହନ କରୁଥିବା ସନ୍ଦେଶ ଭିତରେ ଆତ୍ମଗୋପନ କରିଥିବା ଏକ ବିଶେଷ ନୈତିକ ଦୁର୍ବଳତାକୁ ଅନାବୃତ କରିଥାଏ। ତାହା ହେଲା: ପ୍ରତ୍ୟେକ ନୈତିକ ପ୍ରଶ୍ନକୁ ଏକ ଅଙ୍ଗାର ନିର୍ଗମନ ହିସାବରେ ପରିଣତ କରିବାର ପ୍ରବଣତା। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ମନୁଷ୍ୟ ସମାଜ ସମ୍ମୁଖରେ ଏକ ବିଶାଳ ଆହ୍ବାନ ହୋଇ ଉଭା ହୋଇଛି, ଗ୍ରିନ୍‌ହାଉସ୍ ଗ୍ୟାସ୍ ବା ଅଙ୍ଗାର ନିର୍ଗମନ ହେଉଛି ଯାହାର ଏକ ମୁଖ୍ୟ କାରଣ। କିନ୍ତୁ ମନୁଷ୍ୟର ସମଗ୍ର ନୈତିକ ଦୁନିଆର ପରିଧି ଏତିକିରେ ସୀମିତ ନୁହେଁ; ଅାମର ପ୍ରତ୍ୟେକ ନୈତିକ ମୂଲ୍ୟବୋଧକୁ ନିର୍ଗତ ଅଙ୍ଗାରର ଓଜନ ଆକାରରେ ହିସାବ କରାଯାଇ ପାରିବ ନାହିଁ। ତା’ହେଲେ ତ ପୃଥିବୀର ପ୍ରତ୍ୟେକ ନିର୍ଦ୍ଦୋଷ ବ୍ୟକ୍ତିକୁ ଜଘନ୍ୟ ଅପରାଧୀ ଭଳି ଆଜୀବନ କାରାବାସରେ ରହିବାକୁ ହେବ। ଠିକ୍ ସେହିପରି ମାଂସ ଓ ଅଣ୍ଡା ଉତ୍ପାଦନ ପାଇଁ ପାଳନ କରାଯାଉଥିବା କୁକୁଡ଼ା ଦ୍ବାରା ସୃଷ୍ଟ ଅଙ୍ଗାର ନିର୍ଗମନକୁ ହିସାବ କରି ତା’ର ସମସ୍ତ ସ୍ବାଧୀନତା ହରଣ କରି ତାକୁ ଖୁଆଡ଼ରେ ବନ୍ଦ କରି ରଖିବା ଗ୍ରହଣୀୟ ନୁହେଁ।
ପ୍ରଖ୍ୟାତ ଜୀବାଧିକାର ଦାର୍ଶନିକ ପିଟର୍ ସିଙ୍ଗର୍ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଆନିମଲ୍ ଲିବରେସନ୍’ରେ ଅତ୍ୟନ୍ତ ଶକ୍ତିଶଳୀ ଢଙ୍ଗରେ ଯୁକ୍ତି କରିଥିବା ଭଳି, ଯେ କୌଣସି ଜୀବନ୍ତ ପ୍ରାଣୀ ପ୍ରତି ଆମର ଆଚରଣ କିଭଳି ହେବା ଉଚିତ, ତାହା ସେ ପ୍ରାଣୀର କଥା କହିବାର କ୍ଷମତା କିମ୍ବା ପ୍ରତିବାଦ କରିବାର କ୍ଷମତା କିମ୍ବା ଭୋଟ ଦେବାର କ୍ଷମତା ଦ୍ବାରା ନିର୍ଣ୍ଣୀତ ହୋଇ ନ ଥାଏ; ତାହା ନିର୍ଣ୍ଣୀତ ହୋଇଥାଏ ସେ ପ୍ରାଣୀର ଯନ୍ତ୍ରଣା ଅନୁଭବ କରିବାର କ୍ଷମତା ଦ୍ବାରା। ଠିକ୍ ଯେଉଁଭଳି କଥା କହିପାରୁ ନ ଥିବା ଏକ ସଦ୍ୟଜାତ ଶିଶୁ କିମ୍ବା ବୋଧଶକ୍ତିହୀନ ଏକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପ୍ରତି ଆମେ ଏପରି କୌଣସି ଆଚରଣ ପ୍ରଦର୍ଶନ ନ କରିବାକୁ ଯତ୍ନବାନ ହୋଇଥାଉ, ଯାହା ସେମାନଙ୍କ ପାଇଁ ଯନ୍ତ୍ରଣାଦାୟକ ହେବ, ପ୍ରତ୍ୟେକ ପ୍ରାଣୀ ପ୍ରତି ଆମର ଆଚରଣ ସେଇଭଳି ହେବା ଉଚିତ।
ମାଂସାହାରୀ ମନୁଷ୍ୟମାନେ କୁକୁଡ଼ାର ମାଂସ ଓ ଅଣ୍ଡାକୁ ନିଜର ଖାଦ୍ୟରେ ପରିଣତ କରିବା ତ ଅବଧାରିତ; କିନ୍ତୁ ତା’ ପୂର୍ବରୁ କୁକୁଡ଼ାକୁ ଯନ୍ତ୍ରଣା ଜର୍ଜରିତ କରିବା ଅବଧାରିତ ନୁହେଁ। ଅଙ୍ଗାର ନିର୍ଗମନ ସୀମିତ କରିବା ଉଦ୍ଦେଶ୍ୟରେ କୁକୁଡ଼ାକୁ ଯନ୍ତ୍ରଣାଦାୟକ ଖୁଆଡ଼ରେ ବନ୍ଦୀ କରି ରଖିବା ସେଇଥିପାଇଁ ଗ୍ରହଣୀୟ ନୁହେଁ, ଅକ୍‌ସଫୋର୍ଡର ଗବେଷକମାନଙ୍କର ଅଙ୍ଗାର ନିର୍ଗମନ ହିସାବ ଯାହା ହୋଇଥାଉ ନା କାହିଁକି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.