ARTICLE AD BOX
ବାବାଜୀଚରଣ ପଟ୍ଟନାୟକ
ସନ୍ଥକବି ଭୀମଭୋଇଙ୍କ ‘ସ୍ତୁତି ଚିନ୍ତାମଣି’ର ଚତୁର୍ବିଂଶ ବୋଲିର ଅଷ୍ଟାଦଶ ପଦର ଦ୍ବିତୀୟ ପାଦରେ ଅଛି ‘‘ପୁରୁଷଙ୍କୁ ସ୍ତିରୀ ଜ୍ଞାନ ବୁଝାଇଲେ ଲେଉଟିବ ସତ୍ୟ ଯୁଗ’’। କୌଣସି ଆନୁଷ୍ଠାନିକ ଶିକ୍ଷା ନ ପାଇ, ପରିବେଶ ଦ୍ବାରା ଶିକ୍ଷିତ ଭୀମଭୋଇ, ଊନବିଂଶ ଶତାବ୍ଦୀର ଶେଷ ତିନି ଦଶନ୍ଧିରେ ଆଉ ଜଣେ ଭାଗବତର ଅବଧୂତର ପରିଚୟ ବାଢ଼ନ୍ତି, ଯାହାଙ୍କ ପଦ୍ୟାତ୍ମକ ଉକ୍ତିରୁ ବେଦାନ୍ତ, ଉପନିଷଦ, ଇତିହାସ-ପୁରାଣର ସାର ନିର୍ଯାସ ଉପଲବ୍ଧ ହୁଏ। ଏବେ, ଦୁର୍ଗାଙ୍କ ମୃତ୍ତିକା ମୂର୍ତ୍ତି ଓ ପୀଠଦେବୀମାନଙ୍କ ପୂଜନୋତ୍ସବ ନିମିତ୍ତ ଓଡ଼ିଶାର ଜନଜୀବନ ଆଶ୍ବିନ ମାସର ଏହି ପକ୍ଷରେ ଚଳଚଞ୍ଚଳ ହୋଇ ଉଠିଥିବା କାଳରେ ମୋର ଭୀମଭୋଇଙ୍କ ଉକ୍ତି ମନେପଡ଼ିଛି।
Drinking water: ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ମାଲାନସୁଗା ଗ୍ରାମବାସୀ, ଚୁଆପାଣି ବଞ୍ଚାଇଛି ଜୀବନ
ମାତୃଶକ୍ତି ହିଁ ପରିବେଶରେ ଦୃଶ୍ୟମାନ ପ୍ରକୃତି, ତହିଁର ସଚଳ ଜୀବନ୍ତ ପ୍ରତିମା ହିଁ ନାରୀ। ନିଜ ଅଧ୍ୟୟନ ଓ ଅନୁଭୂତିରୁ ମୁଁ ବୁଝିଛି, ‘ସଂସାରେ ନାରୀଠାରୁ କେ ବଡ଼ ନାହିଁ।’ ତା’ରି ଉଦ୍ଦେଶ୍ୟରେ ଚଣ୍ଡୀପାଠରୁ ଶୁଣିହୁଏ, ‘ମାତୃ ରୂପେଣ ସଂସ୍ଥିତା’, ‘ଶକ୍ତି ରୂପେଣ ସଂସ୍ଥିତା’। ବରଗଡ଼ ଓ ଭବାନୀପାଟଣାରେ ବୋହୂଟିଏ ତା’ର ଜନ୍ମିତ ଜାଗାକୁ ଗଲାବେଳେ, କହେ; ‘ମୁଇଁ ମୋର ମଁା ଘରକେ ଯାଉଛେ।’ ଏଭଳି ଭାଷା ପଛରେ ମାତୃଶକ୍ତିର ଯେଉଁ ଉର୍ଜା ଅଭିବ୍ୟଞ୍ଜିତ ତାହା ହିଁ ଶକ୍ତି ଆରାଧନାର ପରମ୍ପରା ଉତ୍ସ। ଆଉ ଗୋଟିଏ କଥା- ପିଲାଦିନେ ମୋ ବୋଉ (ଶ୍ରୀ ଅକ୍ଷର ବିବର୍ଜିତା) ଆଣ ଓ ଢାଉରେ ଘରର ବାହାର ମାଟିକାନ୍ଥରେ ଗୋଟେ ମୂର୍ତ୍ତିଚିତ୍ର ଆଙ୍କିଥାଏ, ସେହି ମଣିଷ ଚରିତ୍ରର ଗୋଟେ ବେକରେ ପାଞ୍ଚମୁଣ୍ଡ ଏବଂ ବାମ ଓ ଡାହାଣ ପାଖ କାନ୍ଧରୁ ପାଞ୍ଚ ପାଞ୍ଚ ହାତ। ସେ, ମୋତେ ଚିହ୍ନାଇ ଦେଇଥିଲା, ସେ ଚିତ୍ରମୂର୍ତ୍ତି ରାବଣର ଭାଇ ବିଭୀଷଣର ବୋଲି। ପୁଣି, କହିଥିଲା, ସେ ଅମର ଏବଂ ପ୍ରତି ବର୍ଷ ରଥଯାତ୍ରା ବେଳେ ଜଗନ୍ନାଥଙ୍କୁ ଦେଖିବାକୁ ପୁରୀ ଆସନ୍ତି। ପରବର୍ତ୍ତୀ କାଳରେ ବୋଉ ଚରିତ୍ର ସ୍ବରୂପ ଓ କଥାର ସତ୍ୟତା ମୁଁ ସାରଳା ମହାଭାରତ, ସଭାପର୍ବରୁ ପଢ଼ି ଉପଲବ୍ଧି କଲି। ସୁତରାଂ ମୋ ସ୍ମରଣରେ ମୋ ପ୍ରଥମ ଶିକ୍ଷିକା ମୋ ମା’ ବା ବୋଉ। ବସ୍ତୁତଃ, ନାରୀ ହିଁ ଶିକ୍ଷାଦାତ୍ରୀ, ଅମଙ୍ଗଳ ହାରିଣୀ; ତେଣୁ ଜଗତମାତା। ଭୀମଭୋଇଙ୍କ ଭାଷାରେ ଏଇମାନେ ହିଁ ବ୍ରହ୍ମଜ୍ଞାନୀ। ଅପଶକ୍ତି ଅପହାରକ ଶକ୍ତି ପ୍ରତୀକ ଦୁର୍ଗା ହିଁ ଚଳନ୍ତି ଜୀବନରେ ପାଠ ଓ ସାକ୍ଷାତ୍ ଦର୍ଶନ ଲବ୍ଧ ନାରୀମାନଙ୍କର ବୋଲି ମୋର ବିଶ୍ବାସ।
ଓଡ଼ିଶା ଇତିହାସ ପଢ଼ାରୁ ଶକ୍ତିସ୍ବରୂପା ସାମ୍ରାଜ୍ଞୀ ଦଣ୍ଡୀ ମହାଦେବୀ (କାଳିକା), ରାଣୀ ଶୁକଦେଈ (ବାଙ୍କୀ ରାଣୀ), ସୂର୍ଯ୍ୟମଣି ପାଟ ମହାଦେଇ (ପୁରୀ ଗଜପତି ବୀରକିଶୋର ଦେବଙ୍କ ରାଣୀ) ଆଦିଙ୍କ କଥା ଅନେକେ ଜାଣନ୍ତି। ସୂର୍ଯ୍ୟମଣି ପାଟଦେଇଙ୍କ ଦେହାନ୍ତ ହୋଇଥିଲା ୨୪, ନଭେମ୍ବର ୧୯୨୬ରେ। ୧୮୭୮ରେ ଇଂରେଜ ସରକାର ଜଗନ୍ନାଥ ମନ୍ଦିର ପରିଚାଳନାରୁ ଗଜପତି ରାଜବଂଶକୁ ବିଦା କରିବାରୁ ସୂର୍ଯ୍ୟମଣି ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜରିଆରେ କଲିକତା ହାଇକୋର୍ଟରେ କେସ କରିବାକୁ ଯିବାବେଳେ, ତାଙ୍କୁ କହିଥିଲେ- ‘‘ମୁଁ ସୋନପୁରର ରାଜା ଦୈତ୍ୟାରି ସିଂହଙ୍କ କନ୍ୟା। ପିଲାଟି ଦିନରୁ ମହାନଦୀରେ ପହଁରି ଜାଣିଛି। ଘୋଡ଼ା ଚଳେଇବା, ଖଡ଼୍ଗ, ବର୍ଚ୍ଛା, ବନ୍ଧୁକ ଚଳେଇ ଯୁଦ୍ଧ କରିବା ବି ଶିଖିଛି।’’ ଆଃ, ତେଜସ୍ବିନୀ, ଶକ୍ତିସ୍ବରୂପା ଏ ମହୀୟସୀ ଓଡ଼ିଆ ବୀରାଙ୍ଗନା ଶ୍ରୀ ନୁହନ୍ତି କି?
ଏ ତ ଗଲା ଇତିହାସ ପଢ଼ା କଥା। ଜୀବନରେ ଯେଉଁ ଅଭୂତପୂର୍ବା ଶକ୍ତିମୟୀଙ୍କୁ ସ୍ବରୂପରେ ଦେଖିଥିଲି ସେ ହେଉଛନ୍ତି ବହ୍ନିକନ୍ୟା ମାଳତୀଦେବୀ ଚୌଧୁରୀ। ଅନୁଗୋଳ ଠାରେ ସ୍ଥାପିତ ‘ବାଜିରାଉତ ଛାତ୍ରାବାସ’, ‘ନବଜୀବନ ମଣ୍ଡଳ’ ଅନୁଷ୍ଠାନ ସେଠିକାର ଲୋକମୁଖରେ ମାଳତୀ ଆଶ୍ରମ ଭାବରେ ଉଚ୍ଚାରିତ ହୋଇଥାଏ। ରମା ଦେବୀ, ରମ୍ଭା ବେଦୀ, ମାଳତୀ ଚୌଧୁରୀ, ପାର୍ବତୀ ଗିରିଙ୍କ ଠାରୁ ନେଇ ସୁମନୀ ଝୋଡ଼ିଆଙ୍କ ପର୍ଯ୍ୟନ୍ତ ମହିଳାମାନେ ସେମାନଙ୍କ ସ୍ବାଭାବ, ନିଷ୍ଠା ଓ ତେଜ ଦ୍ବାରା ଅସୁମାରି ଜୀବନକୁ ପ୍ରଭାବିତ କରିଛନ୍ତି।
ଭାରତବର୍ଷର ଆଦିକାବ୍ୟ ରାମାୟଣ ଓ ମହାଭାରତରେ ନାରୀମାନଙ୍କ ଓଜସ୍ବୀ ବକ୍ତବ୍ୟ ଅନ୍ତରାଳରେ ମାତୃଶକ୍ତିର ମହାନତା ପ୍ରଚ୍ଛନ୍ନ। ଉଦାହରଣ ସ୍ବରୂପ, ଯୁଧିଷ୍ଠିର କ୍ଷତ୍ରିୟୋଚିତ କର୍ମ କରୁ ନ ଥିବାରୁ କୁନ୍ତୀ କୃଷ୍ଣଙ୍କ ହାତରେ କହି ପଠେଇଛନ୍ତି, “ଯୁଧିଷ୍ଠିରଙ୍କୁ କହିବ; ବେଦ ପଢ଼ି ନ ଜାଣିଲେ ବି, ବେଦର ଅକ୍ଷର ଲୋପ ହୁଏନାହିଁ। କ୍ଷତ୍ରିୟ ଧର୍ମ ସେହିପରି।’’ ନାରୀ ଚରିତ୍ର ବିହୁଳା ନିଜ ପୁଅ ସଞ୍ଜୟକୁ େଯଉଁଭଳି କୁତ୍ସିତ ପୁରୁଷ, ଭୀରୁ, ନପୁଂସକ କହି ଯୁଦ୍ଧକୁ ପ୍ରେରଣ କରିଛନ୍ତି ଏବଂ ପରବୋଲକରା ନ ହେବା ପାଇଁ ପରାମର୍ଶ ଦେଇଛନ୍ତି, ତାହା ଶକ୍ତିସ୍ବରୂପା ନାରୀର ହିଙ୍ଗୁଳା ରୂପ। ଅର୍ଜୁନ ଦାଉରୁ ଅଶ୍ବତ୍ଥାମାକୁ ମୁକୁଳେଇ ଥିବା ଦ୍ରୌପଦୀ, ଯୁଦ୍ଧରେ ଧର୍ମର ଜୟ ହେଉ ବୋଲି ପୁଅ ଦୁର୍ଯ୍ୟୋଧନଙ୍କୁ ଆଶୀର୍ବାଦ କରିଥିବା ଗାନ୍ଧାରୀ ଜଣେ ଜଣେ ମହୀୟସୀ ଶକ୍ତିର ପ୍ରକାଶିତ ନାରୀ ପ୍ରତିମା। ରାମାୟଣରେ ରାକ୍ଷସୀ ତ୍ରିଜଟା (ବିଭୀଷଣ କନ୍ୟା), ଶବରୀ, ଶକ୍ତିମୟୀ ସତ୍ତାର ଗୋଟେ ଗୋଟେ ପ୍ରମୂର୍ତ୍ତ ଆଧ୍ୟାତ୍ମିକ ନାରୀ ଚରିତ୍ର। ‘ଭାଗବତ’ରେ ଉତ୍ତରା ଚରିତ୍ର କିଭଳି ମାତୃରୂପା ତାହା ଅନେକେ ଜାଣନ୍ତି। ଉତ୍ତରାଙ୍କ ଗର୍ଭ ନଷ୍ଟ ପାଇଁ ଅଶ୍ବତ୍ଥାମା ଅସ୍ତ୍ର ପେଶିଛି। ସେ ବିକଳ ହୋଇ ଭଗବାନ କୃଷ୍ଣଙ୍କୁ ଡାକିଛନ୍ତି। ଜଗନ୍ନାଥ ଦାସଙ୍କ ଭାଷାରେ ତାଙ୍କର ଅନୁରୋଧ ଏହିପରି- ‘‘ଏ ଗର୍ଭ ରବି ତଳେ ଥାଉ। ମୋର ଜୀବନ ପଛେ ଯାଉ।’’ ମାଆର ବାତ୍ସଲ୍ୟ ଅଭିଳାଷ ଏଠି ବ୍ୟଞ୍ଜିତ। ବ୍ୟାସଙ୍କ ଉକ୍ତିକୁ ଓଡ଼ିଆ ଭାଷାରେ କହିଲେ ହେବ- “ଘରଣୀ ହିଁ ଘର।’’ ଆଉ ବାଲ୍ମୀକିଙ୍କ କଥା: ‘‘ନାରୀ ମର୍ଯ୍ୟାଦାନ୍ବିତ ଘର ହିଁ ଦେବଲୋକତୁଲ୍ୟ।’’
ଦେବୀ ମହାତ୍ମ୍ୟ ବା ଶ୍ରୀଦୁର୍ଗାସପ୍ତଶତୀରେ ମୃଣ୍ମୟୀ ଦୁର୍ଗା ଉପାସନା କଥା ବର୍ଣ୍ଣିତ। ଏହା ‘ମାର୍କଣ୍ଡେୟ ପୁରାଣ’ (ରଚନା କାଳ ଖ୍ରୀ.ପୂ. ୫ମରୁ ଖ୍ରୀଷ୍ଟୀୟ ୫ମ ଶତାବ୍ଦୀ, ଆନୁମାନିକ) ବର୍ଣ୍ଣିତ ପ୍ରସଙ୍ଗ। ମେଧା ଋଷିଙ୍କ ଆଶ୍ରମରେ ରାଜ୍ୟ ହରେଇଥିବା ରାଜା, ଚୈତ୍ରବଂଶୀ ସୁରଥ ଏବଂ ପରିବାରରୁ ବିତାଡ଼ିତ ବୈଶ୍ୟ ସମାଧି। ଏମାନଙ୍କୁ ମେଧା ଋଷି ଦୁର୍ଗାଙ୍କର ବିବିଧ ରୂପ ଶୁଣାଇ ଆଶ୍ବସ୍ତ କରାଇଛନ୍ତି। ଦୁଇ ଜଣଯାକ ନଦୀକୂଳରେ ଦେବୀଙ୍କର ମୃଣ୍ମୟୀ ପ୍ରତିମା ଗଢ଼ି, ଧୂପ, ଦୀପ, ପୁଷ୍ପାଦି ନୈବେଦ୍ୟରେ ଆରାଧନା କରିଛନ୍ତି। ଉଭୟ ଉପକୃତ ହୋଇଛନ୍ତି। ପରବର୍ତ୍ତୀ କାଳରେ ଷୋଡ଼ଶ ଶତାବ୍ଦୀରେ ବଙ୍ଗଳା ଭାଷାରେ କୃତ୍ତିବାସ ଓଝାଙ୍କ ଦ୍ବାରା ରାମାୟଣ ରଚନା କରାଯାଇଛି। ଏହି ରାମାୟଣର ଲଙ୍କାକାଣ୍ଡରେ ଶୋଇଥିବା ଦେବୀ ଦୁର୍ଗାଙ୍କୁ ରାମଚନ୍ଦ୍ର ଉଠାଇ ପୂଜା କରିଛନ୍ତି, ଲଙ୍କା ଯାତ୍ରା ପାଇଁ। ଏହାକୁ ‘ଅକାଳବୋଧନ’ କୁହାଯାଏ। ପ୍ରତିପଦାରୁ ନବମୀ (ଆଶ୍ବିନ ମାସ) ଯାକେ ନବରାତ୍ର କୁହାଯାଏ। ଏଠାରେ ମନେ ରଖିବାକୁ ହେବ, ଓଡ଼ିଶାରେ ଥିବା ଦେବୀପୀଠ (୯ମ ଶତାବ୍ଦୀଠାରୁ)ମାନଙ୍କରେ ଦୁର୍ଗା ନାନା ନାମରେ ବସନ୍ତ ଋତୁରେ ପୂଜା ପାଉଥିଲେ। ଆଶ୍ବିନରେ ପୂଜା ପାଇବା, ବଳି ପାଇବା, ମହିଷାସୁର ମାରିବାଦି କଥା ସାରଳା ମହାଭାରତରେ ବର୍ଣ୍ଣନା କରାଯାଇଥିବାରୁ ପୀଠଦେବୀମାନଙ୍କ ପୂଜା ବା ବାସନ୍ତୀ ଦୁର୍ଗାପୂଜା ପରମ୍ପରା, ଅକାଳବୋଧନ ବା ଅାଶ୍ବିନ ପୂଜାଠାରୁ ପ୍ରାଚୀନ ଏବଂ ଆଶ୍ବିନ ପୂଜା ବି ମାର୍କଣ୍ଡେୟ ପୁରାଣ ଅନୁସାରେ ସମକାଳରୁ ଆରମ୍ଭ ହୋଇଥିଲା। କୃତ୍ତିବାସ ରାମାୟଣ ଆଧାରରେ ଏହାର ପ୍ରସାର ଘଟିଥିବା ସମ୍ଭବପର। ଏ ପ୍ରତିମା ପୂଜା ସାମାଜିକ ଜୀବନ ଧାରାର ଶକ୍ତିସାଧନା ପରମ୍ପରାର ପ୍ରତୀକ। ଏ ଉତ୍ସବ, ମହିଷାମର୍ଦ୍ଦିନୀ ବେଶଧାରିଣୀ, ସିଂହବାହିନୀ, ଦଶଭୁଜା ଦୁର୍ଗାଙ୍କର। ଏବେ ପ୍ରର୍ଥନା କରାଯାଉ- ଯା ଦେବୀ ସର୍ବଭୂତେଷୁ ପ୍ରାଣ ରୂପେଣ ସଂସ୍ଥିତା / ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋନମଃ। ନାରୀଶକ୍ତି ଜଗତକୁ ଜ୍ଞାନ ବାଟ ଦେଖାଉ। ପୁରାଣ କଳ୍ପିତ ସତ୍ୟଯୁଗ ଆସୁ।
Drinking water: ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ମାଲାନସୁଗା ଗ୍ରାମବାସୀ, ଚୁଆପାଣି ବଞ୍ଚାଇଛି ଜୀବନ
ନାନାଦି ସଂସ୍କାର ଭିତରେ ମାତୃପୂଜା ଏବେ ଚାଲିଛି। ମନେପଡୁଛି ମଧୁସୂଦନ ଦାସଙ୍କ ‘ମାତୃପୂଜା ମଣ୍ଡପ’ କଥା ଓ କବି ଶେଖର ଚିନ୍ତାମଣି ମହାନ୍ତିଙ୍କ ‘ମେଘାସନ’ କାବ୍ୟରୁ ଏହି ପଦ- ‘‘ମାତା ମାତୃଭୂମି ମାତୃଭାଷା ତିନି / ସ୍ବର୍ଗୁ ଗରୀୟସୀ ଚୌବର୍ଗ ଦାୟିନୀ।’’ ଜନ୍ମଦାତ୍ରୀ ମାତ୍ରକେ ମାତା। ମାତା ବି ଏ ଦେବୀ ଦୁର୍ଗା। ଜରାସନ୍ଧ କବଳରୁ ମୁକ୍ତ ରାଜାମାନେ ‘ଦୁର୍ଗା’ଙ୍କୁ ମାଆ ବୋଲି ସମ୍ବୋଧନ କରିବା ସାରଳା ମହାଭାରତରୁ ଜଣାଯାଏ। ଯୁଧିଷ୍ଠିର ତ ଭାଇ ଓ ପତ୍ନୀଙ୍କ ସହ ଅଜ୍ଞାତ ବନବାସ ପାଇଁ ବିରାଟ ରାଜ୍ୟକୁ ପ୍ରବେଶ କରିବା ପୂର୍ବରୁ ମାତା ବୋଲି ଦୁର୍ଗାଙ୍କୁ ସମ୍ବୋଧନ କରିବା ଖୁବ୍ ବେଶୀ ପ୍ରାଚୀନ ପରମ୍ପରା। ଦେବୀ ଦୁର୍ଗା, ଜଗତମାତା, ଆଜି ବିଶ୍ବବାସୀଙ୍କୁ ଜ୍ଞାନଚେତନତାରେ ଦୀପ୍ତ କରାନ୍ତୁ- ଏତିକି ପ୍ରାର୍ଥନା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୩୧୯୯୧୪

1 hour ago
1


