ARTICLE AD BOX
ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ପରିଵେଶୀୟ ଚାପ ସମୟରେ ଅଭୟାରଣ୍ୟ ଏବଂ ସୁରକ୍ଷିତ ପ୍ରାକୃତିକ ପରିବେଶ ଓଡ଼ିଶାର ବନ୍ୟଜନ୍ତୁ ଏବଂ ସେମାନଙ୍କ ବାସସ୍ଥଳୀର ସୁରକ୍ଷା ପାଇଁ ଏକ ମୁଖ୍ୟ ଆଧାର | କ୍ଷୟପ୍ରାପ୍ତ ଜଙ୍ଗଲର ପୁନରୁଦ୍ଧାର, ସଂରକ୍ଷଣ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ସ୍ଥାନୀୟ ସମୁଦାୟଙ୍କ ସହଭାଗିତା ମାଧ୍ୟମରେ ହିଁ ନବିକୃତ ଜୈବ ବିବିଧତାର ନୂତନ ସମ୍ଭାବନା ସୃଷ୍ଟି ହୋଇପାରିବ | ପ୍ରକୃତିର ସନ୍ତୁଳନ ଫେରାଇ ଆଣି ବନ୍ୟପ୍ରାଣୀ, ମାନବ ସମାଜ ଏବଂ ସେମାନଙ୍କ ଆଖପାଖର ପରିବେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସ୍ଥାପନ କରାଇବା ଆଜିର ସମୟରେ ଏକ ପ୍ରାସଙ୍ଗିକ ବିଷୟ | କିଛି ଏହି ସବୁ ପ୍ରସଙ୍ଗକୁ ନେଇ ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର ଏକ ସ୍ୱତନ୍ତ୍ର ଅଧିବେଶନ ଏନେଇ ନିଜର ମତ ଉପସ୍ଥାପନ କରିଥିଲେ ରାଜ୍ୟର ଦୁଇଟି ପ୍ରମୁଖ ଅଭୟାରଣ୍ୟ(ଶିମିଳିପାଳ ଓ ଦେବ୍ରିଗଡ) ସହ ଚିଲିକାର ପ୍ରାଧିକୃତ ଅଧିକାରୀ |
ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍କେସିଜି ସଭାଗୃହରେ ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର କାର୍ଯ୍ୟକ୍ରମରେ ଚିଲିକା ଡ଼ିଏଫଓ ଅମ୍ଲାନ ନାୟକ, ଦେବ୍ରିଗଡ ଡ଼ିଏଫଓ ଅଂଶୁପ୍ରଜ୍ଞା ଦାସଙ୍କ ସହ ଶିମିଳିପାଳ ଆରସିସିଏଫ ପ୍ରକାଶ ଚନ୍ଦ୍ର ଗୋଗିନାନି ସାମିଲ ହୋଇ ନିଜର ଗୁରୁତ୍ୱପୂର୍ଣ୍ଣ ମତ ଉପସ୍ଥାପନ କରିଥିଲେ | ଏହି ଅଧିବେଶନକୁ ସଂଚାଳନ କରିଥିଲେ ଏନଆଇଟି ରାଉରକେଲାର ଡ଼.ମେଧା ନାୟକ | ଏହି ଅବସରରେ ପ୍ରକାଶ ଚନ୍ଦ୍ର ଗୋଗିନାନି କହିଥିଲେ ଯେ ମୟୁରଭଞ୍ଜରେ ୨୭୫୦ ବର୍ଗ କିଲୋମିଟର ବ୍ୟାପ୍ତ ଶିମିଳିପାଳରେ ୪ ବର୍ଷରେ ୧୮ ପ୍ରତିଶତ ବାଘ ସଂଖ୍ୟା ବୃଦ୍ଧି ପାଇଛି | ତେବେ ଶିକାରକୁ ଶୂନ୍ୟ କଲେ ହିଁ ବାଘଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରିବ | ଏହା ଏବେ ଆମ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ | ସେହିପରି ଡ଼. ମେଧା ନାୟକ ପ୍ରଶ୍ନ କରିଥିଲେ ଯେ ଭବିଷ୍ୟତରେ ଟୁଆଁଟୁଇଁ କାହାଣୀ ସତ ହେବ କି? ବାଘ ସଂଖ୍ୟା ବଢିଲେ ସେମାନେ ଘରକୁ ଆସିବେ କି? ଏହାର ଉତ୍ତରରେ ପ୍ରକାଶ ଚନ୍ଦ୍ର ଗୋଗିନାନି କହିଥିଲେ ଯେ ଆଜିକାର ସମୟରେ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରିବା ବହୁତ ଗୁରୁତ୍ୱପୂର୍ଣ୍ଣ | ବର୍ତ୍ତମାନ ଏଆଇ କ୍ୟାମେରାର ଉପଯୋଗ କରାଯାଇ ସର୍ଭିଲାନ୍ସ ରଖାଯାଉଛି | ଶିମିଳିପାଳରେ ୫୦ ପ୍ରତିଶତ ଅଂଚଳରେ ବାସ୍ତବ ସମୟ କ୍ୟାମେରା ମନିଟରିଂ କରାଯାଉଛି | ପୁରା ଭାରତରେ କୌଣସି ବି ବ୍ୟାଘ୍ର ପ୍ରକଳ୍ପରେ ଏଭଳି ସର୍ଭିଲାନ୍ସ ବ୍ୟବସ୍ଥା ଶିମିଳିପାଳ ଛଡା କେଉଁଠାରେ ବି ନାହିଁ | ସେହିପରି ଆମ ଶିମିଳିପାଳ ଯୋଜନା ମାଧ୍ୟମରେ ନିକଟସ୍ଥ ଗ୍ରାମଗୁଡିକ ପାଇଁ ଅନେକ ପଦକ୍ଷେପ ନିଆଯାଉଛି |
/filters:format(webp)/sambad/media/media_files/2026/10/02/earth-again-conference-2026-10-02-19-00-12.jpeg)
ଅଂଶୁପ୍ରଜ୍ଞା ଦାସ କହିଥିଲେ ଯେ ଦେବ୍ରିଗଡ ଅଭୟାରଣ୍ୟ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଥିବାବେଳେ ୩୫୩ ବର୍ଗ କିଲୋମିଟର ଅଂଚଳରେ ଏହା ପରିବ୍ୟାପ୍ତ ହୋଇ ରହିଛି | ୭୦୦ ବର୍ଗ କିଲୋମିଟରର ହୀରାକୁଦ ଜଳଭଣ୍ଡାର ଅଭୟାରଣ୍ୟକୁ ଲାଗିକି ଥିବାବେଳେ ସ୍ଥାନୀୟ ଅଧିବାସୀଙ୍କ ଭୂମିକା ସର୍ବାଧିକ ରହିଛି | ସେହିପରି ୧୦୦ରୁ ୧୫୦ଟି ଗାଁ ଅଭୟାରଣ୍ୟ ଉପରେ ନିର୍ଭରଶୀଳ | ସେଠାରେ ନିଯୁକ୍ତି ସେତେଟା ନଥିବାବେଳେ ଅଧିକାଂଶ ଲୋକ ଚାଷ ଉପରେ ହିଁ ନିର୍ଭର କରନ୍ତି | ଅଭୟାରଣ୍ୟ ବାହାରେ ଯେତେବେଳେ ସମତେ କୃଷି ଉପରେ ନିର୍ଭରଶୀଳ ସେତେବେଳେ ଅଭୟାରଣ୍ୟ ଉପରୁ ଚାପ କମାଇବାରେ କେବଳ ଏକମାତ୍ର ବାଟ ଥିଲା ୪୦୦ ପରିବାରକୁ ଅନ୍ୟତ୍ର ସହାବସ୍ଥାନ କରାଇଲୁ | ବର୍ତ୍ତମାନ ସ୍ଥାନୀୟ ଏନଜିଓ, ଜନପ୍ରତିନିଧିଙ୍କ ସହାୟତାରେ ସେମାନଙ୍କ ଜୀବନଜୀବିକା ପାଇଁ ବ୍ୟବସ୍ଥା କରାଯାଉଛି | ବିଶେଷ କରି ଇକୋ ଟୁରିଜିମରେ ୧୫୦ରୁ ଉର୍ଦ୍ଧ୍ବ ସ୍ଥାନୀୟ ଲୋକଙ୍କୁ ନିୟୋଜିତ କରାଯାଇଛି, ଯେଉଁଥିରୁ ୪୦ ପ୍ରତିଶତ ହେଉଛନ୍ତି ମହିଳା | ଅଂଶୁପ୍ରଜ୍ଞାନଙ୍କ କହିବା କଥା ଯେ ସ୍ଥାନୀୟ ଲୋକ ବର୍ଷ ବର୍ଷ ଧରି ଅଭୟାରଣ୍ୟର ସଂରକ୍ଷଣକୁ ଗୁରୁତ୍ୱ ଦେଇ ଆସିଛନ୍ତି | ତେଣୁ ଯେତେବେଳେ ଇକୋ ଟୁରିଜିମ ମାଧ୍ୟମରେ ବିଭିନ୍ନ ଗାଁରୁ ବିଭିନ୍ନ ବର୍ଗର ଲୋକଙ୍କୁ ଆମେ ନିଯୁକ୍ତି ଦେଇଛୁ | ଏଥିମଧ୍ୟରେ ଏମିତି କିଛି ଶିକାରୀ ମଧ୍ୟ ଅଛନ୍ତି, ଯେଉଁମାନଙ୍କ ନାମରେ ପୂର୍ବରୁ ମାମଲା ଥିବାବେଳେ ସେମାନେ ବର୍ତ୍ତମାନ ବିକଳ୍ପ ପନ୍ଥା ଆପଣାଇଛନ୍ତି ଯାହାକି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅଭୟାରଣ୍ୟର ସୁରକ୍ଷାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି |
ଆହୁରି ପଢନ୍ତୁ: UCC ଲାଗୁ କରିବାରେ ଉତ୍ତରାଖଣ୍ଡ ପରେ ଗୁଜରାଟ ଦ୍ବିତୀୟ ରାଜ୍ୟ
ଡ଼ିଏଫଓ ଚିଲିକା ଅମ୍ଲାନ ନାୟକ କହିଥିଲେ ଯେ ଚିଲିକା ହ୍ରଦ ୧୧୦୦ ବର୍ଗ କିଲୋମିଟର ଅଂଚଳରେ ପରିବ୍ୟାପ୍ତ ହୋଇ ରହିଛି | ଏଠି ମଧ୍ୟରେ ନଳବଣ ଚଢେଇମାନଙ୍କ ପାଇଁ ଅଭୟାରଣ୍ୟ ଭାବେ ଥିବାବେଳେ ସ୍ଥାନୀୟ ଲୋକମାନଙ୍କୁ ନେଇ କାର୍ଯ୍ୟ କରିବା ହିଁ ସମ୍ଭବ | ୨ ଲକ୍ଷରୁ ଅଧିକ ଧୀବର ଚିଲିକାର ଇକୋସିଷ୍ଟମ ଉପରେ ନିର୍ଭର କରୁଥିବାବେଳେ ଗତ ଥର ଗଣନାରେ ୧୯୬ ପ୍ରଜାତିର ୧୧ ଲକ୍ଷରୁ ଉର୍ଦ୍ଧ୍ବ ପକ୍ଷୀ ଚିଲିକାକୁ ଆସିଥିଲେ | ସେହିପରି ଚିଲିକାରେ ସର୍ବାଧିକ ଇରାୱାଡି ଡ଼ଲଫିନ ଥିବାବେଳେ ଏହି ଇକୋ ସିଷ୍ଟମର ସଂରକ୍ଷଣ ପାଇଁ ଏକାଧିକ ବିଭାଗ କାର୍ଯ୍ୟ କରିଥାନ୍ତି | ବିଶେଷ କରି ଯେଉଁସବୁ ନଦୀ ଚିଲିକାରେ ମିଶୁଛି, ତାହାଦ୍ୱାରା କିଛି ମାତ୍ରାରେ ପଟୁ ମାଟି ଆସି ଚିଲିକାକୁ କିଛିକାଂଶରେ ପୋତି ପକାଏ | ଏହାର କିଭଳି ସମାଧାନ କରାଯାଇପାରିବ ସେଥିପାଇଁ ଆଇଆଇଟି ସହାୟତାରେ ଏକ ବିସ୍ତୃତ ଡିପିଆର ପ୍ରସ୍ତୁତ କରାଯାଇଛି |

45 minutes ago
1


