Climate Change: ଚରମ ପାଣିପାଗ ଘଟଣାରେ ୩୦ ବର୍ଷରେ ୯ ଲକ୍ଷ ମୃତ, ଆର୍ଥିକ କ୍ଷତି ୪.୭ ଟ୍ରିଲିୟନ୍ ଡଲାର

24 minutes ago 1
ARTICLE AD BOX

ନୂଆଦିଲ୍ଲୀ: ବିଶ୍ୱରେ ଚରମ ପାଣିପାଗ ଘଟଣା ଯୋଗୁଁ ଗତ ୩୦ ବର୍ଷ ମଧ୍ୟରେ ୯ ଲକ୍ଷ ୧୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହାଦ୍ୱାରା ପ୍ରାୟ ୫୫୦ କୋଟି ଲୋକ ପ୍ରଭାବିତ ହୋଇଥିବା ବେଳେ ବିଶ୍ୱ ଅର୍ଥନୀତିକୁ ୪.୭ ଟ୍ରିଲିୟନ୍ ଡଲାରରୁ ଅଧିକ କ୍ଷତି ସହିବାକୁ ପଡ଼ିଛି। ଜର୍ମାନୀର ପରିବେଶ ଓ ବିକାଶ ସଂଗଠନ ଜର୍ମାନୱାଚ୍‌ ପକ୍ଷରୁ ପ୍ରକାଶିତ ‘କ୍ଲାଇମେଟ୍ ରିସ୍କ ଇଣ୍ଡେକ୍ସ-୨୦୨୭’ (ସିଆର୍‌ଆଇ) ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ତୁର୍କୀର ଆଣ୍ଟାଲ୍ୟାଠାରେ ଚାଲିଥିବା ମିଳିତ ଜାତିସଂଘର ଜଳବାୟୁ ସମ୍ମିଳନୀ କପ୍‌-୩୧ ଅବସରରେ ବୁଧବାର ଏହି ରିପୋର୍ଟ ପ୍ରକାଶ ପାଇଛି।

୧୯୯୬ରୁ ୨୦୨୫ ମଧ୍ୟରେ ଘଟିଥିବା ପ୍ରାୟ ୧୦ ହଜାର ଜଳବାୟୁଜନିତ ବିପର୍ଯ୍ୟୟକୁ ଆଧାର କରି ଏହି ଅଧ୍ୟୟନ କରାଯାଇଛି। ଏଥିରେ ଅତ୍ୟଧିକ ଗ୍ରୀଷ୍ମପ୍ରବାହ, ଘୂର୍ଣ୍ଣିଝଡ଼, ଝଡ଼ବର୍ଷା ଓ ବନ୍ୟା ଆଦି ସାମିଲ ରହିଛି। ଦୀର୍ଘ ୩୦ ବର୍ଷର ତଥ୍ୟ ଅନୁଯାୟୀ, ଡୋମିନିକା ସବୁଠାରୁ ଅଧିକ ପ୍ରଭାବିତ ଦେଶ ହୋଇଥିବା ବେଳେ ମ୍ୟାମାର ଦ୍ୱିତୀୟ ଓ ହଣ୍ଡୁରାସ୍ ତୃତୀୟ ସ୍ଥାନରେ ରହିଛି। ଫିଲିପାଇନ୍ସ ସପ୍ତମ ସ୍ଥାନରେ ଥିବା ବେଳେ ଭାରତ ଦଶମ ସ୍ଥାନରେ ରହିଛି।

ଅଧିକ ରହୁଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ
ଭାରତରେ ୧୯୯୬ରୁ ୨୦୨୫ ମଧ୍ୟରେ ୪୩୬ଟି ଚରମ ପାଣିପାଗ ଘଟଣା ଘଟିଛି। ଏଥିରେ ପ୍ରାୟ ୭୮ ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ୧୭୦ ବିଲିୟନ୍ ଡଲାରର ଆର୍ଥିକ କ୍ଷତି ହୋଇଛି। ଭାରତ ଓ ଫିଲିପାଇନ୍ସ ଭଳି ଦେଶ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ସେମାନଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅଧିକ ରହୁଛି। ଅଧ୍ୟୟନରେ ଦର୍ଶାଯାଇଛି ଯେ, ଅପେକ୍ଷାକୃତ କମ୍ ଆୟ ଥିବା ଦେଶଗୁଡ଼ିକ ଗ୍ରିନ୍‌ହାଉସ୍ ଗ୍ୟାସ୍ ନିର୍ଗମନରେ କମ୍ ଅବଦାନ ରଖୁଥିଲେ ମଧ୍ୟ ଜଳବାୟୁ ବିପର୍ଯ୍ୟୟର ସବୁଠାରୁ ଅଧିକ କ୍ଷତି ସହୁଛନ୍ତି। କେବଳ ୨୦୨୫ରେ ବିଶ୍ୱରେ ୩୬୭ଟି ଚରମ ପାଣିପାଗ ଘଟଣା ଘଟିଥିଲା। ଏଥିରେ ପ୍ରାୟ ୩୫ ହଜାର ଲୋକଙ୍କ ମୃତ୍ୟୁ ହେବା ସହ ୧୦ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। ଏହାଦ୍ୱାରା ୧୫୮ ବିଲିୟନ୍ ଡଲାରରୁ ଅଧିକ ପ୍ରତ୍ୟକ୍ଷ ଆର୍ଥିକ କ୍ଷତି ହୋଇଥିଲା। ସେହିବର୍ଷ ସବୁଠାରୁ ଅଧିକ ପ୍ରଭାବିତ ଦେଶ ଭାବେ ଜାମାଇକା ପ୍ରଥମ, ଶ୍ରୀଲଙ୍କା ଦ୍ୱିତୀୟ ଓ ସ୍ପେନ୍ ତୃତୀୟ ସ୍ଥାନରେ ରହିଥିଲେ। ଥାଇଲାଣ୍ଡ, ଫିଲିପାଇନ୍ସ ଓ ପାକିସ୍ତାନ ମଧ୍ୟ ଅଧିକ ପ୍ରଭାବିତ ଦେଶ ତାଲିକାରେ ରହିଛନ୍ତି।

Cyclone Akvan: ବଢୁଛି ବାତ୍ୟାର ବଳ! ସମୁଦ୍ରରୁ କେଉଁ ଆଡ଼କୁ ବଢୁଛି ବାତ୍ୟା?

ରିପୋର୍ଟ ଅନୁଯାୟୀ, ୨୦୨୫ରେ ଗ୍ରୀଷ୍ମପ୍ରବାହ ସବୁଠାରୁ ଅଧିକ ମାରାତ୍ମକ ପାଣିପାଗ ଘଟଣା ଥିଲା। ଏହାଦ୍ୱାରା ୨୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା, ଯାହା ସେହିବର୍ଷର ମୋଟ ବିପର୍ଯ୍ୟୟଜନିତ ମୃତ୍ୟୁର ପ୍ରାୟ ୭୦ ପ୍ରତିଶତ। ଗତ ୩୦ ବର୍ଷରେ ମଧ୍ୟ ମୋଟ ରିପୋର୍ଟ ହୋଇଥିବା ମୃତ୍ୟୁର ୪୦ ପ୍ରତିଶତ ଗ୍ରୀଷ୍ମପ୍ରବାହ ଯୋଗୁଁ ହୋଇଛି। ଅନ୍ୟପକ୍ଷରେ ଆର୍ଥିକ କ୍ଷତି ଦୃଷ୍ଟିରୁ ଘୂର୍ଣ୍ଣିଝଡ଼ ଓ ଝଡ଼ବର୍ଷା ସବୁଠାରୁ ଅଧିକ ବିନାଶକାରୀ। ଗତ ୩୦ ବର୍ଷର ମୋଟ ଆର୍ଥିକ କ୍ଷତିର ୫୮ ପ୍ରତିଶତ ଏହି କାରଣରୁ ହୋଇଛି। ଶ୍ରୀଲଙ୍କାରେ ୨୦୨୫ରେ ଘଟିଥିବା ଦିତ୍ୱା ଘୂର୍ଣ୍ଣିଝଡ଼ରେ ୮୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। ଏଥିରେ ପ୍ରାୟ ୪.୧ ବିଲିୟନ୍ ଡଲାରର କ୍ଷତି ହୋଇଥିଲା। ଜାମାଇକାରେ ମେଲିସା ନାମକ ପଞ୍ଚମ ଶ୍ରେଣୀର ଘୂର୍ଣ୍ଣିଝଡ଼ରେ ୬୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଜଳବାୟୁ ବିପଦର ମୁକାବିଲା ପାଇଁ ଜର୍ମାନୱାଚ୍ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା, ବନ୍ୟା ନିୟନ୍ତ୍ରଣ, ଗ୍ରୀଷ୍ମପ୍ରବାହ ମୁକାବିଲା ଯୋଜନା ଓ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମିରେ ଅଧିକ ନିବେଶ ପାଇଁ ଆହ୍ୱାନ ଦେଇଛି। ଏଥିସହ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଓ ବିପଦଗ୍ରସ୍ତ ଦେଶଗୁଡ଼ିକୁ ଆର୍ଥିକ ସହାୟତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦେଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.