Editorial: ଈଶ୍ବରଙ୍କ ଚିତ୍ର

43 minutes ago 1
ARTICLE AD BOX

ଅସାମାନ୍ୟ ସାହସ ଦେଖାଇଥିବା ପାଇଲଟ ସ୍ମିତ ମଚ୍ଛରଙ୍କ ‘ଫ୍ଲାଏଦୁବାଇ’ ଏୟାରଲାଇନ୍‌ସରେ ନିଯୁକ୍ତି ଓ ସେ ଦିନ ସେହି ବିମାନରେ ଡ୍ୟୁଟି, ‘ପ୍ଲେନ କ୍ରାସ ଇନଭେଷ୍ଟିଗେସନ୍‌ସ’ ନାମକ ଧାରାବାହିକ ଟେଲିଭିଜନରେ ଦେଖି ତହିଁରୁ ଆହରଣ କରିଥିବା ସାମାନ୍ୟ ଓ ସ୍ପଷ୍ଟ-ଅସ୍ପଷ୍ଟ ଜ୍ଞାନ ବଳରେ ଅଗତ୍ୟା ‘ଲିଭର’ ଦୁଇଟିକୁ ଟେକି ଦେଇ ବିମାନକୁ ଭୂପତିତ ହେବାରୁ କ୍ଷଣିକେ ରକ୍ଷା କରିଥିବା ପ୍ଲଂବର ୟାନିଭ ହାୟୁନଙ୍କ ସେହି ବିମାନରେ ଉପସ୍ଥିତି ଏବଂ ଯାତ୍ରୀ ଭାବେ ଦୁଇ ଅଭିଜ୍ଞ ପାଇଲଟଙ୍କ ସେହି ବିମାନରେ ଯାତ୍ରା ହେଉଛି ସେହି ସବୁ ବିନ୍ଦୁ ଯାହାକୁ ଯୋଡ଼ିଲେ ଈଶ୍ବରଙ୍କ ଅପୂର୍ବ ଭିଆଣକୁ ଦେଖି ହୁଏ।

ଗଲା ସେପ୍‌ଟେମ୍ବର ୩୦ ତାରିଖରେ, ୧୭୪ ଜଣ ଯାତ୍ରୀଙ୍କୁ ଘେନି ଦୁବାଇରୁ ତେଲ ଅଭିଭ (ଇସ୍ରାଏଲ) ଅଭିମୁଖେ ଯାତ୍ରା କରୁଥିବା ବୋଇଂ ୭୩୭ ମାକ୍‌ସ (ଏଫ ଜେଡ୍‌ ୧୦୭୩)ରେ ସଂଘଟିତ ଏକ ଘଟଣା ସମଗ୍ର ପୃଥିବୀକୁ ତଟସ୍ଥ କରିଦେଇଛି; କେବଳ ସେତିକି ନୁହେଁ, ତା’ ସହିତ ବିମାନ ଯାତ୍ରାର ନିରାପତ୍ତା, ବିଶ୍ବାସ ଭଙ୍ଗ, ଅସାମାନ୍ୟ ସାହସ ଓ ଅଲୌକିକତା ଆଦିକୁ ନେଇ ଆଲୋଚନା, ପ୍ରଶ୍ନ ଓ ତର୍କ ଆଦିର ଜୁଆର ସୃଷ୍ଟି କରିଛି। କହିବା ବାହୁଲ୍ୟ ଯେ ଏହି ସଂଦର୍ଭଟି ସମସ୍ତ ଭାରତୀୟଙ୍କ ସକାଶେ ମଧ୍ୟ ଗର୍ବବୋଧର ବିଷୟ ହୋଇଥାଏ, କାରଣ ସୁଖକର ସମାପ୍ତି ସହିତ ଯବନିକା ପଡ଼ିଥିବା ଏହି ନାଟକର ମହାନାୟକ ହେଉଛନ୍ତି ତହିଁରେ ଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛର। ବିମାନ ଉଡ଼ାଣର ଇତିହାସରେ ଅଭୂତପୂର୍ବ ଏଭଳି ଏକ ଘଟଣା ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ‌ଆଲୋଚନା ଏଠାରେ ପ୍ରାସଙ୍ଗିକ ହୋଇଥାଏ। 
ଏତେ ବେଳକୁ ଘଟଣାଟି ପ୍ରାୟ ସର୍ବଜନବିଦିତ ହୋଇଯାଇଥିଲେ ହେଁ ଅତି ସଂକ୍ଷେପରେ ତା’ର ଅବତାରଣା କରାଯାଇପାରେ। ଶଂସିତ ବିମାନର ନିଭୃତ କକ୍‌ପିଟରେ, କ୍ୟାପଟେନ ସ୍ମିତ ମଚ୍ଛର ତାଙ୍କ ସହ-ପାଇଲଟର ସଶସ୍ତ୍ର ଆକ୍ରମଣରେ ଗୁରୁତର ଭାବେ ଆହତ ହୁଅନ୍ତି ସିନା, ସଂଘର୍ଷ କରି ଭିତରୁ କିଳା ଯାଇଥିବା କକପିଟ ଦରଜାକୁ ଖୋଲି ଦିଅନ୍ତି। କକପିଟ ଭିତରେ ଅସ୍ବାଭାବିକ ଚିତ୍କାର ଶୁଣି ସେତେବେଳକୁ ଜାଗ୍ରତ ହୋଇଯାଇଥିବା ଯାତ୍ରୀମାନେ ତତ୍‌କ୍ଷଣାତ୍ ଭିତରକୁ ପଶି ସେହି ଉଦ୍‌ଭ୍ରାନ୍ତ ପାଇଲଟକୁ ନିଷ୍କ୍ରିୟ କରି ଦିଅନ୍ତି, ଯିଏ ସେତେବେଳକୁ ବିମାନ ଚାଳନାକୁ ଅକ୍ତିଆର କରିସାରିଥାଏ ଓ ବିମାନଟି ଶବ୍ଦର ବେଗ ସହିତ ସମତୁଲ ବେଗରେ ତଳମୁହାଁ ହୋଇ ଖସି ଚାଲିଥାଏ। ଜଣାପଡ଼ିଛି ଯେ ମାତ୍ର ୨୦ ସେକେଣ୍ଡ ମଧ୍ୟରେ ବିମାନଟି ନିମ୍ନଗାମୀ ହୋଇଥିଲା ୧୭ ହଜାର ଫୁଟ। ତେବେ, ଘଟଣା କ୍ରମେ ସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଏ ଏବଂ ବିମାନକୁ ନିରାପଦ‌େର ଅବତରଣ କରାଯାଏ। ଏହି ପ୍ରକରଣରେ ଅନିର୍ବଚନୀୟ ଭୂମିକା ନିର୍ବାହ କରନ୍ତି ଯଥାକ୍ରମେ ଜଣେ ସାଧାରଣ ପ୍ଲଂବର (ପାଣି ପାଇପ ମିସ୍ତ୍ରି) ଓ ଯାତ୍ରୀ ଭାବେ ବିମାନରେ ଉପସ୍ଥିତ ଥିବା ଦୁଇ ଜଣ ଅଭିଜ୍ଞ ପାଇଲଟ। ସୁତରାଂ, ତିନି ନାୟକଙ୍କ ଅବଦାନରେ ଏକ ସୁନିଶ୍ଚିତ ବିପର୍ଯ୍ୟୟ ଅବଲୀଳା କ୍ରମେ ଏକ ସୁଖାନ୍ତକ କାହାଣୀ ସୃଷ୍ଟି କରେ। 
‌େତବେ, ଖୁବ୍‌ ଶୀଘ୍ର, ଏହି ଘଟଣା, ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଦ୍ବାରା ଏକ ଆତଙ୍କବାଦୀ ଆକ୍ରମଣ ରୂପେ ଚିହ୍ନିତ ହେବା ମଧ୍ୟ ସନ୍ଦେହ, ସଂଶୟ ଓ ସମାଲୋଚନାର ସୂତ୍ରପାତ କରିଛି। କାରଣ, ନେତନ୍ୟାହୁଙ୍କ ଏଭଳି ଘୋଷଣା ବେଳକୁ ସନ୍ଦିଗ୍‌ଧ ପାଇଲଟର ଜାତୀୟତା ଓମାନୀ ବୋଲି ଏକ ସୂଚନା ବ୍ୟତୀତ ଆଉ କୌଣସି ତଥ୍ୟ ତାଙ୍କ ହସ୍ତଗତ ହୋଇ ନ ଥିବ! ସୁତରାଂ, ଅଭିଯୁକ୍ତର ଅଭିସନ୍ଧି ପଛରେ ଅପହରଣ ନା ଆତ୍ମଘାତ ନା ଆତଙ୍କବାଦ ନିହିତ; ତାହା କୁହାଯିବା ସମ୍ଭବ ନୁହେଁ (ଏହା ଲେଖା ହେବା ବେଳକୁ ମଧ୍ୟ ତାହା ସ୍ପଷ୍ଟ ହୋଇନାହିଁ)। ଅବଶ୍ୟ, ଓମାନ ହେଉଛି ଇସ୍ରାଏଲର ଜାତ ଶତ୍ରୁ ଇରାନର ଏକ ମିତ୍ର ରାଷ୍ଟ୍ର, ଯାହା ଏ ଯାବତ୍‌ ଇସ୍ରାଏଲକୁ ସ୍ବୀକୃତି ପ୍ରଦାନ କରିନାହିଁ। କିନ୍ତୁ, କେବଳ ଏତିକି ମାତ୍ର ସୂଚନାରୁ ଆହୃତ ନେତନ୍ୟାହୁଙ୍କ ଉପସଂହାର ଅସଂଖ୍ୟଙ୍କ ସକାଶେ ଅସ୍ବୀକାର୍ଯ୍ୟ ହୋଇଥାଏ। ସେମାନେ ଏହାକୁ, ଆଗାମୀ ଇସ୍ରାଏଲୀ ନିର୍ବାଚନ ପୃଷ୍ଠଭୂମିରେ, ଆପଣା ଅବକ୍ଷୟିଷ୍ଣୁ ଜନ ସମର୍ଥନର ଭରଣା ଲାଗି ନେତନ୍ୟାହୁଙ୍କ ଏକ କୌଶଳ ରୂପେ ଦେଖନ୍ତି; କାରଣ ଆତଙ୍କବାଦ କବଳରୁ ସୁରକ୍ଷା ଦେବାରେ ସେ ହିଁ ଏକମାତ୍ର ସମର୍ଥ ନେତା ବୋଲି ବ୍ୟାଖ୍ୟାନଟିଏ ଗଢ଼ିବାରେ ସେ ବ୍ୟାପୃତ! ତେବେ, ସେ ଯାହା ହେଉ, ରାଜନୈତିକ ଆରୋପ-ପ୍ରତ୍ୟାରୋପର ଉଚ୍ଚାଟ ଭିତରେ କେତେକ ମୌଳିକ ପ୍ରଶ୍ନ ନିଷ୍ପ୍ରଭ ହୋଇଯାଆନ୍ତି ନାହିଁ, ଯାହା ନିରାପଦ ବିମାନ ଯାତ୍ରା ସକାଶେ ସର୍ବତ୍ର ଓ ସବୁ ସମୟରେ ଅନିବାର୍ଯ୍ୟ ବୋଲି ମନେ ହୋଇଥାଏ। 
ପ୍ରଥମ ପ୍ରଶ୍ନ ଉଠିଥାଏ ଯେ ଆକ୍ରମଣରେ କେଉଁ ଅସ୍ତ୍ର ବ୍ୟବହୃତ ହୋଇଥିଲା? ଅନୁମାନ କରାଯାଉଛି ଯେ ଜରୁରୀକାଳୀନ ସ୍ଥିତିରେ, ଜୀବନ ବଞ୍ଚାଇବା ଲାଗି, ବିମାନର କାଚ ଭାଙ୍ଗିବାର ଆବଶ୍ୟକତା ଦୃଷ୍ଟିରୁ କକପିଟରେ ରଖାଯାଉଥିବା ହାତୁଡ଼ିଟି ହୁଏତ ସେହି ଅସ୍ତ୍ର! ଯଦି, ସେଭଳି ହୋଇଥିବ, ତେବେ ବ୍ୟବସ୍ଥାରେ ସନ୍ନିହିତ ବିପଦଟି ହଠାତ୍‌ ଉଜାଗର ହୋଇଯାଇଛି ବୋଲି କହିବାକୁ ହେବ! ଏବଂ ଯଦି ସଂପୃକ୍ତ ପାଇଲଟ ଅନ୍ୟ କୌଣସି ଅସ୍ତ୍ରର ବ୍ୟବହାର କରିଥିବେ, ତେବେ ତହିଁରେ କେବଳ ସୁରକ୍ଷା ଯାଞ୍ଚ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିବା ଯଥେଷ୍ଟ ହେବ ନାହିଁ; କାରଣ ଏହା ସହିତ ବିଶ୍ବାସର ସେହି ସେତୁଟି ମଧ୍ୟ ଧରାଶାୟୀ ହୋଇଯିବ, ଯହିଁ‌େର ବିମାନର ପାଇଲଟ ଓ ‘କ୍ରିଉ’ (କର୍ମଚାରୀ) କଦାପି ଅପହର୍ତ୍ତା ବା ଆତ୍ମଘାତୀ ବା ଆତଙ୍କବାଦୀ ହୋଇ ନ ପାରନ୍ତି ବୋଲି ଯାତ୍ରୀମାନଙ୍କ ବଦ୍ଧମୂଳ ବିଶ୍ବାସ ଥାଏ। ଏଥିରେ ବିଚ୍ୟୁତି ଘଟିଲେ ବିଶ୍ବାସ ଭଙ୍ଗର ଯେଉଁ ଫାଟ ସୃଷ୍ଟି ହୋଇପାରେ, ତାକୁ ବୁଜିବା ବୋଧହୁଏ ସମ୍ଭବ ହୋଇ ନ ପାରେ! ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେପ୍‌ଟେମ୍ବର ୧୧ (୨୦୦୧)ର ଆତଙ୍କବାଦୀ ଆକ୍ରମଣ ପୂର୍ବରୁ କକପିଟ ଦ୍ବାରକୁ ଭିତରୁ କିଳିବାର ବ୍ୟବସ୍ଥା ନ ଥିଲା ବା ସେଭଳି ଆବଶ୍ୟକତା ମଧ୍ୟ ବୋଧ କରି ହେଉ ନ ଥିଲା। ତେଣୁ, ଆତଙ୍କବାଦୀମାନେ ଅନାୟାସରେ କକପିଟରେ ପ୍ରବେଶ କରି ବିମାନ ଚାଳନାକୁ କବଜା କରିବା ସହିତ ୱର୍ଲଡ ଟ୍ରେଡ ସେଣ୍ଟରକୁ ଧ୍ବଂସ କରିଦେବା ଭଳି ଘଟଣାଟିଏ ଘଟିବା ପରେ ଯାଇ କକପିଟକୁ ଭିତରୁ କିଳିବାର ନୂତନ ନୀତି ପ୍ରଚଳିତ ହେଲା। କିନ୍ତୁ, ଦୁବାଇ-ତେଲ ଅଭିଭ ବିମାନରେ ଘଟିଥିବା ଘଟଣା ପରେ ଛନକା ପଶିଲାଣି ଯେ ଭିତରୁ ବନ୍ଦ ହୋଇଥିବା କକପିଟ ମଧ୍ୟ ଚକ୍ରାନ୍ତକୁ ରୂପ ଦେବା ଲାଗି ଅନୁକୂଳ ନିଭୃତ କକ୍ଷରେ ମଧ୍ୟ ପରିଣତ ହୋଇଯାଇପାରେ! ଏଭଳି ଆଶଙ୍କା ଦୃଷ୍ଟିରୁ ବିମାନ ଯାତ୍ରୀଙ୍କ ସୁରକ୍ଷା ଓ ପ୍ରତ୍ୟୟ ପ୍ରତିଷ୍ଠା ସକାଶେ କେତେକ ମୌଳିକ ନୀତିଗତ ପରିବର୍ତ୍ତନର ଯେ ଆବଶ୍ୟକତା ରହିଛି, ତହିଁରେ ସନ୍ଦେହ ନାହିଁ। କାରଣ, ଆକାଶମାର୍ଗୀ ଯାତ୍ରୀମାନଙ୍କ ସକାଶେ ପାଇଲଟମାନେ ଈଶ୍ବରଙ୍କ ବିକଳ୍ପ ହୋଇଥାଆନ୍ତି; ଏଭଳି ସ୍ଥଳେ ଆସ୍ଥାରେ ସଂକଟ ଏକ ଗୁରୁତର ପ୍ରମାଦ!
କହିବା ବାହୁଲ୍ୟ ଯେ ଅନେକ ସଂଯୋଗର ସମାହାରରେ ଘଟିଥିବା ଏଭଳି ଏକ ସୁଖାନ୍ତକ ଓ ବିରଳ ଅଲୌକିକ ବ୍ୟାପାର ପରେ ସେହି ବିମାନରେ ଯାତ୍ରା କରୁଥିବା କୌଣସି ନାସ୍ତିକ ମଧ୍ୟ ସହସା ଈଶ୍ବର ବିଶ୍ବାସୀ ହୋଇ ଉଠିଥିବା ସମ୍ଭବ! ଆପଲ କଂପାନିର ପ୍ରତିଷ୍ଠାତା ଷ୍ଟିଭ ଜବସ ଥରେ କହିଥିଲେ ଯେ ପଛକୁ ଚାହିଁ ଘଟଣାର ବିନ୍ଦୁଗୁଡ଼ିକୁ ସଂଯୋଗ କଲେ ଯାଇ ଈଶ୍ବରଙ୍କ ଦ୍ବାରା ଅଙ୍କିତ ଚିତ୍ରଟି ହଠାତ୍‌ ସ୍ପଷ୍ଟ ହୋଇ ଉଠେ। ଜବ୍‌ସ କହିବାକୁ ଚାହିଁଥିଲେ ଯେ ଈଶ୍ବର ଏକ ସୁନିର୍ଦ୍ଦିଷ୍ଟ ମାର୍ଗରେ ଆମକୁ ଚଳାଇବାର ଚିନ୍ତା କରିଥାଆନ୍ତି, ଯାହା ‌େସହି ସମୟରେ ହୁଏତ ଦୃଷ୍ଟିରେ ପଡ଼ି ନ ଥାଇପାରେ, କିନ୍ତୁ, ପରେ ତାହା ଉଦ୍‌ଭାସିତ ହୋଇଉଠେ। ଅସାମାନ୍ୟ ସାହସ ଦେଖାଇଥିବା ପାଇଲଟ ସ୍ମିତ ମଚ୍ଛରଙ୍କ ‘ଫ୍ଲାଏଦୁବାଇ’ ଏୟାରଲାଇନ୍‌ସରେ ନିଯୁକ୍ତି ଓ ସେ ଦିନ ସେହି ବିମାନରେ ଡ୍ୟୁଟି, ‘ପ୍ଲେନ କ୍ରାସ ଇନଭେଷ୍ଟିଗେସନ୍‌ସ’ ନାମକ ଧାରାବାହିକ ଟେଲିଭିଜନରେ ଦେଖି ତହିଁରୁ ଆହରଣ କରିଥିବା ସାମାନ୍ୟ ଓ ସ୍ପଷ୍ଟ-ଅସ୍ପଷ୍ଟ ଜ୍ଞାନ ବଳରେ ଅଗତ୍ୟା ‘ଲିଭର’ ଦୁଇଟିକୁ ଟେକି ଦେଇ ବିମାନକୁ ଭୂପତିତ ହେବାରୁ କ୍ଷଣିକେ ରକ୍ଷା କରିଥିବା ପ୍ଲଂବର ୟାନିଭ ହାୟୁନଙ୍କ ସେହି ବିମାନରେ ଉପସ୍ଥିତି ଏବଂ ଯାତ୍ରୀ ଭାବେ ଦୁଇ ଅଭିଜ୍ଞ ପାଇଲଟଙ୍କ ସେହି ବିମାନରେ ଯାତ୍ରା ହେଉଛି ସେହି ସବୁ ବିନ୍ଦୁ ଯାହାକୁ ଯୋଡ଼ିଲେ ଈଶ୍ବରଙ୍କ ଅପୂର୍ବ ଭିଆଣକୁ ଦେଖି ହୁଏ। ତେଣୁ ଏହି ଘଟଣାକୁ କେନ୍ଦ୍ର କରି ସୃଷ୍ଟ ଆଲୋଚନାରେ ଅଲୌକିକତା ବିଷୟ ମଧ୍ୟ କେନ୍ଦ୍ରସ୍ଥଳକୁ ଆସିଛି। ସେଥି ଲାଗି ବିମାନର ସମସ୍ତ ଯାତ୍ରୀ, ସେମାନଙ୍କ ପରିବାର ସଦସ୍ୟ ତଥା ଅଗଣିତ ପୃଥିବୀବାସୀ, ସ୍ମିତ ମଚ୍ଛର, ୟାନିଭ ହାୟୁନ ଏବଂ ଏ ଯାଏଁ ଅଜଣା ରହିଥିବା ପାଇଲଟ ଦ୍ବୟଙ୍କୁ କାର୍ପଣ୍ୟହୀନ ପ୍ରଶଂସା କରୁଥିବାବେଳେ ଈଶ୍ବରଙ୍କ ଅଙ୍କିତ ଚିତ୍ରଟିକୁ ଦେଖିପାରି ତାଙ୍କ ପ୍ରତି ପ୍ରଣିପାତ କରିଥାଆନ୍ତି ମଧ୍ୟ!

Read Entire Article
LEFT SIDEBAR AD

Hidden in mobile, Best for skyscrapers.