Cyclone ‘Akvan’: ବାତ୍ୟା ‘ଅକଭାନ’ ମୁକାବିଲା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଜୋରଦାର ପ୍ରସ୍ତୁତି

33 minutes ago 1
ARTICLE AD BOX

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକଭାନ’ ଏବଂ ପ୍ରବଳ ବର୍ଷାର ଆଶଙ୍କାକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ବିଶେଷକରି ବିପଦପ୍ରବଣ ଅଞ୍ଚଳରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ବିଭାଗୀୟ ପ୍ରସ୍ତୁତି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କମିଶନର ତଥା ଶାସନ ସଚିବ ରୂପା ମିଶ୍ର ଆକଳନ କରାଯାଇଥିବା ଆବଶ୍ୟକତାଠାରୁ ଅଧିକ ପ୍ରସ୍ତୁତି ରଖିବା ସହ ବାତ୍ୟା ପୂର୍ବରୁ କ୍ଷେତ୍ରସ୍ତରରେ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।

ଆଗୁଆ ପ୍ରସ୍ତୁତିର ଅଂଶସ୍ୱରୂପ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପ୍ରଭାବିତ ହେବାର ଆଶଙ୍କା ଥିବା ନଳକୂପ ଓ ଅନ୍ୟାନ୍ୟ ପାନୀୟ ଜଳ ଉତ୍ସଗୁଡ଼ିକୁ ଚିହ୍ନଟ କରି ମ୍ୟାପିଂ କରାଯାଉଛି। ପୂର୍ବରୁ ହୋଇଥିବା ବର୍ଷା ଯୋଗୁଁ ମାଟିର ଜଳ ଶୋଷଣ କ୍ଷମତା ପ୍ରାୟ ପୂର୍ଣ୍ଣ ହୋଇଥିବାରୁ ଜଳମଗ୍ନ ଓ ଅନ୍ୟାନ୍ୟ ବିପଦପ୍ରବଣ ଅଞ୍ଚଳ ଉପରେ ବିଶେଷ ନଜର ରଖାଯାଉଛି। ଏହି ଆକଳନ ଆଧାରରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ନିକଟତମ ସ୍ଥାନରେ ଜଳ ଟ୍ୟାଙ୍କର ମୁତୟନ ପାଇଁ ଆଗୁଆ ପଦକ୍ଷେପ ନିଆଯାଉଛି।

ଆବଶ୍ୟକ ଜଳ ଉପଲବ୍ଧ କରାଇବାକୁ ବ୍ୟବସ୍ଥା ହେଉଛି

ବିପଦପ୍ରବଣ ଅଞ୍ଚଳରେ ପାନୀୟ ଜଳ ସହ ଦୈନନ୍ଦିନ ବ୍ୟବହାର ଓ ରୋଷେଇ ପାଇଁ ଆବଶ୍ୟକ ଜଳ ଉପଲବ୍ଧ କରାଇବାକୁ ବ୍ୟବସ୍ଥା ହେଉଛି। ଏଥିପାଇଁ ଜଳ ଟ୍ୟାଙ୍କରଗୁଡ଼ିକର ଆଗୁଆ ମୁତୟନ ଆରମ୍ଭ ହୋଇଛି। ବିଶେଷକରି ଯୋଗାଯୋଗ ଦୃଷ୍ଟିରୁ ଦୁର୍ଗମ ଅଞ୍ଚଳରେ ନିକଟବର୍ତ୍ତୀ ଗ୍ରାମଗୁଡ଼ିକୁ ଜଳ ଯୋଗାଣ ପାଇଁ ଗ୍ରାମ ପଞ୍ଚାୟତ କିମ୍ବା ଉପଯୁକ୍ତ ପଞ୍ଚାୟତସ୍ତରୀୟ କେନ୍ଦ୍ରରେ ଟ୍ୟାଙ୍କରଗୁଡ଼ିକୁ ରଖାଯିବ। ଏଥିସହ ଜଳ ଟ୍ୟାଙ୍କରରେ ପାନୀୟ ଜଳ ଭର୍ତ୍ତି ପାଇଁ ଲୋଡିଂ ପଏଣ୍ଟଗୁଡ଼ିକୁ ଚିହ୍ନଟ କରାଯାଇ ସେଗୁଡ଼ିକର ସୁରକ୍ଷା ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରାଯାଉଛି।

ସ୍ଥାନୀୟ ଆବଶ୍ୟକତାର ଆକଳନ ଓ ତ୍ୱରିତ ପଦକ୍ଷେପ ପାଇଁ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖାଯାଉଛି। ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ଶୌଚାଳୟର କାର୍ଯ୍ୟକ୍ଷମତା ବଜାୟ ରଖିବା ପାଇଁ ବ୍ଲକସ୍ତରୀୟ ପ୍ରତିନିଧି ଓ ପଞ୍ଚାୟତିରାଜ ଅନୁଷ୍ଠାନ ସଦସ୍ୟଙ୍କ ସମନ୍ୱୟରେ ବ୍ୟବସ୍ଥା କରାଯାଉଛି। ଜରୁରୀ ପରିସ୍ଥିତିରେ ତ୍ୱରିତ ପ୍ରତିକ୍ରିୟା ଓ ସେବା ଯୋଗାଣ ସୁନିଶ୍ଚିତ କରିବାକୁ ଗୋଷ୍ଠୀସ୍ତରରେ ପ୍ରସ୍ତୁତି ଓ ଅଭ୍ୟାସମୂଳକ ଡ୍ରିଲ୍ ମଧ୍ୟ କରାଯାଉଛି।

ଜରୁରୀକାଳୀନ ଆବଶ୍ୟକତା ପୂରଣ ପାଇଁ ଆକଳନ କରାଯାଇଥିବା ଆବଶ୍ୟକତାର ତିନିଗୁଣ ପର୍ଯ୍ୟନ୍ତ ସମ୍ବଳ ମହଜୁଦ ରଖିବା ନେଇ ବିଭାଗ ପକ୍ଷରୁ ଯୋଜନା କରାଯାଇଛି। ବ୍ଲିଚିଂ ପାଉଡର, ପାନୀୟ ଜଳ ବୋତଲ, ଜଳ ଟ୍ୟାଙ୍କର, ସିନଟେକ୍ସ ଟାଙ୍କି, ଡିଜି ସେଟ୍ ଓ ମୋବାଇଲ୍ ଜଳ ବିଶୋଧନ ୟୁନିଟ୍ ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ବିଭିନ୍ନ ସ୍ତରରେ ଆଗୁଆ ମହଜୁଦ ରଖାଯାଉଛି। ବାତ୍ୟା ଯୋଗୁଁ ଏହି ସାମଗ୍ରୀଗୁଡ଼ିକ ଯେପରି କ୍ଷତିଗ୍ରସ୍ତ ନହୁଏ, ସେଥିପାଇଁ ମଧ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଉଛି।

ଯୋଗାଣ ବ୍ୟବସ୍ଥାର ମ୍ୟାପିଂ କରାଯାଉଛି

ଜଳ ଯୋଗାଣ ବ୍ୟବସ୍ଥାର ତ୍ୱରିତ ପୁନରୁଦ୍ଧାର ପାଇଁ ବିପଦପ୍ରବଣ ଜିଲ୍ଲାଗୁଡ଼ିକରେ ସ୍ୱତନ୍ତ୍ର ବିଭାଗୀୟ ପୁନରୁଦ୍ଧାର ଟିମ୍ ପ୍ରସ୍ତୁତ ରଖାଯାଇଛି। ପାନୀୟ ଜଳ ଉତ୍ସଗୁଡ଼ିକର ବିଶୋଧନ ଓ ଜଳର ଗୁଣବତ୍ତା ପରୀକ୍ଷାକୁ ବିଭାଗର ପ୍ରତିକ୍ରିୟା ଯୋଜନାରେ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। ଜଳ ଯୋଗାଣ ପୁନଃସ୍ଥାପନ ପୂର୍ବରୁ ଜଳ ଉତ୍ସଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବାକୁ ବ୍ୟାପକ ଜଳ ପରୀକ୍ଷା ଓ ବିଶୋଧନ ଅଭ୍ୟାସ କରାଯିବ। ପୂର୍ବ ବାତ୍ୟାର ଅନୁଭୂତିକୁ ଆଧାର କରି ରାସ୍ତାଘାଟ ଯୋଗାଯୋଗ ବିଚ୍ଛିନ୍ନ ହେଲେ ମଧ୍ୟ ପ୍ରଭାବିତ ଅଞ୍ଚଳରେ ନିରାପଦ ପାନୀୟ ଜଳ ପହଞ୍ଚାଇବା ପାଇଁ ବିକଳ୍ପ ରାସ୍ତା ଓ ଯୋଗାଣ ବ୍ୟବସ୍ଥାର ମ୍ୟାପିଂ କରାଯାଉଛି।

ବୈଠକରେ ପାନୀୟ ଜଳ ନିର୍ଦ୍ଦେଶକ ଡ. ବିନୀତ ଭରଦ୍ୱାଜ, ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସମେତ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

ACF Soumyaranjan Mohapatra's Death: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା: ବିଦ୍ୟାଭାରତୀ ପଣ୍ଡାଙ୍କ ଜାମିନ ଆବେଦନର ଶୁଶାଣି ଶେଷ, ରାୟ ସଂରକ୍ଷିତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.