Editorial: ଆସ୍ଥାର ପ୍ରଶ୍ନ

1 day ago 5
ARTICLE AD BOX

ସଂପ୍ରତି, ମାନସିକ ସ୍ବାସ୍ଥ୍ୟର ଦୁରବସ୍ଥା ଏକ ସାର୍ବଜନୀନ ସମସ୍ୟା ରୂପେ ମୁଣ୍ଡ ଟେକିଛି। ଏତିକି ବେଳେ ଏକ ଆକ୍ରାନ୍ତ ମାନବ ସମ୍ବଳରୁ ଆମେ ଶିକ୍ଷକ, ଡାକ୍ତର, ପୁଲିସ ଓ ପାଇଲଟ ଆଦି ସମସ୍ତଙ୍କୁ ପାଇବାରେ ଲାଗିଛୁ। ଏଭଳି ସ୍ଥଳେ ‘ବ୍ରେଥ ଆନାଲାଇଜର’ ଭଳି ପରୀକ୍ଷାଗୁଡ଼ିକ ଠାରୁ ଅଧିକ ଜରୁରି, ପାଇଲଟମାନଙ୍କ ମାନସିକ ସୁସ୍ଥତାକୁ କଳିବା ଓ ଅସୁସ୍ଥତାକୁ ଦୂର କରିବା ଦିଗରେ ଧ୍ୟାନ ଦେବା। କାରଣ ଏହା ହେଉଛି ଆସ୍ଥାର ପ୍ରଶ୍ନ। ଧରାବନ୍ଦୀ ମନୁଷ୍ୟମାନେ ଯାତ୍ରୀ ରୂପରେ ଆକାଶମାର୍ଗୀ ହେଲାବେଳେ କେବଳ ପାଇଲଟଙ୍କ ଉପରେ ଈଶ୍ବରତୁଲ୍ୟ ଆସ୍ଥା ରଖିଥାଆନ୍ତି।

Editorial: ଇସଲାମୀୟ ନାଟୋ

ଗଲା ଛଅ ତାରିଖରେ, ଥାଇଲାଣ୍ଡର ଫୁକେଟଠାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ଯାତ୍ରୀବାହୀ ବିମାନ ହଠାତ୍‌ ୩୦୦ ଫୁଟ ତଳକୁ ଖସି ଆସିବା ଏବଂ ତଦ୍ଦ୍ବାରା କୋଡ଼ିଏ ସରିକି ଯାତ୍ରୀ ଆଘାତ ପ୍ରାପ୍ତ (କେତେକ ଗୁରୁତର) ହେବା ଭଳି ଘଟଣା ଯେତିକି ଚାଞ୍ଚଲ୍ୟ ସୃଷ୍ଟି କରିଥିଲା, ତା’ ଠାରୁ ଅଧିକ ଚାଞ୍ଚଲ୍ୟ ଓ ଉଦ୍‌ବେଗ ସୃଷ୍ଟି କରିଛି, ଏହାର କାରଣ ଉଦ୍‌ଘାଟନ କରିବାର ପ୍ରୟାସ କରିଥିବା କେତେକ ଆଧିକାରିକ ରିପୋର୍ଟ। ଉଲ୍ଲେଖ‌ ଥାଉ କି ଏହି ବିମାନ ତା’ର ଯାତ୍ରା ପଥରେ, ଆମ ରାଜଧାନୀ ସହର ଭୁବନେଶ୍ବର ଉପରିସ୍ଥ ମେଘ ମେଦୁର ଆକାଶରେ, ଏଭଳି ଦଶା ଭୋଗିଥିଲା, ଯହିଁରୁ ତୁରନ୍ତ ଏକ ନିଷ୍କର୍ଷ ମିଳି ଯାଇଥିଲା ଯେ ମୌସୁମୀ ବିକ୍ଷୁବ୍‌ଧ ଅଶାନ୍ତ ବାତାବରଣ ଥିଲା ଏହାର କାରଣ। ଏହା ମଧ୍ୟ ସତ ଯେ ଜଳବାୟୁ ପରିବର୍ତ୍ତନ ହେତୁ ସଂପ୍ରତି ଏଭଳି ଅଘଟଣମାନ ଅଧିକ ସଂଖ୍ୟାରେ ଘଟୁଛି। କିନ୍ତୁ, ଶଂସିତ ଘଟଣାରେ ପରବର୍ତ୍ତୀ କାଳରେ ଉନ୍ମୋଚିତ ହୋଇଛି ଯେ ମନୁଷ୍ୟକୃତ ତ୍ରୁଟି ଓ ଆନୁଷ୍ଠାନିକ ଅବହେଳା ହେତୁ ଏଭଳି ବିପଜ୍ଜନକ ପରିସ୍ଥିତି ସୃଷ୍ଟି ‌ହୋଇଥାଇପାରେ! 
ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁସାରେ ଏହି ବିମାନର ମୁଖ୍ୟ ପାଇଲଟ କୁଆଡ଼େ ଗଞ୍ଜେଇ ନିଶାରେ ଗ୍ରସ୍ତ ଥିଲେ, ଯାହା ଦୁଇଟି ଲାବରେଟରି ପରୀକ୍ଷା ପରେ ପ୍ରମାଣିତ ହୋଇଛି। କେବଳ ସେତିକି ନୁହେଁ, କେତେକ ଯାତ୍ରୀ ଅବିନ୍ୟସ୍ତ ପାଇଲଟଙ୍କ ଅସ୍ଥିର ଆଚରଣ ସଂର୍କରେ ଗଣମାଧ୍ୟମ ସମକ୍ଷରେ ସାକ୍ଷ୍ୟ ଦେଇଛନ୍ତି। କିନ୍ତୁ, ଏହା ମଧ୍ୟ ଜଣାପଡ଼ିଲାଣି ଯେ ଘଟଣାଟି ଘଟିଲା ବେଳେ ସହ-ପାଇଲଟ ଜଣକ ବିମାନ ଚାଳନା କରୁଥିଲେ, ତେଣୁ ନିଶା ଜନିତ ମତିଭ୍ରମ ଏହାର କାରଣ ହୋଇ ନ ପାରେ! ତେବେ ସେ ଯାହା ହେଉ, ଏହି ଘଟଣା ସମ୍ବନ୍ଧ‌େର ମୁଖ୍ୟ ପା‌ଇଲଟଙ୍କ ଦ୍ବାରା ପ୍ରଦତ୍ତ ରିପୋର୍ଟ କହିଛି ଯେ ସେହି ସମୟରେ କୁଆଡ଼େ ବିମାନର ଇଞ୍ଜିନରେ ‘ହାଇଡ୍ରୋଲିକ୍‌ ପ୍ରେସର’ରେ ହ୍ରାସ ଘଟିଥିଲା; ସୁତରାଂ, ଏହା ବୈଷୟିକ ତ୍ରୁଟି ଆଡ଼କୁ ଇଙ୍ଗିତ କରିଥାଏ। କହିବା ବାହୁଲ୍ୟ ଯେ ଏଭଳି ଏକ ବିବଦମାନ ସ୍ଥିତିରେ ଗଣମାଧ୍ୟମ ଉଛୁଳି ଉଠିବା ସ୍ବାଭାବିକ, ଯହିଁରେ ଉଡ଼ାଜାହାଜଗୁଡ଼ିକର ରକ୍ଷଣାବେକ୍ଷଣ ଓ ମରାମତି, ଯାତ୍ରୀ ସୁରକ୍ଷା ପ୍ରତି ଧ୍ୟାନ ଏବଂ ପାଇଲଟଙ୍କ ଯୋଗ୍ୟତା ଭଳି ସଂଦର୍ଭମାନ ତୁମୂଳ ଚର୍ଚ୍ଚାର ବିଷୟ ହୋଇଛି। ତା’ ସହିତ ଏୟାର ଇଣ୍ଡିଆର କର୍ତ୍ତୃପକ୍ଷଙ୍କ ବିରୋଧରେ ଅଙ୍ଗୁଳି ଉଠିଛି ଯେ ଏଭଳି ଏକ ସଂବେଦନଶୀଳ ଘଟଣାରେ କଂପାନି ପକ୍ଷରୁ ସ୍ବଚ୍ଛତା ପ୍ରଦର୍ଶନ କରାଯାଇନାହିଁ, କାରଣ ପ୍ରାରମ୍ଭିକ ଭାବେ ଏହି ଘଟଣାକୁ ଏକ ସାମାନ୍ୟ ଅଘଟଣ ବୋଲି ଦର୍ଶା ଯାଇଥିଲା। କିନ୍ତୁ ପ୍ରଶ୍ନ ଉଠିଥାଏ ଯେ ଏହି ପ୍ରସଙ୍ଗଗୁଡ଼ିକ ଉପରେ ଚର୍ଚ୍ଚା ଓ ବିଚାର ବିମର୍ଶ କଲା ବେଳେ ପ୍ରକୃତ ବ୍ୟାଧିଟି ଦୃଷ୍ଟିକୁ ଆସି ନ ଥାଏ କି? ଏବଂ ଯେଉଁ କାରଣମାନଙ୍କୁ ନେଇ ଆଲୋଚନା ପ୍ରଖର, ସେ ସବୁ ଏହି ବ୍ୟାଧିର ଲକ୍ଷଣମାନ ମାତ୍ର?
୨୦୨୫ ମସିହା, ଜୁନ୍‌ ମାସରେ, ଅହମଦାବାଦଠାରେ ଘଟିଥିବା ଅତ୍ୟନ୍ତ ମର୍ମନ୍ତୁଦ ବିମାନ ଦୁର୍ଘଟଣା ପରିପ୍ରେକ୍ଷୀରେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା କିଭଳି ରକ୍ଷଣାବେକ୍ଷଣ ଜନିତ ତ୍ରୁଟି-ବିଚ୍ୟୁତି ନେଇ ଡି.ଜି.ସି.ଏ. (ଡାଇରେକ୍ଟରେଟ ଜେନେରାଲ  ଅଫ ସିଭିଲ ଏଭିଏସନ)ପକ୍ଷରୁ ଏୟାର ଇଣ୍ଡିଆକୁ ବାରମ୍ବାର ତାଗିଦା କରାଯାଇଛି। ପ୍ରକାଶ ଥାଉ କି ସଂପ୍ରତି ଏୟାର ଇଣ୍ଡିଆର ୩୦୦ ସରିକି ବିମାନ ଦେଶ ଭିତରେ ଓ ବାହାରେ ପ୍ରତ୍ୟହ ୧୨୦୦ଟି ଉଡ଼ାଣ ଭରୁଛନ୍ତି। ଏବଂ ପ୍ରତିଦ୍ବନ୍ଦ୍ବିତାରେ ଅଗ୍ରଣୀ ହୋଇ ରହିବା ସକାଶେ ଉଡ଼ାଣର ଘନ ସିଡ୍ୟୁଲ ଭିତରେ ରକ୍ଷଣାବେକ୍ଷଣରେ ଖିଲାପ ବା ପାଇଲଟଙ୍କ ଉପରେ ମାତ୍ରାତିରିକ୍ତ କାର୍ଯ୍ୟ ଚାପ ଇତ୍ୟାଦି ମଧ୍ୟ ବିଶେଷ ବିସ୍ମୟର କାରଣ ହୋଇ ନ ଥାଏ। ସୁତରାଂ, ପ୍ରଶ୍ନ ଉଠିଥାଏ ଯେ ବଜାର ଅର୍ଥନୀତିକୁ ଅନୁସରଣ କରି ଅଧିକ ଲାଭ ଅର୍ଜନର ନିର୍ଦୟ ପ୍ରତିଦ୍ବନ୍ଦ୍ବିତାରେ ନିମଗ୍ନ ବିମାନ କଂପାନିଗୁଡ଼ିକ ଯାତ୍ରୀ ସୁରକ୍ଷାକୁ ଉପଯୁକ୍ତ ଧ୍ୟାନ ଦେଉ ନାହା‌ନ୍ତି କି? ଅନେକ ପର୍ଯ୍ୟବେକ୍ଷକ ଏଥିରେ ରାଜି ହୁଅନ୍ତି ଏବଂ କହିଥାଆନ୍ତି ଯେ ଏହା ହେଉଛି ପ୍ରକୃତ ବ୍ୟାଧି। 
ଶଂସିତ ଘଟଣାରେ ଏୟାର ଇଣ୍ଡିଆ ବିମାନର ମୁଖ୍ୟ ଚାଳକ ଅବଶ୍ୟ ସ୍ବୀକାର କରିଛନ୍ତି ଯେ କେତେକ ବ୍ୟକ୍ତିଗତ କାରଣରୁ ସେ ନିଦ୍ରାହୀନତା ଓ ମାନସିକ ଅବସାଦ ଭୋଗୁଥିଲେ। ଏହା ଦ୍ବାରା ସେ କହିବାକୁ ଚାହିଁଛନ୍ତି ଯେ ଏଥି ଲାଗି ସେ ନେଉଥିବା ଔଷଧରେ ହୁଏତ ନିଷିଦ୍ଧ ନିଶା ଦ୍ରବ୍ୟର ଅଂଶ ମିଳିଥାଇପାରେ। କହିବା ଅନାବଶ୍ୟକ ଯେ ପାଇଲଟମାନଙ୍କ କାର୍ଯ୍ୟ କ୍ଳାନ୍ତିକର ମାନସିକ ଏକଗ୍ରତା ଲୋଡ଼ିଥାଏ। ଏବଂ କାର୍ଯ୍ୟ ଅଭିଜ୍ଞତାରୁ ଅଭ୍ୟସ୍ତ ହୋଇଯାଇଥିଲେ ହେଁ ‘ଆନ୍ତର୍ଜାତିକ ସମୟ ରେଖା’ ଅତିକ୍ରମ କରୁଥିବା ଦୂରଗାମୀ ବିମାନର ପାଇଲଟମାନଙ୍କ ଶରୀର ଓ ମନ ‘ଦିବା-ରାତ୍ର’ର ଭେଦ ଠଉରାଇ ନ ପାରି, ଭୌଗୋଳିକ ଓ ପର୍ଯ୍ୟାବରଣଗତ ବିଭିନ୍ନତାର ସାମନା କରି ଚାପର ବୋଝ ବହନ କରି ଚାଲିଥାଏ। ଏହି ପରିପ୍ରେକ୍ଷୀରେ, ଗଲା ବର୍ଷ, ଇଣ୍ଡିଗୋ ଏୟାରଲାଇନ୍‌ସର ‘ପାଇଲଟମାନଙ୍କ ସମୂହ ଛୁଟି’ ନେବା ଓ ତଜ୍ଜନିତ ସଂକଟ ହେତୁ ହଜାର ହଜାର ସଂଖ୍ୟକ ଯାତ୍ରୀ ଦୀର୍ଘ କାଳ ଧରି ଦହଗଞ୍ଜ ହୋଇଥିବା ଭଳି ଘଟଣାକୁ ସହଜେ ପାସୋରି ହେବନାହିଁ। ଅବଶ୍ୟ, ବର୍ତ୍ତମାନ ଅଧିକ ସଂଖ୍ୟକ ପାଇଲଟଙ୍କୁ ନିଯୁକ୍ତି ଦିଆଯାଇ ସମସ୍ୟାକୁ ଅନେକାଂଶରେ ଲାଘବ କରାଯାଇଛି, ତଥାପି, ସେମାନେ ଚାପମୁକ୍ତ ଓ ହାଲୁକା ହୋଇପାରିନାହାନ୍ତି। ଡି.ଜି.ସି.ଏ.ର ଗାଇଡଲାଇନ ଅନୁସାରେ, ଆମ ଦେଶରେ, ଜଣେ ପାଇଲଟ୍‌ ଦୈନିକ ସର୍ବାଧିକ ପ୍ରାୟ ତିନି ଘଣ୍ଟାର ବିମାନ ଉଡ଼ାଣ କରିବା ବିଧେୟ। ଏହି ଗାଇଡଲାଇନ ମଧ୍ୟ ନିର୍ଦ୍ଦିଷ୍ଟ ବିଶ୍ରାମ ସମୟ ଉପରେ ଗୁରୁତ୍ବ ଦେଇଥାଏ। କିନ୍ତୁ ଦେଖାଯାଏ ଯେ ବିମାନ ଉଡ଼ାଣ ସହିତ କେତେକ ଆନୁଷଙ୍ଗିକ କାର୍ଯ୍ୟ ତୁଲାଇବାରେ ସେମାନଙ୍କୁ ଦୈନିକ ପାଞ୍ଚରୁ ଛଅ ଘଣ୍ଟା କାର୍ଯ୍ୟ କରିବାକୁ ପଡ଼ିଥାଏ। ଏଭଳି ସ୍ଥିତିରେ ଚାପଗ୍ରସ୍ତ ବିମାନ ଚାଳକମାନେ ମାନସିକ ଅଲକ୍ଷଣର ଶିକାର ହୁଅନ୍ତି ସତ, କିନ୍ତୁ ତାହା ପ୍ରକାଶ କରି ପାରନ୍ତି ନାହିଁ, କାରଣ ତହିଁରେ, ସାମୟିକ ଭାବେ ହେଲେ ମଧ୍ୟ, ପାଇଲଟ ଲାଇସେନ୍‌ସ ହରାଇବା ଏବଂ ଜୀବିକାରୁ ଅନ୍ତର ହେବାର ଭୟ ରହିଥାଏ। 
୨୦୧୮ ମସିହାରେ, ‘ବ୍ରେଥ ଆନାଲାଇଜର ପରୀକ୍ଷା’ରେ ଉତ୍ତୀର୍ଣ୍ଣ ହୋଇ ନ ପାରି ଦିଲ୍ଲୀ-ଲଣ୍ଡନ ବିମାନର ଜଣେ ମଦ୍ୟ ନିଶାଯୁକ୍ତ ପାଇଲଟ ଦଣ୍ଡିତ ହୋଇଥିଲେ। କିନ୍ତୁ କଥା ହେଲା, ‘ବ୍ରେଥ ଆନାଲାଇଜର’ ହେଉ ବା ପରିଶ୍ରା ପରୀକ୍ଷା ହେଉ; ତହିଁରୁ ମଦ ବା ଗଞ୍ଜେଇ ସେବନର ପ୍ରମାଣ ମିଳେ ସିନା, ଏଭଳି ଅଭ୍ୟାସ ବା ଆବଶ୍ୟକତା ପଛରେ ଥିବା ନିଭୃତ କାରଣଗୁଡ଼ିକର ସନ୍ଧାନ ମିଳି ନଥାଏ। କେଉଁ ହତାଶା, ଗ୍ଳାନି ଓ ବିଚଳିତବୋଧରୁ ମୁକ୍ତି ପାଇବା ଲାଗି ଜଣେ ପାଇଲଟ ନିଜ ବୃତ୍ତିକୁ ବିପଦରେ ପକାଇ ଏଭଳି କରିପାରିବ? ଅହମଦାବାଦ ବିମାନ ଦୁର୍ଘଟଣା ପରିପ୍ରେକ୍ଷୀରେ କେତେକ ପର୍ଯ୍ୟବେକ୍ଷକ ବିମାନର ମୁଖ୍ୟ ପାଇଲଟ ସୁମିତ ସବ୍ରୱାଲଙ୍କ ମାନସିକ ସ୍ବାସ୍ଥ୍ୟାବସ୍ଥାକୁ ସନ୍ଦେହର ଘେରକୁ ଆଣନ୍ତି; ଯିଏ ଦୁର୍ବାର ଆତ୍ମଘାତ ଇଚ୍ଛାରୁ ହୁଏତ ଏଭଳି ଘଟାଇଥିବେ! ଇତିହାସରେ ଏଭଳି ମୁଷ୍ଟିମେୟ ଉଦାହରଣ ମଧ୍ୟ ରହିଛି। କହିବାର ତାତ୍ପର୍ଯ୍ୟ ହେଲା ନିଶାଗ୍ରସ୍ତ ନ ହୋଇ ମଧ୍ୟ ମାନସିକ ଅଲକ୍ଷଣର ବଶବର୍ତ୍ତୀ ପାଇଲଟମାନେ, ସ୍ଥଳ ବିଶେଷରେ ହୁଏତ ଯାତ୍ରୀ ସୁରକ୍ଷା ପ୍ରତି ବିପଦର କାରଣ ହୋଇପାରନ୍ତି। ସଂପ୍ରତି, ମାନସିକ ସ୍ବାସ୍ଥ୍ୟର ଦୁରବସ୍ଥା ଏକ ସାର୍ବଜନୀନ ସମସ୍ୟା ରୂପେ ମୁଣ୍ଡ ଟେକିଛି। ଏତିକି ବେଳେ ଏକ ଆକ୍ରାନ୍ତ ମାନବ ସମ୍ବଳରୁ ଆମେ ଶିକ୍ଷକ, ଡାକ୍ତର, ପୁଲିସ ଓ ପାଇଲଟ ଆଦି ସମସ୍ତଙ୍କୁ ପାଇବାରେ ଲାଗିଛୁ। ଏଭଳି ସ୍ଥଳେ ‘ବ୍ରେଥ ଆନାଲାଇଜର’ ଭଳି ପରୀକ୍ଷାଗୁଡ଼ିକ ଠାରୁ ଅଧିକ ଜରୁରି, ପାଇଲଟମାନଙ୍କ ମାନସିକ ସୁସ୍ଥତାକୁ କଳିବା ଓ ଅସୁସ୍ଥତାକୁ ଦୂର କରିବା ଦିଗରେ ଧ୍ୟାନ ଦେବା। କାରଣ ଏହା ହେଉଛି ଆସ୍ଥାର ପ୍ରଶ୍ନ। ଧରାବନ୍ଦୀ ମନୁଷ୍ୟମାନେ ଯାତ୍ରୀ ରୂପରେ ଆକାଶମାର୍ଗୀ ହେଲାବେଳେ କେବଳ ପାଇଲଟଙ୍କ ଉପରେ ଈଶ୍ବରତୁଲ୍ୟ ଆସ୍ଥା ରଖିଥାଆନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.