Delhi Highcourt :ଭିଡ଼ ନିୟନ୍ତ୍ରଣ କାର୍ଯ୍ୟକାରୀ କରିବାକୁ ରେଳବାଇକୁ କହିଲେ ଦିଲ୍ଲୀ ହାଇକୋର୍ଟ

17 minutes ago 1
ARTICLE AD BOX

ନୂଆଦିଲ୍ଲୀ: ରେଳଷ୍ଟେସନ୍‌ଗୁଡ଼ିକରେ ଯାତ୍ରୀଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ କେବଳ ନିୟମ ଓ ନିର୍ଦ୍ଦେଶାବଳି ପ୍ରସ୍ତୁତ କରିଦେଲେ ହେବ ନାହିଁ, ତାହାକୁ କ୍ଷେତ୍ରସ୍ତରରେ କିପରି କାର୍ଯ୍ୟକାରୀ କରାଯାଉଛି ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ବଡ଼ ଧରଣର ଯାତ୍ରୀ ସମାଗମ ହେବାକୁ ଥିବା ପ୍ରତ୍ୟେକ କାର୍ଯ୍ୟକ୍ରମର ଅତି କମ୍‌ରେ ଗୋଟିଏ ସପ୍ତାହ ପୂର୍ବରୁ ରେଳବାଇର ଜଣେ ବରିଷ୍ଠ ଅଧିକାରୀ ପ୍ରସ୍ତୁତିର ସମୀକ୍ଷା କରିବେ। ଏଥିସହ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ନିୟନ୍ତ୍ରଣ ସମ୍ପର୍କିତ ସମସ୍ତ ପଦକ୍ଷେପର ଲିଖିତ ବିବରଣୀ ରଖାଯିବ। ୨୦୨୫ ଫେବ୍ରୁଆରି ୧୫ରେ ନୂଆଦିଲ୍ଲୀ ରେଳଷ୍ଟେସନ୍‌ରେ ଦଳାଚକଟା ଘଟଣା ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଜଷ୍ଟିସ୍‌ ଅମିତ ମହାଜନ ନଭେମ୍ବର ୨ରେ ଏହି ନିର୍ଦ୍ଦେଶ ଦେଇଥିଲେ। ସୋମବାର ଏହି ନିର୍ଦ୍ଦେଶ ସମ୍ପର୍କରେ ବିସ୍ତୃତ ତଥ୍ୟ ସାମ୍ନାକୁ ଆସିଛି।

ଆହୁରି ପଢନ୍ତୁ: Essential car safety features: ପିଲାଙ୍କୁ ଧରି ଯାତ୍ରା କରୁଥିବା ବେଳେ ଏସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ଆବେଦନକାରୀ ଗୋବିନ୍ଦ କୁମାର ଧୁରିୟା ଓ ଅନ୍ୟମାନେ ୨୦୨୫ ଫେବ୍ରୁଆରି ୧୫ ତାରିଖରେ ନୂଆଦିଲ୍ଲୀରୁ ପ୍ରୟାଗରାଜ ଯିବା ପାଇଁ ମଗଧ ଏକ୍ସପ୍ରେସ୍‌ରେ ଟିକେଟ୍‌ କରିଥିଲେ। ରାତି ୯ଟା ୫ ମିନିଟ୍‌ରେ ଟ୍ରେନ୍‌ ଛାଡ଼ିବାକୁ ଥିବାବେଳେ ସେମାନେ ରାତି ପ୍ରାୟ ୮ଟାରେ ଷ୍ଟେସନ୍‌ରେ ପହଞ୍ଚିଥିଲେ। କିନ୍ତୁ ପ୍ଲାଟଫର୍ମ ଓ ଫୁଟ୍‌ ଓଭରବ୍ରିଜ୍‌ରେ ଅତ୍ୟଧିକ ଭିଡ଼ ଯୋଗୁଁ ସେମାନେ ଟ୍ରେନ୍‌ରେ ଚଢ଼ିପାରି ନ ଥିଲେ। ଆବେଦନକାରୀଙ୍କ ମଧ୍ୟରୁ ଜଣେ ଭିନ୍ନକ୍ଷମ ଥିଲେ। ରାତି ପ୍ରାୟ ୧୦ଟାରେ ପ୍ଲାଟଫର୍ମ ନମ୍ବର ୧୬ରୁ ପ୍ରୟାଗରାଜ ଅଭିମୁଖେ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯିବା ନେଇ ଘୋଷଣା ହେବା ପରେ ଫୁଟ୍‌ ଓଭରବ୍ରିଜ୍‌ରେ ହଠାତ୍‌ ଯାତ୍ରୀଙ୍କ ଭିଡ଼ ବଢ଼ିଯାଇଥିଲା। ଫଳରେ ଦଳାଚକଟା ଘଟି ୧୮ ଜଣଙ୍କ ମୃତ୍ୟୁ ଓ ୧୫ ଜଣ ଆହତ ହୋଇଥିଲେ।

ଏହି ଘଟଣା ପରେ ଆବେଦନକାରୀମାନେ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ପୀଡ଼ିତଙ୍କୁ କ୍ଷତିପୂରଣ ଓ ଭବିଷ୍ୟତରେ ଏଭଳି ଘଟଣା ରୋକିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ଦାବି କରିଥିଲେ। ରେଳବାଇ ପକ୍ଷରୁ କୋର୍ଟଙ୍କୁ କୁହାଯାଇଥିଲା ଯେ ପର୍ବପର୍ବାଣି, ଧାର୍ମିକ ସମାଗମ, ନିଯୁକ୍ତି ପରୀକ୍ଷା ଓ କ୍ରୀଡ଼ା କାର୍ଯ୍ୟକ୍ରମ ସମୟରେ ଅଧିକ ଯାତ୍ରୀଙ୍କ ସମାଗମକୁ ଦୃଷ୍ଟିରେ ରଖି ରେଳବାଇ ବୋର୍ଡ ବିଭିନ୍ନ ନିର୍ଦ୍ଦେଶାବଳି ଜାରି କରିଛି। ଏଥିରେ ଯାତ୍ରୀଙ୍କ ସମ୍ଭାବ୍ୟ ସଂଖ୍ୟା ଆକଳନ, ଅତିରିକ୍ତ ସୁରକ୍ଷା କର୍ମୀ ମୁତୟନ, ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ, ଅଧିକ ଟିକେଟ୍‌ କାଉଣ୍ଟର ଖୋଲିବା ଓ ପ୍ଲାଟଫର୍ମରେ ପ୍ରବେଶ ନିୟନ୍ତ୍ରଣ ଭଳି ବ୍ୟବସ୍ଥା ରହିଛି।

ଆହୁରି ପଢନ୍ତୁ: Rahul Gandhi: ବାପା-ମାଆଙ୍କ ପ୍ରେମର ସାକ୍ଷୀ ରେସ୍ତୋରାଁକୁ ଗାର୍ଲଫ୍ରେଣ୍ଡଙ୍କୁ ନେଇଥିଲେ ରାହୁଲ

ନୂଆଦିଲ୍ଲୀ ଷ୍ଟେସନ୍‌ର ଅଜମେରୀ ଗେଟ୍‌ ପାର୍ଶ୍ୱରେ ୨୦୨୫ ଅକ୍ଟୋବର ୧୧ରୁ ପ୍ରାୟ ୭ ହଜାର ଯାତ୍ରୀଙ୍କ ରହଣି କ୍ଷମତା ଥିବା ଏକ ଯାତ୍ରୀ ସୁବିଧା କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଏଥିରେ ୨୨ଟି ଟିକେଟ୍‌ କାଉଣ୍ଟର, ୨୫ଟି ସ୍ୱୟଂଚାଳିତ ଟିକେଟ୍‌ ମେସିନ୍‌, ସିସିଟିଭି ଓ ନିୟନ୍ତ୍ରଣ କକ୍ଷ ରହିଛି। ତେବେ ରେଳବାଇର ଉତ୍ତରରେ ଅଧିକାଂଶ ବ୍ୟବସ୍ଥା ଭବିଷ୍ୟତରେ କରାଯିବ ବୋଲି କୁହାଯାଇଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ୨୦୨୫ ଅକ୍ଟୋବର ୨୪ରେ ଏହି ଷ୍ଟେସନ୍‌ରେ ଦୈନିକ ୩ ଲକ୍ଷ ୨୯ ହଜାର ୫୨୭ ଯାତ୍ରୀଙ୍କ ଯାତାୟାତ ରେକର୍ଡ ହୋଇଥିବା ତଥ୍ୟ ମଧ୍ୟ କୋର୍ଟଙ୍କ ଦୃଷ୍ଟିକୁ ଆସିଥିଲା। ଜଷ୍ଟିସ୍‌ ମହାଜନ ସ୍ପଷ୍ଟ କରିଥିଲେ ଯେ ନୂଆ ନିୟମ ପ୍ରସ୍ତୁତ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ଆବଶ୍ୟକ ନାହିଁ। କାରଣ ଏ ସମ୍ପର୍କରେ ରେଳବାଇ ବୋର୍ଡର ପୂର୍ବରୁ ନିର୍ଦ୍ଦେଶାବଳି ରହିଛି। ତେବେ ତାହାର କଡ଼ାକଡ଼ି ପାଳନ ଓ ଉତ୍ତରଦାୟିତ୍ୱ ନିଶ୍ଚିତ କରିବା ଜରୁରି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.