ARTICLE AD BOX
ମା’ ଦୁର୍ଗାଙ୍କ ମୂର୍ତ୍ତି କହିଲେ ଆଖି ଆଗରେ ଭାସିଉଠେ ଦଶଭୁଜା ରୂପ। ୧୦ଟି ହାତରେ ବିଭିନ୍ନ ଅସ୍ତ୍ର ଧରି ସିଂହ ଉପରେ ବିରାଜମାନ ମା’ ଦୁର୍ଗା ମହିଷାସୁର ସହ ଯୁଦ୍ଧ କରୁଥିବାର ଦୃଶ୍ୟ ଦୁର୍ଗାପୂଜାରେ ବିଶେଷ ଆକର୍ଷଣ ପାଲଟିଥାଏ।
ପୌରାଣିକ ପରମ୍ପରାରେ ଦେବୀ ଦୁର୍ଗାଙ୍କୁ ଅସୁର ଶକ୍ତି ବିରୋଧରେ ଦେବତାମାନଙ୍କ ସମିଳିତ ଶକ୍ତିର ପ୍ରତୀକ ଭାବେ ଦର୍ଶାଯାଇଥାଏ। ମହିଷାସୁରକୁ ବଦ୍ଧ କରିବା ପାଇଁ ବିଭିନ୍ନ ଦେବତା ଦେବୀଙ୍କୁ ନିଜର ଅସ୍ତ୍ର ପ୍ରଦାନ କରିଥିଲେ। ତେଣୁ ତାଙ୍କର ବହୁ ହାତରେ ବିଭିନ୍ନ ଅସ୍ତ୍ର ଦେଖାଯାଏ। ଏହି ଅସ୍ତ୍ରଗୁଡ଼ିକ କେବଳ ଯୁଦ୍ଧର ସାଧନ ନୁହେଁ, ବରଂ ଭିନ୍ନ ଭିନ୍ନ ଶକ୍ତି ଓ ଗୁଣର ପ୍ରତୀକ ଭାବେ ମଧ୍ୟ ବ୍ୟାଖ୍ୟା କରାଯାଏ।
ଦେବତା ଓ ଅସ୍ତ୍ର
ପୌରାଣିକ ବର୍ଣ୍ଣନା ଅନୁସାରେ, ମହିଷାସୁର ସହ ଯୁଦ୍ଧ ପାଇଁ ଦେବୀ ଦୁର୍ଗାଙ୍କୁ ବିଭିନ୍ନ ଦେବତା ନିଜ ନିଜ ଦିବ୍ୟ ଅସ୍ତ୍ର ଓ ବସ୍ତୁ ପ୍ରଦାନ କରିଥିଲେ। ଭଗବାନ ଶିବ ଦେବୀଙ୍କୁ ତ୍ରିଶୂଳ, ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ର, ଦେବରାଜ ଇନ୍ଦ୍ର ବଜ୍ର ଓ ଐରାବତ ହାତୀର ବେକରୁ ଏକ ଦିବ୍ୟ ଘଣ୍ଟି ପ୍ରଦାନ କରିଥିଲେ। ସେହିପରି ବରୁଣ ଦେବ ଶଙ୍ଖ ଓ ପାଶ, ପବନ ଦେବ ଧନୁ ଓ ଶର, ଏବଂ ଅଗ୍ନି ଦେବ ଦିବ୍ୟ ଶକ୍ତି ଅସ୍ତ୍ର ପ୍ରଦାନ କରିଥିବାର କଥା ରହିଛି। ଏହାବ୍ୟତୀତ, ଯମରାଜ ଦେବୀଙ୍କୁ କାଳଦଣ୍ଡ ବା ଖଡ୍ଗ ଓ ଢାଲ, ବିଶ୍ୱକର୍ମା ଟାଙ୍ଗିଆ ଏବଂ ଅଭେଦ୍ୟ କବଚ, ପ୍ରଜାପତି ବ୍ରହ୍ମା କମଣ୍ଡଳୁ, ଅକ୍ଷମାଳା ଓ ପଦ୍ମ ପ୍ରଦାନ କରିଥିଲେ। କୁବେର ଦେବୀଙ୍କୁ ଗଦା ଦେଇଥିବାର ଉଲ୍ଲେଖ ମିଳେ। ଅନ୍ୟପଟେ ହିମବାନ ବା ପର୍ବତରାଜ ଦେବୀଙ୍କୁ ତାଙ୍କ ବାହନ ଭାବେ ଏକ ଶକ୍ତିଶାଳୀ ସିଂହ ପ୍ରଦାନ କରିଥିଲେ।
Nine Forms Of Maa Durga: ମା’ ଦୁର୍ଗାଙ୍କ ନବରୂପର ମହତ୍ତ୍ୱ
ଏହି ସମସ୍ତ ଦିବ୍ୟ ଅସ୍ତ୍ର ଓ ଶକ୍ତିର ସମାହାରରେ ଦେବୀ ଦୁର୍ଗା ମହିଷାସୁର ବିରୋଧରେ ଯୁଦ୍ଧ କରିଥିଲେ ବୋଲି ପୌରାଣିକ କଥାରେ ବର୍ଣ୍ଣିତ ହୋଇଛି। ଦେବୀଙ୍କ ଦଶଭୁଜା ରୂପରେ ଦେଖାଯାଉଥିବା ବିଭିନ୍ନ ଅସ୍ତ୍ର ଏହି ଦୈବୀ ଶକ୍ତିର ସମାହାରକୁ ପ୍ରତୀକାତ୍ମକ ଭାବେ ପ୍ରକାଶ କରେ।

48 minutes ago
2


