Aadhaar linking: ଆଧାରକାର୍ଡ ଲିଙ୍କ୍‌ ଆଳରେ ଦିବ୍ୟାଙ୍ଗ ଯୁବତୀଙ୍କ ଭତ୍ତା ବନ୍ଦ: ହାତ ଟେକିଦେଇଛି ବ୍ଲକ୍‌ ପ୍ରଶାସନ

15 minutes ago 1
ARTICLE AD BOX

ଚନ୍ଦ୍ରଶେଖରପୁର: ନିର୍ବାଚନ ଇସ୍ତାହାର ପ୍ରତିଶ୍ରୁତି ରକ୍ଷା କରି ରାଜ୍ୟ ସରକାର ୮୦ ପ୍ରତଶତରୁ ଅଧିକ ଦିବ୍ୟାଙ୍ଗଙ୍କ ଭତ୍ତା ୩୫୦୦ ଟଙ୍କା କଲେ। ଶତ ପ୍ରତିଶତ ଭିନ୍ନକ୍ଷମ ଶ୍ରଦ୍ଧାଞ୍ଜଳି ବାରିକଙ୍କ ପାଇଁ ଏହା ଏକପ୍ରକାର ବରଦାନ ସଦୃଶ ଥିଲା। ବର୍ଦ୍ଧିତ ଭତ୍ତା ପାଇବା ପରଠୁ ତାଙ୍କ କଷ୍ଟକର ଚଳଣିରେ ବହୁ ସୁଧାର ଆସିଥିଲା। ବିଶେଷକରି ତାଙ୍କ ମାସିକ ଔଷଧ ଖର୍ଚ୍ଚ ପାଇଁ ଆଉ ବେଶି ସମସ୍ୟା ରହିଲା ନାହିଁ। ମାତ୍ର ହଠାତ୍‌ ତାଙ୍କ ଭତ୍ତା ବନ୍ଦ ହୋଇଗଲା। ସତେ ଯେମିତି ଶ୍ରଦ୍ଧାଞ୍ଜଳିଙ୍କ ମୁଣ୍ଡରେ ଚଡ଼କ ପଡ଼ିଗଲା। ତାଙ୍କୁ କୁହାଗଲା ଯେ ଆଧାରକାର୍ଡ ଲିଙ୍କ୍‌ ନ ଥିବାରୁ କେୱାଇସି ଅପ୍‌ଡେଟ୍‌ ହୋଇନାହିଁ ଏବଂ ଏଥିପାଇଁ ଭତ୍ତା ବନ୍ଦ କରାଯାଇଛି। ୭ମାସରେ ୭ଥର ଭତ୍ତା ପାଇଥିବା ଶ୍ରଦ୍ଧାଞ୍ଜଳିଙ୍କ ପାଇଁ ହଠାତ୍ କେୱାଇସି ଅପ୍‌ଡେଟ୍‌ର କ’ଣ ଆବଶ୍ୟକ ପଡ଼ିଲା, ସେ ବୁଝିପାରିଲେ ନାହିଁ। ଧାଇଁଲେ ଜନସେବା କେନ୍ଦ୍ର। ଫିଙ୍ଗର ପ୍ରିଣ୍ଟ ନେବାରେ ସମସ୍ୟା ହେଉଥିବା କହି ସେଠାରୁ ତାଙ୍କୁ ଫେରାଇ ଦିଆଗଲା। ସେ ପୁଣି ଧାଇଁଲେ ବ୍ଲକ୍‌ କାର୍ଯ୍ୟାଳୟକୁ। ସେଠୁ କିଛି ସହଯୋଗ ମିଳିଲା ନାହିଁ। କେୱାଇସି ଅପ୍‌ଡେଟ୍‌ ନ ହେବା ପର୍ଯ୍ୟନ୍ତ ଭତ୍ତା ଦେବା ସମ୍ଭବ ନୁହେଁ ବୋଲି କୁହାଗଲା। ଏହା ଭିତରେ ୪ମାସ ବିତିଗଲାଣି। ଶ୍ରଦ୍ଧାଞ୍ଜଳିଙ୍କ ବନ୍ଦ ହୋଇରହିଛି। ବ୍ଲକ୍‌ ପ୍ରଶାସନ ଅନ୍ୟ କୌଣସି ବିକଳ୍ପ ରାସ୍ତା ନ ଦେଖାଇ ହାତ ଟେକିଦେଇଛି। ଏହା କୌଣସି ଉପାନ୍ତ ବା ଅପହଞ୍ଚ ଅଞ୍ଚଳର କଥା ନୁହେଁ। ଖୋଦ୍‌ ଭୁବନେଶ୍ବର ବ୍ଲକ୍‌ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ଗଣ୍ଡରପୁର ଗାଁର ଶ୍ରଦ୍ଧାଞ୍ଜଳିଙ୍କ ଦୁଃଖର କାହାଣୀ। 

Suspend: କେନ୍ଦ୍ରମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲାଞ୍ଚ ଅଭିଯୋଗରେ ଅଧିକାରୀ ନିଲମ୍ବିତ

ହାତ ଟେକିଦେଇଛି ବ୍ଲକ୍‌ ପ୍ରଶାସନ
୪ମାସ ହେଲା ଧାଇଁଧାଇଁ କଲବଲ
ଶ୍ରଦ୍ଧାଞ୍ଜଳିଙ୍କ ଭତ୍ତା ବନ୍ଦ

୨୧ବର୍ଷ ବୟସର ଯୁବତୀ ଶ୍ରଦ୍ଧାଞ୍ଜଳି ଶତ ପ୍ରତିଶତ ଭିନ୍ନକ୍ଷମ। ଘରେ ଗୋଟିଏ ଜାଗାରୁ ଅନ୍ୟତ୍ର ଯିବାକୁ ହେଲେ, ତାଙ୍କୁ ପରିବାରର କେହି ଟେକିଟେକି ନେବାକୁ ପଡ଼େ। ବାପା ସୁକାନ୍ତ ବାରିକ ନିହାତି ଗରିବ। ଗାଁରେ ଛୋଟ ସେଲୁନ୍‌ଟି ତାଙ୍କ ଭାତହାଣ୍ଡି। ସେଥିରୁ ତିନି ତିନିଟି ଝିଅଙ୍କ ବୋଝ କାନ୍ଧେଇଥିବା ସୁକାନ୍ତଙ୍କ ପକ୍ଷେ ପରିବାର ଚଳାଇବା ବହୁ କଷ୍ଟ। ଶ୍ରଦ୍ଧାଞ୍ଜଳିଙ୍କୁ ୩୫୦୦ ଟଙ୍କା ଭତ୍ତା ମିଳିବା ପରଠୁ ସୁକାନ୍ତ କିଛିଟା ଆଶ୍ବସ୍ତ ଥିଲେ। କିନ୍ତୁ ହଠାତ୍‌ ଭତ୍ତା ବନ୍ଦ ହୋଇଯିବା ପରେ ତାଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଝିଅର ଆଧାରକାର୍ଡ ଲିଙ୍କ୍‌ କରାଇ କେୱାଇସି ଅପ୍‌ଟେଡ୍‌ କରିବାକୁ ସୁକାନ୍ତ ବ୍ଲକ୍‌ଠାରୁ ଆରମ୍ଭ କରି ଜନସେବା କେନ୍ଦ୍ର ପର୍ଯ୍ୟନ୍ତ ବହୁଥର ଧାଇଁଲେଣି। ଦିବ୍ୟାଙ୍ଗ ଝିଅକୁ ବୋହିବୋହି ନେବା ପାଇଁ ତାଙ୍କୁ ଦିନଟିଏ ସେଲୁନ୍‌ ବନ୍ଦ କରିବାକୁ ପଡ଼ୁଛି। ଫଳରେ ରୋଜଗାର ବନ୍ଦ ହୋଇଯାଉଛି, ଅଥଚ କେୱାଇସି ଅପ୍‌ଡେଟ୍‌ ହୋଇପାରୁନାହିଁ। ବ୍ଲକ୍‌ ଅଧିକାରୀମାନଙ୍କୁ ସୁକାନ୍ତ ବିକଳ୍ପ ରାସ୍ତା କ’ଣ ବୋଲି ପଚାରିଲେ ବି ତାଙ୍କୁ କୌଣସିପ୍ରକାର ସନ୍ତୋଷଜନକ ଉତ୍ତର ମିଳୁନାହିଁ। କିନ୍ତୁ ଭୁବନେଶ୍ବର ବିଡିଓ ଦେବୀପ୍ରସାଦ ମହାନ୍ତିଙ୍କ କହିବା କଥା ଏହି ଅଭିଯୋଗ ବାବଦରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ଯଦି ଜନସେବା କେନ୍ଦ୍ରରେ ଇ-କେୱାଇସି ହୋଇପାରୁନାହିଁ, ଓକାକ୍‌ରେ ହୋଇପାରିବ ଏବଂ ଏଥିପାଇଁ ବ୍ଲକ୍‌ ପ୍ରଶାସନ ପଦକ୍ଷେପ ନେବ। ଖୁବ୍‌ଶୀଘ୍ର ସେ ଶ୍ରଦ୍ଧାଞ୍ଜଳିଙ୍କ ବାପା ସୁକାନ୍ତଙ୍କ ସହ ଯୋଗାଯୋଗ କରିବେ ବୋଲି କହିଛନ୍ତି।

Conference: ଆଜି ଏଏନ୍‌ଟିଏଫ୍ ମୁଖ୍ୟମାନଙ୍କ ୩ୟ ସମ୍ମିଳନୀ ଉଦ୍‌ଘାଟନ କରିବେ ଅମିତ ଶାହ

Read Entire Article
LEFT SIDEBAR AD

Hidden in mobile, Best for skyscrapers.