Climate change: ଆସ ପାଠ ପଢ଼, ପ୍ରକୃତି ସହିତ ଯୋଡ଼ି ହୋଇ ରୁହ’

1 hour ago 1
ARTICLE AD BOX

ସମ୍ବଲପୁର (ଗାର୍ଗୀ ଶତପଥୀ): ଆସ ପାଠ ପଢ଼। କିନ୍ତୁ ପ୍ରକୃତି ସହିତ ଯୋଡ଼ି ହୋଇକି ପଢ଼। ପୁନଶ୍ଚ ପୃଥିବୀର ଏହି ଅଭିଯାନ ଅନ୍ତର୍ଗତରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିବେଶ ବିଜ୍ଞାନ ବିଭାଗରେ ଆୟୋଜିତ ସବୁଜ କ୍ୟାମ୍ପସ୍‌ କାର୍ଯ୍ୟକ୍ରମରେ ଏହା କହିଛନ୍ତି କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର। 

ଉପସ୍ଥିତ ବିଦ୍ୟାର୍ଥୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ସବୁଜିମାରେ ପରିପୂର୍ଣ୍ଣ ଆଜି ଯେଉଁ ସମ୍ବଲପୁର ବିଶ୍ବବିଦ୍ୟାଳୟ ଆପଣମାନେ ଦେଖୁଛନ୍ତି, ୨୦ ବର୍ଷ ପୂର୍ବରୁ ସେଭଳି ନଥିଲା। ଏଠାରେ ଟାଙ୍ଗରା ଭୂମି ଥିଲା। ଜଙ୍ଗଲ ଏବଂ ପାହାଡ଼ରେ ନିଆଁ ଲାଗୁଥିଲା। ପଦ୍ମ ପୋଖରୀ ଭାଙ୍ଗି ଯାଇଥିଲା। ଆଜି ଯାହା ସୃଷ୍ଟି ହୋଇପାରିଛି ତାହା ସାମୂହିକ ପ୍ରୟାସ ଯୋଗୁଁ ହିଁ ସମ୍ଭବ ହୋଇପାରିଛି। ଜଙ୍ଗଲ ସୃଷ୍ଟି ଅପେକ୍ଷା ଏହାର ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ହିଁ ମୁଖ୍ୟ କର୍ତ୍ତବ୍ୟ। ଶାଗୁଆନ ଗଛ ତ ପ୍ରକୃତି ଦେଇଛି। କିନ୍ତୁ ତା’ର ସୁରକ୍ଷା ଦିଗରେ ଏଠାରେ ଉପଯୁକ୍ତ ପଦକ୍ଷେପ ନିଆଯାଇଛି। ଦାନ ସୂତ୍ରରୁ ମିଳିଥିବା ପୃଥିବୀକୁ ସୁରକ୍ଷିତ ରଖିବାକୁ ପଡ଼ିବ ବୋଲି କୁଳପତି କହିଥିଲେ। 

ସମ୍ମାନିତ ଅତିଥି ତଥା ପରିବେଶ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ମଳୟ ରଞ୍ଜନ ମହାନନ୍ଦ କହିଛନ୍ତି, ସବୁଜ କ୍ୟାମ୍ପସ୍‌ ଖୁସି ଦିଏ। ସକରାତ୍ମକ ଆଭିମୁଖ୍ୟ ସହିତ ଗବେଷଣା ପାଇଁ ଖୋରାକ ଯୋଗାଏ। ପରିବେଶ ସୁରକ୍ଷା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ପ୍ଲାଷ୍ଟିକ ବ୍ୟବହାରମୁକ୍ତ ସହିତ ସବୁଜ କ୍ୟାମ୍ପସ୍‌ ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଫେସର ମହାନନ୍ଦ ସୂଚନା ଦେଇଥିଲେ। ଏହି ଅବସରରେ ସେ ସମନ୍ବିତ ସେଲ୍‌ ଗଠନ, କ୍ୟାମ୍ପସ୍‌ରେ ପିଜୁଳି ଏବଂ ଶାଳଗଛ ଲଗାଇବା ସହିତ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ କରିବା ବିଷୟରେ କହିଥିଲେ। 

ବିଶିଷ୍ଟ ପରିବେଶବିତ୍ ତଥା ପ୍ରଫେସର ସଞ୍ଜୟ ପଟ୍ଟନାୟକ କହିଛନ୍ତି, ପୃଥିବୀରେ ମଣିଷର ହସ୍ତକ୍ଷେପ ବୃଦ୍ଧି ହିଁ ପ୍ରାକୃତିକ ବିପର୍ଯ୍ୟୟର ବଡ଼ କାରଣ ଅଟେ। ସବୁଠି ୩୩ ପ୍ରତିଶତ ଜଙ୍ଗଲର ଆବଶ୍ୟକତା ରହିଛି। କେବଳ ବୃକ୍ଷରୋପଣ ନୁହେଁ କେଉଁ ପ୍ରକାର ଗଛ ଲଗାଯିବା ଉଚିତ ସେ ବିଷୟରେ ମଧ୍ୟ ଜାଣିବାକୁ ପଡ଼ିବ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ସବୁଜ କ୍ୟାମ୍ପସ୍‌ ଆଜିର ବଡ଼ ଆବଶ୍ୟକତା ଅଟେ। ଏହା କେବଳ ବୃକ୍ଷରୋପଣରେ ସୀମିତ ନୁହେଁ, ପରିବେଶ ସମ୍ପର୍କରେ ଅବଗତ ହେବା ଆଜିର ବଡ଼ ଆବଶ୍ୟକତା ଅଟେ। ସ୍ବଚ୍ଛ, ଶୃଙ୍ଖଳିତ ଏବଂ ସମନ୍ବିତ ଜୀବନଶୈଳୀକୁ ଆପଣାଇବା ପାଇଁ ସେ ଆହ୍ବାନ କରିଥିଲେ। 

Punascha Pruthibi: ୨ରୁ ‘ପୁନଶ୍ଚ ପୃଥିବୀ’ ସମ୍ମିଳନୀ: ଏଥରର ମାସ୍କଟ୍‌ ‘ଗୟଳ’ ଉନ୍ମୋଚିତ

‘ସମ୍ବାଦ’ ସମ୍ବଲପୁର ସଂସ୍କରଣ ମୁଖ୍ୟ ଜ୍ଞାନରଞ୍ଜନ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଏହାର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଏହି ଅବସରରେ ଆସୋସିଏଟ ପ୍ରଫେସର ଈଶ୍ବର ବୈଠାରୁ ଏବଂ ଭୂବିଜ୍ଞାନ ବିଭାଗ ପ୍ରଫେସର ଦୁର୍ଯ୍ୟୋଧନ ବେହେରା, ‘ସମ୍ବାଦ’ ସହକାରୀ ମହାପ୍ରବନ୍ଧକ ଗଜେନ୍ଦ୍ରନାଥ ମଲ୍ଲିକ ଉପସ୍ଥିତ ଥିଲେ। ପରିବେଶ ବିଜ୍ଞାନ ବିଭାଗ ଏବଂ ଭୂବିଜ୍ଞାନ ବିଭାଗର ଗବେଷକ ତଥା ବିଦ୍ୟାର୍ଥୀ ସୌମ୍ୟରଞ୍ଜନ ନାଥ, ପ୍ରଳୟ ବିଶ୍ବାସ, ସୋହେଲ କ୍ୟୁରେସି, ପ୍ରିୟଙ୍କା ମାଝି, ସୁନିତା ପଣ୍ଡା, କୃଷ୍ଣା ମଞ୍ଜରୀ ନୀହାରିକା ସାହୁ ଏବଂ ଆଶିର୍ବାଦ ବେହେରା ସବୁଜ କ୍ୟାମ୍ପସ୍‌ ନେଇ ବିଭିନ୍ନ ପ୍ରକାର ପ୍ରସ୍ତାବ ଦେଇଥିଲେ। ବରିଷ୍ଠ ଜିଲ୍ଲା ପ୍ରତିନିଧି ଗାର୍ଗୀ ଶତପଥୀ ଅତିଥି ପରିଚୟ ସହିତ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ବରିଷ୍ଠ ସହସମ୍ପାଦକ ମୁରଲୀଧର ସେଠୀ, ପ୍ରତିନିଧି ତେଜସ୍କର ମହାପାତ୍ର, ନରେଶ ସେଠ୍, ଆଇଟି ବିଭାଗ ମୁଖ୍ୟ ଗିରିଜା ମୁଦୁଲି, ବିଜ୍ଞାପନ ବିଭାଗର ଅଶୋକ ନାୟକ, ରଞ୍ଜନ ନାୟକ ଏବଂ କନକନ୍ୟୁଜ୍‌ ବ୍ୟୁରୋ ମୁଖ୍ୟ ଲିପନ ହୋତା, ସୁବ୍ରତ ମିଶ୍ର କାର୍ଯ୍ୟକ୍ରମ ଆୟୋଜନରେ ମୁଖ୍ୟ ଭୂମିକା ନେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.