ARTICLE AD BOX
ପାରଳାଖେମୁଣ୍ଡି: ଲଘୁଚାପଜନିତ ଗଭୀର ଅବପାତର ପ୍ରଭାବ ଗଜପତି ଜିଲ୍ଲାରେ ଅନୁଭୂତ ହୋଇଛି। ଗତକାଲି ସନ୍ଧ୍ୟାଠାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି। ରାତି ସାରା ମଝିରେ ମଝିରେ ବର୍ଷା ହୋଇଥିବା ବେଳେ ଆଜି ସକାଳୁ ମଧ୍ୟ ଅନେକ ଅଞ୍ଚଳରେ ଝିପ୍ଝିପ୍ ବର୍ଷା ଜାରି ରହିଛି। କେତେକ ସମୟରେ ବର୍ଷାର ତୀବ୍ରତା ବଢ଼ିଯାଉଥିବାରୁ ସମ୍ଭାବ୍ୟ ବର୍ଷାଜନିତ ପରିସ୍ଥିତିକୁ ନେଇଚିନ୍ତାବଢ଼ିଛି। ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳରେ ପାଗ ମେଘୁଆ ରହିବା ସହ ବର୍ଷା ଜାରି ରହିଛି।
ଆଗାମୀ ସମୟରେ ବର୍ଷାର ପରିମାଣ ଆହୁରି ବଢ଼ିପାରେ ବୋଲି ପାଣିପାଗବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳ, ନଦୀକୂଳ ଓ ପାହାଡ଼ିଆ ଅଞ୍ଚଳର ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି। ସମ୍ଭାବ୍ୟ ବର୍ଷାଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ଜିଲ୍ଲାର ବିଭିନ୍ନ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ସମସ୍ତ ଆବଶ୍ୟକୀୟ ସରଞ୍ଜାମ ସହ ପ୍ରସ୍ତୁତ ରହିଛନ୍ତି। ଗଛ ଉପୁଡ଼ିବା, ରାସ୍ତା ଅବରୋଧ, ଜଳବନ୍ଦୀ କିମ୍ବା ଅନ୍ୟ କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ଦଳଗୁଡ଼ିକୁ ସଜାଗ ରଖାଯାଇଛି। ବିଶେଷକରି ପାହାଡ଼ିଆ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିଲେ ଭୂସ୍ଖଳନ ଓ ରାସ୍ତା ଅବରୋଧ ଭଳି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ତେଣୁ ସ୍ଥିତି ଉପରେ ପ୍ରଶାସନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ନିରନ୍ତର ନଜର ରଖାଯାଇଛି। ଆବଶ୍ୟକ ସ୍ଥଳେ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିବା ଜଣାପଡ଼ିଛି।

6 days ago
6


