ARTICLE AD BOX
ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ଆଉ ଭବିଷ୍ୟତର କୌଣସି ଚେତାବନୀ ନୁହେଁ। ଏହା ବୈଜ୍ଞାନିକ ଆଲୋଚନାରେ ଆଉ ସୀମିତ ହୋଇ ରହି ନାହିଁ। ପୂର୍ବରୁ ଜଳବାୟୁ ପରିବର୍ତ୍ତନ ନେଇ ଗବେଷଣା ହେଉଥିଲା; ବିଭିନ୍ନ ଗବେଷଣାପତ୍ର ପ୍ରକାଶ ପାଉଥିଲା, ସମସ୍ତେ ଭାବୁଥିଲେ ଯେ ଏହା କେବଳ ଏକ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ଆଲୋଚନାର ବିଷୟ। ହେଲେ ଆଜି ପ୍ରାୟ ସମସ୍ତେ ଜଳବାୟୁ ପରିବର୍ତ୍ତନକୁ ବୁଝୁଛନ୍ତି। ଏହା କାହିଁକି ଘଟୁଛି ଓ ଏଥିପାଇଁ ଆମର ଦାୟିତ୍ୱ କ’ଣ, ଏହି ପ୍ରଶ୍ନ ଆଜି ଯୁବପିଢ଼ିଠାରୁ ଆରମ୍ଭ କରି ସମାଜର ବିଭିନ୍ନ ବର୍ଗ ଚିନ୍ତା କରିବା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି।
‘ସମ୍ବାଦ ଓ କନକ ନ୍ୟୁଜ୍’ ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ‘ପୁନଶ୍ଚ ପୃଥିବୀ’ର ତୃତୀୟ ସଂସ୍କରଣ ଆରମ୍ଭ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ କହିଲେ, ପାଣିପାଗର ଧାରା ଦିନକୁ ଦିନ ଅନିଶ୍ଚିତ ହେବାରେ ଲାଗିଛି। ଆଜି ଦିନର ପାଣିପାଗ ଦେଖିଲେ ଲାଗୁଛି ଯେପରି ଏହା ଗ୍ରୀଷ୍ମ ଦିନ। ବର୍ଷା ଅନିଶ୍ଚିତ ହେଉଛି, ତାପମାତ୍ରା ବଢ଼ୁଛି ଓ ପାଣିପାଗ ପରିବର୍ତ୍ତନ ଘଟଣା ସମାଜ ପାଇଁ ଅଧିକ ବିପଦ ସୃଷ୍ଟି କରୁଛି। ବର୍ଷାରେ ପରିବର୍ତ୍ତନ, ଦୀର୍ଘ ସମୟର ଗରମ ଓ ଅତ୍ୟଧିକ ପାଣିପାଗ କୃଷିକୁ ବିଶେଷ ଭାବେ ପ୍ରଭାବିତ କରୁଛି। ଗରମ, ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ଜଳବାୟୁଜନିତ ବିପଦ ଜନସାଧାରଣଙ୍କ ସ୍ୱାସ୍ଥ୍ୟ, ଜୀବିକା ଓ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଉଛି। ଶିଳ୍ପକୁ ଏଡ଼ାଇ ହେବ ନାହିଁ ଓ ଏଡ଼ାଇବା ମଧ୍ୟ ଉଚିତ ନୁହେଁ। ଶିଳ୍ପ ପାଇଁ ନିଯୁକ୍ତି, ଜୀବିକା, ଭିତ୍ତିଭୂମି ଓ ଆର୍ଥିକ ବିକାଶ ହୋଇଥାଏ। ବିକାଶକୁ ବନ୍ଦ କରିବା ଏହାର ସମାଧାନ ନୁହେଁ। ବରଂ ବିକାଶ ଅଧିକ ସ୍ୱଚ୍ଛ, ଅଧିକ ବୁଦ୍ଧିମାନ ଓ ଜଳବାୟୁ ପରିବର୍ତ୍ତନକୁ ସହିପାରୁଥିବା ଆବଶ୍ୟକ। ପ୍ରତ୍ୟେକ ଯୁବକ ଓ ଯୁବତୀ ଏହି ପରିବର୍ତ୍ତନ ନିଜ ଘରୁ ଆରମ୍ଭ କରନ୍ତୁ। କାରଣ ଦୀର୍ଘସ୍ଥାୟୀ ପରିବର୍ତ୍ତନ ସବୁବେଳେ ବ୍ୟକ୍ତିଗତ ପଦକ୍ଷେପରୁ ଆରମ୍ଭ ହୁଏ।
ରାଜ୍ୟପାଳ ଆହୁରି ମଧ୍ୟ କହିଥିଲେ ଯେ ଯୁବପିଢ଼ି ନିଜ ମାତାପିତାଙ୍କ ସହିତ ଆଲୋଚନା କରି ଯେଉଁଠାରେ ସମ୍ଭବ, ସେଠାରେ ସୌରଶକ୍ତି ବ୍ୟବହାର କରିବାକୁ ପ୍ରୋତ୍ସାହିତ କରନ୍ତୁ। ରାଜଭବନରେ ପ୍ରାୟ ୬୩୫ କିଲୋୱାଟ୍ର ସୌର ଶକ୍ତି ବ୍ୟବସ୍ଥା ସ୍ଥାପନ ହୋଇଛି। ରାଜ୍ୟପାଳଙ୍କ କାରକେଡ୍ରେ ଥିବା ଡିଜେଲ୍ ଓ ପେଟ୍ରୋଲ୍ ଯାନଗୁଡ଼ିକୁ ବୈଦ୍ୟୁତିକ ଯାନରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ସମ୍ପୂର୍ଣ୍ଣ କାରକେଡ୍ରେ ବୈଦ୍ୟୁତିକ ଯାନ ରହିଛି। ବିଶ୍ୱବିଦ୍ୟାଳୟର ବିଭିନ୍ନ କୋଠାର ଛାତ ଉପରେ ସୌର ଶକ୍ତି ବ୍ୟବସ୍ଥା ସ୍ଥାପନ କରିବା ପାଇଁ କୁଳପତିଙ୍କୁ ପରାମର୍ଶ ଦେଇଛି। ଯଦି ସୌର ପ୍ଲାଣ୍ଟ ସ୍ଥାପନ ପାଇଁ ବିଶ୍ୱବିଦ୍ୟାଳୟ ପାଖରେ ଆବଶ୍ୟକ ଅର୍ଥ ନାହିଁ, ତେବେ ଆରଇଏସ୍ସିଓ ମଡେଲ୍ ବିଷୟରେ ମଧ୍ୟ ଚିନ୍ତା କରାଯାଇପାରେ। ଏଥିରେ ବିଶ୍ୱବିଦ୍ୟାଳୟକୁ ପ୍ରାରମ୍ଭିକ ନିବେଶ କରିବାକୁ ପଡ଼ିବ ନାହିଁ। ତୁଳନାତ୍ମକ ଭାବେ କମ୍ ଦରରେ ବିଦ୍ୟୁତ୍ ମିଳିପାରିବ। ଓଡ଼ିଶାର ପ୍ରାୟ ୩୭.୨୩ ପ୍ରତିଶତ ଅଞ୍ଚଳରେ ଜଙ୍ଗଲ ରହିଛି। ତଥାପି ଗଛର ସୁରକ୍ଷା ରଖିବାର ଅଭ୍ୟାସ ଜାରି ରଖିବାକୁ ହେବ। ସୁଯୋଗ ମିଳିଲେ ଅଧିକରୁ ଅଧିକ ଗଛ ଲଗାଇବାକୁ ହେବ। ବର୍ଷର ୩୬୫ ଦିନ ଯୁବପିଢ଼ିଙ୍କୁ ଅତିକମ୍ରେ ଗୋଟିଏ ଗଛ ଲଗାଇବାକୁ ଉତ୍ସାହିତ କରାଯାଇପାରେ। ‘ସମ୍ବାଦ’ ଗ୍ରୁପ୍ ବର୍ଷସାରା ଏଭଳି ବିଭିନ୍ନ ପଦକ୍ଷେପ ନେଇଆସୁଛି। ଏହାର ପ୍ରଭାବକୁ କେବଳ ଆଲୋଚନା ମଧ୍ୟରେ ସୀମିତ ରଖନ୍ତୁ ନାହିଁ ବୋଲି ରାଜ୍ୟପାଳ ଗୁରୁତ୍ବାରୋପ କରିଥିଲେ।
ପରିବେଶର ସୁରକ୍ଷା କେବଳ ସରକାର କିମ୍ବା ଗୋଟିଏ ସଂସ୍ଥାର ଦାୟିତ୍ୱ ନୁହେଁ: ସୂର୍ଯ୍ୟବଂଶୀ
ମଣିଷ ନିଜକୁ ପୃଥିବୀର ମାଲିକ ନୁହେଁ, ଏକ ବିଶାଳ ଗ୍ରହର ଅସ୍ଥାୟୀ ବାସିନ୍ଦା ଭାବେ ଦେଖୁ: କୁଳପତି
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ, ଏକଦା ଗାନ୍ଧୀଜୀ କହିଥିଲେ; ପୃଥିବୀ ପ୍ରତ୍ୟେକ ମଣିଷର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ଦେଇପାରେ, କିନ୍ତୁ ପ୍ରତ୍ୟେକ ମଣିଷର ଲୋଭ ପୂରଣ ପାଇଁ ନୁହେଁ। କିଛି ବର୍ଷ ପୂର୍ବେ ସାଉଦି ଆରବରେ ଆଇକେଇଏ ପକ୍ଷରୁ ଏକ ସାମାଜିକ ପରୀକ୍ଷଣ କରାଯାଇଥିଲା। ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କିଛି ବ୍ୟକ୍ତି ଆସି ଏକ ଗଛକୁ ଗାଳି ଦେଉଥିଲେ। ଧୀରେ ଧୀରେ ଦେଖାଗଲା ଯେ ଗଛଟି ଶୁଖିଯାଉଛି ଓ ମରିବାକୁ ଲାଗିଛି। ଏହାର ବୈଜ୍ଞାନିକ ପ୍ରଭାବ କ’ଣ ହୋଇପାରେ, ତାହା ଏକ ଭିନ୍ନ ବିଷୟ। କିନ୍ତୁ ଏହାର ଗୋଟିଏ ମାନସିକ ପ୍ରଭାବ ନିଶ୍ଚିତ ଭାବେ ରହିଛି। ଗଛ ଭିତରେ ମଧ୍ୟ ଜୀବନ ରହିଛି। ଯେତେବେଳେ ଆମେ ଗଛକୁ ଗାଳି ଦେଉଛୁ, ଗଛ ପ୍ରତି ଆମର ଯେଉଁ ସମ୍ବେଦନା ଓ ଯତ୍ନର ଭାବନା ରହିଛି, ତାହା ଧୀରେ ଧୀରେ କମିଯାଉଛି। ପରିବେଶର ସୁରକ୍ଷା କେବଳ ସରକାର କିମ୍ବା କୌଣସି ଗୋଟିଏ ସଂସ୍ଥାର ଦାୟିତ୍ୱ ନୁହେଁ, ଏହା ସମସ୍ତଙ୍କର ଦାୟିତ୍ୱ। ପ୍ରକୃତିକୁ ବଞ୍ଚାଇବା ପାଇଁ କେବଳ ପ୍ରଯୁକ୍ତି ନୁହେଁ, ଜନସାଧାରଣଙ୍କ ଚିନ୍ତାଧାରା, ସମ୍ବେଦନା ଓ ଦାୟିତ୍ୱବୋଧର ମଧ୍ୟ ପରିବର୍ତ୍ତନ ଆବଶ୍ୟକ।
ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦ କହିଲେ, ‘ଆର୍ଥ ଏଗେନ୍’ ବା ‘ପୁନଶ୍ଚ ପୃଥିବୀ’ର ଅର୍ଥ କେବଳ ପୃଥିବୀକୁ ଫେରିବା ନୁହେଁ, ବରଂ ପୃଥିବୀକୁ ଏକ ନୂଆ ଦୃଷ୍ଟିରେ ଦେଖିବା। ମାନବକୈନ୍ଦ୍ରିକ ବିକାଶ ମଡେଲ୍ ପୃଥିବୀର ପ୍ରାକୃତିକ ବ୍ୟବସ୍ଥାକୁ ବିଚଳିତ କରିଛି। ଜଳବାୟୁ ପରିବର୍ତ୍ତନର ଦାୟିତ୍ୱ ସମସ୍ତଙ୍କର ହେଲେ ମଧ୍ୟ ଐତିହାସିକ ଭାବେ ଏହା ସମାନ ନୁହେଁ। ସଷ୍ଟେନବବିଲିଟି ସହିତ ‘ହାବିଟାବିଲିଟି’ ବା ବାସଯୋଗ୍ୟତା ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ। ମଣିଷ ନିଜକୁ ପୃଥିବୀର ମାଲିକ ନୁହେଁ, ବରଂ ଏକ ବିଶାଳ ଗ୍ରହ ଇତିହାସର ଅସ୍ଥାୟୀ ବାସିନ୍ଦା ଭାବେ ଦେଖିବା ଉଚିତ। ଯେତେବେଳେ ‘ମାନବଜାତି ଗ୍ଲୋବାଲ୍ ୱାର୍ମିଂ ପାଇଁ ଦାୟୀ’ ବୋଲି ପ୍ରଶ୍ନ ଉଠିଥିଲା, ସେତେବେଳ ବିଶେଷଜ୍ଞ ପ୍ରଶ୍ନ କରିଥିଲେ କେଉଁ ମାନବଜାତି ବିଷୟରେ ଏଠାରେ କୁହାଯାଉଛି? କାରଣ ଶିଳ୍ପାୟନ, ଉପଭୋଗ ଓ ଐତିହାସିକ ନିର୍ଗମନ ସମସ୍ତଙ୍କ ପାଇଁ ସମାନ ନୁହେଁ। ଦାୟିତ୍ୱ ସାଧାରଣ ହୋଇପାରେ, କିନ୍ତୁ ଐତିହାସିକ ଭାବରେ ଏହା ସମାନ ନୁହେଁ। ମଣିଷ କେବଳ ଏକ ଜୈବିକ ସତ୍ତା ନୁହେଁ, ଏକ ଭୂଭୌତିକ ଶକ୍ତିରେ ପରିଣତ ହୋଇଛି।
ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ପ୍ରତ୍ୟେକ ବ୍ଲକ୍ରେ, ପ୍ରତ୍ୟେକ ଗାଁରେ ପରିବେଶ ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଛି। ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ତାହାର ମୂଳ ଉଦ୍ଦେଶ୍ୟରେ ପ୍ରାଥମିକ ସଫଳତା ହାସଲ କରିଛି। ଏହି ସଫଳତାରେ ଆତ୍ମସନ୍ତୁଷ୍ଟ ନ ହୋଇ ସମସ୍ତଙ୍କୁ ଏହାକୁ ଦ୍ୱିତୀୟ ସ୍ତରକୁ ନେବାକୁ ପଡ଼ିବ। ଏଥିପାଇଁ ଆହୁରି ଗମ୍ଭୀରତାର ସହିତ ଚିନ୍ତା କରିବାକୁ ହେବ। ସାମୂହିକ ସଚେତନତା କୌଣସି ସଫଳତା ପାଇଁ ଯଥେଷ୍ଟ ନୁହେଁ। ସାମୂହିକ ସଚେତନତା ଏକ ବଡ଼ ଆନ୍ଦୋଳନ ସୃଷ୍ଟି କରେ। ଯେତେବେଳେ ବ୍ୟକ୍ତିଗତ ଭାବେ ଆମେ ନିଜ ଆଚରଣରେ ପରିବର୍ତ୍ତନ ଆଣିବା, ସେତେବେଳେ ହିଁ ସାମୂହିକ ସଚେତନତା ସଫଳ ହେବ।
‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସଂପାଦକ ତନୟା ପଟ୍ଟନାୟକ କହିଲେ, ‘ପୁନଶ୍ଚ ପୃଥିବୀ’ ଆଉ କେବଳ ଟ୍ୟାଗ୍ଲାଇନ୍ ହୋଇ ରହିନାହିଁ, ଏହା ଏବେ ପ୍ରତ୍ୟେକ ଘରର ଆଲୋଚନାର ଏକ ଅଂଶ ହୋଇଛି। ଗତ ସଂସ୍କରଣଗୁଡ଼ିକରେ ଏହି ମଞ୍ଚ ଏକାଧିକ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କୁ ଏକାଠି କରିପାରିବାରେ ସକ୍ଷମ ହୋଇପାରିଛି। ରାଜ୍ୟର ୧୪୭ ନିର୍ବାଚନ ମଣ୍ଡଳୀରେ ପରିବେଶ ପଞ୍ଚାୟତ ଅନୁଷ୍ଠିତ ହୋଇଛି। ଲୋକଙ୍କ ସ୍ବରକୁ ଏକାଠି କରି ପ୍ରସ୍ତୁତ ହୋଇଛି ‘ପିପୁଲ୍ସ କ୍ଲାଇମେଟ୍ ଆଟ୍ଲାସ୍’। ଏହି କାର୍ଯ୍ୟକ୍ରମ କେବଳ ଭୁବନେଶ୍ବରରେ ସୀମିତ ନ ରହି ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି। ସେଥିପାଇଁ ଚଳିତବର୍ଷର ମାସ୍କଟ୍ ରହିଛି ବାଇସନ୍। ଆମେ ଯେଉଁ ଭବିଷ୍ୟତ ବିଷୟରେ ଆଲୋଚନା କରୁଛୁ, ସେହି ଭବିଷ୍ୟତ ଆମର ନୁହେଁ; ବରଂ ଛାତ୍ରଛାତ୍ରୀ ବା ଜେନ୍ ସି ବା ଜେନେରେସନ୍ କ୍ଲାଇମେଟ୍ଙ୍କର। କେବଳ ୩ଦିନ ଏହି କାର୍ଯ୍ୟକ୍ରମ ସୀମିତ ନ ରହି ପ୍ରତ୍ୟେକ ଦିନ ଜାରି ରହିବ। ଏହି ଅବସରରେ କ୍ଲାଇମେଟ୍ ଆଟ୍ଲାସ୍ ଓ ପରିବେଶ ପଞ୍ଚାୟତର ନିର୍ଯ୍ୟାସ ସଂକ୍ରାନ୍ତ ସ୍ବତନ୍ତ୍ର ପୁସ୍ତିକା ଏବଂ ଦେବ୍ରିଗଡ଼କୁ ଗୟଳ ସଂରକ୍ଷିତ ଅଭୟାରଣ୍ୟରେ ପରିଣତ କରିବା ଲାଗି ଏକ ବ୍ରୋସିୟର ଉନ୍ମୋଚିତ ହୋଇଥିଲା। ପରେ ପ୍ରୀତିଲଗ୍ନା ନନ୍ଦ ଓ ଐଶ୍ବର୍ଯ୍ୟା ପରିଜାଙ୍କୁ ‘ସମ୍ବାଦ’ ପରିବେଶ ଫେଲୋସିପ୍ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ପରିବେଶପ୍ରେମୀ ଯୋଗ ଦେଇଥିଲେ।

4 hours ago
1


