ARTICLE AD BOX
ଜାପାନକୁ ବୁଝିଥିବା ପର୍ଯ୍ୟବେକ୍ଷକମାନଙ୍କ ମତରେ ଅସଂଖ୍ୟ ଜେନ ଗୁରୁ ଏବଂ ସେମାନଙ୍କ ଦର୍ଶନ ଓ ଦୃଷ୍ଟାନ୍ତ ଦ୍ବାରା ପ୍ରଭାବିତ ଜାପାନରେ ସ୍ବଚ୍ଛଳତା ଚମକ ପ୍ରଦର୍ଶନର ରୂପ ନେଇ ନ ଥାଏ, ଜୀବନଯାପନ ପ୍ରାୟତଃ ଶୃଙ୍ଖଳିତ, କର୍ମଠ ଓ ଆଡ଼ମ୍ବରଶୂନ୍ୟ ହୋଇଥାଏ; ସୁତରାଂ, ‘ଅନାବଶ୍ୟକ ବିପୁଳତା’କୁ ଅବଶିଷ୍ଟ ପୃଥିବୀ ଯେଉଁ ଦୃଷ୍ଟିରେ ଦେଖିଥାଏ, ଜାପାନୀମାନେ ହୁଏତ ସେଭଳି ଦେଖି ନ ପାରନ୍ତି। ଏହି ଦୃଷ୍ଟିରୁ ଖର୍ଚ୍ଚ କାଟର ଉଦ୍ୟମ କାର୍ପଣ୍ୟ ନ ହୋଇ ‘ଦାନ୍-ସା-ରି’ ଅନୁସାରୀ ହୋଇଥାଇପାରେ। କିନ୍ତୁ, ଏହା ମଧ୍ୟ ସତ ଯେ ଏଭଳି ବିଶାଳ ଆୟୋଜନ କାଳରେ ନୂତନ ପରୀକ୍ଷଣ ଯେଉଁ ସତର୍କତା, ପ୍ରସ୍ତୁତି ଓ ଅଭ୍ୟାସ ଲୋଡ଼ିଥିଲା, ତାହା ପୂରଣ କରିବାରେ ଜାପାନ ବିଫଳ ହୋଇଛି।
ଗଲା ଶନିବାର ଦିନ ଜାପାନର ‘ଆଇଚି ନଗୋୟା’ ସହରରେ ଏସିଆନ ଗେମ୍ସ କ୍ରୀଡ଼ା ଶୃଙ୍ଖଳାର ବିଂଶତମ ସଂସ୍କରଣର ଉଦ୍ଘାଟନୀ ଉତ୍ସବ ପାଳିତ ହୋଇଯାଇଛି ସତ; କିନ୍ତୁ ପ୍ରଥମରୁ, ଅର୍ଥାତ୍ ବିଭିନ୍ନ ଦେଶରୁ ଖେଳାଳିଙ୍କ ଦଳ ପହଞ୍ଚିବା ପରଠାରୁ ସେଠାରେ ଯେଉଁ ବିଶୃଙ୍ଖଳା ଓ କୁପରିଚାଳନା ଇତ୍ୟାଦି ପରିଲକ୍ଷିତ ହୋଇଛି, ତାହା କେବଳ ତୀବ୍ର ସମାଲୋଚନାର ଶରବ୍ୟ ହୋଇନାହିଁ, ପ୍ରାୟ ସଭିଁଙ୍କ ମନରେ ଦୁର୍ବୋଧ୍ୟ ବିସ୍ମୟ ମଧ୍ୟ ସୃଷ୍ଟି କରିଛି। ଏହାର କାରଣ ଅତ୍ୟନ୍ତ ସ୍ପଷ୍ଟ ଯେ ଶୃଙ୍ଖଳା ଓ ସୁବ୍ୟବସ୍ଥିତ ପରିଚାଳନା ସକାଶେ କୈଂବଦନ୍ତିକ ପ୍ରସିଦ୍ଧିର ଅଧିକାରୀ ଜାପାନରେ ଦୃଷ୍ଟିଗୋଚର ହୋଇଥିବା ଏହି ସ୍ଖଳନ। ଯଦିଓ, ଏହି ଅସଂଗତିକୁ ନେଇ ବିଶ୍ଳେଷକମାନେ ଏକାଧିକ କାରଣ ଦର୍ଶାଇବାରେ ମୁଖର; ବୋଧ ହେଉଛି ପ୍ରକୃତ କାରଣଟିକୁ କେହି ସ୍ପର୍ଶ କରୁ ନାହାନ୍ତି।
ପ୍ରଥମେ ସେଠାରେ ଦେଖା ଦେଇଥିବା ଅସୁବିଧା ଉପରେ କ୍ଷିପ୍ର ଦୃଷ୍ଟିପାତ କରାଯାଉ। କଥା ହେଲା, ବିଭିନ୍ନ ଦେଶର ଖେଳାଳି ଦଳ, ଭାରତୀୟ ଦଳ ସମେତ, ସେମାନଙ୍କ ରହଣି ସକାଶେ ଯଥାଯୋଗ୍ୟ ଆବାସ, ଏପରିକି ଦୀର୍ଘକାୟ ଓ ବପୁବନ୍ତ ଅନେକ ଖେଳାଳିଙ୍କ ଲାଗି ଠିକଣା ମାପର ଖଟ, ଅଭ୍ୟାସ ଲାଗି ନିକଟବର୍ତ୍ତୀ ସ୍ଥାନରେ ପଡ଼ିଆ ଅବା ଟ୍ରାକ୍ ଅଥବା ଫ୍ଲୋର କିମ୍ବା ସନ୍ତରଣ ସରୋବର ଆଦିର ସୁବିଧା ପାଇବା ନେଇ ଘୋର ଦୁର୍ଦଶାର ସମ୍ମୁଖୀନ ହୋଇଛନ୍ତି। ନଗୋୟାଠାରେ ପହଞ୍ଚିବା ପରେ, ପଞ୍ଜୀକୃତ ହୋଇ ଠିକଣା ପ୍ରକୋଷ୍ଠ ପାଇବାରେ ଖେଳାଳିମାନଙ୍କୁ ସାତରୁ ଆଠ ଘଣ୍ଟା ପର୍ଯ୍ୟନ୍ତ ବିନା ବିଶ୍ରାମ ଓ ଖାଦ୍ୟରେ ପ୍ରତୀକ୍ଷା କରିବାକୁ ପଡ଼ିଛି; ଏଭଳି ସ୍ଥିତି ମଧ୍ୟ ହୋଇଛି ଯେ ଗୋଟିଏ କୋଠରି ଦୁଇ-ତିନି ଜଣ ଖେଳାଳିଙ୍କ ନାମରେ ପଞ୍ଜୀକୃତ ହୋଇ ଅସ୍ବସ୍ତିର କାରଣ ହୋଇଛି। ସାମାଜିକ ଗଣମାଧ୍ୟମର ଏହି ଯୁଗରେ, ଏକ ମହତ୍ତ୍ବପୂର୍ଣ୍ଣ ଆନ୍ତର୍ଜାତିକ କ୍ରୀଡ଼ା ଶୃଙ୍ଖଳାରେ ପରିଦୃଷ୍ଟ ଏଭଳି ବିଚ୍ୟୁତିର ଖବର ବନାଗ୍ନି ଭଳି ବ୍ୟାପିଯିବା ଏକ ସ୍ବାଭାବିକତା ମାତ୍ର! ଅବଶ୍ୟ, ଆୟୋଜକ ଗୋଷ୍ଠୀ ପକ୍ଷରୁ ପ୍ରଦତ୍ତ ସ୍ପଷ୍ଟୀକରଣରେ କୁହାଯାଇଛି ଯେ ସେମାନଙ୍କ ହିସାବ ଅନୁସାରେ ୧୫ ହଜାର ଖେଳାଳି, କାର୍ଯ୍ୟକର୍ତ୍ତା ଓ ସହାୟକଙ୍କ ସ୍ଥାନରେ ୧୭ ହଜାରଙ୍କ ଉପସ୍ଥିତି ସେମାନଙ୍କୁ ଅପ୍ରସ୍ତୁତ କରି ପକାଇଛି, ତେଣୁ ଏ ଦୁର୍ଦଶା! କିନ୍ତୁ, ଏସିଆନ ଗେମ୍ସ ଭଳି ଏକ ମର୍ଯ୍ୟାଦାବନ୍ତ ଟୁର୍ନାମେଣ୍ଟେର ଖେଳାଳିମାନଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟାକୁ ନେଇ ଆୟୋଜକମାନେ ପୂର୍ବରୁ ଅବଗତ ହୋଇ ନ ଥିବା ଭଳି ବ୍ୟାପାର ସ୍ବୀକାରଯୋଗ୍ୟ ହୋଇ ନ ଥାଏ। ତେଣୁ ପ୍ରକୃତ କାରଣଟି ଯେ ଅନ୍ୟତ୍ର ବିଦ୍ୟମାନ, ତାହା ଖୁବ୍ ପ୍ରାଞ୍ଜଳ। ଜଣା ପଡ଼ିଛି ଯେ ଜାପାନ ଏଥର ଏକ ଅଭିନବ ପରୀକ୍ଷଣ କରିବାକୁ ଚାହିଁଛି; ଖେଳାଳି ଦଳଙ୍କ ମାତ୍ର କେଇ ଦିନର ରହଣି ସକାଶେ ବିପୁଳ ଅର୍ଥ ବ୍ୟୟରେ ଏକ ବିଶାଳ ‘ଗେମ ଭିଲେଜ’ ନିର୍ମାଣ ନ କରି ମହଜୁଦ ଥିବା ଭିତ୍ତିଭୂମି ଅର୍ଥାତ୍ ହୋଟେଲ, ହଟ୍ (କୁଟୀର) ଓ ବିଳାସପୂର୍ଣ୍ଣ ‘କ୍ରୁଜ ସିପ୍’ (ବିଶାଳ ଜାହାଜ) ଆଦିରେ ସେହି ବ୍ୟବସ୍ଥା କରିବାକୁ ଚାହିଁଛି। କାରଣ, ଏହି ଟୁର୍ନାମେଣ୍ଟ ସକାଶେ ‘ଗେମ ଭିଲେଜ’ ଭଳି ଏକ ବିଶାଳ ଆବାସ ପ୍ରକଳ୍ପ ନିର୍ମାଣ କରାଯାଇଥିଲେ, କ୍ରୀଡ଼ା ଶୃଙ୍ଖଳାର ପରିସମାପ୍ତି ପରେ ତାହା ଅଗତ୍ୟା ପରିତ୍ୟକ୍ତ ହୋଇ ପଡ଼ି ରହନ୍ତା, ଅର୍ଥାତ୍ ଅର୍ଥ ଅପଚୟ! ସୁତରାଂ, ଏଭଳି ଖର୍ଚ୍ଚ କାଟର ଉଦ୍ୟମ! କିନ୍ତୁ, ପ୍ରଶ୍ନ ହେଲା ଜାପାନ ଭଳି ଏକ ସ୍ବଚ୍ଛଳ ରାଷ୍ଟ୍ର ତା’ର ଅତି ଉଜ୍ଜ୍ବଳ ଭାବମୂର୍ତ୍ତିକୁ ବଳି ପକାଇ ‘ଖର୍ଚ୍ଚ କାଟ’ କରିବା ସକାଶେ ନୂଆ ପରୀକ୍ଷାନିରୀକ୍ଷା କରିବାକୁ ଉଦ୍ଗ୍ରୀବ ହେଲା କାହିଁକି? ପୁଣି ଭୂମିକମ୍ପପ୍ରବଣ ଏହି କ୍ଷୁଦ୍ର ଦ୍ବୀପ-ରାଷ୍ଟ୍ରଟି ତ ପୂର୍ବରୁ ଦୁଇଟି ଗ୍ରୀଷ୍ମ ଓ ଦୁଇଟି ଶୀତ ଅଲିଂପିକ୍ସ (ଏହାକୁ ମିଶାଇ ତିନି ଥର ଏସିଆନ ଗେମ୍ସ ମଧ୍ୟ) ଭଳି ସର୍ବାଧିକ ମର୍ଯ୍ୟାଦାବନ୍ତ କ୍ରୀଡ଼ା ଶୃଙ୍ଖଳାର ଭବ୍ୟ ଓ ସ୍ମରଣୀୟ ଆୟୋଜନ କରି ସାରିଛି! ତେଣୁ, ଭାବମୂର୍ତ୍ତି ଭ୍ରଂଶକାରୀ ଏଭଳି ଖର୍ଚ୍ଚ କାଟର ତାତ୍ପର୍ଯ୍ୟ କ’ଣ?
କ୍ରୀଡ଼ା ସମୀକ୍ଷକମାନେ କହିଥାଆନ୍ତି ଯେ ଏସିଆନ ଗେମ୍ସ ଭଳି ଖେଳକୁଦ ଟୁର୍ନାମେଣ୍ଟର ଆୟୋଜନରେ ହେଉଥିବା ବିପୁଳ ବ୍ୟୟ ତୁଳନାରେ ଆୟ ହେଉ ନ ଥିବାରୁ ଖର୍ଚ୍ଚ କାଟ ଏକ ସ୍ବାଭାବିକ ଉପାୟ ଭଳି ଦିଶିଥାଏ! ପ୍ରକାଶ ଥାଉ କି ଏହି କାରଣରୁ ଚଳିତ ବର୍ଷ ‘ରାଜ୍ୟଗୋଷ୍ଠୀ କ୍ରୀଡ଼ା’ ଆୟୋଜନ କରିବାରୁ ଅଷ୍ଟ୍ରେଲିଆ (ଭିକ୍ଟୋରିଆ) ଓହରି ଯାଇଥିଲା ଏବଂ ୨୦୨୮ ମସିହାର ଅଲିଂପିକ୍ସ ସକାଶେ ଏକମାତ୍ର ଦାବିଦାର ଥିଲା ଆମେରିକାର ଲସ ଏଂଜେଲସ। ଏସିଆନ ଗେମ୍ସ ଭଳି କ୍ରୀଡ଼ା ଶୃଙ୍ଖଳାରେ (ଅଲିଂପିକ୍ସର ଅନେକ ଦିନରେ ମଧ୍ୟ) ଅଧିକାଂଶ ଦିନ ବସ୍ତୁତଃ ଦର୍ଶକଶୂନ୍ୟ ଷ୍ଟାଡିଅମ ହିଁ ଦେଖିବାକୁ ମିଳିଥାଏ। ତେବେ, ଏକ ଭିନ୍ନ ମତରୁ ପ୍ରଶ୍ନ ଉଠିଥାଏ ଯେ ‘ଗେମ ଭିଲେଜ’ ଭଳି ପ୍ରକଳ୍ପକୁ ଅନାବଶ୍ୟକ ଖର୍ଚ୍ଚ ବୋଲି ମନେ କରାଯିବ କାହିଁକି? ସେଗୁଡ଼ିକୁ ଆବାସିକ କଲୋନି, ଚିକିତ୍ସା ଗବେଷଣା କେନ୍ଦ୍ର ଓ ହଷ୍ଟେଲ ଆଦି ରୂପେ ବ୍ୟବହାର କରାଯିବ ନାହିଁ କାହିଁକି, ଯେମିତି ଯଥାକ୍ରମେ ଦିଲ୍ଲୀ (୧୯୮୨ ଏସିଅନ ଗେମ୍ସ), ଦୋହା (୨୦୦୬ ଏସିଆନ ଗେମ୍ସ) ଓ ଭିକ୍ଟୋରିଆ-କାନାଡା (୧୯୯୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା)ରେ କରାଯାଇଛି?
ଏଭଳି ପ୍ରଶ୍ନର ଉତ୍ତରରେ ଜାପାନକୁ ଭଲ ଭାବେ ବୁଝିଥିବା ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ଯେ ସେ ଦେଶର ଜନସଂଖ୍ୟା ତୁଳନାରେ ବିଭିନ୍ନ ଭିତ୍ତିଭୂମିର ଉପଲବ୍ଧତା ଏଭଳି ପରିପୂର୍ଣ୍ଣ ଯେ ତହିଁରେ ଯେ କୌଣସି ଆଧିକ୍ୟ ଏକ ଅନାବଶ୍ୟକତାରେ ହିଁ ପରିଣତ ହେବ। କେବଳ ସେତିକି ନୁହେଁ, ଜାପାନୀମାନଙ୍କ ଡି.ଏନ.ଏ., ଜୀବନ-ଦର୍ଶନ, ଜୀବନଚର୍ଯ୍ୟା ଓ ଅଭ୍ୟାସ ଆଦିରେ ‘ଅନାବଶ୍ୟକ ଆଧିକ୍ୟ’ର ସ୍ଥାନ ପ୍ରାୟତଃ ନ ଥାଏ। ଜାପାନୀମାନଙ୍କ ବାସଗୃହ, ଗୃହାଭ୍ୟନ୍ତର ସାଜସଜ୍ଜା, ଦପ୍ତର, ଦୋକାନ, ପ୍ରେକ୍ଷାଳୟ ଆଦି ସବୁଠି ‘ମିନିମାଲିଜମ’ର ସ୍ବାକ୍ଷର ଦେଖିବାକୁ ମିଳିଥାଏ, ଅର୍ଥାତ୍ ଯେତିକି ଲୋଡ଼ା ମାତ୍ର ସେତିକି; ‘ଅଧିକ’ର ଅର୍ଥ ‘ଅନାବଶ୍ୟକ ଝାଲେରି’। ଏହି ଜୀବନ-ଦର୍ଶନର ମୂଳରେ ରହିଛି ଜେନ୍ ବୌଦ୍ଧ ଦର୍ଶନର ଗଭୀର ପ୍ରଭାବ। ଏହି ଦର୍ଶନର ଯେଉଁ ମୂଳମନ୍ତ୍ରକୁ ଜାପାନୀମାନେ ହୃଦୟରେ ଧାରଣ କରିଥାଆନ୍ତି, ତାହା ହେଲା ‘ଦାନ୍-ସା-ରି’, ଯେଉଁଠି ‘ଦାନ୍’ କହେ ଆଧିକ୍ୟର ଅର୍ଥ ହେଉଛି ଅନାବଶ୍ୟକ, ତାହାକୁ ପ୍ରତ୍ୟାଖ୍ୟାନ କର, ‘ସା’ର ମର୍ମ ହେଲା ତୁମ ପାଖରେ ଥିବା ମାତ୍ରାତିରିକ୍ତତାକୁ ବର୍ଜନ କର ଏବଂ ‘ରି’ କହିଥାଏ ଯେ ଅଧିକ ପାଇବାର କାମନାରୁ ବିମୁକ୍ତ ହୁଅ। ଏଭଳି ବୈରାଗ୍ୟର ସ୍ବର ବହନ କରି ଅସଂଖ୍ୟ ଅର୍ଥପୂର୍ଣ୍ଣ ଜେନ୍ କାହାଣୀମାନ ଅଛି, ତହିଁରୁ ଗୋଟିଏ ଦୃଷ୍ଟାନ୍ତଯୋଗ୍ୟ। କଥିତ ଅଛି ପ୍ରସିଦ୍ଧ ଜେନ୍ ଗୁରୁ ରାୟୋକାନ (ଅଷ୍ଟଦଶ ଶତାବ୍ଦୀ)ଙ୍କ ଶୂନ୍ୟ କୁଡ଼ିଆ ଭିତରକୁ ନିଶାର୍ଦ୍ଧରେ ଚୋରଟିଏ ପଶି କୌଣସି ଦ୍ରବ୍ୟ ନ ପାଇ ହତାଶାରେ ଫେରିଯିବାକୁ ବସନ୍ତେ, ସେତେବେଳକୁ ଚେଇଁ ଯାଇଥିବା ଦୟାର୍ଦ୍ର ରାୟୋକାନ ‘ବିଚରା ଚୋର’କୁ ନିଜର ଏକମାତ୍ର ପିନ୍ଧା ଲୁଗା ଦେଇ ପକାନ୍ତି। ଏଥିରେ ହତଚକିତ ଚୋର ପଳାଇଯିବା ପୂର୍ବରୁ ଯେତେବେଳେ ପଚାରେ ଆପଣଙ୍କର ତ କିଛି ରହିଲା ନାହିଁ?, ବିଶେଷ ପ୍ରଜ୍ଞା ଲାଭ କରିଥିବା ଭଳି ରାୟୋକାନ ନିଜକୁ ନିଜେ କହନ୍ତି, ‘ତାହା ହିଁ ତ ଅଛି!’, ଅର୍ଥାତ୍ ‘କିଛି ନ ଥିବା’ ବା ‘ଶୂନ୍ୟତା’ ମଧ୍ୟ ଏକ ସତ୍ତା ବା ଅସ୍ତିତ୍ବ! ଜାପାନକୁ ବୁଝିଥିବା ପର୍ଯ୍ୟବେକ୍ଷକମାନଙ୍କ ମତରେ ଅସଂଖ୍ୟ ଜେନ ଗୁରୁ ଏବଂ ସେମାନଙ୍କ ଦର୍ଶନ ଓ ଦୃଷ୍ଟାନ୍ତ ଦ୍ବାରା ପ୍ରଭାବିତ ଜାପାନରେ ସ୍ବଚ୍ଛଳତା ଚମକ ପ୍ରଦର୍ଶନର ରୂପ ନେଇ ନ ଥାଏ, ଜୀବନଯାପନ ପ୍ରାୟତଃ ଶୃଙ୍ଖଳିତ, କର୍ମଠ ଓ ଆଡ଼ମ୍ବରଶୂନ୍ୟ ହୋଇଥାଏ; ସୁତରାଂ, ‘ଅନାବଶ୍ୟକ ବିପୁଳତା’କୁ ଅବଶିଷ୍ଟ ପୃଥିବୀ ଯେଉଁ ଦୃଷ୍ଟିରେ ଦେଖିଥାଏ, ଜାପାନୀମାନେ ହୁଏତ ସେଭଳି ଦେଖି ନ ପାରନ୍ତି। ଏହି ଦୃଷ୍ଟିରୁ ଖର୍ଚ୍ଚ କାଟର ଉଦ୍ୟମ କାର୍ପଣ୍ୟ ନ ହୋଇ ‘ଦାନ୍-ସା-ରି’ ଅନୁସାରୀ ହୋଇଥାଇପାରେ। କିନ୍ତୁ, ଏହା ମଧ୍ୟ ସତ ଯେ ଏଭଳି ବିଶାଳ ଆୟୋଜନ କାଳରେ ନୂତନ ପରୀକ୍ଷଣ ଯେଉଁ ସତର୍କତା, ପ୍ରସ୍ତୁତି ଓ ଅଭ୍ୟାସ ଲୋଡ଼ିଥିଲା, ତାହା ପୂରଣ କରିବାରେ ଜାପାନ ବିଫଳ ହୋଇଛି। ଏବଂ ଏହା ମଧ୍ୟ ଜାପାନୀ ଚରିତ୍ରର ଦୃଷ୍ଟାନ୍ତ ହୋଇ ନ ଥାଏ!

1 day ago
3


