ARTICLE AD BOX
ନୂଆଦିଲ୍ଲୀ:ରୁଷଠାରୁ ଆଉ ୫ଟି ଏସ୍-୪୦୦ ଟ୍ରାୟମ୍ଫ ବାୟୁ ସୁରକ୍ଷା ପ୍ରଣାଳୀ କ୍ରୟ କରିବା ପାଇଁ ଭାରତର ଯୋଜନା ଅଧିକ କ୍ରିୟାଶୀଳ ହୋଇଛି। ଏଥିପାଇଁ ମୂଲ୍ୟ ନିର୍ଦ୍ଧାରଣ ଓ ଆଲୋଚନା ପ୍ରକ୍ରିୟା ଆରମ୍ଭ କରିବାକୁ ରୁଷିଆ ସରକାର ଭାରତ ନିକଟକୁ ବିଲ୍ ଅଫ୍ କ୍ୱାଣ୍ଟିଟି (ବିଓକ୍ୟୁ) ପ୍ରସ୍ତାବ ପଠାଇଛନ୍ତି, ଯେଉଁଥିରେ ନିର୍ମାଣ ଓ ସାମଗ୍ରୀର ଆନୁମାନିକ ଖର୍ଚ୍ଚ ଦର୍ଶାଯାଇଛି। ୨୦୧୮ ମସିହାରେ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱାରା ୫.୪୩ ବିଲିୟନ୍ ଡଲାର ମୂଲ୍ୟରେ ଚୁକ୍ତି ହୋଇଥିବା ପ୍ରଥମ ପାଞ୍ଚଟି ଏସ୍-୪୦୦ ମଧ୍ୟରୁ ଶେଷ ସିଷ୍ଟମଟି ଚଳିତ ବର୍ଷ ନଭେମ୍ବର ମାସରେ ଭାରତରେ ପହଞ୍ଚିବ। ଏହି ପଞ୍ଚମ ସିଷ୍ଟମଟିକୁ ଚୀନ୍ ସୀମାକୁ ସାମ୍ନା କରୁଥିବା ଭାରତର ପୂର୍ବ ସେକ୍ଟରରେ ମୁତୟନ କରାଯିବ। ଅର୍ଥ ମନ୍ତ୍ରଣାଳୟର ସବୁଜ ସଙ୍କେତ ଏବଂ ରୁଷ ସହ ମୂଲ୍ୟ ଚୂଡ଼ାନ୍ତ ହେବା ପରେ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି ଅଧିକ ୫ଟି ଏସ୍-୪୦୦ ସ୍କ୍ୱାଡ୍ରନ୍ କ୍ରୟ ଉପରେ ଚୂଡ଼ାନ୍ତ ମୋହର ମାରିବ।
ଆଲର୍ଟ ସିଷ୍ଟମକୁ ସଫଳତାର ସହ ନିଷ୍କ୍ରିୟ
ଗତ ମେ ୨୦୨୫ରେ ଅନୁଷ୍ଠିତ ''ଅପରେସନ୍ ସିନ୍ଦୂର'' ସମୟରେ ଏସ୍-୪୦୦ ସିଷ୍ଟମ୍ ନିଜର ଆଡ଼ଭାନ୍ସଡ଼ କ୍ଷମତା ପ୍ରଦର୍ଶନ କରିଥିଲା। ଏହାର ଏକ ଦୂରଗାମୀ କ୍ଷେପଣାସ୍ତ୍ର ପାକିସ୍ତାନର ୩୧୪ କିଲୋମିଟର ଭିତରକୁ ଯାଇ ଶତ୍ରୁପକ୍ଷର ଏୟାରବୋର୍ଣ୍ଣ ଆଲର୍ଟ ସିଷ୍ଟମକୁ ସଫଳତାର ସହ ନିଷ୍କ୍ରିୟ କରିଥିଲା। ଆଦମପୁର ଓ ଭୁଜ୍ ବାୟୁସେନା ଘାଟିରେ ମୁତୟନ ଏସ୍-୪୦୦ ସିଷ୍ଟମକୁ ଟାର୍ଗେଟ୍ କରିବା ପାଇଁ ପାକିସ୍ତାନ କାମିକାଜି ଡ୍ରୋନ୍ ବ୍ୟବହାର କରିଥିଲେ ବି ଭାରତୀୟ ସୀମା ନିକଟକୁ ଆସିବାକୁ ସାହସ କରିନଥିଲେ। ମେ ୧୦ ତାରିଖରେ ଭାରତୀୟ ବ୍ରାହ୍ମୋସ କ୍ଷେପଣାସ୍ତ୍ର ପାକିସ୍ତାନର ୧୧ଟି ବାୟୁସେନା ଘାଟିକୁ ଆକ୍ରମଣ କରିବା ଏବଂ ଏସ୍-୪୦୦ ଓ ଆକାଶ ତୀର ସିଷ୍ଟମ୍ ଦ୍ୱାରା ୭ଟି ଯୁଦ୍ଧବିମାନ ନଷ୍ଟ ହେବା ପରେ ପାକିସ୍ତାନ ନିଜର ବାୟୁସେନା ସମ୍ପତ୍ତିକୁ ଆଫଗାନିସ୍ତାନ ସୀମା ନିକଟକୁ ହଟାଇ ନେଇଥିଲା।
ସେହିପରି ରୁଷଠାରୁ ପଞ୍ଚମ ପିଢ଼ିର ସୁ-୫୭ ଯୁଦ୍ଧବିମାନ କ୍ରୟ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲେ ବି ଭାରତୀୟ ବାୟୁସେନା ଏଥିରେ ରୁଚି ଦେଖାଇଛି ମାତ୍ର କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ଚୀନ୍ ନିଜର ଜେ-୨୦ ଷ୍ଟିଲ୍ଥ ଯୁଦ୍ଧବିମାନଗୁଡ଼ିକୁ ତିବ୍ଦତର ହୋତାନ୍, ଲାସା ଏବଂ ନିଙ୍ଗଚି ବାୟୁସେନା ଘାଟିରେ ମୁତୟନ କରିଥିବାରୁ ଭାରତ ଏହାକୁ ନଜରରେ ରଖିଛି। ଆସନ୍ତା ସେପ୍ଟେମ୍ବର ୧୧-୧୩ରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନୂଆଦିଲ୍ଲୀ ଗସ୍ତ କରୁଥିବାରୁ ହାଇପରସୋନିକ୍ କ୍ଷେପଣାସ୍ତ୍ର କ୍ଷେତ୍ରରେ ଦ୍ୱିପାକ୍ଷିକ ସାମରିକ ସହଯୋଗ ଆହୁରି ମଜବୁତ ହେବାର ସମ୍ଭାବନା ରହିଛି।

1 hour ago
1


