ARTICLE AD BOX
କେବେ ହେଲେ ତୃପ୍ତ ହେଉ ନଥିବା କୌତୂହଳ, ତହିଁରୁ ଜାତ ଗଭୀର ଜିଜ୍ଞାସା, ତା’ ପରବର୍ତ୍ତୀ ଦୁରନ୍ତ ଅନ୍ବେଷଣ ଓ ପରିଶେଷରେ ଅନନ୍ୟ ପ୍ରଜ୍ଞାର ଉଦୟ ପର୍ଯ୍ୟନ୍ତ ମସ୍ତିଷ୍କ ପରିଚାଳିତ ଯାତ୍ରା ଯେ ଅନନ୍ୟ, ତହିଁରେ କୌଣସି ସନ୍ଦେହ ନ ଥାଏ। ମନୁଷ୍ୟ ଦ୍ବାରା ବ୍ୟକ୍ତ ‘ଡେଟା’ ବା ସୂଚନାର ବିପୁଳ ଭଣ୍ଡାରରୁ କୃତ୍ରିମ ବୁଦ୍ଧିମତ୍ତାର ଆବିର୍ଭାବ ଘଟିଛି; କିନ୍ତୁ ବ୍ୟକ୍ତ ହୋଇ ନ ଥିବା ଚିନ୍ତନରୁ ଆବିର୍ଭୂତ ଅନ୍ତର୍ଦୃଷ୍ଟି ଓ ଅଭିନବ ପ୍ରଜ୍ଞା ହେଉଛି କେବଳ ମସ୍ତିଷ୍କର ବ୍ୟାପାର। ତେଣୁ ‘କୃତ୍ରିମ ବୁଦ୍ଧିମତ୍ତା’ ଭଳି ‘କୃତ୍ରିମ ପ୍ରଜ୍ଞା’ର ସୃଷ୍ଟି ସମ୍ଭବ ନୁହେଁ।
ପ୍ରତି ଅକ୍ଟୋବର ମାସର ପ୍ରଥମାର୍ଦ୍ଧରେ, ନୋବେଲ ପୁରସ୍କାର ସକାଶେ ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କ୍ରମରେ ‘ଫିଜିଓେଲାଜି ଏଣ୍ଡ ମେଡିସିନ’ ବା ‘ଶରୀର ତତ୍ତ୍ବ ଓ ଭେଷଜ ବିଜ୍ଞାନ’ ଲାଗି ଯେଉଁ ତିନି ଜଣଙ୍କ ନାମ ଘୋଷିତ ହୋଇଛି, ସେମାନେ ହେଲେ ଆମେରିକାର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର କାର୍ଲ ଡେସେରୋଥ, ଜର୍ମାନିର ହାମବୋଲ୍ଟ ବିଶ୍ବବିଦ୍ୟାଳୟର ପିଟର ହେଜେମାନ ଏବଂ ୱିଜବର୍ଗ ବିଶ୍ବବିଦ୍ୟାଳୟର ଜର୍ଜ ନାଗେଲ। ପ୍ରକାଶ ଥାଉ କି ଏମାନଙ୍କ ଉଲ୍ଲେଖନୀୟ ଅବଦାନ ହେତୁ ଚିକିତ୍ସା-ବିଜ୍ଞାନର ଏକ ସୁନିର୍ଦ୍ଦିଷ୍ଟ କ୍ଷେତ୍ରଟି ପ୍ରଶସ୍ତ ହୋଇଛି, ଯାହା ହେଲା ‘ଅପ୍ଟୋଜେନେଟିକ୍ସ’; ଏବଂ ଯଦ୍ଦ୍ବାରା ପାର୍କିନସନ୍ସ, ଏପିଲେପ୍ସି, ସ୍କିଜୋଫ୍ରିନିଆ ଓ ଡିପ୍ରେସନ ଭଳି ଅନେକ ଗୁରୁତର ଓ ଦୁରାରୋଗ୍ୟ ବ୍ୟାଧିର ସଫଳ ଚିକିତ୍ସା ପାଇଁ ସମ୍ଭାବନାର ଦ୍ବାର ଖୋଲିଯାଇଛି। ଶିଶୁ ସୁଲଭ କୌତୂହଳରୁ ଯୁଗାନ୍ତକାରୀ ଉଦ୍ଭାବନ ଯାଏ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ପ୍ରଲମ୍ବିତ କାହାଣୀ ହେଉଛି ଏହି ବୈଜ୍ଞାନିକତ୍ରୟଙ୍କ ଉପଲବ୍ଧିର ମୂଳ କଥା। ଏ ଯାବତ୍ ବିଚକ୍ଷଣ ବୈଜ୍ଞାନିକମାନଙ୍କ ସଂପୂର୍ଣ୍ଣ ବୋଧଗମ୍ୟ ହୋଇ ନ ଥିବା ତଥା ଈଶ୍ବରଙ୍କ ସର୍ବଶ୍ରେଷ୍ଠ ସର୍ଜନା ରୂପେ ଅଭିହିତ ଅଙ୍ଗ ‘ମସ୍ତିଷ୍କ’ର ଗହନତା ମଧ୍ୟରେ ସୂକ୍ଷ୍ମ ମାନବୀୟ ହସ୍ତକ୍ଷେପ କିଭଳି କିମିଆ ସୃଷ୍ଟି କରିପାରେ, ତାହାର ନିଦର୍ଶନ ହେଉଛି ‘ଅପ୍ଟୋଜେନେଟିକ୍ସ’, ଯେଉଁ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି ପ୍ରାୟ ଶହେ ବର୍ଷ ପୂର୍ବରୁ ମସ୍ତିଷ୍କ(ମନୁଷ୍ୟ ସମେତ ଅନ୍ୟ ପ୍ରାଣୀମାନଙ୍କ ମଧ୍ୟ)ର ସ୍ଥୂଳ ମାନଚିତ୍ର ପ୍ରସ୍ତୁତ ହୋଇସାରିଛି ଏବଂ ତା’ ପରଠାରୁ ଆବେଗ, ବ୍ୟବହାର, ପ୍ରତିକ୍ରିୟା, ସ୍ମୃତି ଆଦିକୁ ନିୟନ୍ତ୍ରଣ କରୁଥିବା ‘ବ୍ରେନ ସେଲ୍’ ବା ‘ମସ୍ତିଷ୍କ କୋଷ’ଗୁଡ଼ିକ ନେଇ ଅନେକ ଧାରଣା ହାସଲ କରାଯାଇପାରିଛି, ଯାହା ନ୍ୟୁରୋନ ଭାବେ ପରିଚିତ। ପ୍ରତ୍ୟେକ ମନୁଷ୍ୟର ମସ୍ତିଷ୍କରେ ୮୫ରୁ ୯୦ ହଜାର କୋଟି ସଂଖ୍ୟକ ନ୍ୟୁରୋନଙ୍କ ଏକ ଅତ୍ୟନ୍ତ ନିଘଞ୍ଚ ଓ ଜଟିଳ ନେଟୱର୍କ ରହିଛି, ଯାହା ମାଧ୍ୟମରେ ମସ୍ତିଷ୍କର ନିର୍ଦ୍ଦେଶ ଶରୀର ଓ ମନକୁ କାର୍ଯ୍ୟକ୍ଷମ କରିଥାଏ। କିନ୍ତୁ ଗବେଷକମାନେ ନ୍ୟୁରୋନ ନେଟୱର୍କର ଗହନ ଅରଣ୍ୟରେ ଅନେକ ସମୟେର ଅଟକି ଯାଉଥିବା ବେଳେ ‘ଅପ୍ଟୋଜେନେଟିକ୍ସ’ ଦ୍ବାରା ଅନ୍ଧାରୁଆ ସୁଡ଼ଙ୍ଗ ପଥ ସତେ ଯେମିତି ଆଲୋକିତ ହୋଇ ଅଗ୍ରସର ହେବାର ପଥ ଉନ୍ମୋଚିତ କରିଛି। ଉଦାହରଣଟିଏରୁ ଏହା ସ୍ପଷ୍ଟ ହେବ। ଭୟ ବା ଖୁସି ବା କ୍ରୋଧ ଆଦି କ୍ଷେତ୍ରରେ ମସ୍ତିଷ୍କର କେଉଁ ଅଂଶର ନ୍ୟୁରୋନ ସକ୍ରିୟ ହୋଇ ଉଠନ୍ତି, ତାହା ତ ଗବେଷକମାନେ ଠଉରେଇ ସାରିଲେଣି; କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ ଭିନ୍ନ ଭିନ୍ନ ନ୍ୟୁରୋନ ଦ୍ବାରା ଏ ସବୁ ନିୟନ୍ତ୍ରିତ ହୁଏ, ତାହା ବୁଝା ପଡ଼ି ନ ଥାଏ। ଏବେ ‘ଅପ୍ଟୋଜେନେଟିକ୍ସ’ ବଳରେ କୋଟି କୋଟି ନ୍ୟୁରୋନ ମଧ୍ୟରୁ କେବଳ ସେଭଳି ପ୍ରତିକ୍ରିୟା ବା ଆବେଗ ସୃଷ୍ଟିକାରୀ ନ୍ୟୁରୋନକୁ ବାଛିପାରିବା ସମ୍ଭବ ହେବ, ଯାହାର ଅର୍ଥ କୌଣସି ମାନସିକ ବ୍ୟାଧି କ୍ଷେତ୍ରରେ ସଂପୃକ୍ତ ନ୍ୟୁରୋନଗୁଡ଼ିକୁ ଚିହ୍ନି ତଦନୁସାରେ ଚିକିତ୍ସାର ବାଟ ମଧ୍ୟ ଫିଟି ପାରିବ।
ଉଲ୍ଲେଖଯୋଗ୍ୟ ଯେ ଗଲା ନବମ ଦଶକର ପ୍ରାରମ୍ଭ କାଳରେ ବୈଜ୍ଞାନିକ ପିଟର ହେଜେମାନ, ପୋଖରୀର ସବୁଜ ପାଣିରେ ବାସ କରୁଥିବା, ଚକ୍ଷୁକୁ ଅଦୃଶ୍ୟ ‘ଆଲଗାଏ’ ଜାତୀୟ ଏକକୋଷୀ ପ୍ରାଣୀ ‘କ୍ଲାମିଡୋମୋନାସ’ର ଆଚରଣକୁ ଅନୁଧ୍ୟାନ କରି କୁତୂହଳୀ ହୋଇ ଉଠିଥିଲେ ଯେ ଗୋଟିଏ ମାତ୍ର କୋଷରେ ଗଢ଼ା ମସ୍ତିଷ୍କ-ବିହୀନ ଏହି ପ୍ରାଣୀ ଆଲୋକ ପ୍ରତି ସଂବେଦନଶୀଳ ହେବାର ସାମର୍ଥ୍ୟ ପାଇଲା କେମିତି? ସେହି ଅନୁସନ୍ଧିତ୍ସାରୁ ମିଳିଥିଲା ‘କ୍ଲାମିଡୋମୋନାସ’ର ଜୀବକୋଷରେ ଥିବା ଆଲୋକ ପ୍ରତି ସଂବେଦନଶୀଳ ନିର୍ଦ୍ଦିଷ୍ଟ ‘ପ୍ରୋଟିନ’ର ସନ୍ଧାନ! ସେହି ସୂକ୍ଷ୍ମାତିସୂକ୍ଷ୍ମ ପ୍ରୋଟିନ ଅଣୁକୁ ‘କ୍ଲାମିଡୋମୋନାସ’ ଠାରୁ ଅଲଗା କରି, ନଷ୍ଟ ହେବାକୁ ନ ଦେଇ, ଏକ ମୂଷାର ଜୀବକୋଷରେ ସ୍ଥାପନ କରି ପାରିବାର ଅପୂର୍ବ ସାମର୍ଥ୍ୟ ପ୍ରାପ୍ତି ପର୍ଯ୍ୟନ୍ତ ଅଭିନବ ଯାତ୍ରା କ୍ରମରେ ବିତି ଯାଇଥିଲା ତିନି ଦଶନ୍ଧିରୁ ଅଧିକ କାଳ ଏବଂ ଘଟଣା କ୍ରମେ ଜଡ଼ିତ ହୋଇ ଯାଇଥିଲେ ଜର୍ଜ ନାଗେଲ ଏବଂ କାର୍ଲ ଡେସେରୋଥଙ୍କ ଭଳି ବିଜ୍ଞାନୀ। ଏମାନଙ୍କ ମଧ୍ୟରେ କନିଷ୍ଠତମ, ପଞ୍ଚାବନ ବର୍ଷ ବୟସ୍କ କାର୍ଲ ଡେସେରୋଥଙ୍କ ଦ୍ବାରା ପରୀକ୍ଷାଗାରର ମୂଷା ଶରୀରରେ ଏହି ପ୍ରୋଟିନ ଅଣୁ ସ୍ଥାପନ କରାଯିବା ପରେ ଦେଖିବାକୁ ମିଳିଥିଲା ଯେ ନୀଳ ଆଲୋକର ଉପସ୍ଥିତିରେ ତା’ର ସୁନିର୍ଦ୍ଦିଷ୍ଟ ନ୍ୟୁରୋନ ତତ୍କ୍ଷଣାତ୍ ସକ୍ରିୟ ହୋଇ ଉଠୁଛି ଏବଂ ଅଲୋକ ବନ୍ଦ କରିଦେଇ ତାକୁ ନିଷ୍କ୍ରିୟ କରାଯାଇପାରୁଛି। ଏହାର ଅର୍ଥ ଭବିଷ୍ୟତରେ କୌଣସି ନ୍ୟୁରୋନକୁ ‘ଅନ୍’ ଓ ‘ଅଫ୍’ କରିବାର ସୁଇଚ ମନୁଷ୍ୟର ହାତକୁ ଆସିଯିବା ନିଶ୍ଚିତ; ଇଚ୍ଛାନୁସାରେ ନ୍ୟୁରୋନକୁ ସକ୍ରିୟ ଓ ନିଷ୍କ୍ରିୟ କରି ତାହାର ପ୍ରକାର ଓ ପ୍ରଭାବକୁ ଜାଣିବା ଏବେ ସମ୍ଭବ; ଫଳରେ ଉପସର୍ଗର ଉପଶମ ବା ବ୍ୟାଧିର ଚିକିତ୍ସା କ୍ଷେତ୍ରରେ ଅଧିକ ସ୍ପଷ୍ଟତା ଆସିବା ଅନିବାର୍ଯ୍ୟ। ତେବେ, ପ୍ରଶ୍ନ ମଧ୍ୟ ଉଠିଥାଏ ଯେ ଏଭଳି ସ୍ଥଳେ ଆଲୋକ ବ୍ୟବହାର କରି ମନୁଷ୍ୟର ନିର୍ଦ୍ଦିଷ୍ଟ ନ୍ୟୁରୋନକୁ କାର୍ଯ୍ୟକ୍ଷମ କରାଯାଇ ତା’ର ଦୁରୁପଯୋଗ ବା କୁପରିଚାଳନା କରାଯିବା ସମ୍ଭବ କି? ଉତ୍ତର ହେଲା, ଏହାର କୌଣସି ସମ୍ଭାବନା ନାହିଁ, କାରଣ ଏହି ପ୍ରକ୍ରିୟା ଏକ ଅତ୍ୟନ୍ତ ଜଟିଳ ଓ ସୂକ୍ଷ୍ମ ଅସ୍ତ୍ରୋପଚାର ଲୋଡ଼ିଥାଏ, ଭବିଷ୍ୟତରେ ଯାହା କେବଳ କୌଣସି ରୋଗର ନିରୂପଣ ଓ ନିରାକରଣ ଲାଗି ହିଁ ବ୍ୟବହୃତ ହେବ!
ଏବେ ‘କୃତ୍ରିମ ବୁଦ୍ଧିମତ୍ତା’ ବା ଏ.ଆଇ.ର ଜୈତ୍ର ସର୍ବତ୍ର ଉଡୁଛି। ତାହା ମନୁଷ୍ୟ ମସ୍ତିଷ୍କର ସାମର୍ଥ୍ୟକୁ ଅତିକ୍ରମ କରିଯିବ ବୋଲି ଧାରଣା ମଧ୍ୟ ସୃଷ୍ଟି ହେଲାଣି। ତେବେ, ଏଭଳି ଅଭିନବ ଉଦ୍ଭାବନଗୁଡ଼ିକରୁ ହିଁ ସ୍ପଷ୍ଟ ହୋଇଥାଏ ଯେ ଏ.ଆଇ. କିଭଳି ମନୁଷ୍ୟ ମସ୍ତିଷ୍କର ବିକଳ୍ପ କଦାଚିତ୍ ହୋଇପାରିବ ନାହିଁ। କେବେ ହେଲେ ତୃପ୍ତ ହେଉ ନଥିବା କୌତୂହଳ, ତହିଁରୁ ଜାତ ଗଭୀର ଜିଜ୍ଞାସା, ତା’ ପରବର୍ତ୍ତୀ ଦୁରନ୍ତ ଅନ୍ବେଷଣ ଓ ପରିଶେଷରେ ଅନନ୍ୟ ପ୍ରଜ୍ଞାର ଉଦୟ ପର୍ଯ୍ୟନ୍ତ ମସ୍ତିଷ୍କ ପରିଚାଳିତ ଯାତ୍ରା ଯେ ଅନନ୍ୟ, ତହିଁରେ କୌଣସି ସନ୍ଦେହ ନ ଥାଏ। ମନୁଷ୍ୟ ଦ୍ବାରା ବ୍ୟକ୍ତ ‘ଡେଟା’ ବା ସୂଚନାର ବିପୁଳ ଭଣ୍ଡାରରୁ କୃତ୍ରିମ ବୁଦ୍ଧିମତ୍ତାର ଆବିର୍ଭାବ ଘଟିଛି; କିନ୍ତୁ ବ୍ୟକ୍ତ ହୋଇ ନ ଥିବା ଚିନ୍ତନରୁ ଆବିର୍ଭୂତ ଅନ୍ତର୍ଦୃଷ୍ଟି ଓ ଅଭିନବ ପ୍ରଜ୍ଞା ହେଉଛି କେବଳ ମସ୍ତିଷ୍କର ବ୍ୟାପାର। ତେଣୁ ‘କୃତ୍ରିମ ବୁଦ୍ଧିମତ୍ତା’ ଭଳି ‘କୃତ୍ରିମ ପ୍ରଜ୍ଞା’ର ସୃଷ୍ଟି ସମ୍ଭବ ନୁହେଁ। ତେବେ, ବିଡ଼ମ୍ବନାଟି ହେଲା, ୧୯୩୪ ମସିହାରେ ପ୍ରକାଶିତ ଅନବଦ୍ୟ କବିତା ‘କୋରସେସ୍ ଫ୍ରମ ଦ ରକ୍’ରେ, ନୋବେଲ ପୁରସ୍କାର ବିଜେତା କବି ଟି. ଏସ. ଇଲିଅଟ କହିଥିବା ଭଳି ଆମେମାନେ ପ୍ରଜ୍ଞାକୁ ଜ୍ଞାନ ଏବଂ ଜ୍ଞାନକୁ ତଥ୍ୟ ବା ସୂଚନା ଭିତରେ ହଜାଇ ସାରିଲେଣି! ବୋଧହୁଏ, ସେହି କାରଣରୁ ସୂଚନାର ବିପୁଳ ଭଣ୍ଡାର ଦ୍ବାରା ବଳୀୟାନ ଏ.ଆଇ.କୁ ଏବେ ମନୁଷ୍ୟ ମସ୍ତିଷ୍କର ଅପ୍ରତିହତ୍ୟ ପ୍ରତିଦ୍ବନ୍ଦ୍ବୀ ରୂପେ ଦେଖାଯାଉଛି। ସତେ ଯେମିତି ‘ଡେଟା’ ବା ସୂଚନା ହିଁ ହେଉଛି ଏକାଧାରରେ ଜ୍ଞାନ ଓ ପ୍ରଜ୍ଞା! କିନ୍ତୁ ଯୁଗାନ୍ତକାରୀ ଉଦ୍ଭାବନଗୁଡ଼ିକ ସ୍ପଷ୍ଟ କରିଥାଆନ୍ତି ଯେ ‘ବୁଦ୍ଧିମତ୍ତା’ ହେଉଛି ଏକ ସାମାନ୍ୟ ଲୌକିକ ବ୍ୟାପାର; ମନୁଷ୍ୟର ମସ୍ତିଷ୍କ ତାହାକୁ ଅତିକ୍ରମ କରି ମାନସିକ ଦକ୍ଷତାର ଦୁର୍ଲଂଘ୍ୟ ଉଚ୍ଚତା ସ୍ପର୍ଶ କରିପାରେ! ଶଂସିତ ଆଲୋଚନାରେ ତିନି ଚିକିତ୍ସା ବିଜ୍ଞାନୀ ମସ୍ତିଷ୍କର ଗଭୀରତାକୁ ପ୍ରବେଶ କରିବା ଲାଗି ତହିଁରେ ଥିବା ଅନ୍ଧାରୁଆ ସୁଡ଼ଙ୍ଗ ପଥକୁ ଆଲୋକିତ କରିବା ସହିତ ସେହି ଅନନ୍ୟ ଉଚ୍ଚତା ସ୍ପର୍ଶ କରିଛନ୍ତି! ତାହା ସହିତ ପ୍ରମାଣିତ ହୋଇଛି ମନୁଷ୍ୟ ମସ୍ତଷ୍କର କ୍ଷମତା ହେଉଛି ଅପରିମେୟ!

40 minutes ago
1


