ARTICLE AD BOX
ବାଲିକୁଦା (ପ୍ରଣବ ପ୍ରଧାନ): ବନ୍ଦ ଘର ଭିତରୁ ଚାରି ଦିନ ପରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଜଗତସିଂହପୁରଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଅଳାଭର ପଞ୍ଚାୟତ କଣିଆ ଗ୍ରାମରେ ଏହା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ଗ୍ରାମର ସ୍ମୃତି ରଞ୍ଜନ ସ୍ୱାଇଁ (୪୪)।
ସୂଚନା ଅନୁଯାୟୀ, ସ୍ୱର୍ଗତ ଧୂର୍ବଚରଣ ସ୍ୱାଇଁଙ୍କ ପୁଅ ସ୍ମୃତି ରଞ୍ଜନଙ୍କୁ ଗତ ମଙ୍ଗଳବାର ଦିନ ବଜାରରେ ବୁଲୁଥିବାରୁ କିଛି ଲୋକ ଦେଖିଥିଲେ। ସନ୍ଧ୍ୟା ସମୟରେ ସେ ନିଜ ଘରେ ଥିଲେ। ତେବେ ସେହି ଦିନଠାରୁ ତାଙ୍କ ଘରର କବାଟ ବନ୍ଦ ରହିଥିଲା। ଗତକାଲି ସନ୍ଧ୍ୟାରେ ଘର ଭିତରୁ ପ୍ରବଳ ଦୁର୍ଗନ୍ଧ ବାହାରିବାରୁ ପଡ଼ୋଶୀମାନେ ତାଙ୍କ ଭଉଣୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ।
ସ୍ମୃତି ରଞ୍ଜନ ଲାଇନମ୍ୟାନ ଭାବେ କାମ କରୁଥିବାରୁ ତାଙ୍କ ସହଯୋଗୀ ମଧ୍ୟ ଫୋନରେ ଯୋଗାଯୋଗ କରିଥିଲେ। ଫୋନ ନଉଠାଇବାରୁ ସେ ଘରକୁ ଆସି ଦୁର୍ଗନ୍ଧ ସମ୍ପର୍କରେ ସ୍ମୃତିଙ୍କ ଭଉଣୀଙ୍କୁ ଜଣାଇଥିଲେ। ପରେ ତାଙ୍କ ଭଉଣୀମାନେ ରାତିରେ ଗ୍ରାମରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ।
ରାତି ହୋଇଥିବାରୁ ଆଜି ସକାଳେ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଜଗତଜ୍ୟୋତି ପଟ୍ଟନାୟକଙ୍କ ଉପସ୍ଥିତିରେ ବାଲିକୁଦା ପୁଲିସ ଘରର ଗ୍ରିଲ କାଟି ଭିତରକୁ ପ୍ରବେଶ କରିଥିଲା। ଘର ଭିତରେ ପଙ୍ଖାରେ ଝୁଲିଥିବା ଅବସ୍ଥାରେ ସ୍ମୃତି ରଞ୍ଜନଙ୍କ ମୃତଦେହ ମିଳିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୀର୍ଘ ସମୟ ଧରି ମୃତଦେହ ଘରେ ପଡ଼ି ରହିଥିବାରୁ ଏହା ନଷ୍ଟ ହୋଇଯାଇଥିବା ମାଜିଷ୍ଟ୍ରେଟ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।
Youth Death: ପାଣି ସୁଅରେ ଭାସି ଯୁବକ ନିଖୋଜ, ୬ ଘଣ୍ଟା ପରେ ମୃତଦେହ ଉଦ୍ଧାର
ସ୍ମୃତିଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ବିଭିନ୍ନ ଚର୍ଚ୍ଚା ହେଉଛି। କିଛି ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସ୍ମୃତି ପ୍ରାୟ ୪ ଏକର ଜମିରେ ଧାନ ଚାଷ କରିଥିଲେ। ବର୍ଷା ଓ ଅନ୍ୟାନ୍ୟ କାରଣରୁ ଧାନ ତଳି ନଷ୍ଟ ହୋଇଯିବାରୁ ସେ ଅବସାଦଗ୍ରସ୍ତ ଥିଲେ। ଅନ୍ୟପକ୍ଷରେ, ପାରିବାରିକ ସମସ୍ୟା ମଧ୍ୟ ତାଙ୍କ ଜୀବନରେ ପ୍ରଭାବ ପକାଇଥିବା ଗ୍ରାମବାସୀ କହିଛନ୍ତି। ପ୍ରାୟ ୩ ବର୍ଷ ପୂର୍ବେ ତାଙ୍କ ପତ୍ନୀ ତାଙ୍କୁ ଛାଡ଼ି ଚାଲିଯାଇଥିବା ଏବଂ ଏହାକୁ ନେଇ ବିବାହ ବିଚ୍ଛେଦ ସମ୍ପର୍କିତ ମାମଲା ହୋଇଥିବା ଜଣାପଡ଼ିଛି। ଏହାପରେ ସ୍ମୃତି ଏକାକୀ ଜୀବନଯାପନ କରୁଥିଲେ। ତାଙ୍କ ପିତାମାତାଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ତିନି ଭଉଣୀ ମଧ୍ୟ ବହୁ ପୂର୍ବରୁ ବିବାହ କରିଥିଲେ। ଫଳରେ ସେ ଏକାକୀ ରହୁଥିଲେ।

23 hours ago
3


