ARTICLE AD BOX
ନୂଆଦିଲ୍ଲୀ: ପାହାଡ଼ ଉପରେ ଜମିଥିବା ବରଫ... ଦେଖିବାକୁ ଯେତେ ଶାନ୍ତ, ତା’ ଭିତରେ ଲୁଚି ରହିଛି ସେତେ ବଡ଼ ବିପଦ। ନେପାଳରେ ଯେଉଁ ପ୍ରଳୟ ଶହ ଶହ ଜୀବନକୁ ଛଡ଼ାଇ ନେଲା, ତାହା କେବଳ ଗୋଟିଏ ଦୁର୍ଘଟଣା ନୁହେଁ ବୋଲି କହୁଛନ୍ତି ବୈଜ୍ଞାନିକ। ବରଂ ଏହା ହୋଇପାରେ ଆଗାମୀ ଦିନର ଏକ ବଡ଼ ବିପଦର ସତର୍କ ଘଣ୍ଟି । ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ବିଶ୍ୱର ପ୍ରାୟ ୧.୫ କୋଟି ଲୋକ ଏବେ ଏହି ବିପଦପୂର୍ଣ୍ଣ ଅଞ୍ଚଳରେ ବସବାସ କରୁଛନ୍ତି। ସବୁଠାରୁ ବଡ଼ ଚିନ୍ତାର କଥା ହେଉଛି, ନେପାଳ ପରେ ବିପଦରେ ଥିବା ଦେଶମାନଙ୍କ ମଧ୍ୟରେ ଭାରତ, ପାକିସ୍ତାନ, ପେରୁ, ଚୀନ୍ ସାମିଲ ।
ହିମାଳୟ, କାରାକୋରମ ଏବଂ ହିନ୍ଦୁକୁଶ ପର୍ବତମାଳାକୁ ବିଶ୍ୱର ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। କେବଳ ଭାରତରେ ପ୍ରାୟ ୩୦ ଲକ୍ଷ ଲୋକ ଏଭଳି ଗ୍ଲାସିଆଲ୍ ହ୍ରଦ ନିକଟରେ ବସବାସ କରୁଛନ୍ତି । ଜଳବାୟୁ ପରିବର୍ତ୍ତନରେ ଦ୍ରୁତ ଗତିରେ ତରଳୁଛି ଗ୍ଲାସିୟର, ବଢ଼ୁଛି ଗ୍ଲାସିଆଲ୍ ହ୍ରଦ, ଆଉ ଯେକୌଣସି ମୁହୂର୍ତ୍ତରେ ଫାଟିପାରେ ଏହି ଜଳ ବୋମା। ବୈଜ୍ଞାନିକଙ୍କ ଆକଳନ କହୁଛି, ବିଶ୍ୱର ପ୍ରାୟ ଦେଢ଼ କୋଟି ଲୋକ ଏବେ ଏହି ପ୍ରଳୟର ଛାୟା ତଳେ। ନେପାଳ-ତିବ୍ବତ ସୀମାରେ ଘଟିଥିବା ଭୟଙ୍କର ବନ୍ୟା ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ବିଶେଷଜ୍ଞଙ୍କ ମତରେ, ଲାଙ୍ଗଟାଙ୍ଗ-ଲିରୁଙ୍ଗ ଅଞ୍ଚଳରେ ଗ୍ଲାସିୟର ଏବଂ ବିରାଟ ପଥର ଖଣ୍ଡ ଭୁଶୁଡ଼ିବା ଫଳରେ ଏହି ବିପର୍ଯ୍ୟୟ ଘଟିଥିଲା ।
Himachal's Komic Village: ଆକାଶ ତଳେ ନୁହେଁ, ଆକାଶ ପାଖରେ ଭାରତର ଏହି ଗାଁ
ହେଲେ ଚିନ୍ତାର କଥା ହେଉଛି, ଏଭଳି ଘଟଣା ଏବେ ଆଉ ଅଧିକ ବାରମ୍ବାର ଘଟିପାରେ ବୋଲି ବୈଜ୍ଞାନିକମାନେ ସତର୍କ କରିଛନ୍ତି। ବିଶେଷଜ୍ଞ ଅନୁସାରେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀର ଉଚ୍ଚ ପର୍ବତମାଳା ଅଞ୍ଚଳଗୁଡ଼ିକ ଦ୍ରୁତ ଗତିରେ ଉଷ୍ଣ ହେଉଛି। ଏହା ଫଳରେ ପର୍ମାଫ୍ରୋଷ୍ଟ ଏବଂ ଗ୍ଲାସିୟରଗୁଡ଼ିକ ତରଳିବାରେ ଲାଗିଛି। ଯେତେବେଳେ ଗ୍ଲାସିୟରର ବରଫ ତରଳି ହ୍ରଦରେ ପରିଣତ ହୁଏ, ସେତେବେଳେ ସୃଷ୍ଟି ହୁଏ ବିଶାଳ ଗ୍ଲାସିଆଲ୍ ହ୍ରଦ। ଏହି ହ୍ରଦଗୁଡ଼ିକ ଅସ୍ଥାୟୀ ପ୍ରାକୃତିକ ବନ୍ଧ ଉପରେ ନିର୍ଭର କରି ରହିଥାଏ। ଆଉ ଥରେ ବନ୍ଧ ଭାଙ୍ଗିଗଲେ ତଳ ଅଞ୍ଚଳକୁ ମାଡ଼ି ଆସେ ଭୟଙ୍କର ବନ୍ୟା ।
ନେପାଳର ପ୍ରଳୟ ଆମକୁ ଗୋଟିଏ ବଡ଼ ଶିକ୍ଷା ଦେଉଛି। ପାହାଡ଼ରେ ଜମିଥିବା ବରଫ କେବଳ ପ୍ରକୃତିର ସୌନ୍ଦର୍ଯ୍ୟ ନୁହେଁ, ଏହା ଭବିଷ୍ୟତର ଏକ ବଡ଼ ବିପଦର ସଙ୍କେତ ମଧ୍ୟ ହୋଇପାରେ। ଯଦି ଜଳବାୟୁ ପରିବର୍ତ୍ତନର ଗତି ଏଭଳି ଜାରି ରହେ, ତେବେ ଆଜି ନେପାଳ କାଲି ଅନ୍ୟ କୌଣସି ଦେଶ ହୋଇପାରେ। ସମୟ ଥାଉ ଥାଉ ସତର୍କ ନହେଲେ, ପାହାଡ଼ର ବରଫ ହିଁ ଆଗାମୀ ଦିନର ସବୁଠାରୁ ବଡ଼ ପ୍ରଳୟର କାରଣ ପାଲଟିପାରେ ।

1 hour ago
1


