ARTICLE AD BOX
ଟ୍ରମ୍ପଙ୍କର କାର୍ଯ୍ୟ ଯାହା ଶେଷରେ ହାସଲ କରିବା ପାଇଁ ଉଦ୍ଦିଷ୍ଟ, ତାହା ହେଲା ‘ଜୋଗା ବନିତୋ’ ବା ‘ସୁନ୍ଦର ଖେଳ’ ନାମରେ ପରିଚିତ ଫୁଟ୍ବଲ୍ର ଭାବମୂର୍ତ୍ତିକୁ କୁତ୍ସିତ କରିବା। କିନ୍ତୁ ମନେହୁଏ ଟ୍ରମ୍ପଙ୍କର ମୁକାବିଲା ପାଇଁ ଇନ୍ଫାଣ୍ଟିନୋଙ୍କର ମେରୁଦଣ୍ଡ ନ ଥିବାବେଳେ, ଫୁଟ୍ବଲ୍କୁ କିନ୍ତୁ ନିଜର ମହତ ରକ୍ଷା କରିବାର ଉପାୟ ଜଣା ଅଛି: ଫୋଲାରିନ୍ ବାଲୋଗନ୍ ଖେଳିବା ସତ୍ତ୍ବେ ଆମେରିକା ବେଲ୍ଜିଅମ୍ ଠାରୁ ୧-୪ ଗୋଲ୍ରେ ଶୋଚନୀୟ ଭାବରେ ପରାସ୍ତ ହୋଇଛି!
Egypt The Octagon: ଇଜିପ୍ଟର ଦି ଅକ୍ଟାଗନ୍
ଉତ୍ତର ଆମେରିକାରେ ବର୍ତ୍ତମାନ ଆୟୋଜିତ ହୋଇ ଆଗେଇ ଚାଲିଥିବା ଫୁଟ୍ବଲ୍ ୱର୍ଲଡ କପ୍ ଟୁର୍ନାମେଣ୍ଟ ସମଗ୍ର ପୃଥିବୀବାସୀଙ୍କୁ ସମ୍ମୋହିତ କରି ରଖିଛି। ସେମାନଙ୍କୁ କେବଳ ଆର୍ଜେଣ୍ଟିନା କିମ୍ବା ଫ୍ରାନ୍ସ କିମ୍ବା ବ୍ରାଜିଲ୍ ପରି ପୃଥିବୀର ଛାମୁଆଁ ଫୁଟ୍ବଲ୍ ଶକ୍ତି ରୂପେ ପରିଚିତ ଦେଶର ଖେଳାଳିମାନଙ୍କର ପ୍ରଦର୍ଶନ ଯେ ଉଚ୍ଚାଟିତ କରିବାରେ ଲାଗିଛି, ତାହା ନୁହେଁ, କେପ୍ ଭର୍ଡି କିମ୍ବା କୁରାକାଓ ପରି କ୍ଷୁଦ୍ରାତିକ୍ଷୁଦ୍ର ତଥା ଅନାମଧ୍ୟେୟ ଦେଶର ଟିମ୍ମାନଙ୍କର ଖେଳ ମଧ୍ୟ ସେମାନଙ୍କୁ ମନ୍ତ୍ରମୁଗ୍ଧ କରି ତୋଳିଛି। ଉଦାହରଣ ସ୍ବରୂପ କେପ୍ ଭର୍ଡି ଯେତେବେଳେ ୟୁରୋପୀୟ ଚାମ୍ପିଅନ୍ ସ୍ପେନ୍କୁ ଏକ ଡ୍ର’ରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ କଲା, ତାହା ଫୁଟ୍ବଲ୍ ଜଗତରେ ଯେଉଁ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା, ତାହା ଏବେ ମଧ୍ୟ ପ୍ରଶମିତ ହୋଇନାହିଁ।
ଏହା ସମ୍ଭବ ହେବାର କାରଣ ହେଲା- ଅନ୍ୟ ସମସ୍ତ ଖେଳ ଭଳି ଫୁଟ୍ବଲ୍ ଖେଳ ମଧ୍ୟ କେତେକ ବିଧିବଦ୍ଧ ନିୟମ ଦ୍ବାରା ନିୟନ୍ତ୍ରିତ ହୋଇଥାଏ ଏବଂ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଇ ନିୟମମାନ ସବୁ ଖେଳାଳିମାନଙ୍କ ପ୍ରତି ସମାନ ଭାବରେ ଲାଗୁ ହୋଇଥାଏ। ଏକ ନିର୍ଦ୍ଦିଷ୍ଟ ଦିନରେ ଯେଉଁ ଖେଳାଳି ସେଇ ନିୟମମାନଙ୍କର ଗଣ୍ଡି ଭିତରେ ରହି ଉତ୍ତମ ଖେଳ ପ୍ରଦର୍ଶନ କରିଥାନ୍ତି, ସେ ହିଁ ସଫଳତା ହାସଲ କରିଥାନ୍ତି। ଖେଳପଡ଼ିଆରେ ଏଇ ନିୟମମାନଙ୍କର ଅନୁପାଳନ ନିଶ୍ଚିତ କରିବାର ଦାୟିତ୍ବ ନ୍ୟସ୍ତ ହୋଇଥାଏ ରେଫରିଙ୍କ ଉପରେ, ଯାହାଙ୍କ ଦୃଷ୍ଟିରେ ପ୍ରତ୍ୟେକ ଖେଳାଳି ହୋଇଥାନ୍ତି ସମାନ- ଜଣେ ଖେଳାଳିଙ୍କୁ କୌଣସି ନିୟମ ଉଲ୍ଲଂଘନ ପାଇଁ ଦଣ୍ଡିତ କଲାବେଳେ ସେ ସଂପୃକ୍ତ ଖେଳାଳିଙ୍କର ଖ୍ୟାତି କିମ୍ବା ଜାତୀୟତା କିମ୍ବା ରାଜନୈତିକ ସଂପର୍କ ଦ୍ବାରା ପ୍ରଭାବିତ ହୋଇ ନଥାନ୍ତି।
ଏବେ କିନ୍ତୁ ଚଳିତ ଟୁର୍ନାମେଣ୍ଟର ଅନ୍ୟତମ ଆୟୋଜକ ଦେଶ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୂଟନୀତି ଓ ଆନ୍ତର୍ଜାତିକ ବାଣିଜ୍ୟ ଆଦି କ୍ଷେତ୍ରରେ ପୃଥିବୀରେ ଦୀର୍ଘ କାଳ ଧରି କାର୍ଯ୍ୟ କରି ଆସୁଥିବା ନୀତିନିୟମଭିତ୍ତିକ ବ୍ୟବସ୍ଥାର ଧ୍ବଂସ ସାଧନ କରିବା ପରେ ବର୍ତ୍ତମାନ ଖେଳକସରତ କ୍ଷେତ୍ରରେ ଅନୁପ୍ରବେଶ କରି ଫୁଟ୍ବଲ୍ର ଏଇ ମୌଳିକ ନିୟମକୁ ପାଦରେ ଦଳିଦେଇ ଫୁଟ୍ବଲ୍ର ସର୍ବୋଚ୍ଚ ନିୟନ୍ତ୍ରକ ସଂଗଠନ ‘ଫିଫା’ ଠାରୁ ନିଜ ଦେଶର ଜଣେ ଖେଳାଳିଙ୍କ ସପକ୍ଷରେ ଏକ ନିଷ୍ପତ୍ତି ଆଦାୟ କରିବାରେ ସଫଳ ହୋଇଛନ୍ତି। ଆମେରିକାର ସେଇ ଚର୍ଚ୍ଚିତ ଖେଳାଳି ହେଉଛନ୍ତି ଫୋଲାରିନ୍ ବାଲୋଗନ୍। ବୋସନିଆ ବିପକ୍ଷରେ ଏକ ମ୍ୟାଚ୍ରେ ପ୍ରତିପକ୍ଷର ଜଣେ ଖେଳାଳିଙ୍କୁ ଫାଉଲ୍ ମାରିବା ଯୋଗୁଁ ତାଙ୍କୁ ରେଫରି ରେଡ୍ କାର୍ଡ ଦେଖାଇଥିଲେ ଓ ‘ଭିଏଆର୍’ ଦ୍ବାରା ସମୀକ୍ଷା କରାଯିବା ପରେ ତାଙ୍କୁ ପରବର୍ତ୍ତୀ ଗୋଟିଏ ମ୍ୟାଚ୍ରୁ ନିଲମ୍ବିତ କରାଯାଇଥିଲା। ଏଇଠି ପ୍ରବେଶ କରନ୍ତି ଟ୍ରମ୍ପ। ପୃଥିବୀର ସର୍ବାଧିକ ଶକ୍ତିଶାଳୀ ବ୍ୟକ୍ତି ଆମେରିକାର ରାଷ୍ଟ୍ରପତି ‘ଫିଫା’ର ସଭାପତି ଜିଆନି ଇନ୍ଫାଣ୍ଟିନୋଙ୍କୁ ଟେଲିଫୋନ୍ କରି ଏ ସଂପର୍କରେ ପ୍ରତିବାଦ କରିବା ମାତ୍ରେ ‘ଫିଫା’ ବାଲୋଗନ୍ଙ୍କ ନିଲମ୍ବନକୁ ତତ୍କ୍ଷଣାତ୍ ପ୍ରତ୍ୟାହାର କରିଦେଇଛି।
ଏଠାରେ ଉଲ୍ଲେଖ ପ୍ରୟୋଜନ ଯେ ଡୋନାଲ୍ଡ ଟ୍ରମ୍ପଙ୍କ ନିକଟରେ ଇନ୍ଫାଣ୍ଟିନୋଙ୍କର ଏହା ପ୍ରଥମ ଆତ୍ମସମର୍ପଣ ନୁହେଁ। ଏଥିପୂର୍ବରୁ ଏକ ସଂପୂର୍ଣ୍ଣ ଅଭାବିତ ପଦକ୍ଷେପ ନେଇ ଡିସେମ୍ବର ୨୦୨୫ରେ ‘ଫିଫା’ ତରଫରୁ ଇନ୍ଫାଣ୍ଟିନୋ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଶାନ୍ତି ପୁରସ୍କାର ପ୍ରଦାନ କରିଥିଲେ, ଯାହାକୁ ନୋବେଲ୍ ଶାନ୍ତି ପୁରସ୍କାର ଲାଭ କରିବାରେ ବିଫଳ ହୋଇ ପାଗଳପ୍ରାୟ ହେଉଥିବା ଟ୍ରମ୍ପ ସାଦରେ ଗ୍ରହଣ କରିଥିଲେ। ଏଭଳି ଏକ ଶାନ୍ତି ପୁରସ୍କାର ଥିଲା ସଂପୂର୍ଣ୍ଣ ରୂପେ ଇନ୍ଫାଣ୍ଟିନୋଙ୍କର ନିଜସ୍ବ ଉଦ୍ଭାବନ। ଟ୍ରମ୍ପଙ୍କର ସେଇ ତୋଷାମଦକାରୀ ଇନ୍ଫାଣ୍ଟିନୋ ବର୍ତ୍ତମାନ ଟ୍ରମ୍ପଙ୍କ ନିର୍ଦ୍ଦେଶ ପାଳନ କରି ବାଲୋଗନ୍ଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେବାରେ ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କିନ୍ତୁ ଖେଳକୁଦ ଦୁନିଆରେ ବେଳେବେଳେ ଏପରି ଏକ ମୁହୂର୍ତ୍ତର ଆବିର୍ଭାବ ଘଟିଥାଏ, ଯେତେବେଳେ ସ୍କୋରବୋର୍ଡରେ ପ୍ରଦର୍ଶିତ ଫଳାଫଳ ତା’ର ଗୁରୁତ୍ବ ହରାଇ ବସିଥାଏ ଏବଂ ଯାହା ସର୍ବାଧିକ ଗୁରୁତ୍ବ ବହନ କରିଥାଏ, ତାହା ହେଲା ପ୍ରତିଯୋଗିତାରେ ଖେଳର ନିୟମମାନଙ୍କର ପବିତ୍ରତା ଅକ୍ଷୁଣ୍ଣ ରହିଛି କି ନାହିଁ। ଡୋନାଲ୍ଡ ଟ୍ରମ୍ପଙ୍କ ନିକଟରେ ନତମସ୍ତକ ହୋଇ ‘ଫିଫା’ ବାଲୋଗନ୍ଙ୍କ ପ୍ରତି କରିଥିବା ଅନୁଗ୍ରହ ପ୍ରଦର୍ଶନ ହେଉଛି ସେଇଭଳି ଏକ ମୁହୂର୍ତ୍ତ।
ପୂର୍ବରୁ କୁହାଯାଇଥିବା ଭଳି ପ୍ରତ୍ୟେକ ଖେଳାଳି ପ୍ରତି ନିୟମ ସମାନ ଭାବରେ ଲାଗୁ ହେବା ହେଉଛି ଫୁଟ୍ବଲ୍ର ବିଶ୍ବବ୍ୟାପୀ ଆକର୍ଷଣର ମୂଳାଧାର। ‘ଫିଫା’ର କାର୍ଯ୍ୟ ଫୁଟ୍ବଲ୍ର ସେଇ ମୂଳ ଭିତ୍ତିକୁ ଦୋହଲାଇ ଦେଇଛି। ପୃଥିବୀରେ ସମସ୍ତ ପ୍ରକାର କ୍ରୀଡ଼ା ପ୍ରତିଯୋଗିତାର ଏନ୍ତୁଡ଼ିଶାଳ ରୂପେ ବିବେଚିତ ପ୍ରାଚୀନ ଗ୍ରୀସ୍ରେ ଅନୁଷ୍ଠିତ ଅଲିମ୍ପିକ୍ସ ପ୍ରତିଯୋଗିତା ଏଇ ସାମ୍ୟବାଦୀ ନିୟମ ଉପରେ ଆଧାରିତ ଥିଲା। ଗ୍ରୀକ୍ମାନେ ଏଇ ସମାନତା ନିୟମର ନାମକରଣ କରିଥିଲେ- ‘ଆଇସୋନୋମିଆ’, ଯାହାର ଅର୍ଥ ହେଲା: ସର୍ବସହମତ ନିୟମ ଆଗରେ ସମସ୍ତେ ସମାନ। ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଧନୀ ନଗର ରାଷ୍ଟ୍ର (ସିଟି ଷ୍ଟେଟ୍) ଓ ଗରିବ ନଗର ରାଷ୍ଟ୍ରମାନଙ୍କ ପ୍ରତି ପ୍ରତିଯୋଗିତାର ନିୟମମାନ ସମାନ ଭାବରେ ଲାଗୁ ହେଉଥିଲା। ସେଠାରେ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାକୁ ତୁଷ୍ଟ କରିବା ପାଇଁ ପ୍ରତିଯୋଗିତାର ଆୟୋଜକମାନେ ଦୁର୍ବଳ ରାଷ୍ଟ୍ର ବୋସନିଆ ବିରୁଦ୍ଧରେ ନିଷ୍ପତ୍ତି ଗ୍ରହଣ କରନ୍ତେ ନାହିଁ।
Blind Belief: ୫ ବର୍ଷରେ ଗୁଣିଗାରେଡ଼ି ସନ୍ଦେହରୁ ଗଡ଼ିଲାଣି ୭ ମୁଣ୍ଡ
ଉଭୟ ଖେଳାଳି ଓ ଦର୍ଶକମାନେ ଭଲ ରୂପେ ଜାଣନ୍ତି ଯେ ପ୍ରତ୍ୟେକ ଖେଳ କେତେକ ମନୁଷ୍ୟସୃଷ୍ଟ ନିୟମ ଦ୍ବାରା ବନ୍ଧା ହୋଇଥାଏ। ଜଣେ ଖେଳାଳି ଯେତେବେଳେ ପଡ଼ିଆକୁ ଓହ୍ଲାଇଥାଏ, ସେ ଜାଣିଥାଏ ଯେ ତା’ର ସ୍ବାଧୀନତା ଏଇ ନିୟମମାନଙ୍କ ଦ୍ବାରା ସୀମିତ ହୋଇଥାଏ। ଦାର୍ଶନିକ ବର୍ନାଡ ସୁଟ୍ସଙ୍କ ପ୍ରସିଦ୍ଧ ମନ୍ତବ୍ୟ ଅନୁସାରେ, ସ୍ବେଚ୍ଛାରେ ଏଇ ସମସ୍ତ ପ୍ରତିବନ୍ଧକମାନଙ୍କୁ ଗ୍ରହଣ କରିବା ହେଉଛି କ୍ରୀଡ଼ାକସରତର ଅସଲ ପରିଚୟ। ବାଲୋଗନ୍ ଯେତେବେଳେ ଏଇ ନିୟମର ଉଲ୍ଲଂଘନ କଲେ, ସ୍ବାଭାବିକ ଭାବରେ ସେ ସେଥିପାଇଁ ଧାର୍ଯ୍ୟ ଦଣ୍ଡ ପାଇବା ଉଚିତ। ତାଙ୍କର ଦେଶର ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଯୋଗୁଁ ଯଦି ତାଙ୍କୁ ଏହି ଦଣ୍ଡରୁ ଅବ୍ୟାହତି ଦିଆଯାଏ, ତାହା ପ୍ରତିଯୋଗିତାର ନ୍ୟାୟୋଚିତ ଚରିତ୍ର ସମ୍ବନ୍ଧରେ ସନ୍ଦେହ ସୃଷ୍ଟି କରିଥାଏ। ଏଥିରୁ ଏକ ଧାରଣା ସୃଷ୍ଟି ହୋଇଥାଏ ଯେ ଏକ ଟିମ୍ର ଖେଳାଳିମାନେ ପଡ଼ିଆରେ ଯେତେ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରନ୍ତୁ ନା କାହିଁକି, ପ୍ରତିଯୋଗିତାର ଫଳାଫଳ ଶେଷରେ ନିର୍ଣ୍ଣିତ ହେବ ପଡ଼ିଆ ବାହାରେ ରହି ନିଜର ପ୍ରଭାବ ପ୍ରୟୋଗ କରୁଥିବା ଡୋନାଲ୍ଡ ଟ୍ରମ୍ପମାନଙ୍କ ଦ୍ବାରା।
ଟ୍ରମ୍ପଙ୍କର କାର୍ଯ୍ୟ ଯାହା ଶେଷରେ ହାସଲ କରିବା ପାଇଁ ଉଦ୍ଦିଷ୍ଟ, ତାହା ହେଲା ‘ଜୋଗା ବନିତୋ’ ବା ‘ସୁନ୍ଦର ଖେଳ’ ନାମରେ ପରିଚିତ ଫୁଟ୍ବଲ୍ର ଭାବମୂର୍ତ୍ତିକୁ କୁତ୍ସିତ କରିବା। କିନ୍ତୁ ମନେହୁଏ ଟ୍ରମ୍ପଙ୍କର ମୁକାବିଲା ପାଇଁ ଇନ୍ଫାଣ୍ଟିନୋଙ୍କର ମେରୁଦଣ୍ଡ ନ ଥିବାବେଳେ, ଫୁଟ୍ବଲ୍କୁ କିନ୍ତୁ ନିଜର ମହତ ରକ୍ଷା କରିବାର ଉପାୟ ଜଣା ଅଛି: ଫୋଲାରିନ୍ ବାଲୋଗନ୍ ଖେଳିବା ସତ୍ତ୍ବେ ଆମେରିକା ବେଲ୍ଜିଅମ୍ ଠାରୁ ୧-୪ ଗୋଲ୍ରେ ଶୋଚନୀୟ ଭାବରେ ପରାସ୍ତ ହୋଇଛି! ଅନ୍ୟ ଭାବରେ କହିଲେ ଆମେରିକା ଟିମ୍ର ଅଦୃଶ୍ୟ ଦ୍ବାଦଶ ଖେଳାଳି ରୂପେ ଡୋନାଲ୍ଡ ଟ୍ରମ୍ପ ଖେଳିଥିଲେ ହେଁ, ବେଲ୍ଜିଅମ୍ ତାକୁ ଘାସ ଚଟାଇ ଦେଇଛି!

2 hours ago
1


