ARTICLE AD BOX
କଟକ:ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ୍ ଆକାଉଣ୍ଟ ମାମଲାରେ ସମ୍ବଲପୁର ଜିଲ୍ଲାର ମାନ୍ୟବର ଜେଏମଏଫସି ଅଦାଲତ ଅଭିଯୁକ୍ତ ଗୌରୀଶଙ୍କର ଦାଶ (୩୨) ଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS)ର ଦଫା ୩୧୭(୨) ଓ ୧୧୨(୨) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି।
ମାନ୍ୟବର ଅଦାଲତ ଅଭିଯୁକ୍ତଙ୍କୁ BNS ଦଫା ୩୧୭(୨) ଅନୁଯାୟୀ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦,୦୦୦ଟଙ୍କା ଜରିମାନା ଏବଂ ଦଫା ୧୧୨(୨) ଅନୁଯାୟୀ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦,୦୦୦ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଉଭୟ ଦଣ୍ଡାଦେଶ ଏକକାଳୀନ ଭାବେ ଚାଲିବ। ଜରିମାନା ଅନାଦେୟ ହେଲେ, ପ୍ରତ୍ୟେକ ଜରିମାନା ବାବଦରେ ଅତିରିକ୍ତ ୨ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ଅପରେସନ ‘ସାଇବର କବଚ’ ଅଭିଯାନକୁ ତ୍ୱରାନ୍ୱିତ କରାଯାଇଥିଲା। ଏହି ଅଭିଯାନରେ ବ୍ୟବହୃତ ବେନାମୀ ବ୍ୟାଙ୍କ ଆକାଉଣ୍ଟ ବା ‘ମ୍ୟୁଲ୍ ଆକାଉଣ୍ଟ’ ଏବଂ ଏହା ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଦୃଢ଼ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇଛି। ତଦନ୍ତ ସମୟରେ, ଅଭିଯୁକ୍ତଙ୍କ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଆକାଉଣ୍ଟଟି National Cyber Crime Reporting Portal (NCRP) ମାଧ୍ୟମରେ ଚିହ୍ନଟ ହୋଇଥିଲା। ତାଙ୍କ ଆକାଉଣ୍ଟକୁ ବିଭିନ୍ନ ସମୟରେ ୯,୦୦୦ଟଙ୍କା, ୧୧,୫୦୦ଟଙ୍କା, ୯,୦୦୦ ଏବଂ ୪,୦୫୦ଟଙ୍କା, ଅର୍ଥାତ୍ ମୋଟ ୩୩,୫୫୦ ଟଙ୍କା ଜମା ହୋଇଥିବା ତଦନ୍ତ ସମୟରେ ଜଣାପଡ଼ିଥିଲା।
ପୁଲିସ ତଦନ୍ତ ସମୟରେ ଉକ୍ତ ଅର୍ଥରାଶି ଗ୍ରହଣ କରିବା ଏବଂ ନିଜ ବ୍ୟାଙ୍କ ଆକାଉଣ୍ଟରେ ରଖିବା ସମ୍ପର୍କରେ ଅଭିଯୁକ୍ତ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏ ସମ୍ପର୍କରେ ସମ୍ବଲପୁର ଟାଉନ ଥାନା କେସ୍ ନଂ–୭୪, ତା. ୦୨.୦୩.୨୦୨୬ରେ BNS ଦଫା ୩୧୮(୪)/୩୧୭(୨)/୧୧୨(୨)/୬୧(୨) ଏବଂ IT Actର ଦଫା ୬୬(C)/୬୬(D) ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ମାମଲା ରୁଜୁ ହୋଇଥିବା ଦିନ ହିଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୮.୦୪.୨୦୨୬ରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରାଯାଇଥିଲା।
୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ
ଅଦାଲତରେ ମାମଲାର ଶୁଣାଣି ସମୟରେ ୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଏଥିସହ ବ୍ୟାଙ୍କ ରେକର୍ଡ, ଜବତ ସମ୍ପର୍କିତ ଦଲିଲ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଦସ୍ତାବିଜକୁ ପ୍ରମାଣ ଭାବେ ଅଦାଲତରେ ଦାଖଲ କରାଯାଇଥିଲା। ଉପଲବ୍ଧ ସାକ୍ଷ୍ୟ ଓ ଦସ୍ତାବିଜ ପ୍ରମାଣକୁ ବିଚାର କରି ମାନ୍ୟବର ଅଦାଲତ ଅଭିଯୁକ୍ତଙ୍କୁ BNS ଦଫା ୩୧୭(୨) ଓ ୧୧୨(୨) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି।
Death: ଇଞ୍ଜେକ୍ସନ ନେଲା ଝିଅର ଜୀବନ, ଅଭିଯୋଗ କଲେ ପରିବାର ଲୋକେ
ସାଇବର ଅପରାଧ ବିରୋଧରେ ସମ୍ବଲପୁର ପୁଲିସର ବୈଜ୍ଞାନିକ ତଦନ୍ତ, ପ୍ରମାଣ ସଂଗ୍ରହ ଏବଂ ଆଇନଗତ ପଦକ୍ଷେପକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପ୍ରଶଂସା କରିଛନ୍ତି। ସାଇବର ଠକେଇରେ ସମ୍ପୃକ୍ତ ବ୍ୟକ୍ତି ଏବଂ ମ୍ୟୁଲ୍ ଆକାଉଣ୍ଟ ଯୋଗାଇଦେଉଥିବା କିମ୍ବା ବ୍ୟବହାର କରୁଥିବା ସହଯୋଗୀମାନଙ୍କ ବିରୋଧରେ ଓଡ଼ିଶା ପୁଲିସର ‘ଶୂନ୍ୟ ସହନଶୀଳତା’ (Zero Tolerance) ନୀତି ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ନୂତନ ଭାରତୀୟ ଆଇନ ଲାଗୁ ହେବା ପରେ ଅପରାଧ ତଦନ୍ତ ଓ ଆଇନଗତ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ କରାଯାଇ ଅଳ୍ପ ସମୟ ମଧ୍ୟରେ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ପାଉଥିବାରୁ ଶ୍ରୀ ଖୁରାନିଆ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସାଇବର ଠକେଇ ରୋକିବା ଏବଂ ଏଥିରେ ବ୍ୟବହୃତ ମ୍ୟୁଲ୍ ଆକାଉଣ୍ଟ ନେଟୱର୍କକୁ ଧ୍ୱଂସ କରିବା ଦିଗରେ ଓଡ଼ିଶା ପୋଲିସର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।

1 hour ago
1


