Climate panchayat: ପରିବେଶ ସୁରକ୍ଷା ବିନା ସାମଗ୍ରିକ ବିକାଶ ସମ୍ଭବ ନୁହେଁ: ହିମାଂଶୁ

3 days ago 3
ARTICLE AD BOX

ଧର୍ମଶାଳା: ପରିବେଶ ସୁରକ୍ଷା କେବଳ ସରକାର କିମ୍ବା କୌଣସି ନିର୍ଦ୍ଦିଷ୍ଟ ସଂସ୍ଥାର ଦାୟିତ୍ୱ ନୁହେଁ, ବରଂ ଏହା ସମସ୍ତ ଜୀବଜଗତ ଓ ପ୍ରକୃତି ମା’ର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକଙ୍କ ସାମୂହିକ କର୍ତ୍ତବ୍ୟ। ପରିବେଶକୁ ସୁରକ୍ଷିତ ରଖିଲେ ହିଁ ଆଗାମୀ ପିଢ଼ି ପାଇଁ ଏକ ସବୁଜ, ସୁନ୍ଦର ଓ ସୁସ୍ଥ ପୃଥିବୀ ଛାଡ଼ିଯାଇପାରିବ ବୋଲି ବୁଧବାର ଧର୍ମଶାଳା ଷ୍ଟାଡିୟମ୍‌ରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ମତପ୍ରକାଶ ପାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ପରିବେଶ ସୁରକ୍ଷାରେ ଜନସହଭାଗିତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ପରିବେଶ ସୁରକ୍ଷା ବିନା ଧର୍ମଶାଳାର ସାମଗ୍ରିକ ବିକାଶ ସମ୍ଭବ ନୁହେଁ। ଆଗାମୀ ଦିନରେ ଧର୍ମଶାଳା ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ, ମୃତ୍ତିକା ସଂରକ୍ଷଣ ଓ ସ୍ୱଚ୍ଛତା ଭଳି ପଦକ୍ଷେପକୁ ଅଧିକ ଗୁରୁତ୍ୱ ଦିଆଯିବ। କେବଳ ଗଛ ଲଗାଇଦେଲେ ଦାୟିତ୍ୱ ସରିଯାଏ ନାହିଁ, ତାହାର ଯତ୍ନ ଓ ସୁରକ୍ଷା ମଧ୍ୟ ଆବଶ୍ୟକ। 

ସେହିପରି ମାଟିର ଉର୍ବରତା ରକ୍ଷା, ଜଳ ସଂରକ୍ଷଣ ଓ ଆବର୍ଜନା ପରିଚାଳନାକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ହେବ। ଏଥିପାଇଁ ଧର୍ମଶାଳାର ସମସ୍ତ ଜନସାଧାରଣ, ଯୁବପିଢ଼ି, ଛାତ୍ରଛାତ୍ରୀ ଓ ସାମାଜିକ ସଂଗଠନ ସହଯୋଗର ହାତ ବଢ଼ାଇବାକୁ ସେ ଆହ୍ୱାନ ଦେଇଥିଲେ। ମୁଖ୍ୟ ବକ୍ତା ସମାଜସେବୀ ଓ ପରିବେଶବିତ୍‌ ଦୁର୍ଗାପ୍ରସନ୍ନ ଦାସ କହିଥିଲେ, ପରିବେଶ ନଷ୍ଟର ପ୍ରଭାବ ଏବେ ଆଉ ଭବିଷ୍ୟତର କଥା ହୋଇ ରହିନାହିଁ; ଏହା ଆମ ଆଖି ଆଗରେ ଦେଖାଦେଉଛି। ଜଙ୍ଗଲ ହ୍ରାସ, ମାଟିର ଅବକ୍ଷୟ, ନଦୀ ପ୍ରଦୂଷଣ ଓ ଆବର୍ଜନା ବୃଦ୍ଧି ଧର୍ମଶାଳା ଅଞ୍ଚଳର ପରିବେଶ ପାଇଁ ଏବେ ବଡ଼ ବିପଦ ସୃଷ୍ଟି କରିଛି। ମାଟି ହେଉଛି ଆମ ଖାଦ୍ୟ ଉତ୍ପାଦନର ମୂଳ ଆଧାର। ତେଣୁ ମୃତ୍ତିକାର ସୁରକ୍ଷା, ଜୈବିକ ପ୍ରଣାଳୀରେ ଚାଷ, ଜଳ ସଂରକ୍ଷଣ ଓ ବୃକ୍ଷରୋପଣକୁ ଏକାଠି ନେଇ ଚାଲିବା ଆବଶ୍ୟକ। ପ୍ରତ୍ୟେକ ପରିବାର ଅନ୍ତତଃ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେଲେ ମଧ୍ୟ ପରିବେଶ ସୁରକ୍ଷା ଅଭିଯାନ ଏକ ବଡ଼ ଆନ୍ଦୋଳନର ରୂପ ନେଇପାରିବ ବୋଲି ସେ କହିଥିଲେ। 

ସଭାପତିତ୍ୱ କରି ‘ସମ୍ବାଦ’ ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡା କହିଥିଲେ, ପରିବେଶ ସୁରକ୍ଷା ଗୋଟିଏ ଦିନ କିମ୍ବା ସପ୍ତାହକର କାର୍ଯ୍ୟକ୍ରମ ନୁହେଁ, ଏହା ଏକ ନିରନ୍ତର ସାମାଜିକ ଅଭିଯାନ। ସଚେତନତା ସହିତ ଲୋକଙ୍କ ମଧ୍ୟରେ ପ୍ରକୃତି ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ହିଁ ଏଭଳି ପରିବେଶ ପଞ୍ଚାୟତର ମୂଳ ଉଦ୍ଦେଶ୍ୟ। ‘ସମ୍ବାଦ’ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ ମାଧ୍ୟମରେ ରାଜ୍ୟବ୍ୟାପୀ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ଗତ ୩ ବର୍ଷ ଧରି ଏହି କାର୍ଯ୍ୟକ୍ରମ ହୋଇଆସୁଛି ବୋଲି ସେ ସୂଚନା ଦେଇଥିଲେ।

Plantation: ଜନ୍ମଜୟନ୍ତୀ ପାଳନରେ ନିଆରା ପଦକ୍ଷେପ: ୧୦୦ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ କରିଥିଲେ ‘ସମ୍ବାଦ’ ଯାଜପୁର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ। ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରିଥିଲେ ‘କନକ ନ୍ୟୁଜ୍‌’ ଧର୍ମଶାଳା ପ୍ରତିନିଧି ବିମଳ କୁମାର ପତି। ଶେଷରେ ‘ସମ୍ବାଦ’ ଧର୍ମଶାଳା ପ୍ରତିନିଧି ସୀତାକାନ୍ତ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବହୁ ପରିବେଶପ୍ରେମୀ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ବିଭିନ୍ନ ବର୍ଗର ଲୋକେ ଯୋଗଦେଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ସାହୁ ଷ୍ଟାଡିୟମ ପରିସରରେ ଚାରାରୋପଣ କରି ସମସ୍ତଙ୍କ ପରିବେଶ ସୁରକ୍ଷା ପାଇଁ ଆହ୍ବାନ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.