ARTICLE AD BOX
କାଳିଆପାଣି (ରବି ନାରାୟଣ କର): ସଂଶୋଧିତ ମାଇନ୍ସ ଆଣ୍ଡ୍ ମିନେରାଲ୍ସ ଡେଭେଲପମେଣ୍ଟ୍ ଆଣ୍ଡ୍ ରେଗୁଲେସନ (ଏମ୍ଏମ୍ଡିଆର୍) ଆକ୍ଟ୍-୨୦୨୬ ଆଳରେ ପଡ଼ୋଶୀ ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାର ପାଖାପାଖି ୭୦ ଭାଗ କ୍ଷେତ୍ରକୁ କ୍ରୋମ୍ ଉପତ୍ୟକାର ଖଣି ପ୍ରଭାବିତ ଅଞ୍ଚଳ ଭାବେ ଦର୍ଶାଯାଇଛି। ଓଡ଼ିଶା ଖଣି ନିଗମ(ଓଏମ୍ସି), ଟାଟାଷ୍ଟିଲ, ଇମ୍ଫା, ବାଲେଶ୍ବର ଆଲଏଜ୍, ଜିନ୍ଦଲ ଷ୍ଟେନଲେସ୍ ଓ ବେଦାନ୍ତ-ଫେକର କମ୍ପାନିର ୧୦ଟି ଯାକ କ୍ରିୟାଶୀଳ କ୍ରୋମାଇଟ୍ ଖଣିରୁ ଆଦାୟ କରାଯାଉଥିବା ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍) ପାଣ୍ଠିରୁ ସରକାର ଏହି ୨ ପଡ଼ୋଶୀ ଜିଲ୍ଲାକୁ ସିଂହଭାଗ ଅନୁଦାନ ରାଶି ଟେକିଦେବା ଯୋଜନା କରିଛନ୍ତି ବୋଲି ସ୍ଥାନୀୟ ପଞ୍ଚାୟତିରାଜ ପ୍ରତିନିଧି ଅଭିଯୋଗ କରିଛନ୍ତି।
ସୁକିନ୍ଦା ରିଜିଅନ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ(ଏସ୍ଆର୍ସିକେଏମ୍ଏସ୍) ସଭାପତି ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ପରାମର୍ଶରେ ୩୭ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖିଙ୍କ ଅଧ୍ୟକ୍ଷତାରେ ଆଜି ସଂଧ୍ୟାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ଜନ ପ୍ରତିନିଧିମାନେ ସରକାରଙ୍କ ଏତାଦୃଶ ଆଭିମୁଖ୍ୟ ବିରୋଧରେ ବିଷୋଦ୍ଗାର କରିଥିଲେ। ଏସ୍ଆର୍ସିକେଏମ୍ଏସ୍ର କାଳିଆପାଣି ଟାଉନସିପ କାର୍ଯ୍ୟାଳରେ ଖଣି ପ୍ରଭାବିତ ୫ ପଞ୍ଚାୟତ କାଳିଆପାଣି, କଅଁସ, ଚିଙ୍ଗୁଡ଼ିପାଳ, ରାଁସୋଳ ଓ କାଙ୍କଡ଼ପାଳର ଅଞ୍ଚଳବାସୀଙ୍କ ପକ୍ଷରୁ ଅନୁଷ୍ଠିତ ଏହି ସାମ୍ବଦିକ ସମ୍ମିଳନୀରେ କାଳିଆପାଣି ସରପଞ୍ଚ ବିକାଶ କୁମାର ପାତ୍ର, ସମିତିସଭ୍ୟ ସାଲୁକା ହନହାଗା, କଅଁସ ସରପଞ୍ଚ ରାଜାରାଣୀ ଦେହୁରୀ, ରାଁସୋଳ ସରପଞ୍ଚ କନକଲତା ସର୍ଦ୍ଦାର ପ୍ରମୁଖ ସରକାରଙ୍କ ଏତାଦୃଶ ନିଷ୍ପତ୍ତି ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ପ୍ରକାଶ କରିଥିଲେ। ଖଣି ଖନନ ଜନିତ ଧୂଳଧୂଆଁରୁ ବ୍ୟାପକ ପରିବେଶ ପ୍ରଦୂଷଣ, ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା, ସଂକୁଚିତ କୃଷିକ୍ଷେତ୍ର, ଫସଲହାନୀ, ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଗମନାଗମନ ଭଳି ଗୁରୁତର ସମସ୍ୟା ଦ୍ବାରା ଖଣିଅଞ୍ଚଳବାସୀ ପୀଡ଼ାଗ୍ରସ୍ତ ହୋଇଆସୁଥିଲେ ହେଁ ଏମ୍ଏମ୍ଡିଆର୍ ଆକ୍ଟ୍ ଆଳରେ ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ନ୍ୟାଯ୍ୟ ଅଧିକାର କ୍ଷୁଣ୍ଣ ଉଦ୍ୟମ ଆଦୌ ଗ୍ରହଣୀୟ ନୁହେଁ ବୋଲି ରୋକ୍ଠୋକ୍ ଶୁଣାଇଥିଲେ।
MMDR: ଏମ୍ଏମ୍ଡିଆର୍, ଓରିସେଡ୍ ଆଇନ: ଲାଭକ୍ଷତିର ହିସାବ ହୋଇନି, ୨୬୯୫ କୋଟିର ଜରିମାନା ଆଦାୟ ହୋଇପାରିନି
ଯାଜପୁର ଡିଏମ୍ଏଫ୍ରୁ ପ୍ରତ୍ୟକ୍ଷ ଖଣି ପ୍ରଭାବିତ ସୁକିନ୍ଦା ଓ ଦାନଗଦୀ ବ୍ଲକକୁ ଉପେକ୍ଷା କରାଯିବାର ମସୁଧାକୁ ଆଦୌ ବରଦାସ୍ତ କରାଯିବନି କୁହାଯାଇଥିଲା। ଏଭଳି ତ୍ରୁଟିପୂର୍ଣ୍ଣ ଆଇନ ପ୍ରତ୍ୟାହାର କରାନଗଲେ ଅଞ୍ଚଳବାସୀଙ୍କ ପକ୍ଷରୁ ବିରାଟ ଜନ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲା। ଏସ୍ଆର୍ସିକେଏମ୍ଏସ୍ ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ, ଦଶରଥ ମହାନ୍ତ, ଆଶିଷ କୁମାର ଜେନା, ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

1 hour ago
2


