ARTICLE AD BOX
ବ୍ରହ୍ମପୁର: ‘ସାଂପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ମଣିଷ ଆଗରେ ଏକ ବଡ଼ ଆହ୍ବାନ୍ ହୋଇ ଠିଆ ହୋଇଛି। ଏଣୁ ଆଗାମୀ ପିଢ଼ି ପାଇଁ ଏକ ଉତ୍ତମ ଓ ସବୁଜିମା ପରିବେଶ ଗଠନ କରିବାକୁ ହେଲେ ଏଥିପାଇଁ ଏବେଠାରୁ ଛାତ୍ର ଓ ଯୁବସମାଜ କର୍ଣ୍ଣଧାର ସାଜନ୍ତୁ। ଯଦ୍ବାରା ପୁନଶ୍ଚ ପୃଥିବୀ ଓ ଗ୍ରିନ କ୍ୟାମ୍ପସ (ସବୁଜ କ୍ୟାମ୍ପସ୍) ଆଗାମୀ ଦିନରେ ଏକ ବଡ଼ ଅଭିଯାନର ରୂପ ନେଇପାରିବା ସହ ଏହାର ମୂଳ ଉଦ୍ଦେଶ୍ୟ ସାଧିତ ହୋଇପାରିବ। ଏଣୁ ଛାତ୍ରଛାତ୍ରୀ ନିଜ ଜୀବନକୁ କେବଳ ସୋସିଆଲ ମିଡ଼ିଆ ଦୁନିଆ ଭିତରେ ସୀମିତ ନରଖି ପରିବେଶ ସୁରକ୍ଷା ଦିଗରେ ବି ବ୍ରତୀ ହେବାକୁ ସଂକଳ୍ପ ନିଅନ୍ତୁ’। ଆଜି ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ପକ୍ଷରୁ ଆୟୋଜିତ ‘ଗ୍ରିନ କ୍ୟାମ୍ପସେସ୍ ଆଣ୍ଡ ଦି ଡିମାଣ୍ଡସ ଅଫ୍ ଜେନେରେସନ’ କ୍ଲାଇମେଟ୍ ଶୀର୍ଷକ ଆଲୋଚନାଚକ୍ରର ଅତିଥିଗଣ ଏହି ମତପୋଷଣ କରିଛନ୍ତି।
ଭଞ୍ଜବିହାରସ୍ଥିତ ନୂତନ ସମ୍ମିଳନୀକକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ‘ସମ୍ବାଦ’ର ଏହି ପ୍ରୟାସକୁ ପ୍ରଶଂସା କରି କହିଛନ୍ତି, ଅନୁଷ୍ଠାନକୁ ସବୁଜ କ୍ୟାମ୍ପସରେ ପରିଣତ କରିବା ଏକ ସାମୂହିକ ଦାୟିତ୍ବ। ପ୍ରତିଟି ଛାତ୍ର ପରିବେଶ ସୁରକ୍ଷାକୁ ନିଜ ସମ୍ମାନ, ପରିଚୟ ଓ ସ୍ବାଭିମାନ ସହ ଯୋଡ଼ିପାରିଲେ ସବୁଜିମା ପରିବେଶ ଗଠନର ପରିକଳ୍ପନା ବାସ୍ତବ ରୂପ ନେଇପାରିବ। ବର୍ତ୍ତମାନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ବର୍ଷାଜଳ ସଂରକ୍ଷଣ ଠାରୁ ଆରମ୍ଭ କରି ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ ନିଷେଧାଦେଶ ଜାରି ହୋଇଛି। ଶନିବାର ଦିନ ଯାନବାହନ ନିଷେଧ ଦିବସ ପାଳିତ ହେଉଥିବା ସବୁଜିମା ବଳୟ ସୃଷ୍ଟି ପାଇଁ ଉଦ୍ୟମ ଜାରି ରହିଛି। ସମସ୍ତେ ଜେନ ସି (ଜେନେରେସନ ଅଫ କ୍ଲାଇମେଟ) ଯୋଦ୍ଧା ହେବା ଦରକାର ବୋଲି ପ୍ରଫେସର ତ୍ରିପାଠୀ କହିଛନ୍ତି।
ବିଶିଷ୍ଟି ଅତିଥି ପରିବେଶ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ବି.ଅଞ୍ଜନ ପୃଷ୍ଟି କହିଛନ୍ତି, ଭଞ୍ଜବିହାରର ଜୈବବିବିଧତା ସମଗ୍ର ଦେଶର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଥିପାଇଁ ଏହି ଅନୁଷ୍ଠାନକୁ ରାଜ୍ୟ ସରକାର ଗତବର୍ଷ ପ୍ରକୃତିମିତ୍ର ପୁରସ୍କାରରେ ସମ୍ମାନିତ କରିଥିଲେ। ତେବେ ‘କାଲି ପାଇଁ ଆଜି ରହିଥିବା’ ଶୀର୍ଷକରେ ଆମକୁ ପରିବର୍ତ୍ତନ କରି ‘ଆଜି ପାଇଁ ଏବେ’ ନୀତିକୁ ଆପଣାଇବାକୁ ହେବ। ବର୍ତ୍ତମାନ ବଢ଼ୁଥିବା କାର୍ବନ ଫୁଟପ୍ରିଣ୍ଟ ଆମ ପାଇଁ ସତର୍କର ଘଣ୍ଟି। ସାମୂହିକ ଉଦ୍ୟମରେ ଏହାକୁ ପୁଣି କମ୍ କରିପାରିବା। ବର୍ତ୍ତମାନ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଜୈବ ବିବିଧତାରେ ଜଣେ ଗବେଷକ ନିଜର ପ୍ରସଙ୍ଗଭିତ୍ତିକ ଗବେଷଣା କରିପାରିବେ। ସାଧନ ସହ ସମ୍ବଳ ଆମ କ୍ୟାମ୍ପସରେ ରହିଛି। ଏଣୁ, ଛାତ୍ରଛାତ୍ରୀ ପରିବେଶ ସୁରକ୍ଷା ଉପରେ ଗବେଷଣା ପାଇଁ ମନୋନିବେଶ କରନ୍ତୁ ବୋଲି ଶ୍ରୀ ପୃଷ୍ଟି ଆହ୍ବାନ ଦେଇଥିଲେ।
/filters:format(webp)/sambad/media/media_files/2026/10/01/whatsapp-image-2026-10-01-22-20-45.jpeg)
ଅନ୍ୟତମ ବିଶିଷ୍ଟ ଅତିଥି ଗଞ୍ଜାମଜିଲ୍ଲା ଇକୋ କ୍ଲବ୍ ସଂଯୋଜକ ଡ.ଶଙ୍କର ନାରାୟଣ ବେଜ ଯୁବପିଢ଼ିଙ୍କ ହାତରେ ପରିବେଶ ସୁରକ୍ଷିତ ରହିପାରିବ ବୋଲି ମତବ୍ୟକ୍ତ କରିଥିଲେ। ପୃଥିବୀକୁ ପୁନଶ୍ଚ ସବୁଜ କରିବା ଓ ଏହାକୁ ସନ୍ତୁଳିତ କରିବା ଆମ ସମସ୍ତଙ୍କ ଦାୟିତ୍ବ। ଯଦ୍ବାରା ପରବର୍ତ୍ତୀ ପିଢ଼ିକୁ ସଚେତନତାର ବାର୍ତ୍ତା ପହଞ୍ଚିବ। ବିଶ୍ବର ଯୁବ ପରିବେଶବିତ ଗ୍ରେଟା ଥନବର୍ଗଙ୍କ ପରି ଅଭିଳାଷୀ ହେବା ସହ ଜଳବାୟୁର ସୁରକ୍ଷା ପାଇଁ ନିଜେ ଦାୟିତ୍ବ ନେବାକୁ ହେବ ବୋଲି ପରାମର୍ଶ ଦେଇଥିଲେ। ସଂସ୍କରଣ ମୁଖ୍ୟ ଦୁର୍ଗାମାଧବ ବେହେରା କାର୍ଯ୍ୟକ୍ରମରେ ସଭାପତିତ୍ବ କରିବା ସହ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ବରିଷ୍ଠ ସହସମ୍ପାଦକ ମନୋଜ ସାମଲ ସଂଯୋଜନା କରିଥିବଲେ। ବିଶ୍ବବିଦ୍ୟାଳୟ ଏନଏସଏସ ୟୁନିଟ ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

18 hours ago
3


