ARTICLE AD BOX
ଭୁବନେଶ୍ବର: ୪ ଦିନ ଧରି ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍ସା) ଆନ୍ଦୋଳନକୁ ସ୍ଥଗିତ ରଖିଛି। ଆଜିଠାରୁ ଡାକ୍ତରମାନେ ପୂର୍ବ ଭଳି କାର୍ଯ୍ୟରେ ଯୋଗଦେବେ। ଡାକ୍ତରଙ୍କ ଦାବି ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଏକ ଉଚ୍ଚ କ୍ଷମତାସଂପନ୍ନ କମିଟି ଗଠନ କରିଛନ୍ତି। ଆସନ୍ତା ୨୨ ତାରିଖରେ ଏହି କମିଟିର ପ୍ରଥମ ବୈଠକ ବସିବ ବୋଲି ନିଷ୍ପତ୍ତି ହୋଇଛି। ଜୁଲାଇ ପହିଲାରୁ ୧୦ ଦଫା ଦାବି ନେଇ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବାରୁ ରାଜ୍ୟରେ ସ୍ବାସ୍ଥ୍ୟସେବା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ଆନ୍ଦୋଳନରୁ ଓହରିବା ପାଇଁ ସରକାର ନାଲିଆଖି ଦେଖାଇଥିଲେ ହେଁ ଏହାକୁ ଭ୍ରୂକ୍ଷେପ ନ କରି ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଥିଲେ। ଏମିତିକି ଦରମା ବନ୍ଦ ଓ ଚାକିରିରୁ ବରଖାସ୍ତ ନିର୍ଦ୍ଦେଶ ମଧ୍ୟ କୌଣସି ଫରକ ପକାଇ ନ ଥିଲା। ରାଜ୍ୟବ୍ୟାପୀ ରୋଗୀ ସେବା ସ୍ଥିତି ବିଗିଡ଼ି ଯାଉଥିବା ଲକ୍ଷ୍ୟ କରି ସରକାର ଗତକାଲି ଓମ୍ସାକୁ ଆଲୋଚନା ପାଇଁ ଡାକିଥିଲେ। ଆଜି ଲୋକସେବା ଭବନରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ସଚିବ ଅଶ୍ବଥି ଏସ୍, ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ଓମ୍ସାର ଏକ ପ୍ରତିନିଧି ଦଳ ଆଲୋଚନାରେ ଭାଗ ନେଇଥିଲେ। ପ୍ରାୟ ସାଢ଼େ ୩ ଘଣ୍ଟା ଧରି ଏହି ଆଲୋଚନା ଚାଲିଥିଲା।
Alligation: ଅସ୍ଥିତ୍ବ ଖୋଜିବା ପାଇଁ ବିଜେଡି ଓ କଂଗ୍ରେସ ଅଭିଯୋଗ କରୁଛନ୍ତି: ବିଜେପି
ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଗଣମାଧ୍ୟମକୁ କହିଛନ୍ତି ଯେ ଆଲୋଚନା ଫଳପ୍ରଦ ହୋଇଛି। ସର୍ବସମ୍ମତିକ୍ରମେ ଆନ୍ଦୋଳନକୁ ସ୍ଥଗିତ ରଖିବା ଲାଗି ଓମ୍ସା ନିଷ୍ପତ୍ତି ନେଇଛି। ଡାକ୍ତରଙ୍କ ୧୦ ଦଫା ଦାବି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଏହାର ପୁନର୍ବାର ଯାଞ୍ଚ କରିବା ଓ ଏହାକୁ କିଭଳି କାର୍ଯ୍ୟକାରୀ କରାଯିବ ସେଥିପାଇଁ ଏକ ଉଚ୍ଚ କ୍ଷମତାସଂପନ୍ନ କମିଟି ଗଠନ ହୋଇଛି। ଏଥିରେ ଅର୍ଥ ସଚିବ ଅଧକ୍ଷ ରହିଥିବା ବେଳେ ସ୍ବାସ୍ଥ୍ୟ, ଆଇନ ସଚିବ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ସଦସ୍ୟ ରହିଛନ୍ତି। ଆଜି ଏହାର ବିଜ୍ଞପ୍ତି ପ୍ରକାଶ ପାଇବ। କମିଟିର ପ୍ରଥମ ବୈଠକ ଚଳିତ ମାସ ୨୨ ତାରିଖରେ ଅନୁଷ୍ଠିତ ହେବ। କମିଟି ସମ୍ମୁଖରେ ଓମ୍ସା ନିଜର ଦାବିକୁ ବିସ୍ତୃତ ଭାବେ ଉପସ୍ଥାପନ କରିବ। ରୋଗୀ ସେବାକୁ ପ୍ରାଥମିକତା ଦେବା ଲାଗି ଓମ୍ସା ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା ଶ୍ରୀ ମହାଲିଙ୍ଗ କହିଛନ୍ତି।
ଓମ୍ସା ସଭାପତି ଡା. କିଶୋର ମିଶ୍ର କହିଛନ୍ତି, ଆକ୍ସନ୍ କମିଟିର ୧୫ ଜଣିଆ ସଦସ୍ୟ ଆଲୋଚନାରେ ସାମିଲ ହୋଇଥିଲେ। ସରକାରଙ୍କ ଆଲୋଚନା ଫଳପ୍ରଦ ହୋଇଥିବାରୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଉଚ୍ଚ କ୍ଷମତାସଂପନ୍ନ କମିଟି ଆଗରେ ଓମ୍ସା ନିଜର ୪ଟି ପ୍ରମୁଖ ଦାବି ଉପସ୍ଥାପନ କରିବ। ତେଣୁ ଦାବିଗୁଡ଼ିକର ସମାଧାନ ହେବ ବୋଲି ଆଶା। ଏହାସହ ଡାକ୍ତରଙ୍କ ଚିକିତ୍ସା ବାବଦ ଯେଉଁ ସମସ୍ୟା ରହିଛି, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆସନ୍ତା ୨-୩ ମାସ ଭିତରେ ଏହାର ସମାଧାନ କରାଯିବ। ଚିକିତ୍ସା ସେବା ଆଜିଠାରୁ ସ୍ବାଭାବିକ ହେବ। ସାଧାରଣ ସମ୍ପାଦକ ଡା. ସଞ୍ଜୀବ ପ୍ରଧାନ କହିଛନ୍ତି, ଦାବି ପୂରଣ ନେଇ ଓମ୍ସା ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ଆଶା ରଖିଥିଲା। ରାଜ୍ୟ ସରକାର ମଧ୍ୟ ଲିଖିତ ପ୍ରତିଶ୍ରୁତି ନେଇ ପ୍ରସ୍ତୁତି ଜାରି ରଖିଛନ୍ତି। ଓମ୍ସା ଆଦୌ ଆନ୍ଦୋଳନ ସପକ୍ଷରେ ନାହିଁ। ପର୍ଯ୍ୟାୟକ୍ରମେ ଦାବି ପୂରଣ କରାଯିବ ବୋଲି ଆଶା ରଖିଛୁ।
Weekly Horoscope 2026 July 5 to 11: ଜାଣନ୍ତୁ ଏ ସପ୍ତାହର ରାଶିଫଳ
ଅପରପକ୍ଷରେ ଡାକ୍ତରଙ୍କ ଆନ୍ଦୋଳନ ପାଇଁ ଲୋକମାନଙ୍କୁ ପ୍ରତିଦିନ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଭୁବନେଶ୍ବର ସମେତ କିଛି ସ୍ଥାନରେ ଚିକିତ୍ସା ସେବା ସ୍ବାଭାବିକ ଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଏହାର ବଡ଼ ପ୍ରଭାବ ପଡ଼ିଥିଲା। ରୋଗୀ ସେବା ମିଳିବା ତ ଦୂରର କଥା ଶବ ବ୍ୟବଚ୍ଛେଦ ମଧ୍ୟ ହୋଇପାରି ନ ଥିଲା। ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନଜରକୁ ଆସିଛି। ମୟୂରଭଞ୍ଜ ରାଇରଙ୍ଗପୁର ଅଞ୍ଚଳରେ ଜଣେ ରୋଗୀ ଚିକିତ୍ସା ନ ପାଇ ପ୍ରାଣ ହରାଇଛନ୍ତି। ସେହିପରି ଡାକ୍ତରଙ୍କ ଆନ୍ଦୋଳନ ପାଇଁ ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆସିଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ହୋଇପାରିନାହିଁ। ଏବେ ଡାକ୍ତରମାନେ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଧୀରେ ଧୀରେ ସ୍ବାସ୍ଥ୍ୟସେବା ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି।

1 hour ago
1


