ARTICLE AD BOX
ଯୁଦ୍ଧ ବିଶାରଦମାନଙ୍କ ଆକଳନ ଅନୁସାରେ ହର୍ମୁଜ ଦଖଲ ସହିତ ଆମେରିକାର ଏହି ଯୁଦ୍ଧ ପ୍ରକଳ୍ପ ହୁଏତ ସମାପ୍ତ ହେବ। କାରଣ, ବର୍ତ୍ତମାନ ଆମେରିକା ଦୃଷ୍ଟିରେ ହର୍ମୁଜ ହିଁ ହେଉଛି ଗୋଟିଏ ସୁନା ଅଣ୍ଡା ଦେଉଥିବା କୁକୁଡ଼ା। ତେବେ, ଏହା ମଧ୍ୟ ସତ ଯେ ହର୍ମୁଜର ଚିନ୍ତାତୀତ ରଣନୈତିକ ଗୁରୁତ୍ବ ବୁଝି ସାରିଥିବା ଇରାନ ଅନ୍ତିିମ ରକ୍ତ ବିନ୍ଦୁ ଥିବା ଯାଏ ତାହାକୁ ରକ୍ଷା କରିବା ସକାଶେ ଲଢ଼ିପାରେ। ତେଣୁ ଯୁଦ୍ଧ ଦୀର୍ଘ କାଳ ଜାରି ରହିବାର ସମ୍ଭାବନା ବେଶ୍ ଦୃଢ଼।
ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧରେ ସଂପ୍ରତି ଦକ୍ଷିଣ ଇରାନ ଉପରେ ଆମେରିକୀ ଆକ୍ରମଣ ଅତ୍ୟନ୍ତ ତୀବ୍ର ହୋଇଥିବା ବେଳେ ଆମେରିକା ସିନେଟ୍ରେ ଯୁଦ୍ଧ ସକାଶେ ଅଧିକ ଅର୍ଥର ଦାବିକୁ ଡେମୋକ୍ରାଟ ସିନେଟରମାନଙ୍କ ବିରୋଧ ସେଠାକାର ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଥିଲେ ହେଁ ଯାହା ମୁଖ୍ୟ ଆଲୋଚନାର ବିଷୟବସ୍ତୁ ହୋଇଛି ତାହା ହେଲା ସରକାର ସ୍ବୀକାର କରିଥିବା ଯୁଦ୍ଧ ବ୍ୟୟର ପରିମାଣ, ଯାହା ଏ ଯାବତ୍ ଅର୍ଥାତ୍ ପାଞ୍ଚ ମାସର ଅବଧିରେ ହୋଇଛି ୩୭.୫ ବିଲିଅନ ଡଲାର। ଏଥିରେ ଦ୍ବିରୁକ୍ତି ନାହିଁ ଯେ ପ୍ରକୃତ ପକ୍ଷେ ଏହି ବ୍ୟୟର ପରିମାଣ ଆହୁରି ଅଧିକ ହୋଇଥିବ। ଏହି ଯୁଦ୍ଧ ଚଳାଇ ରଖିବା ସକାଶେ ଆମେରିକା ସରକାର ଅତିରିକ୍ତ ୮୭ ବିଲିଅନ ଡଲାରର ପ୍ରାବଧାନ ଚାହାନ୍ତି, ଯାହା ଫଳରେ ଯୁଦ୍ଧ ବ୍ୟୟର ପରିମାଣ ହୋଇଯିବ ପ୍ରାୟ ୧.୩ ଟ୍ରିଲିଅନ ଡଲାର, ଅର୍ଥାତ୍ ଭାରତୀୟ ଜି.ଡି.ପି.ର ପ୍ରାୟ ଏକ-ଚତୁର୍ଥାଂଶ। ଉଲ୍ଲେଖଯୋଗ୍ୟ ଯେ ଏହି ଯୋଜନାବିହୀନ ଓ ଲକ୍ଷ୍ୟହୀନ ଯୁଦ୍ଧକୁ ନେଇ ସମାଲୋଚକମାନେ ମୁଖର, କାରଣ ଅହଙ୍କାରୀ ଟ୍ରମ୍ପଙ୍କ ନେତୃତ୍ବାଧୀନ ଆମେରିକା କୌଣସି ନିର୍ଦ୍ଦିଷ୍ଟ କାରଣ ନ ପାଇଲା ପର୍ଯ୍ୟନ୍ତ ଏହି ଯୁଦ୍ଧରୁ ଓହରି ଯିବ ନାହିଁ ବା ଯୁଦ୍ଧକୁ ବନ୍ଦ କରିବ ନାହିଁ, ଅର୍ଥାତ୍ ତାହା ଦୀର୍ଘକାଳୀନ ହୋଇ ଆମେରିକାର ଅର୍ଥନୀତି ଉପରେ ଗଭୀର ଚାପ ସୃଷ୍ଟି କରିବ। ଏଭଳି ସ୍ଥିତରେ ଯୁଦ୍ଧ ଅର୍ଥନୀତି ଓ ଆମେରିକୀ ସୁବିଧାବାଦକୁ ଘେନି ଏକ କ୍ଷୁଦ୍ର ଆଲୋଚନା କରାଯାଇପରେ।
ଏହା ସର୍ବଜନବିଦିତ ଯେ ଆମେରିକା ସର୍ବଦା ଦୂର ଦେଶଗୁଡ଼ିକରେ ଯୁଦ୍ଧ କରିବା ସକାଶେ ଆଗଭର ହୋଇଥାଏ, ଯାହା ପଛରେ ଯଦିଓ ରହିଥାଏ ଭୂ-ରଣନୈତିକ ବା ଭୂ-ରାଜନୈତିକ ଭାରସାମ୍ୟକୁ ନିଜ ପକ୍ଷକୁ ଢଳାଇବା ବା ଖଣିଜ ତୈଳ ଭଳି ପ୍ରଭାବଶାଳୀ ପ୍ରାକୃତିକ ସଂସାଧନର ଉତ୍ସ ଉପରେ ପତିଆରା ଜମାଇବା ଭଳି ଦୁରଭିସନ୍ଧି, କିନ୍ତୁ ପ୍ରକାଶ୍ୟ ଉଦ୍ଦେଶ୍ୟ ଭାବେ ଦର୍ଶାଯାଇଥାଏ ସେ କୌଣସି ଦେଶର ଅତ୍ୟାଚାରୀ ଶାସନର ଉନ୍ମୂଳନ ଓ ଗଣତନ୍ତ୍ରର ପ୍ରତିଷ୍ଠା ଅଥବା କୌଣସି ଦାୟିତ୍ବହୀନ ସରକାର ହାତରେ ଥିବା ଗଣବିଧ୍ବଂସୀ ଅସ୍ତ୍ର ଭଣ୍ଡାରର ବିଲୋପନ (ଇରାନ ଭଳି) ଇତ୍ୟାଦି, ଯାହାର ଅର୍ଥ ସତେ ଯେମିତି ଆମେରିକା ହେଉଛି ପୃଥିବୀର ତ୍ରାଣକର୍ତ୍ତା! ଏହା ସୁବିଦିତ ଯେ ଇରାନ ବିରୋଧରେ ଯୁଦ୍ଧ ସେହି ଆଳରେ ଆରମ୍ଭ ହୋଇଥିଲା, ଅର୍ଥାତ୍ ଧର୍ମଗୁରୁ ଆୟାତୋଲ୍ଲାଙ୍କ ନିର୍ମମ ଏକଛତ୍ରବାଦୀ ଶାସନର ପତନ ଲକ୍ଷ୍ୟରେ। ଆମେରିକାର ଧାରଣା ଥିଲା ଯେ ଏଭଳି ଆକ୍ରମଣ ଆରମ୍ଭ ହୋଇଗଲେ ଇରାନର ଗଣତନ୍ତ୍ରକାମୀ ନାଗରିକମାନେ ବାହାରି ପଡ଼ି କ୍ଷମତାସୀନ ସରକାରଙ୍କୁ ଗାଦିଚ୍ୟୁତ କରିଦେବେ, ଯାହା କିନ୍ତୁ ଏକ ଭ୍ରାନ୍ତିରେ ପରିଣତ ହେଲା। ତା’ ପରଠାରୁ ଟ୍ରମ୍ପ ଏ ଯୁଦ୍ଧ ନେଇ ତାଙ୍କ ଲକ୍ଷ୍ୟର କେନ୍ଦ୍ରକୁ ବଦଳାଇବାରେ ଲାଗିଛନ୍ତି, ଯେମିତି ପରମାଣୁ ବୋମା ନିର୍ମାଣର ଇରାନୀ ଉଦ୍ୟମକୁ ପଣ୍ଡ କରିବା ଏବଂ ସଦ୍ୟତମଟି ହେଲା ହର୍ମୁଜକୁ ଇରାନୀ ନିୟନ୍ତ୍ରଣରୁ ମୁକ୍ତ କରିବା। କହିବାର ତାତ୍ପର୍ଯ୍ୟ ହେଲା, ଯୁଦ୍ଧ ନେଇ ଆମେରିକୀୟ ନିଷ୍ପତ୍ତି ପୂର୍ବରୁ କଦାପି ଏଭଳି ଅର୍ବାଚୀନସୁଲଭ ଅପରିପକ୍ବ ହୋଇନାହିଁ। ବାସ୍ତବରେ ଇସ୍ରାଏଲର ପ୍ରରୋଚନାରେ, ଇସ୍ରାଏଲର ଜାତଶତ୍ରୁ ଇରାନ ବିରୋଧରେ ଯେଉଁ ଯୁଦ୍ଧକୁ ଆମେରିକା ଗଲା ଫେବ୍ରୁଆରି ୨୮ ତାରିଖରେ କୁଦି ପଡ଼ିଥିଲା, ସେ ଯୁଦ୍ଧ ଆମେରିକା ସକାଶେ ନିତାନ୍ତ ଅନାବଶ୍ୟକ ଥିଲା। ଅଥଚ ଅବଲୀଳା କ୍ରମେ ତାହା ବର୍ତ୍ତମାନ ଆମେରିକାର ନିଜସ୍ବ ଯୁଦ୍ଧରେ ପରିଣତ ହୋଇ ସାରିଛି, ଯହିଁରେ ଟ୍ରମ୍ପଙ୍କ ଅହମିକା ପୂର୍ତ୍ତି ସକାଶେ ସେଠାକାର ରାଜକୋଷକୁ ବିପୁଳ ଅର୍ଥ ବ୍ୟୟ କରିବାକୁ ପଡୁଛି।
ଲକ୍ଷ୍ୟ କରିବାର କଥା ଯେ ଆମେରିକା ଦୂର ସ୍ଥାନରେ ହିଁ ଯୁଦ୍ଧ କରିବାରେ ବ୍ୟାପୃତ ରହିଥାଏ, ଯାହା ପଛରେ ଏକ ପ୍ରକାର ସୁବିଧାବାଦ ରହିଛି ବୋଲି ଯୁଦ୍ଧ ବିଶେଷଜ୍ଞମାନେ କହନ୍ତି। ୧୭୭୬ ମସିହାରୁ ୨୦୧୯ ମସିହା ମଧ୍ୟରେ ଅର୍ଥାତ୍ ପ୍ରାୟ ଅଢ଼େଇ ଶହ ବର୍ଷ ଅବଧିରେ ଆମେରିକା ଲଢ଼ିଥିବା ୩୯୨ଟି ଯୁଦ୍ଧର ତର୍ଜମା କରି ଗବେଷକ ସିଡିଟା କୁସି ଏବଂ ମୋନିକା ଡୋଫିଟଫ୍ଟ ତାଙ୍କ ଅଧ୍ୟୟନ (ଇଣ୍ଟ୍ରଡ୍ୟୁସିଙ୍ଗ ୟୁ.ଏସ. ମିଲିଟାରି ଇଣ୍ଟରନେସନ ପ୍ରୋଜେକ୍ଟ)ରେ କହିଛନ୍ତି ଯେ ଲାଟିନ ଆମେରିକା, ଏସିଆ, ଉତ୍ତର ଆଫ୍ରିକା, ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ଦୂରବର୍ତ୍ତୀ ସ୍ଥାନରେ ହସ୍ତକ୍ଷେପ କରିବା ସହିତ ଯୁଦ୍ଧରେ ବ୍ୟାପୃତ ରହି ଆମେରିକା ପ୍ରକାରାନ୍ତରେ ଅନେକ ଲାଭର ହିତାଧିକାରୀ ହୋଇଛି, ଯାହା ଏକ ପ୍ରକଳ୍ପ ବା ପ୍ରୋଜେକ୍ଟ ତୁଲ୍ୟ ଦିଶିଥାଏ। ଦ୍ବିତୀୟ ବିଶ୍ବଯୁଦ୍ଧରେ ସଂପୃକ୍ତି ହେତୁ ସମୃଦ୍ଧ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ବିଧ୍ବସ୍ତ ଏବଂ ସେମାନଙ୍କ ଅର୍ଥନୀତି ଭୂଲୁଣ୍ଠିତ ହୋଇ ଯାଇଥିବା ବେଳେ ଆମେରିକା ଏହି ଯୁଦ୍ଧରେ ସଂପୃକ୍ତ ଥିବା ସତ୍ତ୍ବେ ପ୍ରଭୂତ ବିତ୍ତ ଅର୍ଜନରେ ସକ୍ଷମ ହୋଇଥିଲା। ଯୁଦ୍ଧ ହେତୁ ୟୁରୋପୀୟ ଉଦ୍ୟୋଗ ବିପର୍ଯ୍ୟସ୍ତ ହୋଇ ପଡ଼ିବା କାରଣରୁ ଯୁଦ୍ଧ ସରଞ୍ଜାମ ଓ ଅସ୍ତ୍ରଶସ୍ତ୍ର ଉତ୍ପାଦନ ସକାଶେ ଆମେରିକୀୟ ଉଦ୍ୟୋଗ ଉପରେ ନିର୍ଭରଶୀଳ ହେବାକୁ ପଡ଼ିଥିଲା, ଯେଉଁ କାରଣରୁ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଆମେରିକା ପୃଥିବୀର ବିଶାଳତମ ମିଲିଟାରି ଶିଳ୍ପ ରୂପେ ଆବିର୍ଭୂତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଯୁଦ୍ଧ ସ୍ଥଳରୁ ନିରାପଦ ଦୂରତାରେ ରହି ଫୋର୍ଡ ଭଳି ମୋଟର ଗାଡ଼ି ନିର୍ମାତା କଂପାନିଗୁଡ଼ିକ ଟ୍ୟାଙ୍କ ବା ଯୁଦ୍ଧ ବିମାନର ଯନ୍ତ୍ରାଂଶ ଆଦିର ନିର୍ମାଣରେ ବ୍ରତୀ ହୋଇଥିଲେ; ଏପରି କି ଆଇ.ବି.ଏମ. ଭଳି ଡେଟା ପ୍ରୋସେସିଂ କଂପାନି ମଧ୍ୟ ସାମରିକ ପରିବହନ ଗାଡ଼ି ଓ ଟ୍ୟାଙ୍କ ଆଦି ନିର୍ମାଣରେ ପ୍ରବୃତ୍ତ ହୋଇଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧର ସମାପ୍ତି େବଳକୁ ଶ୍ମଶାନରେ ପରିଣତ ୟୁରୋପ ସମ୍ମୁଖରେ ଆମେରିକା ପୃଥିବୀର ସର୍ବାଧିକ ବିତ୍ତଶାଳୀ ରାଷ୍ଟ୍ର ରୂପେ ଦଣ୍ଡାୟମାନ ହୋଇଥିଲା।
କହିବା ଅନାବଶ୍ୟକ ଯେ ସୀମା ବିବାଦରୁ ଉତ୍ପନ୍ନ ଦୁଇ ପଡ଼ୋଶୀ ଦେଶଙ୍କ ଯୁଦ୍ଧରେ ଏଭଳି ଘଟି ନ ଥାଏ; ଯୁଦ୍ଧ ଦୀର୍ଘ କାଳ ଲାଗି ରହିଲେ ସ୍ବାଭାବିକ ଭାବେ ଉଭୟ ଦେଶ ଭଗ୍ନ ଓ କଙ୍କାଳସାର ହୋଇ ଯାଆନ୍ତି; ଯାହାର ଦୃଷ୍ଟାନ୍ତମାନ ବୁଭୁକ୍ଷା ଓ ନୈରାଜ୍ୟ ଜର୍ଜର ଉପସାହାରୀୟ ଆଫ୍ରିକୀୟ ଦେଶଗୁଡ଼ିକରୁ ମିଳିଥାଏ। ୨୦୨୨ ମସିହାରେ ପଡ଼ୋଶୀ ୟୁକ୍ରେନ ସହିତ ଯୁଦ୍ଧ ଆରମ୍ଭ କରିବା ପୂର୍ବରୁ ଅର୍ଥନୈତିକ ସମୃଦ୍ଧି ଦୃଷ୍ଟିରୁ ପ୍ରାୟ ୧.୫ ଟ୍ରିଲିଅନ ଡଲାର ଜି.ଡି.ପି. ସହିତ ରୁଷିଆର ସ୍ଥାନ ଥିଲା ଏକାଦଶମ। ଚାରି ବର୍ଷର ଅବିଶ୍ରାନ୍ତ ଯୁଦ୍ଧ ହେତୁ ସଂପ୍ରତି ରୁଷିଆର ଅର୍ଥନୀତି ମୁକ୍ତ-ପତନର ସମ୍ମୁଖୀନ ହେଲାଣି, ଯହିଁରେ ଅଭିବୃଦ୍ଧି ହାର ହୋଇଛି ମାତ୍ର ୦.୨ ରୁ ୦.୪ ପ୍ରତିଶତ। ସେହିଭଳି ୟୁକ୍ରେନ ମୁଖ୍ୟତଃ କିଛି ପାଶ୍ଚାତ୍ୟ ରାଷ୍ଟ୍ରର ସହାୟତା ଓ ଋଣ ଆଧାରରେ ତିଷ୍ଠି ରହିଛି, ଯାହାର ଅଭିବୃଦ୍ଧି ହାର ହେଉଛି ମାତ୍ର ୦.୫ ପ୍ରତିଶତ। କହିବାର ଉଦ୍ଦେଶ୍ୟ ହେଲା, ଆମେରିକାର ଭିତ୍ତିିଭୂମି ଓ ମାନବ ସମ୍ବଳ ଉଭୟ ପ୍ରତ୍ୟକ୍ଷ ଯୁଦ୍ଧର ତ୍ରାସ ଦେଖି ନାହାନ୍ତି; ବରଂ ଦୂର ଯୁଦ୍ଧର ପ୍ରକଳ୍ପରୁ ଆମେରିକା ଲାଭ ଅମଳ କରିଛି।
ଯୁଦ୍ଧ ବିଶାରଦମାନଙ୍କ ଆକଳନ ଅନୁସାରେ ହର୍ମୁଜ ଦଖଲ ସହିତ ଆମେରିକାର ଏହି ଯୁଦ୍ଧ ପ୍ରକଳ୍ପ ହୁଏତ ସମାପ୍ତ ହେବ। କାରଣ, ବର୍ତ୍ତମାନ ଆମେରିକା ଦୃଷ୍ଟିରେ ହର୍ମୁଜ ହିଁ ହେଉଛି ଗୋଟିଏ ସୁନା ଅଣ୍ଡା ଦେଉଥିବା କୁକୁଡ଼ା। ତେବେ, ଏହା ମଧ୍ୟ ସତ ଯେ ହର୍ମୁଜର ଚିନ୍ତାତୀତ ରଣନୈତିକ ଗୁରୁତ୍ବ ବୁଝି ସାରିଥିବା ଇରାନ ଅନ୍ତିିମ ରକ୍ତ ବିନ୍ଦୁ ଥିବା ଯାଏ ତାହାକୁ ରକ୍ଷା କରିବା ସକାଶେ ଲଢ଼ିପାରେ। ତେଣୁ ଯୁଦ୍ଧ ଦୀର୍ଘ କାଳ ଜାରି ରହିବାର ସମ୍ଭାବନା ବେଶ୍ ଦୃଢ଼। ଏବଂ ଟ୍ରମ୍ପ ଜାଣନ୍ତି ଯେ ମାତ୍ରାତିରିକ୍ତ ବ୍ୟୟ ସତ୍ତ୍ବେ ଏହି ଯୁଦ୍ଧ ଚଳାଇ ରଖିବାକୁ ହେଲେ, ଯୁଦ୍ଧର ଘନଘଟା ପ୍ରତ୍ୟକ୍ଷ କରି ନ ଥିବା (୧୯୪୧ ମସିହାର ପର୍ଲ ହାର୍ବୋର ଉପରେ ଜାପାନୀ ଆକ୍ରମଣକୁ ବାଦ ଦେଲେ) ଆମେରିକାରେ ତାଙ୍କୁ କେବଳ ବାଚନିକ ସମାଲୋଚନା ବ୍ୟତୀତ ଅନ୍ୟ କୌଣସି ଅନ୍ତରାୟର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

2 hours ago
2


