ARTICLE AD BOX
ମାଉଣ୍ଟ ମୌଙ୍ଗନୁଇ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଶୁକ୍ରବାର ସ୍ଥାନୀୟ ବେ ଓଭାଲ୍ରେ ଖେଳାଯିବାକୁ ଥିବା ଚତୁର୍ଥ ଦିନିକିଆ ଜିତି ଶୃଙ୍ଖଳା କବ୍ଜା କରିବା ଲକ୍ଷ୍ୟରେ ରହିଛି। ପ୍ରଥମ ଦୁଇ ମ୍ୟାଚ୍ ଜିତିବା ପରେ ତୃତୀୟ ମ୍ୟାଚ୍କୁ ବର୍ଷା ଧୋଇ ନେବାରୁ ଭ୍ରମଣକାରୀ ଦଳ ଏହି ୫ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାରେ ୨-୦ରେ ଆଗୁଆ ରହିଛି। ଅନ୍ୟପକ୍ଷରେ ୭ ବର୍ଷ ତଳେ ଭାରତଠାରୁ ଶୃଙ୍ଖଳା ହାରିବା ପରଠୁ ନ୍ୟୁଜିଲାଣ୍ଡ ତା’ ଘରୋଇ ମାଟିରେ ଲଗାତାର ୧୧ ଶୃଙ୍ଖଳାରେ ଅପରାଜେୟ ରହିଛି। ହେଲେ ଘରୋଇ ମାଟିରେ ପ୍ରଥମ ଦୁଇ ମ୍ୟାଚ୍ ହାରିବା ଏବଂ ତୃତୀୟ ମ୍ୟାଚ୍ ଫଳଶୂନ୍ୟରେ ଶେଷ ହେବାରୁ ନ୍ୟୁଜିଲାଣ୍ଡର ଏହି ଅପରାଜେୟ ଧାରା ଭାଙ୍ଗିଯାଇଛି। କେବଳ ଶୃଙ୍ଖଳା ପରାଜୟ ଟାଳିବା ଆଶା ଥିବାରୁ ଘରୋଇ ଦଳ ଏହି ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ।
ଏହି ଦିନିକିଆ ଶୃଙ୍ଖଳାର ପ୍ରଥମ ୩ ମ୍ୟାଚ୍ରେ ବର୍ଷା ବାଧକ ସାଜିଥିଲା। ପ୍ରଥମ ଦୁଇ ମ୍ୟାଚ୍ରେ ଫଳାଫଳ ଡିଏଲ୍ଏସ୍ରେ ଆସିଥିଲା ବେଳେ ତୃତୀୟ ମ୍ୟାଚ୍ରେ ବଲ୍ ପଡ଼ିବା ସମ୍ଭବ ନ ହୋଇ ବାତିଲ ହୋଇଥିଲା। ହେଲେ ମାଉଣ୍ଟ ମୌଙ୍ଗନୁଇରେ ଶୁକ୍ରବାର ଓ ରବିବାର ଖେଳାଯିବାକୁ ଥିବା ଶେଷ ଦିନିକିଆରେ ପାଗ ଅନୁକୂଳ ରହିବାର ସମ୍ଭାବନା ଅଛି। ଅକ୍ଲାଣ୍ଡ ଓ ହାମିଲଟନ୍ ପିଚ୍ ଦ୍ରୁତ ବୋଲରଙ୍କୁ ସହାୟତା କରିଥିଲା। କିନ୍ତୁ ବେ ଓଭାଲ ପିଚ୍ ବ୍ୟାଟିଂ ସହଯୋଗୀ ଥିବାରୁ ବଡ଼ ସ୍କୋର୍ ହେବାର ସମ୍ଭାବନା ରହିଛି। ଦିନିକିଆ ଶୃଙ୍ଖଳା ଶେଷ ହେବାର ତିନି ଦିନ ପରେ ଟେଷ୍ଟ୍ ଶୃଙ୍ଖଳା ଖେଳାଯିବ।
ସହଯୋଗ କରିବେ ଈଶାନ କିଶନ
ତେଣୁ ଉଭୟ ଦଳର ଏକାଧିକ ଖେଳାଳି ଏହି ୨ ଦିନିକିଆରେ ଦେଖିବାକୁ ମିଳିବେନି। ଭାରତର ନିୟମିତ ଅଧିନାୟକ ଶୁବମନ ଗିଲଙ୍କ ସହ ଦ୍ରୁତ ବୋଲର ଅଂଶୁଲ କମ୍ବୋଜ ଓ କେଏଲ୍ ରାହୁଲ ଏବଂ କିଛି ସପୋର୍ଟ ଷ୍ଟାଫ୍ ଦଳ ଛାଡ଼ି ଟେଷ୍ଟ୍ ପ୍ରସ୍ତୁତ ଲାଗି ୱେଲିଂଟନ୍ ଗସ୍ତ କରିଛନ୍ତି। ଟ୍ବେଣ୍ଟି-୨୦ ଅଧିନାୟକ ଶ୍ରେୟସ ଆୟର ପ୍ରଥମ ଥର ଲାଗି ଦିନିକିଆ ଦଳର ନେତୃତ୍ବ ଭାର ନେବେ ଏବଂ ତାଙ୍କ ସହଯୋଗ କରିବେ ଈଶାନ କିଶନ। ଶେଷ ଦୁଇ ଦିନିକିଆରେ ଚୂଡ଼ାନ୍ତ ଏକାଦଶ ସହ ବ୍ୟାଟିଂ ଅର୍ଡରରେ ଉଭୟ ଦଳର ବହୁ ପରିବର୍ତ୍ତନ ଦେଖିବାକୁ ମିଳିବ। ଗିଲ୍ ନ ଥିବାରୁ ରୋହିତ ଶର୍ମାଙ୍କ ସହ ଈଶାନ ଓପନିଂ କରିବେ। କମ୍ବୋଜଙ୍କ ସ୍ଥାନରେ ମହମ୍ମଦ ସିରାଜ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ଯଦି ସିରାଜ ଖଳନ୍ତି ତେବେ ଅଗଷ୍ଟ ମାସରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପରେ ଏହା ତାଙ୍କର ପ୍ରଥମ ଦିନିକିଆ ହେବ। କୁଲଦୀପ ଯାଦବଙ୍କ ଖେଳିବା ସମ୍ଭାବନା କମ୍ ରହିଛି। ଯଦି ସ୍ପିନ୍କୁ ସହାୟତା ମିଳେ ତେବେ ସେ ଖେଳିପାରନ୍ତି।
ଟସ୍ ଜିତିବା ଦଳ କ୍ଷେତ୍ରରକ୍ଷଣ କରିବାର ସମ୍ଭାବନା
ସେହିପରି ଟେଷ୍ଟ୍ ପ୍ରସ୍ତୁତି ପାଇଁ ଟମ୍ ଲାଥମ, ଡାରିଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ନାଥନ ସ୍ମିଥ୍ ଓ ହେନରି ନିକୋଲ୍ସ ଦଳ ଛାଡ଼ିଛନ୍ତି। ଏମାନଙ୍କ ସ୍ଥାନ ନ୍ୟୁଜିଲାଣ୍ଡ ଦିନିକିଆ ଦଳରେ ଫିନ୍ ଆଲେନ, ମିଚ୍ ହେ, ଡିଅନ୍ ଫକ୍ସକ୍ରଫ୍ଟ, ନିକ୍ କେଲି ଓ ବ୍ରେଟ୍ ରାନ୍ଦେଲ ଯୋଗ ଦେଇଛନ୍ତି। ତେଣୁ ଏକାଧିକ ଅଦଳ ବଦଳ ସହ ମିଚେଲ ସାଣ୍ଟନର ପଡ଼ିଆକୁ ଓହ୍ଲାଇବେ। ବେ ଓଭାଲରେ ଭାରତ ୩ ଦିନିକିଆ ଖେଳିଥିଲା ବେଳେ ୨ଟିରେ ଜିତିଛି ଓ ଗୋଟିଏ ହାରିଛି। ଏଠାରେ ଗତ ୪ ଦିବାରାତ୍ର ମ୍ୟାଚ୍ରେ ପଶ୍ଚାତ୍ଧାବନ କରୁଥିବା ଦଳ ଜିତିଛି। ତେଣୁ ଟସ୍ ଜିତିବା ଦଳ କ୍ଷେତ୍ରରକ୍ଷଣ କରିବାର ସମ୍ଭାବନା ରହିଛି।
FIFA: ଫିଫା ୧୭ ବର୍ଷରୁ କମ୍ ବିଶ୍ବକପ୍ରୁ ଓହରିଲା ଆମେରିକା
ଭାରତ (ସମ୍ଭାବ୍ୟ ଏକାଦଶ): ରୋହିତ ଶର୍ମା, ଈଶାନ କିଶନ (ୱିକେଟ୍ରକ୍ଷକ), ବିରାଟ କୋହଲି, ଶ୍ରେୟସ ଆୟର (ଅଧିନାୟକ), ଋତୁରାଜ ଗାଏକ୍ବାଡ, ଅକ୍ଷର ପଟେଲ, ନମନ ଧୀର, ମହମ୍ମଦ ସିରାଜ/କୁଲଦୀପ ଯାଦବ, ଗୁରନୂର ବ୍ରାର, ଆକ୍ବିବ ନବି, ଅର୍ଶଦୀପ ସିଂହ।
ନ୍ୟୁଜିଲାଣ୍ଡ (ସମ୍ଭାବ୍ୟ ଏକାଦଶ): ଫିନ୍ ଆଲେନ, ଟିମ୍ ସେଫର୍ଟ, ୱିଲ ୟଙ୍ଗ, ନିକ୍ କେଲି, ମିଚ୍ ହେ, ମିଚେଲ ବ୍ରେସୱେଲ, ମିଚେଲ ସାଣ୍ଟନର (ଅଧିନାୟକ), ଡିଅନ୍ ଫକ୍ସକ୍ରଫ୍ଟ, କାଇଲ ଜାମିସନ, ମ୍ୟାଟ୍ ଫିସର, ଜାକବ ଡଫି।
ପ୍ରସାରଣ: ସୋନି ସ୍ପୋର୍ଟ୍ସ
ସମୟ: ସକାଳ ୭.୩୦

59 minutes ago
2


