ARTICLE AD BOX
ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ପ୍ରତିରକ୍ଷା ମନ୍ତ୍ରଣାଳୟରେ କାର୍ଯ୍ୟରତ ଜଣେ ୩୦ ବର୍ଷୀୟା ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମୃତା ନାଜିଆ ଖାନମ ପ୍ରତିରକ୍ଷା ମନ୍ତ୍ରଣାଳୟରେ ସହାୟକ ବିଭାଗ ଅଧିକାରୀ ଭାବେ କାମ କରୁଥିଲେ। ଅଗଷ୍ଟ ୨୧ ତାରିଖରେ ଦ୍ୱାରକାସ୍ଥିତ ଘରୁ ତାଙ୍କ ମୃତଦେହ ମିଳିଥିଲା। ସେ ପ୍ରାୟ ୩ ମାସର ଗର୍ଭବତୀ ଥିଲେ। ତାଙ୍କ ବାପଘର ଲୋକେ ସ୍ୱାମୀ ଓ ଶାଶୂଘର ଲୋକଙ୍କ ବିରୋଧରେ ମାନସିକ ଓ ଶାରୀରିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି।
ନାଜିଆଙ୍କ ବିବାହ ଚଳିତ ବର୍ଷ ଏପ୍ରିଲ ୧୧ ତାରିଖରେ ମହମ୍ମଦ ଆଜମ ଅଲୀ ଖାନଙ୍କ ସହ ହୋଇଥିଲା। ବିବାହର ମାତ୍ର ୪ ମାସ ପରେ ଏହି ଘଟଣା ଘଟିଛି। ଆଜମ ଗୁରୁଗ୍ରାମରେ ସପ୍ଲାଏ ଚେନ୍ ମ୍ୟାନେଜର ଭାବେ କାମ କରୁଥିବା ଜଣାପଡ଼ିଛି। ନାଜିଆଙ୍କ ବାପା ତୱାବ ଖାନଙ୍କ ଅଭିଯୋଗ ଅନୁସାରେ, ବିବାହ ପରେ ତାଙ୍କ ଝିଅ ସ୍ୱାମୀ ଆଜମ ଅଲୀ ଖାନ, ଶାଶୂ ସମୀନ ନିଶା ଓ ଶ୍ୱଶୁର ବାବର ଅଲୀ ଖାନଙ୍କ ନିର୍ଯାତନା ବିଷୟରେ ଫୋନ୍ ଯୋଗେ ପରିବାରକୁ କହୁଥିଲେ। ତାଙ୍କୁ ମାଡ଼ ମାରିବା, ମାନସିକ ନିର୍ଯାତନା ଦେବା ଏବଂ ଘରୁ ବାହାର କରିଦେବା କିମ୍ବା ମାରିଦେବାର ଧମକ ଦିଆଯାଉଥିବା ପରିବାର ଅଭିଯୋଗ କରିଛି।
ଆହୁରି ପଢନ୍ତୁ : Investor: ବିଦେଶୀ ନିବେଶକ କିଣିଲେଣି ୨୩,୫୪୪ କୋଟିର ସେୟାର
ପୁଲିସ ସୂଚନା ଅନୁସାରେ, ଅଗଷ୍ଟ ୨୧ ତାରିଖରେ ଅପରାହ୍ଣ ପ୍ରାୟ ୪ଟା ୨୧ ମିନିଟ୍ରେ ସେକ୍ଟର-୨୩ ଥାନାକୁ ଜଣେ ମହିଳାଙ୍କ ମୃତ୍ୟୁ ସମ୍ପର୍କରେ ପିସିଆର୍ କଲ୍ ଆସିଥିଲା। ନାଜିଆଙ୍କ ସ୍ୱାମୀ ପୁଲିସକୁ କହିଥିଲେ ଯେ, ଦୁହିଁଙ୍କ ମଧ୍ୟରେ ଝଗଡ଼ା ପରେ ନାଜିଆ ଗୋଟିଏ କୋଠରିରେ ନିଜକୁ ବନ୍ଦ କରିଦେଇଥିଲେ। ପରେ ସେ କୋଠରି ଖୋଲି ତାଙ୍କୁ ଅଚେତ ଅବସ୍ଥାରେ ଦେଖିଥିବା କହିଛନ୍ତି। ଘଟଣା ଦିନ ନାଜିଆଙ୍କ ପରିବାର ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ଦେଇଥିଲେ। ପରଦିନ ସେମାନେ ପୁଣି ଅଭିଯୋଗ ଦେଇ ସ୍ୱାମୀ ଓ ଶାଶୂଘର ଲୋକଙ୍କ ନିର୍ଯାତନା ବିଷୟରେ କହିଥିଲେ। ଏହାପରେ ପୁଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୮୫ ଓ ୧୦୮ ଅନୁଯାୟୀ ନିର୍ଯାତନା ଓ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ମାମଲା ରୁଜୁ କରିଛି।

54 minutes ago
1


