Editorial: ପାଲିଙ୍କି ବାହକମାନେ!

57 minutes ago 1
ARTICLE AD BOX

ପିତାଙ୍କ ପରେ, ସ୍ବାଭାବିକ ଭାବେ ଓ ଅନାୟାସରେ, ସନ୍ତାନର ଅଧିକାର ସାବ୍ୟସ୍ତ ହୋଇଯାଉଥିବା ଭଳି ଆମ ରାଜ୍ୟ (ଦେଶ)ର ବିଚିତ୍ର ଗଣତାନ୍ତ୍ରିକ ରାଜନୀତିରେ, ଅବିଶ୍ରାନ୍ତ ପରିଶ୍ରମ କରି, ପିରାମିଡର ପାଦ ଦେଶରୁ ଶିଖର ଆରୋହଣ କରିବାରେ ନିମଗ୍ନ ତରୁଣମାନେ ଯେତେବେଳେ ହଠାତ୍‌ ଦେଖିଥିବେ ଯେ କୌଣସି ଜଣେ ସୌଭାଗ୍ୟବନ୍ତ ଆକାଶଛତା ସାହାଯ୍ୟରେ ଉପରୁ ଅବତରଣ କରି ଚୂଡ଼ାରେ ଉପସ୍ଥିତ ହୋଇ ସାରିଲାଣି, ସେମାନେ ହତାଶାରେ ସେମାନଙ୍କ ଉଦ୍ୟମରୁ ଓହରି ଯାଉଥିବେ! ଅନେକ ଛାତ୍ରନେତା ବା ନେତ୍ରୀ ହୁଏତ ରାଜନୀତିରୁ ସନ୍ନ୍ୟାସ ନେଇ ଯାଇଥିବେ। ଆଉ ଯେଉଁ କିଛି ରହିଯାଇଥିବେ, ସେମାନେ ଅବଲୀଳା କ୍ରମେ ପାଲିଙ୍କି ବାହକରେ ପରିଣତ ହୋଇଥିବେ।

Horoscope 2026 October 19: ଜାଣନ୍ତୁ ଆଜିର ରାଶିଫଳ

ଦୀର୍ଘ ଆଠ ବର୍ଷର ଅନ୍ତରାଳ ପରେ ଆମ ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇ ଫଳାଫଳ ପ୍ରକାଶିତ ହୋଇଯାଇଛି। ଏହାକୁ ନେଇ ସ୍ଥାନୀୟ ମୁଖ୍ୟ-ସ୍ରୋତୀୟ ଓ ସାମାଜିକ ଗଣମାଧ୍ୟମରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା ଏବଂ ଟେଲିଭିଜନ ନ୍ୟୁଜ ଚ୍ୟ‌ାନେଲଗୁଡ଼ିର ଅବତାରଣାରୁ ଭ୍ରମ ସୃଷ୍ଟି ହୋଇଥିଲା, ସତେ ଯେମିତି ବିଧାୟକ ବା ସାଂସଦ ଆସନ ସକାଶେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଏଥିରେ ବିସ୍ମିତ ହେବାର ହେତୁ ମଧ୍ୟ ନ ଥାଏ, କାରଣ ସମସ୍ତ ପ୍ରମୁଖ ରାଜନୈତିକ ଦଳର ଛାତ୍ର ଶାଖାର ପ୍ରତିନିଧିମାନେ ଏହି ନିର୍ବାଚନରେ ଲଢ଼ି ଥାଆନ୍ତି ଏବଂ ଭବିଷ୍ୟତ ସକାଶେ କତିପୟ ନେତା ବା ନେତ୍ରୀଙ୍କ ଉଦୟ ଘଟିଲା ବୋଲି ଧରି ନିଆଯାଇଥାଏ। ସେହି ଦୃଷ୍ଟିରୁ ଗତ ଆଠ ବର୍ଷ ଧରି ନିସ୍ତରଙ୍ଗ ଓ ସ୍ପନ୍ଦନଶୂନ୍ୟ ରହିଥିବା କ୍ୟାମ୍ପସରେ ନିର୍ବାଚନ ପ୍ରଚାର, ନାମାଙ୍କନ ପତ୍ର ଦାଖଲ ଆଦି ଜନିତ କୋଳାହଳ ଏବଂ ପରିଣାମ ଘୋଷିତ ହେବା ପରେ ବିଜୟୀମାନଙ୍କ ଉତ୍ସବାୟନ ଯେଉଁ ମାଦକତା ସୃଷ୍ଟି କରିଥିଲା ତାହା ଅତ୍ୟନ୍ତ ସ୍ବାଭାବିକ; କିନ୍ତୁ କ୍ରମେ ସେ ଉଚ୍ଚାଟ ଲୀନ ହୋଇଯିବା ପରେ ଏକ ସ୍ପଷ୍ଟ ଦୃଷ୍ଟିରେ ଛାତ୍ର ସଂସଦର ନିର୍ବାଚନକୁ ଅବଲୋକନ କରିବାର ସମୟ ଯେ ଉପନୀତ, ତହିଁରେ ଦ୍ବିରୁକ୍ତି ନାହିଁ। 
ପ୍ରଥମ କଥା ହେଲା, ୧୮ ବର୍ଷ ବୟସରୁ ଭୋଟ ଦେବାର ଅଧିକାର ଲାଭ କରି ସାରିଥିବା ତରୁଣ ବର୍ଗ ସଂପୃକ୍ତ ଥିବା କ୍ୟାମ୍ପସ ନିର୍ବାଚନରେ ଦଳୀୟ ରାଜନୀତିର ପ୍ରତ୍ୟକ୍ଷ ହସ୍ତକ୍ଷେପ ଯେ ହେବ ନାହିଁ, ଏହା ଭାବି ନେବା ହେଉଛି ଏକ ଧୃଷ୍ଟତା; ପୁଣି ଯେତେବେଳେ ସବୁ ରାଜନୈତିକ ଦଳର ଛାତ୍ର ଶାଖାଗୁଡ଼ିକ ସେମାନଙ୍କ ପ୍ରତିନିଧିମାନଙ୍କୁ ରଣାଙ୍ଗନରେ ଅବତୀର୍ଣ୍ଣ କରାଇଛନ୍ତି। ପ୍ରକାଶ ଥାଉ କି, ୧୯୮୮ ମସିହା ପୂର୍ବରୁ, ଯେତେବେଳେ ଭୋଟ ଦାନର ସର୍ବନିମ୍ନ ବୟସ ସୀମା ୨୧ ବର୍ଷ ଥିଲା, ସେତେବେଳେ ମଧ୍ୟ ଛାତ୍ର ସଂସଦ ନିର୍ବାଚନରେ, ଅପେକ୍ଷାକୃତ କମ୍‌ ହେଲେ ସୁଦ୍ଧା, ଦଳୀୟ ରାଜନୀତିର ପ୍ରଭାବ ରହୁଥିଲା। ତେଣୁ କ୍ୟାମ୍ପସ ନିର୍ବାଚନ ଓ ଗତିବିଧିରେ ରାଜନୈତିକ ଦଳଗୁଡ଼ିକର ପ୍ରଭାବ, ଏପରିକି ହସ୍ତକ୍ଷେପର ଉଦ୍ୟମ, ଅନାକାଂକ୍ଷିତ ହୋଇଥିଲେ ମଧ୍ୟ ପ୍ରାୟ ଅନିବାର୍ଯ୍ୟ! କିନ୍ତୁ, ଏହି ଛାତ୍ର ସଂସଦ ନିର୍ବାଚନରେ ଅନେକ ଛାତ୍ରଛାତ୍ରୀ ସେମାନଙ୍କ ଉଦ୍ୟମ, ଉଦ୍ଦେଶ୍ୟ ଓ ସର୍ବୋପରି କ୍ୟାମ୍ପସକୁ ବଡ଼ମାନଙ୍କ ଦ୍ବାରା ସୃଷ୍ଟ କର୍ଦ୍ଦମ ଦ୍ବାରା ଏଭଳି କଳୁଷିତ କରି ପକାଇଛନ୍ତି, ଯାହା ଉଦ୍‌ବେଗର କାରଣ ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ ଏହି ଛାତ୍ର ସଂସଦ ନିର୍ବାଚନରେ ୨୦୧୧ ମସିହାର ଲିଙ୍ଗଡୋ କମିସନଙ୍କ ସୁପାରିସକୁ ଖେଲାଖୋଲି ଉଲ୍ଲଂଘନ କରାଯାଇଥିଲା। ଏକ ପରିଚ୍ଛନ୍ନ ପରିବେଶରେ ନିରାଡ଼ମ୍ବର ଓ ରୁଚିପୂର୍ଣ୍ଣ ଭାବେ କ୍ୟାମ୍ପସ ନିର୍ବାଚନ କରାଇବା ଲାଗି ଲିଙ୍ଗଡୋ କମିସନଙ୍କ ଦ୍ବାରା ପ୍ରସ୍ତୁତ ମାର୍ଗ ନିର୍ଦ୍ଦେଶିକାରେ ନିର୍ବାଚନ ପ୍ରଚାରକାଳୀନ ବ୍ୟୟର ସର୍ବୋଚ୍ଚ ସୀମାକୁ ପ୍ରାର୍ଥୀ ପିଛା ମାତ୍ର ୫ ହଜାର ଟଙ୍କାରେ ନିର୍ଦ୍ଧାରିତ କରାଯାଇଥିଲେ ହେଁ ପ୍ରାପ୍ତ ସମ୍ବାଦରୁ ଜଣାପଡ଼େ ଯେ କ୍ୟାମ୍ପସରେ ବିରିଆନି, ବୁଫେ ଓ ବିଅରର ଜୁଆର ସୃଷ୍ଟି ହୋଇଥିଲା, ଯହିଁରେ ଅନେକ ପ୍ରାର୍ଥୀ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ଓ କେତେକଙ୍କ ସ୍ଥଳେ ତାହା ୫ ଲକ୍ଷ ଟଙ୍କାକୁ ମଧ୍ୟ ଅତିକ୍ରମ କରି ଯାଇଛି; ଅର୍ଥାତ୍‌ ଧନ ଦ୍ବାରା ଭୋଟରଙ୍କୁ ପ୍ରଭାବିତ କରିବାର ପ୍ରୟାସ! ଏଥିରେ ନିହିତ ଦାରୁଣ ବିଡ଼ମ୍ବନାଟି ହେଲା ଏଭଳି ଏକ ବୟସ‌ରେ ସେମାନେ ଅସାଧୁତା ଓ ଅଙ୍ଗୀକାରଶୂନ୍ୟତାର ଦୃଷ୍ଟାନ୍ତ ରଖିଛନ୍ତି, ଯେଉଁ ବୟସ, ତାରୁଣ୍ୟର ସହଜାତ ବିଦ୍ରୋହ, ମୂଲ୍ୟବୋଧ ଓ ନୈତିକତା ପ୍ରତି ଅନୁରକ୍ତି ଇତ୍ୟାଦି ଦ୍ବାରା ପରିଭାଷିତ ହୋଇଥାଏ। କ୍ୟାମ୍ପସର ହାନିଲାଭ ବୁଝିବା ଭଳି ଏକ ଅତ୍ୟନ୍ତ ସୀମିତ ବ୍ୟାପାରରେ ନେତୃତ୍ବ ନେବା ଲାଗି ହୋଇଥିବା ଏହି ନିର୍ବାଚନକୁ ଯଦି ପ୍ରାର୍ଥୀମାନଙ୍କ ରାଜନୈତିକ ଜୀବନର ଖଡ଼ିଛୁଆଁ ବୋଲି ଧରାଯାଏ, ତେବେ ଅନୁମାନ କରିବାକୁ କଷ୍ଟ ହୋଇ ନ ଥାଏ ଯେ କଲେଜ ଓ ୟୁନିଭର୍ସିଟିର ଏହି ଉଚ୍ଚଶିକ୍ଷିତ ତରୁଣତରୁଣୀମାନେ ଭବିଷ୍ୟତ୍‌ରେ ହୁଏତ ରାଜନୈତିକ କଳୁଷର ପ୍ରବାହକୁ ନିରନ୍ତରତା ପ୍ରଦାନ କରିବେ। 
ଏବେ ଏହି ସଂଦର୍ଭରେ ଉଠୁଥିବା ଏକ ପ୍ରଶ୍ନ ହେଲା, କ୍ୟାମ୍ପସ ରାଜନୀତିର ପାଠଶାଳାରେ ଉତ୍ତୀର୍ଣ୍ଣ ହୋଇଥିବା ସଫଳ ସ୍ବପ୍ନଭୁକ୍‌ମାନେ, ଭବିଷ୍ୟତରେ, ସେମାନଙ୍କ ରାଜନୈତିକ ମହାତ୍ତ୍ବାକାଂକ୍ଷା ପୂରଣ କରିବାରେ ସମର୍ଥ ହେବେ ତ? ସାଂପ୍ରତିକ ରାଜନୀତିରେ ସକ୍ରିୟ ଥିବା ରାଜନେତା, ଯେମିତି କି ପ୍ରସାଦ ହରିଚନ୍ଦନ କି ପୃଥ୍ବୀରାଜ ହରିଚନ୍ଦନ ବା ସୁରେଶ ପୂଜାରୀ କିଂବା ଧର୍ମେନ୍ଦ୍ର ପ୍ରଧାନ ଅଥବା ଅରୁଣ ସାହୁ ଇତ୍ୟାଦି ନବମ ଦଶକ ପୂର୍ବର ଛାତ୍ର ନେତା। ଏମାନଙ୍କୁ ସେହି ପରଂପରାର ଅନ୍ତିମ ଦାୟାଦ ବୋଲି କୁହାଯାଇପାରେ, ଯହିଁରେ ଛାତ୍ରନେତାମାନେ ଅନ୍ତତଃ ପକ୍ଷେ ବିଧାୟକ ବା ସାଂସଦ ଏବଂ ସ୍ଥଳ ବିଶେଷରେ ମନ୍ତ୍ରୀ ହୋଇପାରିଛନ୍ତି। ଏହି ଧାରାରେ ଦିଶନ୍ତି ନୀଳମଣି ରାଉତରାୟ, ବୀରେନ ମିତ୍ର, ରବି ରାୟ, ଶ୍ୟାମସୁନ୍ଦର ମହାପାତ୍ର, ନନ୍ଦିନୀ ଶତପଥୀ, ଅରୁଣ ଦେ, ଶ୍ରୀବଲ୍ଲଭ ପାଣିଗ୍ରାହୀ, ତ୍ରିଲୋଚନ କାନୁନଗୋ, ହରିଶ୍ଚନ୍ଦ୍ର ବକ୍ସିପାତ୍ର, ନିରଞ୍ଜନ ପଟ୍ଟନାୟକ, କାହ୍ନୁଚରଣ ଲେଙ୍କା, ଯୁଗଳ କିଶୋର ପଟ୍ଟନାୟକ, ପ୍ରଭାତ ତ୍ରିପାଠୀ, ରାଜା ସ୍ବାଇଁ, ଅଶୋକ ଦାସ, ପଞ୍ଚାନନ କାନୁନଗୋ, ସମରେନ୍ଦ୍ର କୁଣ୍ଡୁ, ଶ୍ରୀକାନ୍ତ ଜେନା, ମନମୋହନ ସାମଲ, ଉମେଶ ସ୍ବାଇଁ, ଉତ୍କଳ ପରିଡ଼ା, ବ୍ରଜ ତ୍ରିପାଠୀ, ପ୍ରଫୁଲ୍ଲ ଘଡ଼େଇ, ପ୍ରଫୁଲ୍ଲ ସାମଲ, ମହାଶ୍ବେର ମହାନ୍ତି, ରବି ପାଣି, ଗୌତମ ରାୟ, ସମୀର ଦାସ, ରୁଦ୍ର ନାରାୟଣ ପାଣି, ପ୍ରତାପ ଜେନା, ଅର୍ଚ୍ଚନା ନାୟକ, ମୋହନ ଜେନା, ରାଧାରାଣୀ ପଣ୍ଡା, ସିପ୍ରା ମହାନ୍ତି ଇତ୍ୟାଦି ଅନେକ! କହିବାର ତାତ୍ପର୍ଯ୍ୟ ହେଲା, ଷଷ୍ଠ ଦଶକର ମଧ୍ୟ ଭାଗରୁ ନବମ ଦଶକର ଶେଷ ପର୍ଯ୍ୟନ୍ତ ସମୟର ଅଳିନ୍ଦ ଥିଲା ବିଧାୟକ ଓ ସାଂସଦ ହୋଇ ପାରିଥିବା ଛାତ୍ରନେତାଙ୍କ ଭିଡ଼ରେ ଭରପୂର! କିନ୍ତୁ, ୨୦୦୦ ମସିହା ପରଠାରୁ ଏ ପର୍ଯ୍ୟନ୍ତ ସେଭଳି ଦୃଷ୍ଟାନ୍ତ, ଗୋଟିଏ ବା ଦୁଇଟିକୁ ଛାଡ଼ି ନେଲେ, ପ୍ରାୟତଃ ନାହିଁ। ଏହି ଛବିଶ ବର୍ଷର କାଳ ଖଣ୍ଡରେ ବିଧାୟକ ଓ ସାଂସଦ ଇତ୍ୟାଦି ହୋଇଥିବା ଅନେକ ତରୁଣ-ତରୁଣୀ ଛାତ୍ରନେତା ବା ନେତ୍ରୀ ଭାବେ ସେମାନଙ୍କ ରାଜନୈତିକ କ୍ୟାରିଅର ଆରମ୍ଭ କରି ନାହାନ୍ତି, ବରଂ, ସୁକୃତ୍‌ରୁ, ପିତା ବା ମାତାମାନଙ୍କ ଦ୍ବାରା ଅଧିକୃତ ରାଜନୈତିକ ଉପନିବେଶଗୁଡ଼ିକୁ ଉତ୍ତରାଧିକାର ସୂତ୍ରରେ ପାଇଛନ୍ତି ଯାହା! ଗୋଟିଏ ଦୃଷ୍ଟିରୁ ଧର୍ମେନ୍ଦ୍ର ପ୍ରଧାନ ଓ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଉପରୋକ୍ତ ସୁଯୋଗର ହିତାଧିକାରୀ, କିନ୍ତୁ, ଛାତ୍ର ନେତା ଭାବେ ସେମାନଙ୍କ କାର୍ଯ୍ୟ ଓ ଦକ୍ଷତା ସେମାନଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରିଥାଏ। ତେବେ, ପ୍ରଶ୍ନ ଉଠେ ଯେ ୨୦୦୦ ମସିହା ପରଠାରୁ ଉଦୟ ହୋଇଥିବା ଛାତ୍ର ନେତା ବା ନେତ୍ରୀମାନେ ଗଲେ କୁଆଡ଼େ?

Weather: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ସକ୍ରିୟ, ଚେନ୍ନାଇରେ ପ୍ରବଳ ବର୍ଷା

ପିତାଙ୍କ ପରେ, ସ୍ବାଭାବିକ ଭାବେ ଓ ଅନାୟାସରେ, ସନ୍ତାନର ଅଧିକାର ସାବ୍ୟସ୍ତ ହୋଇଯାଉଥିବା ଭଳି ଆମ ରାଜ୍ୟ (ଦେଶ)ର ବିଚିତ୍ର ଗଣତାନ୍ତ୍ରିକ ରାଜନୀତିରେ, ଅବିଶ୍ରାନ୍ତ ପରିଶ୍ରମ କରି, ପିରାମିଡର ପାଦ ଦେଶରୁ ଶିଖର ଆରୋହଣ କରିବାରେ ନିମଗ୍ନ ତରୁଣମାନେ ଯେତେବେଳେ ହଠାତ୍‌ ଦେଖିଥିବେ ଯେ କୌଣସି ଜଣେ ସୌଭାଗ୍ୟବନ୍ତ ଆକାଶଛତା ସାହାଯ୍ୟରେ ଉପରୁ ଅବତରଣ କରି ଚୂଡ଼ାରେ ଉପସ୍ଥିତ ହୋଇ ସାରିଲାଣି, ସେମାନେ ହତାଶାରେ ସେମାନଙ୍କ ଉଦ୍ୟମରୁ ଓହରି ଯାଉଥିବେ! ଅନେକ ଛାତ୍ରନେତା ବା ନେତ୍ରୀ ହୁଏତ ରାଜନୀତିରୁ ସନ୍ନ୍ୟାସ ନେଇ ଯାଇଥିବେ। ଆଉ ଯେଉଁ କିଛି ରହିଯାଇଥିବେ, ସେମାନେ ଅବଲୀଳା କ୍ରମେ ପାଲିଙ୍କି ବାହକରେ ପରିଣତ ହୋଇଥିବେ। ଏକ ଦାରୁଣ ବାସ୍ତବତା ହେଲା, ରାଜପୁତ୍ର ଓ ରାଜକନ୍ୟାମାନଙ୍କ ସକାଶେ ପାଲିଙ୍କି ଏକ ସ୍ଥାୟୀ ବନ୍ଦୋବସ୍ତ ହୋଇ ରହେ, ଅଥଚ, ପାଲିଙ୍କି ବାହକମାନେ ବଳ ଥିବା ପର୍ଯ୍ୟନ୍ତ ସେମାନଙ୍କୁ ବହନ କରି ଚାଲନ୍ତି; ବଳ ଖସିଗଲା ପରେ ସେମାନଙ୍କ ସ୍ଥାନରେ ଆଉ ଥୋକେ ଆସନ୍ତି!

Read Entire Article
LEFT SIDEBAR AD

Hidden in mobile, Best for skyscrapers.