Editorial: ଆନ୍ଦୋଳନ ଓ ବର୍ଗର୍‌

1 hour ago 3
ARTICLE AD BOX

ଧରି ନିଆଯାଉ, ଯନ୍ତରମନ୍ତରରେ ଆନ୍ଦୋଳନକାରୀମାନଙ୍କୁ ପରଷା ଯାଉଥିବା ଖାଦ୍ୟରେ ‘ବର୍ଗର’ ରହନ୍ତା, ତେବେ କ’ଣ ହୁଅନ୍ତା? ତାହା ହେଲେ କ’ଣ ଖବରକାଗଜର ଶିରୋନାମା ହୁଅନ୍ତା କି ଯନ୍ତରମନ୍ତର ଏକ ‘ପିକନିକ ସ୍ପଟ’ରେ ପରିଣତ? ବା ଆନ୍ଦୋଳନ ପଥ ଭ୍ରଷ୍ଟ? ନିଜ ଆଦର୍ଶରେ ଏକନିଷ୍ଠ କୌଣସି ତରୁଣ ଯଦି ଆନ୍ଦୋଳନ ସ୍ଥଳରେ ନୃତ୍ୟ କରେ ବା ଗାଢ଼ ରଙ୍ଗର ପୋଷାକ ପିନ୍ଧେ ବା ଭୋକ ହେଲେ ବର୍ଗର ଖାଏ, ତେବେ ତା’ର ନୈତିକତା ସନ୍ଦିଗ୍‌ଧ ହେବାର ବିଷୟବସ୍ତୁ କି?

‘କକ୍ରୋଚ ଜନତା ପାର୍ଟି’ ବା ସିଜେପି ଦ୍ବାରା ଆୟୋଜିତ ଆନ୍ଦୋଳନ ଦ୍ବାରା ସଂପ୍ରତି ଦିଲ୍ଲୀରେ (ଊଣା ଅଧିକେ ସାରା ‌ଦେଶରେ ମଧ୍ୟ) ଏକ ବୈଦ୍ୟୁତିକ ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏକ କୌତୂହଳପ୍ରଦ ଘଟଣାକୁ ନେଇ ବିଶେଷ ଆଲୋଚନା ଦୃଷ୍ଟିଗୋଚର ହୋଇନାହିଁ, ଯାହା ହେଲା ସିଜେପିର ତିନି ମୂଳ ଓ ପ୍ରମୁଖ ପ୍ରବକ୍ତାଙ୍କ ମଧ୍ୟରେ ଅନ୍ୟତମ ବିଜେତା ଦହିୟାଙ୍କୁ ଦଳ ଦ୍ବାରା ଆନୁଷ୍ଠାନିକ ଭାବେ ନିଷ୍କାସନ। ଏହାର କାରଣ ହେଲା, ଗଲା ୨୦ ତାରିଖ ଦିନ, ସିଜେପିର ଡାକରାରେ ଦିଲ୍ଲୀର ରାଜପଥରେ ସୃଷ୍ଟ ସରକାର ବିରୋଧୀ ଜନ ସମୁଦ୍ର ଉପରେ ଯେତେବେଳେ ପୁଲିସର ବର୍ବରୋଚିତ କାର୍ଯ୍ୟାନୁଷ୍ଠାନ ଚାଲିଥିଲା, ସେତିକି ବେଳେ ଦହିୟା ‘ବର୍ଗର୍‌ କିଙ୍ଗ୍‌’ ଆଉଟଲେଟ୍‌ରେ ବର୍ଗରଟିଏ ଖାଉଥିବା ଦେଖିବାକୁ ମିଳିଥିଲା; ଯାହାକୁ ନାପସନ୍ଦ କରି କିଛି ତରୁଣ ତାଙ୍କୁ ଛିଗୁଲେଇବାର ଏକ ଦୃଶ୍ୟ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଅବଶ୍ୟ, ପରେ ନିଜ ପକ୍ଷ ରଖି ବିଜେତା ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ, ଯାହା, କିନ୍ତୁ, ଅଧିକ ବିବାଦୀୟ ହୋଇ ତାଙ୍କ ବହିଷ୍କାରର ପଥ ସୁଗମ କରିଥିଲା। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଏହି ଆନ୍ଦୋଳନ ଲାଭ କରିଥିବା ଗାମ୍ଭୀର୍ଯ୍ୟ, ଲକ୍ଷ୍ୟ ପୂରଣ ଲାଗି ପ୍ରଦର୍ଶିତ ଦୃଢ଼ତା ଏବଂ ଏହାର ସୁଦୂରପ୍ରସାରୀ ପ୍ରଭାବ ଦୃଷ୍ଟିରୁ ଦହିୟାଙ୍କ ଆଚରଣ ଓ ଉଚ୍ଚାରଣ ଅଣସଂବେଦନଶୀଳ ବୋଲି ଦୋଷଦୁଷ୍ଟ ହେବା ଯଥାର୍ଥ, କିନ୍ତୁ, ତାଙ୍କ ସଫେଇରେ ‌େସ ଉଠାଇଥିବା ଦୁଇଟି ପ୍ରଶ୍ନକୁ ହୁଏତ ହାଲୁକା ଭାବେ ନିଆଯାଇ ପାରିବ ନାହିଁ ଏବଂ ତହିଁରୁ ଭବିଷ୍ୟତ୍‌ରେ ହେବାକୁ ଥିବା ଆନ୍ଦୋଳନର ରୂପରେଖ ନେଇ କିଛି ସଂକେତ ମଧ୍ୟ ମିଳିପାରେ। 
ପ୍ରକାଶ ଥାଉ କି ବିଜେତା ଦହିୟା ତାଙ୍କ ସ୍ପଷ୍ଟୀକରଣ ସମ୍ବଳିତ ଭିଡିଓରେ ଯାହା କହିଛନ୍ତି, ତା’ର ସାରାଂଶ ହେଲା, ସିଜେପିର ଆନ୍ଦୋଳ‌ନ ପ୍ରତି ତାଙ୍କର ସଂପୂର୍ଣ୍ଣ ନିଷ୍ଠା ଅଛି; ତେବେ, ‘ସଂସଦ ଚଲୋ’ ପଦଯାତ୍ରା ଆୟୋଜନରେ ଅଖିଆ-ଅପିଆ ବ୍ୟସ୍ତ କ୍ଷୁଧାତୁର ଦହିୟା ସେ ଦିନ ଅଗତ୍ୟା ବର୍ଗରଟିଏ ଖାଇଥିଲେ। ଏହି ସଂଦର୍ଭରେ ସେ ପ୍ରଶ୍ନ ଉଠାଇଥିଲେ ଯେ ସାମାଜିକ ସମସ୍ୟାଗୁଡ଼ିକ ପ୍ରତି ସଂପୂର୍ଣ୍ଣ ବୀତସ୍ଫୃହ ତରୁଣମାନେ ଅନାୟାସରେ ଓ କୌଣସି ଭ୍ରୂକୁଂଚନ ସୃଷ୍ଟି ନ କରି ବର୍ଗର ଖାଇପାରିବେ, ଅଥଚ ତାଙ୍କ ଭଳି ସାମାଜିକ ସମସ୍ୟା ନେଇ ସଚେତନ ଜଣେ ଆନ୍ଦୋଳନକାରୀ ଯୁବକ ନିର୍ଦ୍ବନ୍ଦ୍ବରେ ବର୍ଗର ଖାଇପାରିବ ନାହିଁ କାହିଁକି? ଜଣେ ଚାଷୀ ପିଜ୍‌ଜା ଖାଇବାରେ ଅସୁବିଧା କେଉଁଠି? ଦହିୟାଙ୍କ ପ୍ରଶ୍ନ ଦ୍ବୟକୁ ଅତିକ୍ରମ କରି ବିଚାର କଲେ ଦିଶିଥାଏ ଯେ ଶଂସିତ ସଂଦର୍ଭରେ ସେ ସ୍ଥାନ, କାଳ ଓ ପାତ୍ରର ବିବେଚନାକୁ ସଂପୂର୍ଣ୍ଣ ଜଳାଞ୍ଜଳି ଦେଇ ଏକ ଗୋଠ ଖଣ୍ଡିଆ ଭଳି ଆବିର୍ଭୂତ ହୋଇଛନ୍ତି। କହିବା ବାହୁଲ୍ୟ, ସୋନମ ୱାଙ୍ଗଚୁକଙ୍କ ସମେତ କତିପୟ ଆନ୍ଦୋଳନକାରୀଙ୍କ ଦୀର୍ଘ କାଳର ଅନଶନ ଓ ତଦ୍ଦ୍ବାରା ସୃଷ୍ଟ ଏକ କରୁଣ ବାତାବରଣ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି କୌଣସିମତେ ଆନ୍ଦୋଳନଟିକୁ ଉଜ୍ଜୀବିତ କରି ରଖିବାର ନିଦାରୁଣ ପ୍ରୟାସ କ୍ରମରେ ଆୟୋଜକମାନଙ୍କ ଜୀବନଚର୍ଯ୍ୟା ଯେ ‘ସର୍ବନିମ୍ନ ଆବଶ୍ୟକତା’କୈନ୍ଦ୍ରିକ ହୋଇ ଯାଇଥିବ, ଏଥିରେ ସନ୍ଦେହ ନାହିଁ। ଏଭଳି ସ୍ଥଳେ ଦହିୟାଙ୍କ ‘ବର୍ଗର’ ଭୋଜନ ଏକ ଅସଂଗତ କାର୍ଯ୍ୟ ଭାବେ ସମାଲୋଚିତ ହେବା ସ୍ବାଭାବିକ, ଯହିଁରେ ତାଙ୍କ ନିଷ୍ଠା ମଧ୍ୟ ସନ୍ଦିଗ୍‌ଧ ହୋଇଥାଏ। ଅବଶ୍ୟ, ଏହି ଆନ୍ଦୋଳନ କାଳରେ ସୌମ୍ୟଦର୍ଶନ ଦହିୟାଙ୍କ ଆଭିମୁଖ୍ୟ ଓ କାର୍ଯ୍ୟ ପୂର୍ବରୁ ବିତର୍କିତ ହୋଇଛି; ଉଦାହରଣ ସ୍ବରୂପ ଦିଲ୍ଲୀର ପ୍ରଥମ ମୌସୁମୀ ବର୍ଷା ବେଳେ ଆନ୍ଦୋଳନ ସ୍ଥଳରେ ସେ ନୃତ୍ୟରତ ହେବା ବା ଉଜ୍ଜ୍ବଳ ଗାଢ଼ ରଙ୍ଗର ପୋଷାକ ପିନ୍ଧି ସେଠାକୁ ଆସିବା। ଏ ସଂପର୍କରେ ତାଙ୍କ ମତ କହିଥାଏ ଯେ ଆକର୍ଷଣୀୟ ଗାଢ଼ ରଙ୍ଗର ପୋଷାକ ତାଙ୍କୁ ନୂଆ ଉର୍ଜାରେ ଭରିଦିଏ ଏବଂ ସେ ଜଣେ ‘ଡାନସିଙ୍ଗ ଆକ୍ଟିଭିଷ୍ଟ’ ବା ‘ନୃତ୍ୟରତ ଆନ୍ଦୋଳନକାରୀ’ ରୂପେ ପରିଚିତ ହେବାକୁ ଚାହାନ୍ତି। କିନ୍ତୁ, ଏଭଳି ସ୍ଥଳେ ସମସ୍ୟାଟି ହେଲା, ଆନ୍ଦୋଳନକାରୀଙ୍କୁ ନେଇ ଆମ ଧାରଣାରେ ଥିବା ଶାସ୍ତ୍ରୀୟ ସଂଜ୍ଞାରେ ସେ କେଉଁଠି ହେଲେ ଖାପ ଖାଆନ୍ତି ନାହିଁ!
ଏହା ସର୍ବ ସ୍ବୀକାର୍ଯ୍ୟ ଯେ ଆମ ଦେଶରେ ହେଉଥିବା ସମସ୍ତ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ମୂଳତଃ ଗାନ୍ଧୀପନ୍ଥୀ। ପ୍ରକାଶ ଥାଉ କି ଦକ୍ଷିଣ ଆଫ୍ରିକାରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବା ଗାନ୍ଧୀଜୀ, ସ୍ବାଧୀନତା ଆନ୍ଦୋଳନ ପ୍ରାରମ୍ଭ କରିବା ପୂର୍ବରୁ, ସର୍ବପ୍ରଥମେ ଯେଉଁ କାର୍ଯ୍ୟଟି କରିଥିଲେ, ତାହା ଥିଲା ସଂଖ୍ୟାବହୁଳ ଦରିଦ୍ର ଭାରତୀୟଙ୍କ ଭିତରୁ ଜଣେ ଭାବେ ନିଜକୁ ଅଭିହିତ କରି ଆଣ୍ଠୁ ଲୁଚୁ ନ ଥିବା ଭଳି ଧୋତି ଓ ଛୋଟ ଚଦରକୁ ଆପଣା ଦୈନନ୍ଦିନ ପୋଷାକରେ ପରିଣତ କରିବା। ଗାନ୍ଧୀଜୀ ଯେଉଁ ମୂଳ ଆଦର୍ଶ ଦ୍ବାରା ସର୍ବଦା ପରିଚାଳିତ ହେଉଥିଲେ, ତାହା ଥିଲା ତାଙ୍କ କାର୍ଯ୍ୟ ଓ କଥା ମଧ୍ୟରେ ସାମାନ୍ୟତମ ବ୍ୟବଧାନ ନ ରହିବା। ସେହି ଦୃଷ୍ଟିରୁ ସେ ଥିଲେ ପରାଧୀନ ଭାରତର ଦରିଦ୍ର ଭାରତୀୟମାନଙ୍କ ହୃଦୟଗ୍ରାହୀ ପ୍ରତିନିଧି। କହିବା ବାହୁଲ୍ୟ, ଗାନ୍ଧୀଙ୍କ ସେହି ଆଦର୍ଶ ଅଦ୍ୟାପି ଅନୁସୃତ ହେଉଛି; ଏବଂ ପରାଧୀନ ଭାରତ ଇତିମଧ୍ୟରେ ସ୍ବାଧୀନତା ପାଇ, ବିକାଶ ପଥରେ ଅଗ୍ରସର ହୋଇ, ପୃଥିବୀ ସକାଶେ ବିଶାଳତମ ବଜାରରେ ପରିଣତ ହେବା ସତ୍ତ୍ବେ ଏବଂ ସାଧାରଣ ଭାରତୀୟଙ୍କ ଜୀବନକୁ ଉପଭୋକ୍ତାବାଦ ଗଭୀର ଭାବେ ରଂଜିତ କରି ସାରିଥିଲେ ହେଁ ଏବେ ମଧ୍ୟ ଆନ୍ଦୋଳନକାରୀ (ସମାଜ କର୍ମୀ)ମାନେ ପ୍ରାୟତଃ ସେମାନଙ୍କ ବେଶପୋଷାକ ଓ ଖାଦ୍ୟପାନ ଆଦିରେ ପ୍ରାୟତଃ ନିରାଡ଼ମ୍ବରତା ପ୍ରଦର୍ଶନ କରି ଚାଲିଛନ୍ତି; କେତେକଙ୍କ ଲାଗି ତାହା ଗାନ୍ଧୀଙ୍କ ଭଳି ସ୍ବଭାବସୁଲଭ ହୋଇଥିବା ବେଳେ ଆଉ କେତେକଙ୍କ ସକାଶେ ତାହା ଭାବମୂର୍ତ୍ତିଗତ ବାଧ୍ୟବାଧକତା ମଧ୍ୟ ହୋଇଥାଏ! ଏହି ପରିପ୍ରେକ୍ଷୀରେ ଗାନ୍ଧୀଙ୍କ କେତେକ ସମାଲୋଚକ ଊନବିଂଶ ଶତାବ୍ଦୀର କିଂବଦନ୍ତୀୟ ଧର୍ମଯାଜକ ଫାଦର ଡାମିଅନଙ୍କ ବିଷୟ ଉଦ୍ଧାର କରନ୍ତି, ଯିଏ ମାଲାକାଇ ଦ୍ବୀପରେ କୁଷ୍ଠରୋଗୀଙ୍କ ସେବାରେ ନିଜକୁ ସମର୍ପିତ କରିଦେଇଥିବା ବେଳେ ସ୍ବୟଂ କୁଷ୍ଠରୋଗରେ ସଂକ୍ରମିତ ହୋଇଥିଲେ ଏବଂ ଏ ବିଷୟ ଜାଣିବା ପରେ ବିଚଳିତ ହେବା ପରିବର୍ତ୍ତେ ଆନନ୍ଦରେ ଅଧୀର ହୋଇ ଉଠିଥିଲେ। ଏହାର କାରଣ ଥିଲା ଏହା ଯେ ସେ ସେମାନଙ୍କ ମଧ୍ୟରୁ ଜଣେ ହୋଇଗଲେ! ପ୍ରସଙ୍ଗ କ୍ରମେ ଡାମିଅନଙ୍କ ସଂପର୍କରେ ପ୍ରସିଦ୍ଧ ବ୍ରିଟିସ ଲେଖକ ଗ୍ରାହାମ ଗ୍ରିନଙ୍କ ମର୍ମସ୍ପର୍ଶୀ ଉପନ୍ୟାସ ‘ଦ ବର୍ନ‌୍ଟଆଉଟ୍‌ କେସ’ର କାଳଜୟୀ ଚରିତ୍ର ଡାକ୍ତର କଲିନ୍‌ସଙ୍କ ମତ ବିଶେଷ ପ୍ରଣିଧାନଯୋଗ୍ୟ। ସେହି ଉପନ୍ୟାସର ବର୍ଣ୍ଣନା ଅନୁଯାୟୀ ଡାକ୍ତର କଲିନ୍‌ସ ମଧ୍ୟ ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋର ନିଘଞ୍ଚ ଜଙ୍ଗଲରେ କୁଷ୍ଠରୋଗୀଙ୍କ ସେବାରେ ନିମଗ୍ନ। ସେହି ପୁସ୍ତକରେ ଠାଏ ଡାକ୍ତର କଲିନ୍‌ସ ପ୍ରଶ୍ନ କରନ୍ତି ଯେ ରୋଗକୁ ଭଲ ପାଇ ବସିଲେ ତାହାକୁ ନିର୍ମୂଳ କରାଯିବ କେମିତି? ସେହି ସୂତ୍ରରେ ଗାନ୍ଧୀଙ୍କ ସମାଲୋଚକମାନେ କହନ୍ତିି ଯେ ଦାରିଦ୍ର୍ୟ ବରଣ କରି ଗାନ୍ଧୀଜୀ ଦରିଦ୍ରତାର ମହିମା ଗାନ କରିଥିଲେ, ଏଥିରେ ଦାରିଦ୍ର୍ୟରୁ ମୁକ୍ତି ପାଇବାର କୌଣସି ମାର୍ଗ ନ ଥିଲା, ବରଂ ଦରିଦ୍ରମାନେ ସର୍ବଦା ମହତ ଭଳି ଏକ ଧାରଣା ସୃଷ୍ଟି ହୋଇଥିଲା। ସେମାନେ କହନ୍ତି ଯେ ଗାନ୍ଧୀଙ୍କ ଆନ୍ଦୋଳନ ‘ମାନୁଆଲ’ ଅନୁସାରେ ବିଜେତା ଦହିୟାଙ୍କ ଭଳି ତରୁଣ, ଏହି ଆନ୍ଦୋଳନ ପ୍ରତି ନିଷ୍ଠା ରଖିଥିଲେ ହେଁ ବେଖାପ ଲାଗନ୍ତି। 
ଉଲ୍ଲେଖ ରହୁ ଯେ ବିଜେତା ଦହିୟାଙ୍କ ବହିଷ୍କରଣକୁ ବା ଗାନ୍ଧୀଜୀଙ୍କ ଅନବଦ୍ୟ ନୀତି ଓ ଆଦର୍ଶର ଗଭୀରତାକୁ ପ୍ରଶ୍ନ କରିବା ଏହି ଆଲୋଚନାର ଉଦ୍ଦେଶ୍ୟ ନୁହେଁ। ଲକ୍ଷ୍ୟ ହେଉଛି ଏହି ଘଟଣା ଦ୍ବାରା ଉଠିଥିବା କିଛି ପ୍ରଶ୍ନର ଉତ୍ତର ଖୋଜିବା। ଧରି ନିଆଯାଉ, ଯନ୍ତରମନ୍ତରରେ ଆନ୍ଦୋଳନକାରୀମାନଙ୍କୁ ପରଷା ଯାଉଥିବା ଖାଦ୍ୟରେ ‘ବର୍ଗର’ ରହନ୍ତା, ତେବେ କ’ଣ ହୁଅନ୍ତା? ତାହା ହେଲେ କ’ଣ ଖବରକାଗଜର ଶିରୋନାମା ହୁଅନ୍ତା କି ଯନ୍ତରମନ୍ତର ଏକ ‘ପିକନିକ ସ୍ପଟ’ରେ ପରିଣତ? ବା ଆନ୍ଦୋଳନ ପଥ ଭ୍ରଷ୍ଟ? ନିଜ ଆଦର୍ଶରେ ଏକନିଷ୍ଠ କୌଣସି ତରୁଣ ଯଦି ଆନ୍ଦୋଳନ ସ୍ଥଳରେ ନୃତ୍ୟ କରେ ବା ଗାଢ଼ ରଙ୍ଗର ପୋଷାକ ପିନ୍ଧେ ବା ଭୋକ ହେଲେ ବର୍ଗର ଖାଏ, ତେବେ ତା’ର ନୈତିକତା ସନ୍ଦିଗ୍‌ଧ ହେବାର ବିଷୟବସ୍ତୁ କି? ଆମ ଦେଶରେ ପିଜ୍‌ଜା ଓ ବର୍ଗର୍‌ର ଗଣତନ୍ତ୍ରୀକରଣ ହୋଇ ପାରିବ ନାହିଁ କି? ଅର୍ଥାତ୍‌ ଜଣେ ଦରିଦ୍ର ଚାଷୀ ଇଚ୍ଛା କଲେ, ଉପହସିତ ନ ହୋଇ, ଦୃଷ୍ଟି ଆକର୍ଷଣ ନକରି, ଅତି ସ୍ବାଭାବିକ ଭାବେ ପିଜ୍‌ଜା କିଣି ଖାଇ ପାରିବ ନାହିଁ କି?

Read Entire Article
LEFT SIDEBAR AD

Hidden in mobile, Best for skyscrapers.