Editorial: ଚପଲର ସ୍ବପ୍ନଭଙ୍ଗ

1 hour ago 1
ARTICLE AD BOX

କେବଳ ସୁପ୍ରିମ କୋର୍ଟ ନୁହେଁ, ଖୋଦ ପ୍ରଧାନମନ୍ତ୍ରୀଙ୍କର ନିଜ ସରକାର ମଧ୍ୟ ଚପଲର ଉଡ଼ିବା ସ୍ବପ୍ନ ଭଙ୍ଗ କରିବା ପାଇଁ ବଦ୍ଧପରିକର ଥିବା ଭଳି ମନେ ହୋଇଥାଏ। କାରଣ, ‘ଭାରତୀୟ ବାୟୁଯାନ ନିୟମ, ୨୦୨୬’ ଅନ୍ତର୍ଗତ ଯେଉଁ ନୂତନ ବିମାନ ଭଡ଼ା ନିୟମ କାର୍ଯ୍ୟକାରୀ କରାଯାଇଛି, ତାହା ଅନୁସାରେ ତଥାକଥିତ ‘ଡାଇନାମିକ ପ୍ରାଇସିଙ୍ଗ’ ପଦ୍ଧତି ଅନୁସରଣ କରି ଟିକେଟ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ବିମାନ କଂପାନିମାନଙ୍କୁ ଅଧିକାର ପ୍ରଦାନ କରାଯାଇଛି।

UCCIL: ରାଜ୍ୟପାଳଙ୍କୁ ଭେଟିଲେ ୟୁସିସିଆଇଏଲ୍‌ ସଭାପତି

ପ୍ରବାଦ ଅନୁସାରେ ଫରାସୀ ବିପ୍ଳବର ଅବ୍ୟବହିତ ପୂର୍ବରୁ ଫ୍ରାନ୍‌ସର ରାଣୀ ମେରୀ ଆଣ୍ଟଇନେଟ୍ କେବଳ ରୁଟି ମଧ୍ୟ ଖାଇବାକୁ ନ ପାଇ ଭୋକ ଉପାସରେ କାଳ କାଟୁଥିବା ତାଙ୍କର ପ୍ରଜାମାନଙ୍କର ସମସ୍ୟା ସମାଧାନର ଉପାୟ ସ୍ବରୂପ କୁଆଡ଼େ ଉପଦେଶ ଦେଇଥିଲେ: ‘‘ସେମାନେ ଯଦି ରୁଟି ଖାଇବାକୁ ପାଉନାହାନ୍ତି, ତା’ହେଲେ କେକ୍ ଖାଆନ୍ତୁ।’’ ବିଶ୍ବାସ କରାଯାଏ ସେଇ ରକ୍ତାକ୍ତ ବିପ୍ଳବର ଆରମ୍ଭ ପୂର୍ବରୁ ଫ୍ରାନ୍‌ସରେ ଯେଉଁ ବାରୁଦଗଦା ସ୍ବରୂପ ତୀବ୍ର ଜନଅସନ୍ତୋଷ ଦାନା ବାନ୍ଧିଥିଲା, ମେରୀ ଆଣ୍ଟଇନେଟ୍‌ଙ୍କର ଏଇ ସମ୍ବେଦନଶୀଳତାହୀନ ମନ୍ତବ୍ୟ ସେଥିରେ ଅଗ୍ନି ସଂଯୋଗ କରିଥିଲା।
ଏଥର ଏଇ ଚିତ୍ରକୁ ଓଲଟାଇ ଦିଆଯାଉ। କଳ୍ପନା କରାଯାଉ ମେରୀ ଆଣ୍ଟଇନେଟ୍‌ଙ୍କ ନିକଟରେ କେହି ଜଣେ ପ୍ରଜା ଅଭିଯୋଗ କଲା ଯେ ବଜାରରେ କେକ୍ ଏପରି ଦୁର୍ମୂଲ୍ୟ ହୋଇଛି ‌େଯ, ସେମାନେ କେବେହେଲେ କେକ୍ କିଣିକରି ଖାଇ ପାରୁ ନାହାନ୍ତି। ଏବଂ ମନେ କରାଯାଉ ଯେ ଏହାର ଉତ୍ତରରେ ରାଣୀ କହିଲେ: ‘‘ତୁମକୁ କେକ୍ ଖାଇବାକୁ କିଏ କହିଲା? ତୁମେମାନେ ହେଉଛ କେବଳ ରୁଟି ଖାଇବାକୁ ଯୋଗ୍ୟ, ତେଣୁ ରୁଟି ଖାଇବାରେ ସନ୍ତୁଷ୍ଟ ରୁହ। କେବଳ ଆମେମାନେ କେକ୍ ଖାଇବା ପାଇଁ ଯୋଗ୍ୟ ଓ ହକ୍‌ଦାର।’’ ଏଥିରେ କେହି ଦ୍ବିମତ ହେବାର ଅବକାଶ ନାହିଁ ଯେ, ଯଦି ଚିତ୍ରଟିକୁ ଏହିପରି ଓଲଟାଇ ଦିଆଯାଏ, ତେବେ ମଧ୍ୟ ତାହା ରାଣୀ ମେରୀ ଆଣ୍ଟଇନେଟ୍‌ଙ୍କର ସାଧାରଣ ଜନତାଙ୍କ ପ୍ରତି ରହିଥିବା ସମ୍ବେଦନହୀନତାକୁ ଠିକ୍ ସେଇଭଳି ଶକ୍ତିଶାଳୀ ଢଙ୍ଗରେ ପ୍ରଦର୍ଶିତ କରନ୍ତା, ଯେମିତି ତାଙ୍କର ମୂଳ ପ୍ରତିକ୍ରିୟା ପ୍ରକାଶ କରିଥାଏ।
ଏଠାରେ ଅତ୍ୟନ୍ତ କ୍ଷୋଭର ସହିତ ଏହା ଉଲ୍ଲେଖ କରିବାକୁ ପଡୁଛି ଯେ ସପ୍ତାହକ ତଳେ ଭାରତର ସୁପ୍ରିମ କୋର୍ଟ ଏକ ମାମଲାର ଶୁଣାଣି ସମୟରେ ଏପରି ଏକ ପ୍ରତିକ୍ରିୟା ପ୍ରକାଶ କରିବା ଦେଖାଯାଇଥିଲା, ଯେଉଁଥିରୁ ଏଇଭଳି ଓଲଟ-ମେରୀ ଆଣ୍ଟଇନେଟ୍‌ସୁଲଭ ସମ୍ବେଦନହୀନତାର ଦୁର୍ଗନ୍ଧ ନିର୍ଗତ ହେବା ଭଳି ମନେ ହୋଇଥାଏ। ଘଟଣାଟି ଏହିପରି। ଦୀପାବଳି ପୂର୍ବରୁ ଭାରତରେ ଘରୋଇ ବିମାନ ଯାତ୍ରା ପାଇଁ ଟିକେଟ ଦାମରେ ଆକାଶଛୁଅଁା ବୃଦ୍ଧି ଘଟିବା ଦେଖାଯାଇଥିଲା। ଏପରିକି କେତେକ ଟ୍ରଙ୍କ ରୁଟ୍‌ରେ ଟିକେଟ ଦାମରେ ସାତଗୁଣ ପର୍ଯ୍ୟନ୍ତ ବୃଦ୍ଧି ଘଟିବା ଯୋଗୁଁ ଅନେକ ଯାତ୍ରୀ ସେମାନଙ୍କର ଯାତ୍ରା ଯୋଜନା ବାତିଲ କରି ଅଟକି ରହିବାକୁ ବାଧ୍ୟ ହୋଇଥିଲେ। ଏହାର ଏକ ଉଦାହରଣ ସ୍ବରୂପ ଏଇ ସମୟରେ ସାଧାରଣତଃ ୧୦,୦୦୦-୧୧,୦୦୦ ଟଙ୍କା ହୋଇଥିବା ଏକ ଦିଲ୍ଲୀ-କଲିକତା ଫ୍ଲାଇଟ ଟିକେଟର ଦାମରେ ହା‌େବଳି ଲାଗିଲା ପରି ବୃଦ୍ଧି ଘଟି ତାହା ହେବାର ଦେଖାଯାଇଥିଲା- ୭୮,୬୯୪ ଟଙ୍କା!
ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି କେତେକ ଆବେଦନକାରୀ ପାର୍ବଣ ସମୟରେ ଘରୋଇ ବିମାନ ଯାତ୍ରା ଟିକେଟ ପ୍ରତି ଏକ ସର୍ବୋଚ୍ଚ ସୀମା ଲାଗୁ କରାଯିବା ପାଇଁ ପ୍ରାର୍ଥନା କରି ସୁପ୍ରିମ କୋର୍ଟରେ ଏକ ଜନସ୍ବାର୍ଥ ମାମଲା (‘ପିଆଇଏଲ୍’) ଦାଖଲ କରିଥିଲେ। ଆବେଦନକାରୀମାନେ ଯୁକ୍ତି ଉପସ୍ଥାପନ କରିଥିଲେ ବିମାନ ଯାତ୍ରା ହେଉଛି ଏକ ଅତ୍ୟାବଶ୍ୟକ ସେବା (ଏଥିରେ କୌଣସି ସନ୍ଦେହ ନାହିଁ, ଏହା ଆଉ ଏକ ବିଳାସ ସେବା ହୋଇ ରହିନାହିଁ) ଏବଂ ଟିକେଟରେ ଏଭଳି ଆକାଶଛୁଅଁା ବୃଦ୍ଧି ଦ୍ବାରା ସଂବିଧାନର ଧାରା-୧୪ ଦ୍ବାରା ପ୍ରଦତ୍ତ ନାଗରିକର ସମାନତା ପାଇଁ ମୌଳିକ ଅଧିକାରର ଉଲ୍ଲଂଘନ ‌ଘଟିଥାଏ। ଆବେଦନକାରୀମାନେ ସେମାନଙ୍କର ଅସୁବିଧା ଲାଘବ ନିମିତ୍ତ ଆବେଦନର ତୁରନ୍ତ ଶୁଣାଣି କରାଯିବା ପାଇଁ ମାନ୍ୟବର ଅଦାଲତଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଅଦାଲତ କିନ୍ତୁ ସେମାନଙ୍କର ଏଇ ଅନୁରୋଧ ପ୍ରତ୍ୟାଖ୍ୟାନ କରିଦେଇ ୧୬ ନଭେମ୍ବରରେ ‘ପିଆଇଏଲ୍’ ଅନୁସାରେ ବିମାନ ଯାତ୍ରା ଭଡ଼ା ନିୟନ୍ତ୍ରଣ ସଂପର୍କରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ। ଏବଂ ଏଥିସହିତ ଉପରୋକ୍ତ ଓଲଟ ଚିତ୍ରରେ ମେରୀ ଆଣ୍ଟଇନେଟ୍ ସାଧାରଣ ଲୋକମାନଙ୍କୁ କେକ୍ ନ ଖାଇବାକୁ ଉପଦେଶ ଦେଇଥିବା ଭଳି ସୁପ୍ରିମ କୋର୍ଟରେ ଏଇ ମାମଲା ଶୁଣାଣି କରୁଥିବା ବେଞ୍ଚ ଆବେଦନକାରୀମାନଙ୍କୁ ଉପଦେଶ ଦେଇଥିଲେ: ‘‘ବିମାନ ଯାତ୍ରା କରନାହିଁ।’’ ଅର୍ଥାତ୍ କେବଳ ଉଚ୍ଚ ଭଡ଼ା ଦେବାର କ୍ଷମତା ଥିବା ଧନିକମାନଙ୍କର ହିଁ ବିମାନ ଯାତ୍ରାର ଅଧିକାର ଅଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏଭଳି ଅତ୍ୟୁଚ୍ଚ ବିମାନ ଭଡ଼ାକୁ କେବଳ ବଜାରରେ ଚାହିଦା ଓ ଯୋଗାଣର କ୍ରିୟା ପ୍ରତିକ୍ରିୟା ଦ୍ବାରା ସ୍ବାଭାବିକ ଭାବରେ ନିର୍ଣ୍ଣୀତ ମୂଲ୍ୟ ରୂପେ ଦେଖି ହେବ ନାହିଁ କିମ୍ବା ଆଡ଼େଇ ଦେଇ ହେବ ନାହିଁ। ଏଭଳି ଅସ୍ବାଭାବିକ ଦରବୃଦ୍ଧି ସହିତ ଅନ୍ୟ ଯେଉଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗମାନ ଜଡ଼ିତ, ସେଗୁଡ଼ିକ ହେଲେ- ଉପଭୋକ୍ତା ସୁରକ୍ଷା, ପ୍ରତିଯୋଗିତା, ଏବଂ ଯାତ୍ରୀମାନଙ୍କ ମଙ୍ଗଳ ପ୍ରତି ସରକାରଙ୍କର ଦାୟିତ୍ବବୋଧ। ବିଶେଷକରି ଭାରତୀୟ ଜନସାଧାରଣ ମୋଦୀ ସରକାରଙ୍କର ସେଇ ପ୍ରତିଶ୍ରୁତି ବହନକାରୀ ସ୍ଲୋଗାନ ଭୁଲି ନାହାନ୍ତି, ଯେଉଁଥିରେ ଘୋଷଣା କରାଯାଇଥିଲା ଯେ ଏଣିକି କେବଳ ହାୱାଇ ଚପଲ ପିନ୍ଧିବାକୁ ସକ୍ଷମ ଥିବା ସାଧାରଣ ଭାରତୀୟ ନାଗରିକମାନେ ମଧ୍ୟ ବିମାନରେ ଯାତ୍ରା କରିବାକୁ ସକ୍ଷମ ହେବେ: ‘‘ଜୋ ହାୱାଇ ଚପ୍ପଲ ପହନ୍ କର ଘୁମତା ହୈ, ୱହ ହାୱାଇ ଜହାଜ ମେ ଭି ଦିଖନା ଚାହିଏ।’’
ଏଇ ଘୋଷଣାକୁ ବାସ୍ତବତାରେ ପରିଣତ କରିବା ଉଦ୍ଦେଶ୍ୟରେ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ‘ଉଡ଼େ ଦେଶକା ଆମ୍ ନାଗରିକ’ ବା ସଂକ୍ଷେପରେ ‘ଉଡ଼ାନ୍’ ନାମ ବହନ କରୁଥିବା ସ୍କିମ ଉଦ୍‌ଘାଟନ ଅବସରରେ ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଏଇ ଘୋ‌ଷଣା କରିଥିବାବେଳେ, ପରବର୍ତ୍ତୀ ସମୟରେ ଦେଶରେ ବିଭିନ୍ନ ନୂତନ ବିମାନ ବନ୍ଦର ଉଦ୍‌ଘାଟନ ଅବସରରେ ସେ ତାହାର ପୁନରାବୃତ୍ତି କରିବା ଦେଖାଯାଇଛି, ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଥିଲା ୨୦୨୫ରେ ହିସାର ବିମାନ ବନ୍ଦର ଉଦ୍‌ଘାଟନ ଅବସରରେ। ଏକ ନିଷ୍ଠୁର ବିଡ଼ମ୍ବନା ସଦୃଶ ସୁପ୍ରିମ କୋର୍ଟଙ୍କର ଉପରୋକ୍ତ ଉପଦେଶ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଦେଖାଇଥିବା ଏଇ ହାୱାଇ ଚପଲ ପିନ୍ଧି ଉଡ଼ିବାର ସ୍ବପ୍ନର ଠିକ୍ ବିପରୀତ ଆଭିମୁଖ୍ୟ ବହନ କରିଥାଏ।
ତେବେ କେବଳ ସୁପ୍ରିମ କୋର୍ଟ ନୁହେଁ, ଖୋଦ ପ୍ରଧାନମନ୍ତ୍ରୀଙ୍କର ନିଜ ସରକାର ମଧ୍ୟ ଚପଲର ଉଡ଼ିବା ସ୍ବପ୍ନ ଭଙ୍ଗ କରିବା ପାଇଁ ବଦ୍ଧପରିକର ଥିବା ଭଳି ମନେ ହୋଇଥାଏ। କାରଣ, ‘ଭାରତୀୟ ବାୟୁଯାନ ନିୟମ, ୨୦୨୬’ ଅନ୍ତର୍ଗତ ଯେଉଁ ନୂତନ ବିମାନ ଭଡ଼ା ନିୟମ କାର୍ଯ୍ୟକାରୀ କରାଯାଇଛି, ତାହା ଅନୁସାରେ ତଥାକଥିତ ‘ଡାଇନାମିକ ପ୍ରାଇସିଙ୍ଗ’ ପଦ୍ଧତି ଅନୁସରଣ କରି ଟିକେଟ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ବିମାନ କଂପାନିମାନଙ୍କୁ ଅଧିକାର ପ୍ରଦାନ କରାଯାଇଛି। ସରଳ ଭାବରେ କହିଲେ ବଜାରରେ ଯୋଗାଣ ଓ ଚାହିଦାକୁ ଦୃଷ୍ଟିରେ ରଖି ଏଆରଲାଇନମାନେ ସେମାନଙ୍କର ଟିକେଟ ମୂଲ୍ୟରେ ହ୍ରାସବୃଦ୍ଧି ଘଟାଇ ପାରିବେ, ଯାହାର ପରିଣାମ ହେଉଛି ଉପରେ ଦର୍ଶାଯାଇଥିବା ଭଳି ଦିଲ୍ଲୀ-କଲିକତା ଯାତ୍ରା ଭଡ଼ାରେ ୭୦୦ ଶତାଂଶ ବୃଦ୍ଧି- ସମସ୍ତ ହାୱାଇ ଚପଲ ପିନ୍ଧାଳିମାନଙ୍କ ପାଇଁ ସ୍ବପ୍ନାତୀତ।
ଅର୍ଥଶାସ୍ତ୍ରର ଛାତ୍ରଛାତ୍ରୀମାନେ ଜାଣନ୍ତି କୌଣସି ଦ୍ରବ୍ୟ ବା ସେବାର ମୂଲ୍ୟରେ ଏଭଳି ଅହେତୁକ ବୃଦ୍ଧି ଘଟାଇ ଗ୍ରାହକମାନଙ୍କର ଶେ‌ାଷଣ କରିବା ସମ୍ଭବ ହୋଇଥାଏ କେବଳ ସେତିକିବେଳେ ଯେତେବେଳେ ବଜାରରେ ପ୍ରତିଯୋଗିତା ଅନୁପସ୍ଥିତ ଥାଏ ଓ ଏକଚାଟିଆ କାରବାର ଉପସ୍ଥିତ ଥାଏ। ଯେମିତି ବର୍ତ୍ତମାନ ଭାରତର ବିମାନ ଯାତ୍ରା ବଜାରରେ ଦେଖାଯାଇଥାଏ, ଯାହା ବସ୍ତୁତଃ ମାତ୍ର ଦୁଇଟି କଂପାନି ଦ୍ବାରା କବଳିତ। ଏଭଳି ପରିସ୍ଥିତିରେ ସରକାର ହାତ ଟେକି ବସି ‘ଡାଇନାମିକ ପ୍ରାଇସିଙ୍ଗ’ ନିୟମର ଅବାଧ ଅନୁସରଣକୁ ଅନୁମତି ଦେବା ପରିବର୍ତ୍ତେ ସକ୍ରିୟ ପଦକ୍ଷେପ ଗ୍ରହଣ କରି କଡ଼ାକଡ଼ି ଭାବରେ ବିମାନ ଯାତ୍ରା ଟିକେଟ ମୂଲ୍ୟ ନିୟନ୍ତ୍ରଣ କରି ହାୱାଇ ଚପଲର ସ୍ବପ୍ନ ସାକାର କରିବାକୁ ଆଗେଇ ଆସିବା ଉଚିତ। ନଚେତ୍, ପ୍ରଧାନମନ୍ତ୍ରୀଙ୍କର ଏଇ ପ୍ରତିଶ୍ରୁତି ମଧ୍ୟ ଇତିହାସରେ ଆଉ ଏକ ‘ଜୁମ୍‌ଲା’ ହୋଇ ରହିଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.