ARTICLE AD BOX
ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଏକ ସ୍ମରଣୀୟ ଟେଷ୍ଟ୍ କ୍ରିକେଟ୍ ମୁହୂର୍ତର ସ୍ମୃତି ଚାରଣ କରାଯାଇଛି। ଟେଷ୍ଟ କ୍ରିକେଟ୍ରେ ବିରଳ ତଥା ଦ୍ବିତୀୟ ‘ଟାଇ’ ମ୍ୟାଚ୍ ମଙ୍ଗଳବାର ଏହାର ୪୦ ବର୍ଷ ପୂର୍ତି ପାଳନ କରିଛି। ଏହି କଥା ମନେ ପଡ଼ିଗଲେ ଏହାର ସ୍ମରଣୀୟ ପାର୍ଶ୍ବରେ ରହିଥିବା ଭାରତୀୟ ସ୍ପିନର୍ ମନିନ୍ଦର ସିଂହଙ୍କୁ ଅଧିକାଂଶ ମନେ ପକାଇଛନ୍ତି। ଏହି କଥାକୁ ସେ ନିଜେ ବି ସ୍ବୀକାର କରିଛନ୍ତି। ‘ଟେଷ୍ଟ୍ କ୍ରିକେଟ୍ ୧୫୦ ବର୍ଷରେ ପହଞ୍ଚିଥିଲେ ମଧ୍ୟ ମାତ୍ର ୨ଟି ‘ଟାଇ’ ରହିଛି। ଦ୍ବିତୀୟ ‘ଟାଇ’ ପାଇଁ କ୍ରିକେଟ୍ ଇତିହାସର ଅଂଶ ବିଶେଷ ହୋଇଥିବାରୁ ମୁଁ ମଲା ପରେ ବି ମନେ ପଡ଼ିବି’ ବୋଲି ମୁରୁକି ହସି କହିଛନ୍ତି ମନିନ୍ଦର ସିଂହ।
ମାଡ୍ରାସ ‘ଟାଇ’ ଟେଷ୍ଟର ୪୦ ବର୍ଷ ପୂର୍ତ୍ତି
ମନିନ୍ଦରଙ୍କ ଏହି କଥା ପଦକ କିନ୍ତୁ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ପୁଣି ୪୦ ବର୍ଷ ତଳକୁ ଫେରାଇ ନେଇଛି। ଚେନ୍ନାଇ (ସେ ସମୟରେ ମାଡ୍ରାସ)ରେ ଖେଳାଯାଇଥିବା ଅଷ୍ଟ୍ରେଲିଆ-ଭାରତ ପ୍ରଥମ ଟେଷ୍ଟ ଘଟଣାବହୁଳ ତଥା ଉତ୍କଣ୍ଠାପୂର୍ଣ୍ଣ ପରିସ୍ଥିତିରେ ‘ଟାଇ’ରେ ଶେଷ ହୋଇଥିଲା। ଭାରତର ଶେଷ ୱିକେଟ୍ ଭାବେ ଆଉଟ୍ ହୋଇଥିବା ମନିନ୍ଦର ସିଂହଙ୍କୁ ସେ ସମୟରେ ଖଳନାୟକ ଚିତ୍ରଣ କରାଯାଇଥିଲା। ଏହି ତିକ୍ତ ଅନୁଭବକୁ ୪୦ ବର୍ଷ ପରେ ବି ଭୁଲିନାହାନ୍ତି ଏହି ବାମହାତୀ ପଞ୍ଜାବୀ ସ୍ପିନର୍।୧୯୮୬ ମସିହାର ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ମାଡ୍ରାସରେ ଏହି ଟେଷ୍ଟ ଖେଳାଯଇଥିଲା। ପଞ୍ଚମ ଦିନ ସକାଳେ ଅଷ୍ଟ୍ରେଲିଆ ଏହାର ଦ୍ବିତୀୟ ପାଳିକୁ ପୁନଃ ନ ଖେଳି ଘୋଷଣା କରି ଦେଇଥିଲା। ଭାରତ ସମ୍ମୁଖରେ ୩୪୮ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା। ସୁନିଲ ଗାଭାସ୍କର (୯୦), ମହିନ୍ଦର ଅମରନାଥ (୫୧), ମହମ୍ମଦ ଆଝାରୁଦ୍ଦିନ (୪୨), କେ ଶ୍ରୀକାନ୍ତ (୩୯), ଚନ୍ଦ୍ରକାନ୍ତ ପଣ୍ଡିତ (୩୯)ଙ୍କ ପାଳି କାରଣରୁ ଭାରତ ଭଲ ସ୍ଥିତିରେ ବି ରହିଥିଲା। ଏକଦା ୨ ୱିକେଟ୍ ହରାଇ ୨୦୪ ରନ୍ ସଂଗ୍ରହ କରି ନେଇଥିଲା। ମାଣ୍ଡାଟୋରି ୨୦ ଓଭର ଆରମ୍ଭ ପୂର୍ବରୁ ଭାରତ ବିଜୟ ସ୍ଥିତିରେ ରହିଥିଲା। ହାତରେ ୭ ୱିକେଟ୍ ଥିବାବେଳେ ୧୧୮ ରନ୍ ଆବଶ୍ୟକ କରୁଥିଲା। ଚେପକ୍ ଅପରାହ୍ଣରେ କିନ୍ତୁ ନିୟମିତ ୱିକେଟ୍ ହରାଇ ଭାରତ ସୁଯୋଗ ହାତଛଡ଼ା କରିବା ସ୍ଥିତିକୁ ଚାଲିଯାଇଥିଲା।
ଶେଷକୁ ଅନ୍ତିମ ଯୋଡ଼ି ରବି ଶାସ୍ତ୍ରୀ (୪୮*) ଏବଂ ମନିନ୍ଦର ସିଂହଙ୍କ ଉପରେ ଭରସା ଥିଲା। ଶେଷ ୩ ବଲ୍ରୁ ୧ ରନ୍ ଆବଶ୍ୟକ ଥିବାବେଳେ ମନିନ୍ଦର ସିଂହ କ୍ରିଜ୍ରେ ଥିଲେ। ଗୋଟିଏ ବଲ୍ ଡଟ୍ ଖେଳିବା ପରେ ସେ ପରବର୍ତୀ ବଲ୍ରେ ଆଉଟ୍ ହୋଇଯାଇଥିଲେ। ଅମ୍ପାୟାର ଭି ବିକ୍ରମ ରାଜୁ ତାଙ୍କୁ ବିବାଦୀୟ ଭାବେ ଏଲ୍ବିଡବ୍ଲ୍ୟୁ ଘୋଷଣା କରିଥିଲେ। ନାଟକୀୟ ଭାବେ ଟେଷ୍ଟ କ୍ରିକେଟ୍ ଦ୍ବିତୀୟ ଟାଇ ମ୍ୟାଚ୍ ପାଇଥିଲା। ଯାହାକି ପରବର୍ତୀ ୪୦ ବର୍ଷ ଭିତରେ ୧୫୮୩ ଟେଷ୍ଟ ଖେଳାଯାଇଥିଲେ ମଧ୍ୟ ଏଭଳି ଫଳାଫଳ ଦେଖିବାକୁ ମିଳିନାହିଁ। ପ୍ରଥମ ଟାଇ ମ୍ୟାଚ୍ର ୨୬ ବର୍ଷ ପରେ ଏହା ଘଟିଥିଲା। ୧୯୬୦ ମସିହାରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ପ୍ରଥମ ‘ଟାଇ’ ଫଳାଫଳ ଦେଇଥିଲା। ମାଡ୍ରାସ ଟେଷ୍ଟ୍ରେ ୪ ବଲ୍ ଖେଳି ଖାତା ଖୋଲିପାରିନଥିବା ମନିନ୍ଦର ନିଜ ଖେଳ ଜୀବନରେ ଅନେକ ଥର ଶୂନରେ ଆଉଟ୍ ହୋଇଛନ୍ତି। କିନ୍ତୁ ମାଡ୍ରାସ ଟାଇ ଟେଷ୍ଟ ତାଙ୍କ କୁଖ୍ୟାତିକୁ ଚିର ସ୍ମରଣୀୟ କରି ରଖିଛି।

14 hours ago
1


